Unknown

 

 

 

 

 

 

 

 

 

 

ସ୍ତୁତି ଚିନ୍ତାମଣି

ସନ୍ଥକବି ଭୀମ ଭୋଇ

 

ପ୍ରଥମ ବୋଲି

 

ଜୟ ଜୟ ଜ୍ୟୋତିରୂପରେ ବିଖ୍ୟାତ ଶୂନେଂ ଯା ଉଡ଼ଛି ବାନୀ,

କୃପାକଟାକ୍ଷ ତ ଅରୂପେ ବିଦିତ ଭଗତ-ଦୁଃଖ-ଖଣ୍ଡନା ।

 

ଜଗତ ଆବୋରି ପୂରିଅଛ ହରି ନାମ ବ୍ରହ୍ମମୟ ତେଜ,

ଅଜ୍ଞାନୀକି ମେରୁ ସୁଜ୍ଞାନୀକି ସରୁ ନୁହଇ ଉଶ୍ୱାସ ବୋଝ ।

 

ଅଭୟ ପୟରୁ ପ୍ରଭୁ ଶ୍ରୀଛାମୁରୁ କିଛି କୃପା ହେଉ ନାହିଁ,

ନିମିଷମାତ୍ରକ ଯୁଗେ ଲେଖୁଅଛି ଦିବସ ଗଣୁଛି ମୁହିଁ ।

 

ଆହା ତୁ କରତା ବୋଲି ମନେ ଚିନ୍ତା ଲଲାଟରେ ହସ୍ତ ମାରି,

ଉଧର ବା ନ ଉଧର ମହାପ୍ରଭୁ ସନ୍ତାପେ ଗଲିଣି ସରି ।

 

ମେଲିଛ ପସରା ନିର୍ବେଦରେ ପରା ଅରୂପେ କରିବ ପାରି,

ଘେନ ମୋ ବିନତି ବୁଝ ତୁ ବ୍ୟକତି ଯେବେ ଭକ୍ତହିତକାରୀ ।

 

ଅବନାମଣ୍ଡଳୁ ଜ୍ଞାନ ଅଖଣ୍ଡଳୁ ଆଣି ଉଡ଼ାଇଛ ବାନା,

ଅନ୍ତର୍ଯ୍ୟାମୀ ହେଲେ ଅବଶ୍ୟ ଜାଣିବ ଭୃତ୍ୟର ମନ କଳ୍ପଣା ।

 

 

ଜାଣ କେତେ ଛନ୍ଦ ଅରୂପ ଗୋବିନ୍ଦ ଏ ସର୍ବ ତୁମ୍ଭରି ଖଣ୍ଡ,

ନଟ କୂଟ କରି ମାରୁଅଛି ଧରି ବିହୁଅଛ କେତେ ଦଣ୍ଡ ।

 

ସନ୍ତାପରେ କେତେ ଦହୁଅଛ ମୋତେ ଯେତେ ଦେଉଛ କଷଣ,

ଭଗତରକ୍ଷଣ ବାନା ବହିଅଛ ଧନ୍ୟ ତୁମ୍ଭ ପ୍ରଭୁପଣ ।

 

ମୁଁ ଯେ ଶ୍ରୀ ଛାମୁରେ ସତ୍ୟ ନିଷ୍କାମରେ ନାମ ଅପରାଧୀ ଚୋର,

ଅଛି ଯେବେ ଦୋଷ ମନେ ବହି ରୋଷ ଖଡ଼ଗେ ଛେଦେ ମୋ ଶିର ।

 

ଏତେ କାଳେ ମୋତେ ବିଅଣଆୟତ୍ତେ ଆସି ପଡ଼ିଲା ବିପତ୍ତି,

ହୃଦର ବେଦନା କର ତୁ ଖଣ୍ଡନା ଅଲେଖ ଅବର୍ଣ୍ଣ ଜ୍ୟୋତି ।

 

କିବା ରାଜପୁତ୍ର କିବା ସାଧୁ ସନ୍ଥ ସର୍ବେ ହେଲେଣି ଦୁର୍ଜନା,

ଏ ତିନି ବ୍ରହ୍ମାଣ୍ଡ ସାଧିବୁ ତୁ ପରା କିସ ଦେଖୁଛ ଭାବନା ।

 

ଦେବା ଦେବୀଗଣ ମୃତ୍ତିକା ପାଷାଣ କାହାକୁ ନ ଭଜି ଚିତ୍ତେ,

ମୂକତି କାଷ୍ଠାରେ ଏକାନ୍ତ ନିଷ୍ଠାରେ ଏକା ଧ୍ୟାୟି ଅଛି ତୋତେ ।

 

ତୁ ଯେବେ ଅଲେଖ କରିବୁ ନିରେଖ ବିପତ୍ତିରେ ଅପଯଶ ।

ଏ ତିନି ବ୍ରହ୍ମାଣ୍ଡେ ପୃଥ୍ୱୀ ନବଖଣ୍ଡେ କାହିଁ ନୋହିବ ମୋ ବାସ ।

 

ହୋଇ ଏତେ ସରି ଜିଇଁଛ ନ ମରି ବୋଝର ଉପରେ ଭାର,

ଏଥିରୁ ଅଧିକ ଭୋଗରୁ ଅଲେଖ କି କରିବୁ ଆଉ କର ।

 

ବଖାଣରେ ଦୁଃଖ ଅଧିକରେ ଶୋକ ହୃଦରୁ ଉଠୁଛି କୋହ,

ପଞ୍ଚଭୂତ ଆତ୍ମା ନିତ୍ୟେ କାନ୍ଦୁଅଛି କ୍ଷଣେ ସୁସ୍ଥ ନାହିଁ ଦେହ ।

 

ମନେ ମନେ ଗୁଣି ଦିବସ ରଜନୀ ସନ୍ତାପରେ ହୋଇ ଘାରି,

ଆହା ରେ ଦାରୁଣ ଦଇବ ବିଧାତା ମୋତେ କଲୁ ଏତେ ସରି ।

 

ମାୟା ମୋହେ ନିତ୍ୟେ ପକାଉଛୁ ମୋତେ କି ରୂପେ ହୋଇବି ପାରି,

ଦିବା ନିଶି ମୋତେ ରୋଦନ ମାଡ଼ୁଛି ବେନି ନେତ୍ରୁ ବହେ ବାରି ।

 

ମୁଁ ହୀନ ପାମର କୀଟ ଜୀବ ଛାର ତୋ ପୟରେ ଅନୁସରି,

କରପତ୍ର ଯୋଡ଼ି ବିନତି କରୁଛି ସୁକୃପା କର ଶ୍ରୀହରି ।

 

ଜଗତଧାରଣ ମୁକତି କାରଣ ତୁ ଯେ ବ୍ରହ୍ମାଣ୍ଡକରତା,

ପିଣ୍ଡ ପ୍ରାଣ ଆଦି ଲାଗିଲା ଅନାଦି ଦୁଃଖ ସୁଖ ସର୍ବ ଚିନ୍ତା ।

 

ତୋ ପାଦେ ଶରଣ ଯାଉ ଏ ପରାଣ ଯୁଗେ ଯୁଗେ ରହୁ କୀର୍ତ୍ତି,

ଝିଙ୍ଗାସ ବଚନ କହେ ଭୀମ ହୀନ ଅଜ୍ଞାନ ପାମର ମତି ।

***

 

ଦ୍ୱିତୀୟ ବୋଲି

 

କିପାଁ ନିରାପକ୍ଷ କରୁଅଛ ମୋତେ କେଉଁ ଦୋଷ ମନେ ଧରି,

ନିଷ୍ଠୁର ତୋ ହିୟା ନ ବସେ ତୋ ଦୟା ଭକ୍ତପ୍ରାଣଖିଆ ହରି ।

 

ହେଉଅଛି ଯାହା ନ ଜାଣୁ କି ତାହା ଅନ୍ତର୍ଯ୍ୟାମୀ ନାମ ବହି,

ମୋତେ କୋପ କରି କି ଯଶ ଅର୍ଜିବୁ ଭଗତ ଜୀବନ ଖାଇ ।

 

ବୋଲାଇ ଠାକୁର ହେଉଛୁ ଚତୁର କେତେ ଦେଉଛୁ ଗଞ୍ଜଣା,

କୃପାସିନ୍ଧୁ ନାମ ବିଅର୍ଥ ହେଉଛି ନ ଯାଉଛି ବୁଝାମଣା ।

 

ଛନ୍ଦ କୂଟ ପାଞ୍ଚି ମାୟା ମୋହ ରଞ୍ଚି ପକାଇ ସିନ୍ଧୁ ସୋହତେ;

କୋଟିଏ କୀଟରୁ ଅନ୍ତର କରିଛୁ କିପାଇଁ ଚାହିଁବୁ ମୋତେ ।

 

ମୋହର କି ଦୋଷ ତୋ ରଞ୍ଚିଲା ଯଶ ବୁଡ଼ାଇ ମାରୁଛୁ ଧରି,

ମାୟାକୁ ପେଷନ୍ତେ ସାଧୁଅଛି ମୋତେ ଯେସନେ ଶତ୍ରୁ ଭଗାରି ।

 

ନାବେ ନ ବସାଇ ଜଳରେ ଭସାଇ କରୁଅଛୁ ଅଣହେଳା,

ଉତ୍ସର୍ଗେ ଉଠାଇ ନିଶୁଣୀ କଟାଇ ଭବେ ବୁଡ଼ାଉଛୁ ଭେଳା ।

 

 

ଏ ଦୁର୍ଲ୍ଲଭ ପିଣ୍ଡ ଅନୁକ୍ଷଣେ ଦଣ୍ଡ ନ ପାରଇ ପ୍ରଭୁ ସହି,

ପିଣ୍ଡ ପ୍ରାଣ ଆଦି ସମର୍ପଣ କଲି ତୁମ୍ଭ ପାଦତଳେ ନେଇ ।

 

ନାହିଁ ମୋ ଭରସା ତୋତେ କରି ଆଶା ଦେଖ ତୁ ମୋର ବିକଳ,

ଆପେ ବିଜେ ହୋଇ ଅନ୍ତପୁରେ ନେଇ ଲଗାଅ ବ୍ରହ୍ମ ଅନଳ ।

 

ଆଜ୍ଞାରେ ବିଦିତ ତ୍ରିପୁର ଜଗତ ସତ୍ୟ ଯେବେ ରବି ଶଶୀ,

ଘେନି ମୋ ଜଣାଣ ପ୍ରଭୁ ନାରାୟଣ ପାରି କର ଭସ୍ମରାଶି ।

 

ପାଷାଣ ତରଳି ଯାଉ ତେଜ ଗଳି ସ୍ଥାନେ ସ୍ଥାନେ ଦିଅ ଜାଳି,

ନାମ ଯେବେ ସତ୍ୟ ବ୍ରହ୍ମ ଯେବେ ତତ୍ତ୍ୱ ଉଡ଼ିଯାଉ ଧୂଆଁ କାଳି ।

 

ଅନ୍ତର୍ଯ୍ୟାମୀ ନାଥ ଜଗତର ତାତ ତ୍ରିଭୂନେ ଧନ୍ୟ ଧନ୍ୟ,

ଭଗତ ନିମନ୍ତେ ପରୀକ୍ଷା ନ ଦେଲେ ତୋତେହେଁ ତୋହରି ରାଣ ।

 

ତୋହର କୃପାରେ ସତ୍ୟ ନିଷ୍କାମରେ ବେଳହୁଁ ଜାଣିଛି ମୁହିଁ,

ଶୁଭିଲା ଶବଦ ନିର୍ବେଦରୁ ଭେଦ ରୂପଗୁଣେ ଜ୍ଞାନ ନାହିଁ ।

 

ଲଗାଇଛି ହେଜି ପିଣ୍ଡ ପ୍ରାଣ ତେଜି ଅବନାମଣ୍ଡଳେ ଚିତ୍ତ,

ବୁଝିବୁ ଅବଶ୍ୟ ଭୋ ଧର୍ମ ପୁରୁଷ ଚାରିଯୁଗେ ଯେବେ ସତ୍ୟ ।

 

ଅନୁଭବେ ଧରି ଅରୁପେ ବିହରି ଶୂନ୍ୟେ ଲାଗିଛି ଭଜନ,

ବେନି ନୟନରୁ ବହି ଯାଉଅଛି ଅଶ୍ରୁଜଳ ଘନଘନ ।

 

ରକ୍ଷା କରିବାକୁ ଘୋର ଦଶା ଦୁଃଖୁଁ ଶାଖା ସୋଦର ମୋନାହିଁ,

ନାହିଁ ତାତ ମାତ ଇଷ୍ଟ ବନ୍ଧୁଭ୍ରାତ ଅନାଥ ପ୍ରାଣୀ ଅଟଇ ।

 

ଲେଖିଅଛୁ ଯାହା ଭୁଞ୍ଜୁଅଛି ତାହା ଅଦୃଷ୍ଟ କର୍ମକୁ ମାନି,

ପୋଷୁଛି ଉଦର ଦିବସ ଅନ୍ଧାର ଦୁଃଖ ପଡ଼ି ମୁଠେ ଆଣି ।

 

କାଳଦଶା ଆସି ଘୋଟିଛି ଆକ୍ରୋଶି ମୃତ୍ୟୁରେ କରି ସଂଯୋଗ,

କଟାକ୍ଷନେତ୍ରରେ କିଞ୍ଚିତେ ଚାହିଁଲେ ରେଣୁ ପ୍ରାୟେ ଉଡ଼ିଯିବ ।

 

ଏ ନର ଦେବାନ୍ତ ବ୍ରାହ୍ମଣ ପଣ୍ଡିତ କେ ନୁହନ୍ତି ଭାର୍ଜନ,

ଏ ଘୋର ବିପତ୍ତି ଖଡ଼ଗରେ କାଟି ଏକା ଫେଡ଼ିବ ଆପଣ ।

 

ଏକାକ୍ଷଣ ପଦ ହୃଦେ ଗୁଣବାଦ ନିରନ୍ତରେ କରି ଆଶା,

ଅଧିକ ବିଷୟା ନ ପାରଇ ତାହା ନାମ ଭଜନେ ତପସ୍ୟା ।

 

ଦୁଃଖ ସୁଖ କଥା ମନେ କରି ଚିନ୍ତା ପ୍ରଭୁ ଛାମୁରେ ଜଣାଇ,

ଶରଣ ବିକଳେ ଗୁରୁପାଦତଳେ ଭୀମ ଅରକ୍ଷିତ କହି ।

***

 

ତୃତୀୟ ବୋଲି

 

ବିପତ୍ତିଖଣ୍ଡନ ଦୁଃଖୀରଙ୍କଧନ ଅଖିଳ ବ୍ରହ୍ମାଣ୍ଡନାଥ,

ଆଜ୍ଞା ଅନୁସରି କୃପା ହେବ ବୋଲି ପ୍ରସାରିଛି ବେନି ହସ୍ତ ।

 

ଛପନାକୋଟି ଜୀବଜନ୍ତୁ ଈଶ୍ୱର ତ୍ରିଭୁବନ ଗତି ପତି,

ଦୟା ହେବ ବୋଲି ମନେ ମନେ ଭାଳି ଉଲ୍ଲାସ କରିଛି ଛାତି ।

 

ଦଗଧରେ ଦେହ ପୋଡ଼ୁଛି ହୃଦୟ ଅଣାକାର ବ୍ରହ୍ମମୟ,

କ୍ଷଣକେ ରୋଦନ କ୍ଷଣେ ଶାନ୍ତିମନ ଅଞ୍ଚଳରେ ପୋଛେ ଲୁହ ।

 

ଖଳବଳ କରୁଅଛ ଆଦିମୂଳ କେତେ ଦିନେ ସର୍ବସିଦ୍ଧି,

କାଳଦଣ୍ଡ କଷ୍ଟ କେତେ ମୁଁ ସହିବି ପ୍ରାଣକୁ ଗଲାଣି ବାଧି ।

 

ଅଣବୁଝାମଣା କରି ସେ ଭାବନା ଧରି ମାରୁଅଛି ଦେଖ,

ନିଗୂଢ଼ ମନ୍ଦିରେ ପକାଇ ବନ୍ଦୀରେ ଦେଉଅଛି କେତେ ଦୁଃଖ ।

 

କ୍ଷୁଧା ତୃଷା ମାରି ଆଧାର ନ କରି ରହିଅଛି ନିରବଳେ,

ଟଳଟଳ ଆତ୍ମା ଟଳି ନ ପଡ଼ୁଛି ଏକା ପରଂବ୍ରହ୍ମ ବଳେ ।

 

 

 

ଜନ୍ମରେ ମୁଁ ଏକା କର୍ମରେ ନିଶାଖା ଅଟଇ ଯେ ନିରିମାକ୍ଷୀ,

ଅଦୋଷରେ ମୋତେ ବିଅର୍ଥେ ଦଣ୍ଡୁଛ ଚନ୍ଦ୍ର ସୂର୍ଯ୍ୟ ଛନ୍ତି ସାକ୍ଷୀ ।

 

ନାହିଁ ବାଡ଼ି ବୃତ୍ତି ବିଶ୍ରାମରେ ସ୍ଥିତି ଜନ୍ମଜନ୍ମାନ୍ତରେ ଦୁଃଖୀ,

ବିବେକ ନ କରି ମାରୁଅଛ ଧରି କି କି ଅପରାଧ ଦେଖି ।

 

ନୁହଇ ଦମ୍ଭିକ ନାସ୍ତିକ କପଟୀ ଧର୍ମଆଶ୍ରିତର ପ୍ରାଣୀ,

କର୍ମ ଲେଖା ଯୋଗ ଭୁଞ୍ଜୁଅଛି ଭୋଗ କି କି ଦୋଷ କଲି ପୁଣି ।

 

କି କରିବ କରୁ ଆହୁରି ଏଥିରୁ ଭାବନା ବୁଝିବା ଭଲା,

ଅନାଦି ଈଶ୍ୱର କରିବେ ଉଦ୍ଧାର ଭବେ ବାନ୍ଧିଥିଲେ ଭେଳା ।

 

ବୁଝି ମାଟି ପୃଥ୍ୱୀ ଜ୍ୟୋତିରୂପ ମୂର୍ତ୍ତି ତେତିଶ୍‌କୋଟି ଦେବ ଜାଣ,

ଆପ ତେଜ ବାଇ ଥାଅ ସାକ୍ଷୀ ହୋଇ ନବଲକ୍ଷ ତାରାଗଣ ।

 

ପୃଥ୍ୱୀକି ଧାରଣ କରୁଛ କାରଣ ଜଳ ବହନି ପବନ,

ଅଗ୍ନି ନେତ୍ରେ ଚାହିଁ ଦେବେ ମହୀ ପାଇଁ ସାକ୍ଷୀରୂପେ ସର୍ବେ ଶୁଣ ।

 

ଆଦ୍ୟ ନବ ଋଷି ଛାଡ଼ ବ୍ରହ୍ମବାସୀ ଚଉଷଠୀ ସିଦ୍ଧ ଯୋଗୀ,

ଧର୍ମରେ ଧଇର୍ଯ୍ୟ ତୁମ୍ଭେମାନେ ବୁଝ କେତେ କେତେ ଅଛି ଲାଗି ।

 

ଚାରିଯୁଗ ଦିଶଦିଶ ବେଦଶାସ୍ତ୍ର ଛପନାକୋଟି ଜୀବ ଯେତେ,

ପ୍ରଭୁଙ୍କ ପ୍ରତାପ ଦେଖିବ ପ୍ରତ୍ୟକ୍ଷ ଦୋଷନାହିଁ ଦେବ ମୋତେ ।

 

ଏ ସତ୍ୟ ସମ୍ଭବ କହୁ କହୁ ହେବ ନିଷ୍ଠା ଭକ୍ତି ପୂର୍ଣ୍ଣ ଫଳ,

ଏ ମୋର ବିକଳ ଦେଖୁଛ ସକଳ ସାକ୍ଷରେ ସର୍ବେ ରହିଲା ।

 

ମୁଁ ଯାହା ବୋଇଲି ବିନୟ ହୋଇଲି ଗର୍ବ କରିବାକୁ ନାହିଁ,

ପ୍ରଭୁଙ୍କୁ ଜଞ୍ଜାଳ କରୁଛି କଟାଳ ପ୍ରାଣର ଆକୁଳେ ମୁହିଁ ।

 

ନାମ କୃପାସିନ୍ଧୁ ଭଗତଙ୍କ ବନ୍ଧୁ ଅଣାକାର ବ୍ରହ୍ମରାଶି,

ଅପରାଧ କ୍ଷମା କର ହୋ ମହିମା ଫିଟାଅ ବନ୍ଦୀରୁ ଆସି ।

 

ସିଦ୍ଧବ୍ରହ୍ମବାଣୀ କମ୍ପୁଛି ଧରଣୀ ଚିନ୍ତିଲେ ଖଣ୍ଡୁଛି ପାପ,

ନିଷ୍କାମ ଧର୍ମରେ ନିର୍ବେଦ କର୍ମରେ ବାନା ଉଡ଼ୁଛି ଅଲେଖ ।

 

ପିଣ୍ଡକୁ କାରଣ ଜୀବଉଦ୍ଧାରଣ ଅମାପ ଅକ୍ଷୌଣୀ ଜପ,

ଭାସୁଅଛି ଜଳେ ସୋହତିର ବଳେ ତ୍ରାହି କର ଶୂନ୍ୟରୂପ ।

 

ଅମରୀଷ ହେଲି କୋପେ ଗାଳି ଦେଲି ନ ଧରିବା ପ୍ରଭୁ ରୋଷ,

କହେ ଭୀମ ହୀନ ପାମର ଅଜ୍ଞାନ କ୍ଷମାକର ମୋର ଦୋଷ ।

***

 

ଚତୁର୍ଥ ବୋଲି

 

କରିବାକୁ ଅନ୍ତ ନୁହଇ ସାମର୍ଥ ମୃତ୍ୟୁ କଳେବର ବହି,

ନ ବୁଝି ବିଖଣ୍ଡ କଲି ମୁଁ ଉଦ୍ଦଣ୍ଡ ଛାର କୀଟ ଜୀବ ହୋଇ ।

 

ମୋଠାରୁ ଅଧିକ ପାପି-ଜନ ମୂର୍ଖ ନ ଥିବେ ତିନି ବ୍ରହ୍ମାଣ୍ଡେ

ଶ୍ରୀଛାମୂକୁ ନିନ୍ଦା ଦେଲି ଅଭିମାନେ ପାପଚିତ୍ତ ଚର୍ମତୁଣ୍ଡେ ।

 

ମନେ ପାଇ ବ୍ୟଥା ହେଲି ଗରବିତା ମୁଁ ବଡ଼ ମୁଢ଼ ଚାଣ୍ଡାଳ,

ରୂପ ରେଖ ନାହିଁ ପ୍ରକାଶ ହୋଇଛ ଜ୍ୟୋତିରୂପେ ଢଳହଳ ।

 

କର୍ମରେ ଅବସ୍ଥା ଲେଖିଛି ବିଧାତା ପୂର୍ବେ ଅର୍ଜିଥିଲା ପାପ,

ଚିରାନ୍ତ କାଳକ ରଖିଲ କଳଙ୍କ କୃପାନେତ୍ରେ ବାରେ ଦେଖ ।

 

ବହି ଦିବା ନିଶି ନାହିଁ ରବି ଶଶୀ ନାମ ବ୍ରହ୍ମ ନୀର ନଈ,

କଲେ ଅଣହେଳା ବୁଡ଼ବଟି ଭେଳା ବୁଝ ସାବଧାନ ହୋଇ ।

 

ଅଙ୍ଗେ ଅଛି ଘୋଟି ନ ପାରୁଛି ଉଠି ପଡ଼ିଛି ସନ୍ତାପ ଘୋରେ,

ଲେଶ ଦୟା ବହି ଆଗ୍ରେ ନାବ ଦେଇ ଉଦ୍ଧରି ଲଗାଅ ତୀରେ ।

 

 

 

ନୋହେ ତ ବିଫଳ, ସମ୍ଭବ ସୁଫଳ ଯାହା ପାଞ୍ଚି ଅଛି ବୁଦ୍ଧି,

କାମନା କଳ୍ପଣା ବୁଝତ ଆପଣ ମନବାଞ୍ଛା କର ସିଦ୍ଧି ।

 

ଅନୁଭବେ ଖୋଜି ଅନ୍ତର୍ଗତେ ହେଜି ପଞ୍ଚତତ୍ତ୍ୱ ମନେ ଭାଳି,

ଏକା ମୋ ଅଲେଖ ଫେଡ଼ିବେ ମୋ ଦୁଃଖ ଛାମୁରେ ଗୋଚର କଲି ।

 

ବିଷୟ ବେବସ୍ଥା ଅଧିକ ଯେ କଥା କେତେ ବଖାଣିବି ମୁହିଁ,

ସର୍ବଘଟେ ପୂରି ଅଛ ସାକ୍ଷୀ ପରି ଛାମୁକୁ ଉବାର ନାହିଁ ।

 

ନିଷ୍କାମ ଭଗତି ଆଦି ଫଳ ଶ୍ରୁତି ଖଟିଅଛି ପାଦତଳେ,

ନ ଚିହ୍ନଇ ବୋଲି ଭଣ୍ଡୁଅଛ ଅବା ଦେଖୁଅଛ ଜ୍ଞାନଡ଼ୋଳେ ।

 

ବରିବି କି ଜପ କରିବି କି ତପ କିରୂପେ ହୋଇବି ଭୃତ୍ୟ,

ପ୍ରଭୁପାଦତଳେ ଖଟି ରହିଅଛି କୋଟି କୋଟି ତୀର୍ଥ ବ୍ରତ ।

 

କି ପାଇବି ଧନ କାହୁଁ ଦେବି ଦାନ କି କରିବି କର୍ମ ଧର୍ମ,

ପ୍ରଭୁ ଶ୍ରୀଛାମୁରେ ପୂରି ରହିଅଛି ଦାତାପଣ ଗୁଣଗ୍ରାମ ।

 

ଏକାକ୍ଷର ପାଦ ନୁହେ ଦୃଢ଼ ଭେଦ ହୃଦେ କି ପାରିବି ଭେଦି,

ପ୍ରଭୁ ଆସ୍ଥାନେ ପାବଚ୍ଛ ହୋଇଛନ୍ତି ଅଷ୍ଟାଦଶ ଆଦି ସିଦ୍ଧି ।

 

ନରଦେହ ଧରି ନୁହେ ଅନ୍ତ କରି ଅଣାକାରରୂପ ବ୍ରହ୍ମ,

ପ୍ରଭୁ ଶ୍ରୀପାରୁଶେ ଖଟି ରହିଛନ୍ତି ଚାରିପାଦ ସତ୍ୟ ଧର୍ମ ।

 

ଜପ ତପ ମନ୍ତ୍ର ଯନ୍ତ୍ର ବେଦଶାସ୍ତ୍ର ବ୍ୟକତି ଆସୁଛି କ୍ଷରି,

ସୁସତ୍ୟ ଦାଉଣି ବୁଲାଉଛି ଯୋଚି ନାମ ବ୍ରହ୍ମମୂଳ ମେଢ଼ି ।

 

ଚରଣେ ଶରଣ କର ଉଦ୍ଧାରଣ ଠୁଳଶୂନ୍ୟ ଆଦିକନ୍ଦ,

ଜୟ ଜୟ ଜ୍ୟୋତି ପରେ ଯାର ସ୍ଥିତି ଆଦି ଅରୂପା ଗୋବିନ୍ଦ ।

 

ଭିଆଇଛ ରୀତି ଯେହ୍ନେ ସପ୍ତଗାତ୍ରୀ ବିଷୟା ଧନ୍ଦାରେ ପଡ଼ି,

ଅନୁଷଣ ଦୁଃଖମନରେ ବିମୁଖ ନ ପାରୁଛି ପଦ ଯୋଡ଼ି ।

 

ଏକାକ୍ଷର ପାଦ ହୃଦେ ଗୁଣବାଦ ନିରନ୍ତରେ କରି ଆଶା,

ଅଧିକ ବିଷୟା ନ ପାରଇ ତାହା ନାମ ଭଜନ ତପସ୍ୟା ।

 

ରୋପିଅଛି ଜାଣି ଦେଇ ଅନ୍ନ ପାଣି ଓଲଟିଆ ତରୁ ବଟ,

ଏ ତିନି ବ୍ରହ୍ମାଣ୍ଡେ ପୃଥ୍ୱୀ ନବଖଣ୍ଡେ ପାଇବି କି ନାହିଁ ଭେଟ ।

 

ସିଦ୍ଧ ବ୍ରହ୍ମବାକ୍ୟ ଭଗତଙ୍କ ଭେକ ଯୁଗଯୁଗାନ୍ତରେ ସତ୍ୟ,

ବେନି ନେତ୍ରୁଁ ନୀର ବହୁ ଅଶ୍ରୁ ମୋର ଭଣେ ଭୀମ ଅରକ୍ଷିତ ।

***

 

ପଞ୍ଚମ ବୋଲି

 

କାହିଁ ମୁଁ ରହିବି କେଉଁଠାକୁ ଯିବି ବୁଦ୍ଧି ଦିଶୁନାହିଁ ମୋତେ,

ମାୟା ଦୁରୁଦଣ୍ଡ କାଟୁଅଛି ପିଣ୍ଡ ସମ୍ଭାଳି ସହିବି କେତେ ।

 

ନ କର ବିଫଳ ସମ୍ଭବ ସକଳ ରଖ ଶୁଭାଶୁଭ ପଥେ,

ନାମବ୍ରହ୍ମ ରଟି ପାଦେ ଥିବି ଖଟି ଜୀବ ଥିବା ପରିଯନ୍ତେ ।

 

ଜନ୍ମରୁ ମୁଁ ଦାସ ଛିଣ୍ଡାଉଛି ଆଶ କରୁଅଛ ଅନାଦର,

ଦୀପ ନାହିଁ ଘର ଅନ୍ଧାର କରୁଛ ଦିଶୁଅଛି ଅସୁନ୍ଦର ।

 

ସଭା ଥିଲେ କରି ସାଧୁ ସନ୍ଥ ବରି ନଥିଲେ ଧର୍ମ ବିବେକ,

ପୁରୁଷ ଥାଇ ସ୍ତିରୀରତ୍ନ ନ ଥିଲେ ଗୃହେ ଥିବାର କି ସୁଖ ।

 

ସଂସାର-ସାଗରେ ପୁତ୍ର ଦୁହିତାରେ ଯେବଣ ପ୍ରାଣୀ ନିରେଖ,

କୁଳଧର୍ମ ନାଶ କର୍ମ ଅପଯଶ ଚାହିଁ ନ ଯୋଗାଏ ମୁଖ ।

 

ଆଶା ବାଡ଼ି ବୃତ୍ତି ଦୁର୍ଲ୍ଲଭ ସମ୍ପତ୍ତି ଧନ ଦ୍ରବ୍ୟ ଯାର ନାହିଁ,

ଦେବତା ବ୍ରାହ୍ମଣ ନୃପତ୍ତି ଛାମୁରେ ନିରେଖ ଅଟଇ ସେହି ।

 

 

 

ସୁବୁଦ୍ଧି ସତ୍ୟରେ ଅର୍ଥ ସମ୍ପଦରେ ଚିତ୍ତେ ଯାର ଶ୍ରଦ୍ଧା ନାହିଁ,

ପାଞ୍ଚ ପଚିଶରେ ବାହ୍ୟ ଜଗତରେ ଜ୍ଞାନହୀନ ବୋଲି କହି ।

 

ଜଳ ଅଗ୍ନି ହେଲେ ପବନର ତୁଲେ ନୋହିଲେ ତା ସଙ୍ଗ ସାଥୀ,

କିରୂପେ ଲହଡ଼ି ଆସିବ ସେ ମାଡ଼ି କିରୂପେ ପାଳିବ ପୃଥ୍ୱୀ ।

 

ପୃଥ୍ୱୀରେ ଅରୁଣ ତେଜମୟ ବର୍ଣ୍ଣ ଉଦେ ଯେମନ୍ତ ନୋହିବ,

ନିଶିରେ ଚନ୍ଦ୍ରମା ପ୍ରକାଶ ନୋହିଲେ ଶୋଭା କେମନ୍ତେ ପାଇବ ।

 

ନବଖଣ୍ଡ କ୍ଷିତି ପୃଥ୍ୱୀ ଆଧିପତି ନ ଥିଲେ ପ୍ରଧାନ ଆଦି,

ପାଇକ ପରଜା ବିଧବାରେ ହେଜା ସର୍ବେ ଅଶୁଭ ଅସିଦ୍ଧି ।

 

ଗୁରୁ ଥାଇ ଶିଷ୍ୟ ଲୋଡ଼ି ନ ଆଣିଲେ ବାନା ଦୀକ୍ଷାହିଁ ଅସର,

ପ୍ରତିଦିନ ଧର୍ମ କି କରିବ କର୍ମ ଧାରଣା ବିଧି ବେଭାର ।

 

ପଣ୍ଡିତ କବି ତ ପାଠେ ନାହିଁ ବୃତ୍ତ ଶୁଭ ଅନୁକୂଳେ ହୀନ,

ଖଡ଼ି ଗୁଆ ପାଞ୍ଜି ହସ୍ତରେ ନ ଥିଲେ କି ଜାଣିବେ ପାପ ପୁଣ୍ୟ ।

 

ଯୋଗି-ପୁତ୍ର ହୋଇ ବିଷୟାରେ ବାଇ ନ ଥିବ ସାଧନା ଯୋଗେ,

ମନପବନକୁ ପରଚେ ନ କଲେ ସାଧିବ ସେ କେଉଁ ବାଗେ ।

 

ଦ୍ୱିଜବର ହୋଇ କ୍ରିୟା କର୍ମ ନାହିଁ ନୋହେ ଯେବେ ବେଦଧାରୀ,

ତ୍ରିସନ୍ଧ୍ୟା ତର୍ପଣ ଜପ ମନ୍ତ୍ରେ ହୀନ କେବଣ ଗୁଣେ ସେ ସରି ।

 

ସାଆନ୍ତ ଥାଇ ସେବକ ନ ଲୋଡ଼ିଲେ ଲୋକେ ପାନ୍ତି ଅପଯଶ,

ସେବା ଥାଇ ଦୟା ହୃଦେ ନ ବହିଲେ ପ୍ରଭୁପଣ ବଡ଼ ଦୋଷ ।

 

ଅନ୍ନରେ ବ୍ୟଞ୍ଜନ ବ୍ୟଞ୍ଜନେ ମଜ୍ଜନ ନୋହିଲେ ଲବଣପାଣି,

ନାହିଁ ତା ସୁରଙ୍ଗ ମନକୁ ବିରଙ୍ଗ କିରୂପେ ଭୁଞ୍ଜିବ ପୁଣି ।

 

ଧନ ଦାରା ସୁତ ଇଷ୍ଟ ବନ୍ଧୁ ଭ୍ରାତ ଶରଧା ନ ଥାଇ ଯେବେ,

ମିତ୍ର ବନ୍ଧୁ ପ୍ରୀତି କିରୂପେ ବଢ଼ିବ ସୁକୃତି ନ ଥିଲେ ପୂର୍ବେ ।

 

ବ୍ରହ୍ମା ହୋଇକରି ତ୍ରିଗୁଣ ମାର୍ଗରେ ପିଣ୍ଡ ଯେବେ ନ ରଞ୍ଚିବ,

ଜନମ ଜାତକ ବୁଝି ଯେବେ ନାହିଁ ଧାତାପଣେ କେ ଗଣିବ ।

 

ବିଷ୍ଣୁ ହୋଇ ଯେବେ ଛପନାକୋଟି ଜୀବେ ନ କରେ ପ୍ରତିପାଳନ,

ଆତ୍ମା ନ ଚିହ୍ନିଲେ ଧର୍ମ ନ ପାଳିଲେ କର୍ତ୍ତାପଦ ଅକାରଣ ।

 

ସେହିରୂପେ ମୋତେ କୃପାଜଳଚିତ୍ତେ କଷଣରୁ କର ପାରି,

ଭଣେ ଭୀମ ଭୋଇ ପଞ୍ଚମ ବୋଲିରେ ଗୁରୁପାଦପଦ ଧରି ।

***

 

ଷଷ୍ଠ ବୋଲି

 

ନ ଥିଲା ଏ ପୃଥ୍ୱୀ ପ୍ରଳୟ ଉତ୍ପତ୍ତି ନ ଥିଲା ଜଳ ପବନ,

ନାହିଁ ରୂପ ରେଖ ଅଜନ୍ମ ଅଜପ ନାମ କହି ମହଶୂନ୍ୟ ।

 

ଏକାନ୍ତ ପାଦରୁ ଜନ୍ମିଲା ଶୂନ୍ୟରୁ ଦ୍ୱିତୀୟ ଅକ୍ଷର ଭେଦ,

ସକାମେ ଶକତା ନିଷ୍କମେ ବକତା ନାମ ପରଂବ୍ରହ୍ମ ପଦ ।

 

ସ୍ୱାହା ଶବଦରୁ ସହସ୍ରେ ପାଖୁଡ଼ା ଶାଖାରେ ହେଲା ଉଦ୍ୟାନ,

ଅବନା ସଞ୍ଚରି ନାମ ବୋଲାଇଲ ଆଦିବ୍ରହ୍ମ ଭଗବାନ ।

 

ନ ଉଲଟେ ଜିହ୍ୱା ବନ୍ଦନା ବର୍ଣ୍ଣିବା ଅରୂପ ଅଭେଦ ସମ,

ଅଗୋଚର ଅର୍ଥେ ବୋଲାଇଲ ତେଣୁ ଅନନ୍ତ ମହିମା ନାମ ।

 

କରିବାକୁ ପାର ଏ ଭବସାଗର ଭକ୍ତ ପ୍ରାଣ ପଞ୍ଚଭୁତ,

ଜଗତେ ବିଖ୍ୟାତ ଦୀକ୍ଷାହିଁ ପ୍ରକାଶ ପରମାନନ୍ଦ ଅଚ୍ୟୁତ ।

 

ଯେଉଁଠାରେ ସ୍ଥିତି ଜୀବ ମୋକ୍ଷଗତି ଉଦେ ନାହିଁ ରବି ଶଶୀ,

ଜଗତେ ଉଦିତ ନାମହିଁ ବିଦିତ ବାସୁଦେବ ବ୍ରହ୍ମରାଶି ।

 

 

 

ଏକାଙ୍ଗ ଭଗତି ଅବର୍ଣ୍ଣ ଅଜ୍ୟୋତି ଦରିଦ୍ର ପ୍ରାଣୀଙ୍କ ଧନ,

ତ୍ରିଭୁବନ ସମ ବିବର୍ଜିତ ନାମ ଆଦିମୂଳ ନାରାୟଣ ।

 

ପ୍ରଭୁ ଶ୍ରୀପୟରୁ ଅଭୟପଞ୍ଜରୁ ଝରୁଅଛି ସୁଧାଧାର,

ନିରୋପି ଭଗତେ ନାମ ଦେଲେ ତୋତେ ନିରଞ୍ଜନ ନିରାକାର ।

 

କର୍ତ୍ତାରେ ସଂଯୁକ୍ତା ଧାତାପଣେ ହିତା ଲଲାଟରେ ମାତ୍ରା ବସି,

ଅବ୍ୟକତ ନାମ କହିଲ ଆପଣ କ୍ଷୀରୋଦଶୟନବାସୀ ।

 

ଠୁଳ ଶୂନ୍ୟ ଆଦ୍ୟ ନିର୍ଭା କରି ମୁଦ ଅଷ୍ଟାଙ୍ଗଯୋଗେ ବେହାର,

ଭଗତଙ୍କ ହିତ ନାମ ସାରସ୍ୱତ ଜ୍ୟୋତିର୍ମୟ ନିରାକାର ।

 

ନବଖଣ୍ଡ ପୃଥ୍ୱୀ ପ୍ରଭୁ ଆଧିପତି ପୂରିଅଛ ଚରାଚର;

ଭଗତଙ୍କୁ ତାରି ଜଗତ ଉଦ୍ଧରି ତେଣୁ ନାମ ବିଶ୍ୱମ୍ଭର ।

 

ଦୁଃଖୀର ସଙ୍ଖାଳି ଗଳାରତ୍ନମାଳି ନିର୍ବଳ ପ୍ରାଣୀଙ୍କ ହିତା,

ଧର୍ମରୂପ ଧରି କର୍ମରୂପେ ପୂରି ନାମ ହରତା କରତା ।

 

ଦେହ ଅଦେହରେ ବାହ୍ୟ ଅଭ୍ୟନ୍ତରେ ସର୍ବଜୀବ ପିତାମାତା,

ଦୁଷ୍ଟ ସନ୍ଥ ଜନ ପାଳନ ସମାନ ନାମ ଅନ୍ନଗୁରୁ ଦାତା ।

 

ଭଜିବାକୁ ନାମ ନୋହେ ସରିସମ ପ୍ରାକର୍ମ ନାହିଁ ନା ମୋର,

ଅକଳନା ବ୍ରହ୍ମ ଅନ୍ତ ନୋହେ ନାମ ଅଜପା ଅଣଅକ୍ଷର ।

 

ବର୍ଣ୍ଣି ବର୍ଣ୍ଣି ପଦ ନ ପାଇଲି ଭେଦ ଚିହ୍ନି ନ ପାରିଲି ମୁହିଁ,

କାହିଁରେ ନ ମିଶି ନାମେ ଅଛି ବସି ଅରୂପାମଣ୍ଡଳ ବାଇ ।

 

ନ ଲାଗେ କଳଙ୍କ ଜଳହଦପଙ୍କ ସର୍ବଗୁଣେ ପୂର୍ଣ୍ଣକାମ,

ଗମି ନ ପାରନ୍ତେ ଭୟ କରି ଚିତ୍ତେ ନାମ ନିଗମ ଦୁର୍ଗମ ।

 

ନ ଭେଦଇ କାୟେ ରଚନା ବିଷୟେ ସ୍ୱାହା ଶ୍ରୁତି ଶବ୍ଦ ବର୍ଣ୍ଣ,

ନିଷ୍କାମରେ ନିରାମୟରେ ସଂଯୁକ୍ତ ତେଣୁ ସଦାନନ୍ଦ ନାମ ।

 

ହାନି ଲାଭ ବେନି ମତରେ ସମାନ ଅଣପଥେ ଶୁଭାଶଭ;

ଭଗତଜନଙ୍କୁ ତାରିବା ନିମନ୍ତେ ଅନ୍ତର୍ଯ୍ୟାମୀ ଗୁରୁଦେବ ।

 

ମାୟାକୂପେ ସାଇଁ ନେଉଛ ଭସାଇ କୃପା ଅଭୟପଞ୍ଜରୁ,

ପୃଥୀକି ଆବୋରି ଧରିଅଛ ହରି ନାମ ପୂର୍ଣ୍ଣଗିରି ମେରୁ ।

 

ଜନ୍ମହୁଁ ମୁରୁଖ ଚିନ୍ତା ମହାଦୁଃଖ ବେଦ ଶାସ୍ତ୍ର ନାହିଁ ଶୁଣା,

ଗୁରୁପାଦେ ଧ୍ୟାୟି ଭଣେ ଭୀମ ଭୋଇ ଅରୂପେ କରି ଭଜନା ।

***

 

ସପ୍ତମ ବୋଲି

 

ଯୋଗ ଆରମ୍ଭିଲେ କାଳକୁ କାଟିଲେ ପଦ୍ମପାଦେ କରି ଠଣା,

ଭଗତ ଆରତ ନିବାରନ୍ତେ ନାମ ଅଭୟପଞ୍ଜରବାନା ।

 

ଶାସ୍ତ୍ରକୁ ଯେ ପଢ଼ି ବେଦମାର୍ଗେ ବୁଡ଼ି ସାତ୍ତ୍ୱିକେ କଲେ ଭାବନା,

କାଳବିକାଳରୁ ଉଦ୍ଧରନ୍ତେ ନାମ ଭବଭୟ ବଜ୍ରସେହ୍ନା ।

 

ସତ୍ୟରେ ମଜ୍ଜଇ ତତ୍ତ୍ୱରେ ଭଜାଇ ଭବସିନ୍ଧୁ କଲ ପାରି,

ତେଣୁକରି ନାମ ଜଗତେ ପ୍ରକାଶ କୃପାସିନ୍ଧୁ ଦଇତାରି ।

 

ରୂପକୁ ବର୍ଣ୍ଣିଲେ ଶାସ୍ତ୍ର ବଖାଣିଲେ ଭାବକୁ ହେଲେ ଭଗତ,

ତେଣୁ ନାମ ରୀତି ଅଖଣ୍ଡ ବିଭୂତି ଅରତତାରଣ ନାଥ ।

 

ରୂପ ଦୂର କରି ଅରୂପକୁ ଧରି ଜ୍ଞାନି-ଜନ ଗଲେ ତରି,

ସିଦ୍ଧ ସାଧୁ ସନ୍ଥେ ନାମ ଦେଲେ ତୋତେ କରୁଣାସାଗର ହରି ।

 

ସାଧିଲେ ଭଗତ କରୁଣା ବାଞ୍ଛିତ ଯାର ଯେଉଁ ରୂପ ବିଧି;

ଲଭିଲେ ସୁଫଳ ମନବାଞ୍ଛା ଫଳ ନାମ ଦେଲେ ଗୁଣନିଧି ।

 

 

 

ଜଗତମାୟାରୁ ଏ ମୃତ୍ୟୁକାୟାରୁ ଉଦ୍ଧାର କରନ୍ତେ ଜୀବ,

ତିମିରି ସୋହତେ ପାରି କରି ନ୍ୟନ୍ତେ ତେଣୁ ନାମ ପଦ୍ମନାଭ ।

 

ଶ୍ରବଣ କୀର୍ତ୍ତନ କରି ଅନୁଷଣ ଯଶ ଉଚ୍ଚାରିଣ ଯହିଁ,

ଭଗତ ଭାବକୁ ମୋହିତ ହୁଅନ୍ତେ ତେଣୁ ନାମ ଭାବଗ୍ରାହୀ ।

 

ଗୃହରେ ବିହିତ ଜନ ସାଧୁ ସନ୍ଥ ମନ ଆନନ୍ଦ କେ କହୁ,

ଧ୍ୟାନ ଧାରଣାରେ ନାମ ଦେଲେ ତୋତେ ଧର୍ମଦାନୀ ମହାବାହୁ ।

 

ସମ୍ପତ୍ତି ସୁଲଭ ଦେବଙ୍କୁ ଦୁର୍ଲ୍ଲଭ ଅଷ୍ଟରତ୍ନ ପରେ ସାର,

ଦୁଷ୍ଟ ନିବାରନ୍ତେ ସନ୍ଥକୁ ପାଳନ୍ତେ ତେଣୁ ନାମ ଚକ୍ରଧର ।

 

ସୁଜ୍ଞାନୀ ଭରତ ନ ପାଇଲେ ଅନ୍ତ ଅମାପ ଅଗାଧ ସିନ୍ଧୁ,

ମହିମା ଅଶେଷ ଦୁଃଖୀ ଦୁଃଖ ନାଶ ତେଣୁ ନାମ ଦୀନବନ୍ଧୁ ।

 

ସ୍ୱକାମ ଭଗତି ଆଦି ଫଳଶ୍ରୁତି ଯତିବେଶେ କଲେ ଜପ,

ପ୍ରେମଭାବ ଭୋଳେ ନାମ ଦେଲେ ତୋତେ ନବଘନଶ୍ୟାମ ରୂପ ।

 

ଏକସ୍ଥାନ ହୋଇ ନ ରହୁ ତୁ କାହିଁ ତ୍ରିପୁରଜଗତପତି,

ଯଶକୁ ସମ୍ପାଦି ନାମ ଦେଲେ ଭକ୍ତେ ଜାଜୁଲ୍ୟମୟ ତୋ ଜ୍ୟୋତି ।

 

ଘଟେ ଘଟେ ପୂରି ଘୋଟି ରହିଅଛି ମୁକତିପସରା ତେଜ,

ଅମ୍ରାଧିଭୁବନେ ବିରାଜନ୍ତେ ନାମ ଆଦିକନ୍ଦ ଦେବରାଜ ।

 

ଉତ୍ପତ୍ତିରୁ ସ୍ଥିତି କରାଉ ତୁ ନିତି ସଂହାରଣପଣେ ଯମ,

ଭଗତ ଭାବକୁ ବହିଅଛ ଯେଣୁ ତେଣୁ ଗଦାପଦ୍ମନାମ ।

 

ମଣ୍ଡଳରାହାସ କରି ଛଡ଼ରସ ନିରନ୍ତରେ ଥାଇ ରସି,

ଲୀଳାବିନୋଦରେ ବେହାର କରନ୍ତେ ଆଦ୍ୟ ବୃନ୍ଦାବନବାସୀ ।

 

ଏକପାଦେ ରହି ସର୍ବ କରୁ ତୁହି ଧନ୍ୟ ଧନ୍ୟ କୀର୍ତ୍ତିଯଶ,

ଲାଭ ହାନି ଭଲ ଜାଣୁ ତୁ ସକଳ ନାମ ସର୍ବଜ୍ଞ ପୁରୁଷ ।

 

କିପାଇଁ କୃପଣ ହେଉଛ ଆପଣ କର କୃପାଜଳଧିରୁ,

ଗହ ଗହ ଶୋଭା କିସ ଲକ୍ଷ ଦେବା ନାମ ବାଞ୍ଛାକଳ୍ପତରୁ ।

 

ହୋଇବାକୁ ଉଜ ନ ମିଳୁଛି ସଜ ଘୋଟିଅଛି ମାୟା ମୋହ,

ଦେଖି ନିଜ ରୂପ ଛଡ଼ାବନ୍ତି ପାପ ଦିନେହେଁ ଦେଖା ନ ଦିଅ ।

 

ଧାରଣା ଧିଆନ କରି ମନେ ମନ ଦିବା ନିଶି ଗଲା ବହି,

ଭଣେ ଭୀମ କନ୍ଧ ହୋଇ କାନ୍ଦ କାନ୍ଦ ଅଭୟଚରଣେ ଧ୍ୟାୟି ।

***

 

ଅଷ୍ଟମ ବୋଲି

 

ନିଷ୍କାମ ପଦରେ ଗମି ନର୍ବେଦରେ ନାନା ପ୍ରାକେ ଭ୍ରମୁଅଛି,

ମଞ୍ଚେ ଜାତ କଲ କବିପଦ ଦେଲ ପଛେ ନ କହିବ ବାଛି ।

 

ସୁକୃତବଚନ ବିକାଶିଲା ପୁଣ୍ୟ ଏକାକ୍ଷର ଚିତ୍ତେ ଦୃଶ,

ମନରେ ପବନ ମିଶାଇ ପରମ ଯୋଗ ପରେ କଲି ବାସ ।

 

ବେଦ ବଖାଣିଛି ଶାସ୍ତ୍ରରେ ଲିହିଛି ନିୟତ ପ୍ରମାଣ ସତ,

ନୀଳାଚଳେ ପ୍ରଭୁ ବିରାଜ କରନ୍ତେ ନୀଳଗିରି ଜଗନ୍ନାଥ ।

 

ଅନୁସରି ବହୁଦୂରୁ ଆଶା କରି ହୃଦୟପଦ୍ମରେ ଚିନ୍ତି,

ମଉନରେ ବସି ନାମ ବୋଲାଇଲ ଦାରୁ ପ୍ରତିମା ମୂରତି ।

 

ସ୍ନାହାନ ତର୍ପଣ କରି ଦରଶନ ରୂପ ଦେଖି ହେଲ ଭୋଳା,

ଚକାବଇଠିରେ ବିରାଜ କରନ୍ତେ ତେଣୁ ନାମ ଚକାଡ଼ୋଳା ।

 

କୋଟି ଅବତାର ନୁହଇ ଗୋଚର ଭେଦ ନାହିଁ ବର୍ଣ୍ଣ ଚିହ୍ନ,

ବିବିଧ କଳ୍ପଣା ରୂପକୁ ରଞ୍ଚନା ତ୍ରିପଣ୍ଡ କାଳିଆ ନାମ ।

 

 

 

ଝୀନବାସ ପୁଷ୍ପ ଅଙ୍ଗେ ଶୋଭା ସଞ୍ଚ ବଡ଼ସିଂହାସନ ବେଶ,

ରୂପକୁ କୋଟିଏ ସୂର୍ଯ୍ୟ ନୋହେ ସରି ଶ୍ରୀନାମ ବ୍ରହ୍ମ ଅଶେଷ ।

 

ଖଟିଛି ପୟର ଆଦି ତିନିପୁର ସର୍ବଭୂତେ ତୋର ବାସ,

ସୁଜ୍ଞ ଦ୍ୱିଜବରେ ବେଦାନ୍ତ ଆଚାରେ ନାମ ଦେଲେ ଜଗଦୀଶ ।

 

କାମିନୀ ଆରତ କାମବଶ୍ୟରତ ଢମାଳିଆ ପଣେ ସମ,

ପ୍ରେମ ଅନୁରାଗେ ପ୍ରିୟାନ୍ତ ସରାଗେ ମଦନମୋହନ ନାମ ।

 

ତିମିରିକି ଦୂର ସଂସାରସାଗର ତରିବାକୁ କଲେ ଆଶ,

ଝୀନ ପୀତାମ୍ବର ଅଙ୍ଗେ ଆଭରଣ ନାମ ଦେଲେ ପୀତବାସ ।

 

ପ୍ରକୃତିରୁ ପ୍ରଭୁ ରଞ୍ଚନା କରିଛ ଦ୍ୱିତୀୟ ଯୁଗଳ ଦିନୁ,

ଅନାମରୁ ନାନା ରୂପ ପ୍ରକାଶିଲା କଦମ୍ବମୂଳିଆ କାହ୍ନୁ ।

 

ଢ଼ମାଳିଆପଣେ ନାହିଁ ତ୍ରିଭୁବନେ ପଞ୍ଚୁପ୍ରାଣ ଗୋପୀଙ୍କର,

ବଂଶୀଧୁନି ନାଦ ହୃଦୟରେ ଭେଦ ତେଣୁ ନାମ ବେଣୁଧର ।

 

ତରୁ ତୃଣ ଆଦି କୀଟପତଙ୍ଗଦି ଆଜ୍ଞାରେ ସର୍ବେ ପ୍ରଚରି,

ଗୋପ ବୃନ୍ଦାବନେ ବେହାର କରନ୍ତେ ନାମ ନିକୁଞ୍ଜବେହାରୀ ।

 

ଶିରେ ଚୂଳଗଭା ନାଚନ୍ତେ କି ଶୋଭା ନବରଙ୍ଗେ ଢଳି ଢଳି,

ଆଦ୍ୟ ବୃନ୍ଦାବନେ ବେହାର କରନ୍ତେ ତେଣୁ ନାମ ବନମାଳୀ ।

 

ଲାଭରେ ଲୋଭିତ ବହି ଗର୍ବଚିତ୍ତ ବାସବ ବିବାଦ କରି,

ତୋଳି ଗିରିବର କଲ ଛତ୍ରାକାର ନାମ ଦେଲେ ଗିରିଧାରୀ ।

 

ଛନ୍ଦ ମାୟା କରି କପଟ ଆଚରି ପରୀକ୍ଷାରେ ଗଲା ହାରି,

ତେଣୁ ଶନ୍ତ୍ରାଜିତ ନାମ ଦେଇଗଲା ରାମ ଗୋବିନ୍ଦ ମୁରାରି ।

 

ଧନ୍ୟ ସେ ପାଦୁକା ଭଗତଙ୍କ ଶାଖା ବହୁଅଛି ଘନ ଘନ,

ସୁଧା ମକରନ୍ଦ ଆପ୍ୟାନ କରନ୍ତେ ମାଧବ ମଧୁସୂଦନ ।

 

ବ୍ରଜସୁତ ଘେନି ଦିଗକୁ ଭ୍ରମଣି ସଙ୍ଗେ ଭାଇ ବଳରାମ,

କାଳନ୍ଦୀରେ ପଶି କାଳୀକି ଦଳନ୍ତେ କାଳିୟମର୍ଦ୍ଦନ ନାମ ।

 

ବାଉନକୋଟି ଭଣ୍ଡାର ଅଧିପତି ଦାନୀପଣକୁ ସମାନ,

ସମଚିତ୍ତେ ଦେଖି ଚିଠିପତ୍ର ଲେଖି ନାମ କର୍ତ୍ତା ଜନାର୍ଦ୍ଦନ ।

 

ବଖାଣନ୍ତେ ଯଶ ନୁହଇ ଯେ ଶେଷ କୋଟିଏ ଅନନ୍ତ ନାମ,

ବର୍ଣ୍ଣିବାକୁ ଇଚ୍ଛି କେ ସାମର୍ଥ ଅଛି କହେ ଅରକ୍ଷିତ ଭୀମ ।

***

 

ନବମ ବୋଲି

 

ବେଦରୁ ନିର୍ବେଦ ହିଂସା ବାଦ ଛନ୍ଦ ତୁମ୍ଭର ରଞ୍ଚନା ସବୁ,

ସତ୍ୟ ଧର୍ମ ପଦ ଯୁଗଯୁଗାନ୍ତରେ ତେଣୁ ନାମ ମହାପ୍ରଭୁ ।

 

ନିଶବ୍ଦରୁ ଆସି ଶବଦରେ ପଶି ଜନ୍ମିଲା ସଚରାଚର,

ଦର୍ଶନ ମାତ୍ରକେ ଦୁରିତ ଖଣ୍ଡନ ତେଣୁ ନାମ ଦାମୋଦର ।

 

ଘୋର ବ୍ରହ୍ମ ନିଶି ଆଦି ରବି ଶଶୀ ଦେଖନ୍ତେ ଯାଉଛି ବହି,

କାଳକୁଟ ରାଶି ଅନ୍ଧକାର ଦିଶି ନାମ ତୋ କଳାକହ୍ନାଇ ।

 

ଜ୍ଞାନଖଡ଼୍‌ଗ ଘେନି ଶ୍ରୀହସ୍ତେ ଛେଦନ୍ତି ଭକ୍ତଦୁଃଖହର ହର,

ପ୍ରକୃତି ଜଳପଙ୍କେ ପୃଥ୍ୱୀ ରଞ୍ଚନା ତେଣୁ ନାମ ମାୟାଧର ।

 

ନାମକୁ କାମ କଳ୍ପଣା ନୋହେ ସରି ବହିଗଲା କୋଟି ମନୁ,

ଅବନୀର ଭାର ହୃଦପଦ୍ମେ ହାର ନାମ ବିଶ୍ୱମ୍ଭର ତେଣୁ ।

 

କରିଛି ଭିଆଣ ବ୍ରହ୍ମ ଘରୁ ଜ୍ଞାନ ଜୀବ ପରେ ଦୟାଧାରୀ,

ସୁଧା ମୃଦୁବାଣୀ ଶାହାସ୍ରେବଖାଣି ତେଣୁ ନାମ ମଧୁହାରୀ ।

 

 

 

ନିରନ୍ତରେ ସାକ୍ଷୀ ସମାନରେ ଦେଖି କୃପାନେତ୍ରେ ସମଛତ୍ର,

ଦେଉଥିଲେ ଚାହିଁ ଉବାର ନୁହଇ ତେଣୁ ନାମ ପଦ୍ମନେତ୍ର ।

 

ଏକ ପାଦ ଚିହ୍ନ ଧ୍ୟାନଯୋଗେ ଘେନି ଭଜିବାକୁ କଲେ ମନ,

କାକୁସ୍ଥ ବଚନେ କାରଣ ମାଗନ୍ତେ ନାମ କମଳଲୋଚନ ।

 

କଳା ଧଳା ଜଳ ମଧ୍ୟେ କରି ଠୁଲ ପ୍ରକୃତିରୁ ରୂପ ବେନି,

ଦର୍ଶନ ମାତ୍ରକେ କଳୁଷ ହରଣ ନାମ ତୋ ସାରଙ୍ଗ-ପାଣି ।

 

ସ୍ତିରୀ ନ ବୋଲାଉ ପୁରୁଷ ତୁ ନୋହୁଁ ଯହିଁ ନାହିଁ ଦିବା ରାତି,

ଦର୍ଶନକୁ ଘେନି ପ୍ରସନ୍ନ ହୁଅନ୍ତେ ତେଣୁ ନାମ ଦାଶରଥି ।

 

ନାମ ବାଡ଼ି ବୁତ୍ତି ହୃଦୟରେ ଚିନ୍ତି ନୟନରୁ ବହେ ପାଣି,

ନିରନ୍ତର ଆଶା ଭରସା କରନ୍ତେ ତେଣୁ ନାମ ନୀଳମଣି ।

 

ଜାତ ସର୍ବ ଦୁଷ୍ଟ ଆପେ କରି ନଷ୍ଟ ତୁମରି ଅର୍ଜିଲା କୀର୍ତ୍ତି,

ଅଜ୍ଞାନୀ ଜନ ହେ ସନ୍ଥ ଭକ୍ତ ହ୍ୱନ୍ତେ ନାମ ତେଣୁ ଯଦୁପତି ।

 

ଦାନୀ ହୃଦେ ପଶି ଧର୍ମ ଅହର୍ନିଶି ଅତିଥିଙ୍କ ମୋକ୍ଷ-କାମ,

ଦୁଃଖୀ ଜନ ସୁଖୀ କରାଇ ପାଳନ୍ତେ ଦାରିଦ୍ର୍ୟ ଭଞ୍ଜନ ନାମ ।

 

ଦ୍ୱାଦଶବନ୍ଧ କୀର୍ତ୍ତିନରେ ଆରମ୍ଭି ନିତାଇ ଚୈତନ୍ୟ ନାମ,

ତେଣୁ ତାତ ମାତ ନାମ ଦେଲେ ସତ୍ୟ କେଶବ ଜଗୁଜୀବନ ।

 

ପୂର୍ବାଦିରୁ ଜାଣି ମର୍ତ୍ତେ ଜନ୍ମ ପୁଣି ଭବିଷ୍ୟ ଗତ ଆଗତ,

ନାନା ବିଷୟାରେ ଭ୍ରମଣି ବେହାରେ ତେଣୁ ନାମ ବିଶ୍ୱନାଥ ।

 

ଦତ୍ୟନାଶନବାନହିଁ ବଜ୍ରସେହ୍ନା ହରିଲ ଅବନୀଭାର,

ଗରୁଡ଼-ଆସନ ହେ ଦୁଃଖନାଶନ ତେଣୁ ନାମ ଗଦାଧର ।

 

ଲେଖି ଭାଲପଟ କରି ନଟକୂଟ ଯେସନ ଦର୍ପଣ ଛାୟା,

ପଞ୍ଚଭୂତ ମଧ୍ୟେ ପ୍ରକୃତି ଭରିଣ କରାଉଛ କେତେ ମାୟା ।

 

ଦୁର୍ଲଭ ସଂସାର ମନୁଷ୍ୟ ଶରୀର ଦେହ ବହି ନାରଖାର,

ଖଣ୍ଡ ଦେଇ ତୁଣ୍ଡେ ଭଣ୍ଡୁଅଛ ମୋତେ ହେ ଅନାଦି ଯୋଗେଶ୍ୱର ।

 

କର୍ମକାଣ୍ଡବାଣୀ ଦୁର୍ଗତିକି ଘେନି କରୁଅଛି ଖଣ୍ଡ ଖଣ୍ଡ,

ଭବସିନ୍ଧୁ ବୋଲି ନ ଜାଣଇ ସ୍ୱାମୀ ମଣୁଛି ଅମୃତଭାଣ୍ଡ ।

 

ଗୀତା ସାରସ୍ୱତ କରି ପଦ ଅର୍ଥ ଭୀମ ଅରକ୍ଷିତ ଭଣି,

ଏ ଶାହାସ୍ର ଆଦ୍ୟ ବିଭୂତି ବୃତ୍ତାନ୍ତ ନାମ ସ୍ତୁତଚିନ୍ତାମଣି ।

***

 

ଦଶମ ବୋଲି

 

ଦତ୍ୟ ଶଙ୍ଖାସୁର ବ୍ରହ୍ମା ବେଦବର ବଳେ ନେଇଥିଲା ହରି,

ନ ଥିଲେ ଯେ କେହି ଉଧରିଲ ବହି ମତ୍ସ୍ୟ ଅବତାର ଧରି ।

 

ଦେବ ଦାନବ ମନ୍ଦିର ଗିରିବର ପକାଇ କ୍ଷୀରସିନ୍ଧୁର,

ତେଡ଼େ ବଡ଼ ଭାର ପୃଷ୍ଠରେ ବହିଲ ହୋଇ କୂର୍ମ ଅବତାର ।

 

ବୀର ହନୁମନ୍ତ ପବନର ସୁତ ବିବାଦ ଅର୍ଜ୍ଜୁନଠାରେ,

ଶରବନ୍ଧ ତଳେ ଆବୋରି ରହିଲ ରୋହିମତ୍ସ୍ୟ ଅବତାରେ ।

 

ହିରଣ୍ୟ ଦ୍ରପିଷ୍ଟ ମନେ କରି ରୋଷ୍ଟ ଗର୍ବେ ଅପରାଧ ବହି,

ଦନ୍ତନଖେ ଅନ୍ତ ପିତ୍ତ ବିଦାରିଲ ନରସିଂହ ମୂର୍ତ୍ତି ହୋଇ ।

 

କ୍ଷତ୍ରିକୁଳେ ଉତପତ୍ତି ହୃଷୀକେଶ ଧନୁର୍ବାଣା ବହି କରେ,

ସାଧିଲ ଧରିତ୍ରି ବୀରପଣ ବୃତ୍ତି ପର୍ଶୁରାମ ଅବତାରେ ।

 

ସତ୍ୟଯୁଗେ ହରି ବଳି ରାଜା ପୁରୀ ଦାନେ ନାଶିଲ ବିଭୂତି,

ତ୍ରିବିକ୍ରମ ରୂପ ଜଗତନାୟକ ବହି ବାମନ ମୁରତି ।

 

 

 

ଋଷି ଯଜ୍ଞଚରୁ ଅନାମ ବ୍ରହ୍ମରୁ ଜନ୍ମ ଦଶରଥ ଘରେ,

ରାବଣକୁ ମାରି ଜାନକୀ ଉଧରି ରାମଚନ୍ଦ୍ର ଅବତାରେ ।

 

ଦ୍ୱାପର ଯୁଗରେ ବସୁଦେବ ଘରେ ଜନ୍ମ ଲଭି ଗୋପେ ରହି,

ଦୃଷ୍ଟ କଂସ ମାରି ଭାରା ଉଶ୍ୱାସିଲେ କୃଷ୍ଣ ଅବତାର ବହି ।

 

ଜଗତର ଛଳେ ଅବନୀମଣ୍ଡଳେ ରୂପ ଦାରୁବ୍ରହ୍ମ ତେଜ,

ପାପୀ ଜନେ ଗତି ମୁକତି ଦିଅନ୍ତେ ଖଙ୍ଖଚକ୍ର ଚତୁର୍ଭୁଜ ।

 

ତ୍ରିପୁର ଜଗତ ଅନ୍ୟାୟ ବହୁତ ଚାରିଧର୍ମ ହେଲା ନାଶ,

କାଳେହେଁ କଳଙ୍କି ଅବତାର ହେଲେ ବହି ବଇଷ୍ଣବ ବେଶ ।

 

ନରଦେହ ବହି ନ ପାଇଲେ କେହି ଭଜନର ସୁଖ ସୀମା,

ଏକାକ୍ଷର ପାଦ ଜଗତେ ବିଖ୍ୟାତ ଦୀକ୍ଷା ରଞ୍ଚିଲେ ମହିମା ।

 

ଝରୁଛି ଅମୀୟ ସତ୍ୟ ମନେ ପିଅ ଅଛ ଯେତେ ସୁଞ୍ଜ ସାଧୁ,

ଦେଖ ଜ୍ଞାନନେତ୍ରେ ଅନୁଭବସୁତ୍ରେ ଅନାମେ ଝରୁଛି ମଧୁ ।

 

କ୍ଷତ୍ରିଗଣ ଘେନି କରିବେ ଭ୍ରମଣି ହସ୍ତେ ଘେନି ଖଣ୍ଡା କାତି,

ଏକୌଶ ଅଙ୍କରୁ ପୃଥ୍ୱୀ ସାଧ୍ୟ ହେବ ଉଡ଼ୁଥିବ ବୀରଛତ୍ରି ।

 

ଦୃଷ୍ଟ ନିବାରିବେ ସନ୍ଥକୁ ରଖିବେ ପାଳିବେ ଜନ ପରଜା,

କଳିଯୁଗ ଶେଷେ ସତ୍ୟ ଉପୁଜିବ ଅନାଦି ହୋଇବେ ରାଜା ।

 

ନିରନ୍ତର ଅଣବିଚାର ଲଭିଲେ ହୋଇଲା ମାତ୍ରକ କଳି,

ହତରୁ ଆୟତ ନିୟତ ପ୍ରମାଣ ସତ୍ୟ ହେବ ମହୀଆଳି ।

 

ଜଡ଼ କି ପଣ୍ଡିତ ହେବେ ଜ୍ଞାନବନ୍ତ ଅଙ୍ଗେ ବସି ଚକ୍ରପାଣି,

ସତୀପଣେ ପତିସେବା ନିଯୋଗିବେ ସ୍ତିରୀ ହୋଇ ବ୍ରହ୍ମଜ୍ଞାନୀ ।

 

ଚାରିଧର୍ମ ଚାରିକର୍ମ ଉପୁଜିବ ଗୋଡ଼ଇବ ଚଉବର୍ଗ,

ଲକ୍ଷ୍ମୀ ଠାକୁରାଣୀ ପଡ଼ି ଚରଚିବେ ଲଭି ସର୍ବେ ପୂର୍ଣ୍ଣ ଭୋଗ ।

 

କାଳ ଜଳ ନଈ ଦେଉଛି ଭସାଇ ମାରୁଛି ଲହଡ଼ାଘାତ,

ନିମିଷ ମାତ୍ରକେ ଦୟା କର ମୋତେ ଆଦିବ୍ରହ୍ମ ଅବଧୂତ ।

 

ମାୟାରେ ବନ୍ଧନ କରି ଛନ୍ନ ଛନ୍ନ ହରୁଛି ଧାରଣା ଧ୍ୟାନ,

ଜାଣୁଛି ପ୍ରତ୍ୟକ୍ଷ ଲାଗାଇ ରଖିଛ ଯେସନେ ବଡ଼ଶୀ ମୀନ ।

 

ଏକପାଦ ଠୁଳେ ଦ୍ୱିପାଦ ନ ଚଳେ ଅମୃତ ବଚନ ସିଦ୍ଧ,

ମନରେ ଆନନ୍ଦ ଭଣେ ଭୀମ କନ୍ଧ ଏଠାକୁ ଦୁଇଶ ପଦ ।

***

 

ଏକାଦଶ ବୋଲି

 

ନବଦ୍ୱୀପ ସୃଷ୍ଟି ଆସୁଅଛି ଘୋଟି ଭାସି ଯାଉଅଛି ବୁଡ଼ି,

ତରିବି ବୋଲି ତରତର ହେଉଛି ଜଳର ତରଙ୍ଗ ପରି ।

 

ମେରୁ ଗିରି ଫୁଟି ସତ୍ୟଧର୍ମ ମେଣ୍ଟି ନାହିଁ ସ୍ଥିତାବସ୍ଥା ପଣ;

ଅଗାଧ ସାଗରେ ଭବଜଳ ନଈ ବହୁଅଛି ଘନଘନ ।

 

ଘୁଘୁନାଦ ଦେଇ ଆସୁଛି କମ୍ପାଇ ଗର୍ଜ୍ଜନ କରୁଛି ଆଣ୍ଟେ,

ଦଶଦିଗ ମୋତେ ଅନ୍ଧାର ଦିଶୁଛି ଚାଲିଯିବି କେଉଁବାଟେ ।

 

ତୁମ୍ଭେ ମୋର ସବୁ ଅନ୍ତର୍ଯ୍ୟାମୀ ପ୍ରଭୁ ଛାମୁକୁ କି ଅଗୋଚର,

କେଉଁ ରୂପେ ମତେ ଜଗତେ ରଖିବ ଜାଣି ସମ୍ଭାଳନା କର ।

 

ପାପକର୍ମେ ବିହି ନେଉଛି କଢ଼ାଇ ଯେସନ ନାଗରୀ ନଟ,

ମାୟା ଜାଲ ଫାନ୍ଦେ ପଡ଼ିରହି ଛନ୍ଦେ ହେଉଅଛି ଛଟପଟ ।

 

ରହ ରେ ଜଗତ ହେଉଛୁ ଉତ୍ପାତ ତୋ ଗୁଣ କହିବି କେତେ,

ମୋ ପ୍ରଭୁ କରତା ବଞ୍ଚିବାରୁ ତୁହି ପ୍ରତ୍ୟକ୍ଷେ ଭଣ୍ଡୁଛୁ ମୋତେ ।

 

 

 

ଆରେ କଳିଯୁଗ ଭବଭୟରୋଗ ଖଟ ସତ୍ୟ ପାଦତଳେ,

ଶ୍ରୀଗୁରୁ ଆଜ୍ଞାରେ ଆଦି ଅଗ୍ନିଶରେ ଜଳିଯିବୁ ତପବଳେ ।

 

ଆରେ ମିଥ୍ୟାପଦ କେତେ କରୁ ବାଦ ପଛନ୍ତେ ନ ଦେବୁ ଦୋଷ,

ଜାଣିଲେ କରତା ଆଦି ବ୍ରହ୍ମପିତା ନ ଥୋଇବେ ଦଶଦିଶ ।

 

ଆରେ ମୂଢ଼ ନରେ ଅଜ୍ଞାନ ଅସୁରେ ଲଭ ସତ୍ୟଧର୍ମ ପଥ,

ନାମ ବ୍ରହ୍ମ ନିନ୍ଦି ମାୟାମୋହେ ଦ୍ୱନ୍ଦୀ ଦେଖୁ ଦେଖୁ ଯିବେ ହତ ।

 

ଚିଆଁ ଚୈତନକୁ ରଖାଇ ହେତୁକୁ ଭଜନେ ଲାଗିଛି ମୁହିଁ,

ଜୀବ ପରମ ନାମ ବ୍ରହ୍ମେ ଝାଳୁଛି ତରିବାକୁ ଆଶା ନାହିଁ ।

 

ହୋଇବେ ନିଶ୍ଚୟେ ସର୍ବଜୀବେ କ୍ଷୟେ ଉତ୍ପାତ ହେଲାଣି ମହୀ,

ନିରନ୍ତର ନେତ୍ରୁ ନୀର ବହୁଅଛି କାତରେ କମ୍ପୁଛି ଦେହୀ ।

 

ଜମ୍ୱୁଦ୍ୱୀପ ପୂରି ନରଦେହ ଧରି ଜନ୍ମ ଲଭିଛନ୍ତି ଯେତେ,

ନାମ ଆଶ୍ରେ ନାହିଁ କେମନ୍ତେ ତରିବି ଆଶ୍ଚର୍ଯ୍ୟ ଲାଗୁଛି ମୋତେ ।

 

ସତ୍ୟ ଧର୍ମପଦ ନ ରୁଚେ ଯାହାକୁ ମୂର୍ଖ ବାଇ ନିଶାଚର,

ପଡ଼ିଛି ସମୟେ କାଳ ମାୟାମୋହେ ଯାହା କରିଥାଅ କର ।

 

ସତ୍ୟ ଯେ ପାଳୁଛି ଧର୍ମେ ଯେ ଚାଲୁଛି ଶ୍ରୋତା ଲାଗୁଛି ଶୂନ୍ୟରୁ,

ନାମ ବ୍ରହ୍ମପଦ ହୃଦୟରେ ଲଏ ସଙ୍ଗେ ସଙ୍ଗେ ଛନ୍ତି ଗୁରୁ ।

 

ଶୟନେ ଭୋଜନେ ସ୍ଥିତି ବାସସ୍ଥାନେ ଯେ ପାଳୁଛି ଗୁରୁ ଧର୍ମ,

ଚାରିଦେବ ତାକୁ ସମାନ ନୁହଇ ମୁଖେ ମୁଖେ ତାର ବ୍ରହ୍ମ ।

 

ମାୟାକୁ ନିବାରି ନିଷ୍କାମକୁ ଧରି ଯେ ବୋଲୁଛି ହରି ହରି ,

ଆବୋରିଛି କାୟେ ଜଳେ କୁମ୍ଭ ପ୍ରାୟେ ଭିତର ବାହାରେ ପୂରି ।

 

ତାର ଭକ୍ତିଚିତ୍ତ କେ କରିବ ଅନ୍ତ ସମ ନୁହେ ତ୍ରିଭୁବନ,

କାଳ ଭବଭୟ କି କରିବ ତାକୁ ଦେଖି ଡରୁଥାଇ ଯମ ।

 

ଚଉଦଭୁବନେ ବେଦଶାସ୍ତ୍ରମାନେ ଯହିଁ ଦେଖ ଏକପଦେ,

ମନରେ ସଂଶୟ ଅଛି ଯେବେ ସନ୍ଥେ ଖୋଜି ଅନୁବାଦ ବେଦେ ।

 

ନୁହେ କଳା ଧଳା ରଙ୍ଗିମା ପିଙ୍ଗଳା ନୁହେ ବର୍ଣ୍ଣ ଚିହ୍ନ କାନ୍ତି,

ନ ଚିହ୍ନିଲୁ ବୋଲି ନ ବୋଲିବେ ସନ୍ଥେ ରୂପ ତା ପବନ ଗତି ।

 

ମାୟା ମୋହେ ପଡ଼ି ବିଷୟରେ ଜଡ଼ି ପ୍ରକୃତିରେ ହୋଇ ରତ,

କହେ ଭୀମ ଭୋଇ ନ ପାରଇ ଏ ବଡ଼ ଦୁର୍ଗମ ପଥ ।

***

 

ଦ୍ୱାଦଶ ବୋଲି

 

ଭରସା କରିଛି ନ ଜାଣଇ କିଛି ମୁହିଁ ବଡ଼ ଅପରାଧୀ,

ଦୟା କରି ମୋତେ ଉଦ୍ଧରି ଧରିବେ ପ୍ରଭୁ କରୁଣା-ବାରାଧି ।

 

ଅନ୍ୟ ନାହିଁ ଚିତ୍ତ ନାମ ବ୍ରହ୍ମେ ରତ ଦର୍ଶନ ମାତ୍ର କରିଛି,

ସ୍ୱାମୀ ରଖ, ସ୍ୱାମୀ ରଖ ବୋଲି ମୁଁ ଯେ ଦିବାନିଶି ଡାକୁଅଛି ।

 

ଘନେ ଚାହିଁ ଆଶା ଶୂନ୍ୟରେ ଭରସା ଯେସନ ଚାତକ ପକ୍ଷୀ;

ମନେ ଯାହା ପାଞ୍ଚେ ଡାକି ଡାକି ଉଚ୍ଚେ କଣ୍ଠ ଯାଉଅଛି ଶୁଖି ।

 

ପବନକୁ ବାନ୍ଧି ପ୍ରକୃତିକୁ ଛନ୍ଦି ଅନୁକ୍ଷଣ ଧ୍ୟାନଯୋଗ,

ଅନାଥର ନାଥ କରୁଣା କଲେ ମୁଁ ଲଭିବଇଁ ସୁଖଭୋଗ ।

 

ଅନ୍ତର ବେଦନା ଅଛି କି ନା ଜଣା ବୁଝାଇ କହିବି କାହା,

ନିରେଖ ପ୍ରାଣୀକି ନିରାପକ୍ଷ କଲେ କେ ହୋଇବ ପ୍ରଭୁ ସାହା ।

 

ଉଡୁଅଛି ବାନା ମହାଶୂନ୍ୟେ ସିନା ସଞ୍ଚରିଛି ତିନି ପୁରୀ,

ଆତଙ୍ଗ ମନେ ଦୃଢ଼େ ଚିନ୍ତି ପାରିଲେ ପଙ୍ଗୁ ଲଙ୍ଘିଯିବେ ଗିରି ।

 

 

 

ବଡ଼ ପ୍ରଭୁ ବୋଲି ଭରସା କରିଛି ଅନ୍ୟେ ନାହିଁ ମୋତେ ରକ୍ଷ,

ଲାଭ ହାନି କଥା ବୁଝିବେ ସର୍ବଥା ଘୋଟିଯାଉଛି ସନ୍ତାପ ।

 

କହୁଅଛି ଏତେ ନ ରଖ ଏ ମର୍ତ୍ତେ ଶ୍ରୀହସ୍ତେ ପକାଅ ମାରି,

ଦଣ୍ଡୁଅଛ କେତେ ଭଣ୍ଡୁଛ କିମର୍ଥେ ଅନାମିକା ବ୍ରହ୍ମ ହରି ।

 

ବୋଲାଅ ହରତା କରତା ବିଧାତା ଭକ୍ତବାନା ପରା ବହୁ,

ମୋ ବାଞ୍ଛା ସକଳ ହେଉଛି ବିଫଳ ଏଡେ ପ୍ରଭୁ ଥାଉଁ ଥାଉଁ ।

 

ମାୟା ମୋହେ ପଡ଼ି ସିନ୍ଧୁ ଜଳେ ବୁଡ଼ି ସଢ଼ିଲଇଁ ଦିନୁଦିନ,

ମନ ସିନା ଜାଣେ ଅନ୍ତର ବେଦନା ଶ୍ରମେ ନ କରି ରୋଦନ ।

 

ଲୋଭ ମୋହ କାମ କ୍ରୋଦ ଅହଙ୍କାର ଥୋଇଅଛି ହିଂସାବାଦ,

ପଞ୍ଚଭୂତ ଆତ୍ମା ଭିତର ମଧ୍ୟରେ ହେଉ ଅଛଇ ଦଗଧ ।

 

ମାୟା ମୋହ ଭରି କଲ ଦେହଧାରୀ ମଞ୍ଚେ ଆଣି ଦେଇ ଜନ୍ମ,

ଏତେ କଷ୍ଟ ପାଇ ଦେହ ବହିବାର ପୋଡ଼ୁ ପୋଡ଼ୁ ପାପକର୍ମ୍ମ ।

 

ଜନ୍ମଜନ୍ମାନ୍ତରେ ଯୁଗଯୁଗନ୍ତରେ ଦୁଃଖ ଦଶା କର୍ମ୍ମକାଣ୍ଡେ,

ନିର୍ଲ୍ଲଜ ଆତ୍ମା ମୋ ନ ଯାଇ ରହିଛି ପ୍ରକୃତିର ପାପପିଣ୍ଡେ ।

 

ପ୍ରାଣୀମାନଙ୍କର ଆନନ୍ଦ ମଙ୍ଗଳ ଅନ୍ୟରେ କି କାର୍ଯ୍ୟ ଅଛି,

ମୋ କର୍ମ୍ମ କପାଳ ମୋତେ ହେଲା କାଳ କାହାକୁ କହିବି ବାଛି ।

 

ପଥୁକି ଯେସନେ ଜଳତୀରେ ବସି ତରିବାକୁ ଉଦବେଗ,

ଅଗାଧ ସାଗର ପାରି ହୋଇଯିବ କୈବର୍ତ୍ତ ଆଣିଲେ ନାବ ।

 

ସେହିରୂପେ ମୁହିଁ ଅଭୟ ପୟରେ ପଦ୍ମପାଦେ କରି ଠାବ,

ଅନ୍ତର୍ଯ୍ୟାମୀ ପ୍ରଭୁ ବିଚାରି ବୁଝିଲେ ଅବଶ୍ୟ ସୁଦୟା ହେବ ।

 

ସ୍ୱଭାବେ ଚଞ୍ଚଳ ନୁହଇ ନିଶ୍ଚଳ ପ୍ରକୃତିରେ ପରଚଣ୍ଡ,

କାଳ ଖଡ଼୍‌ଗ ଘେନି ଶ୍ରୀହସ୍ତେ ଛେଦନି ଟିକିଟିକି କରି ପିଣ୍ଡ ।

 

କିଳିଣୀ କବାଟ କଞ୍ଚିରେ ଆକଟ ନବ ଦଶଦ୍ୱାର ରୁନ୍ଧି,

ମାୟା ଫାଶ ଘେନି ଏ ଜୀବ ଆତ୍ମାକୁ ନିର୍ବନ୍ଧେ ପକାଅ ବାନ୍ଧି ।

 

ଗୁରୁ ନାରାୟଣ ସୁଜ୍ଞ ସାଧୁଜନ ଅନୁଗ୍ରହ କର ମୋତେ,

ପଞ୍ଚମୁଖେ ହରି ଅଛ ବିଜେ କରି ଶରଣ ମାଗୁଛି ଏତେ ।

 

ଯେଉଁ ପଦ୍ମପଦ ଜ୍ଞାନୀଜନେ ଚିନ୍ତି ଭଜୁଛନ୍ତି ଆଶ୍ରେ କରି,

ସେ ଚରଣ ଧ୍ୟୟି ଭୀମ ଅରକ୍ଷିତ ହେଉଅଛି ଏତେ ସରି ।

***

 

ତ୍ରୟୋଦଶ ବୋଲି

 

ଉର୍ମ ଧୂର୍ମ ଜ୍ୱାଳା ଜ୍ୟୋତି ବ୍ରହ୍ମକଳା ବେନି ପ୍ରତି ଯାର କର,

ଆପ ତେଜ ବାୟୁଛନ୍ତି ଉଦେ ହୋଇ ଯାର ଅଙ୍ଗୁ ପରିଚାର ।

 

ଯୁଗ ଯୁଗାନ୍ତରେ କଳ୍ପକଳ୍ପାନ୍ତରେ ଶ୍ୱେତଶୁକ୍ଲାମ୍ବର ରୂପ,

ଅଣଚାଶ ବାୟୁ ନାସାରୁ ଜନମ ଚନ୍ଦ୍ର-ସୂର୍ଯ୍ୟ ଯାର ଦୀପ ।

 

ଚାରି ବେଦ ଚାରି ପାବଚ୍ଛ ହୋଇଛି ଆଦି ଅଷ୍ଟାଦଶ ସିଦ୍ଧି,

ଅଷ୍ଟାଙ୍ଗକୁ ଘେନି ଦଶାଙ୍ଗଯୋଗରେ ଲାଗିଅଛି ଯା ସମାଧି ।

 

ଅଣାକାର ଅଣସାଧନା ବିଜୟେ ତ୍ରିପୁରେ ଯା ତେଜ ଧାପ,

ଯାହାର ଆଜ୍ଞାରେ ପ୍ରକାଶ ହୋଇଛି ଦ୍ୱାଦଶ ବର୍ଣ୍ଣ ସ୍ୱରୂପ ।

 

ଠୁଳ ଶୂନ୍ୟ ଶିର ମର୍ତ୍ତହିଁ ଉଦର ପାତାଳ ଯାର ପୟର,

ଯାର ରୋମମୂଳେ ମାଳ ମାଳ ମହୀ ଉଦେ ଅସ୍ତ ଗିରିବର ।

 

ନବଖଣ୍ଡ ମହୀ ସପତସାଗର ଆଦି ଅଷ୍ଟକୁଳା ନାଗେ,

ପ୍ରଭୁ ଶ୍ରୀଚରଣେ ଚିତ୍ତବୃତ୍ତି ଦେଇ ଭଜୁଛନ୍ତି ଧ୍ୟାନଯୋଗେ ।

 

 

 

ବାସୁକି ବୋଲୁଛି ଦୁଷ୍ଟଗଣଭାରା ଅନ୍ୟାୟ ହେଉଛି ବଳେ,

ନୋହିଲେ କରୁଣା ଦିଗୁଣ ମୋ ଊଣା ପଡ଼ିବଇଁ ରସାତଳେ ।

 

ସମୁଦ୍ର ବୋଲୁଛି ଅଭୟ ପୟରୁ କରୁଣା ଅକ୍ଷତ ନେବି;

ଯୁଗଯୁଗାନ୍ତରେ ସପତ ବେଢ଼ାରେ ଚଉକତି ପୂରିଥିବି ।

 

ତିରଣ ବୋଲୁଛି ପତର ପାଖୁଡ଼ା ବତ୍ସ ଧେନୁ ପଛେ ଖାଉ,

ଭୂମିରୁ ନ ଛାଡ଼ି ଅଗ୍ନିରେ ନ ପୋଡ଼ି ମୂଳ ଉପୁଡ଼ି ନ ଯାଉ ।

 

ତରୁମାନେ ବୋଲୁଚନ୍ତି ମହାପ୍ରଭୁ ଅଣଚାଶ ମହାଗାଢ଼,

କରପତ୍ର ଯୋଡ଼ି ସ୍ତୁତି କରୁଛନ୍ତି ନ ଭାଙ୍ଗୁ ଯେ ହାତ ଗୋଡ଼ ।

 

ପଥର ବୋଲୁଛି ଆହେ ମହାବାହୁ ଅଚଳେ ମୁଁ ଅଛି ପଡ଼ି,

ନୋହିଲେ କରୁଣା ହୋଇଯିବ ଚୂନା ପଡ଼ିଲେ ବଜ୍ର ଘଡ଼୍‌ଘଡ଼ି ।

 

କୂଳେ ଥାଇ ଜଳଧାରକୁ ନିରୋପି ଫଣିକୁ ଦେଖିଲେ ଭେକ,

ଖରତର ହୋଇ ପଳାଇ ଲୁଚଇ ମହାପ୍ରଭୁ ବାରେ ରଖ ।

 

ଜୀବଜନ୍ତୁମାନେ ଅରଣ୍ୟ ଭିତରେ ହୃଦୟରେ ଦକ ଦକ,

ବାଘ ଭାଲୁ ଦେଖି ସ୍ତୁତି କରୁଛନ୍ତି ମହାପ୍ରଭୁ ବାରେ ରଖ ।

 

ପକ୍ଷୀ ଜନ୍ତୁମାନେ ବନରେ ବିହାର ବ୍ୟାଧମାନଙ୍କୁ ସେ ଡରି,

ବାରେ କର ତ୍ରାହି ପ୍ରଭୁ ଭାବଗ୍ରାହୀ ଭକ୍ତ ପ୍ରାଣବନ୍ଧୁ ହରି ।

 

ସକଳ ଘଟରେ ତିନି ବ୍ରହ୍ମାଣ୍ଡରେ ପୂରି ଚଉବର୍ଗଦାତା;

ଅନନ୍ତ ଠାକୁର ହୋଇ ମହାପ୍ରଭୁ କିପାଁ ଦେଉଛ ଅବସ୍ଥା ।

 

କରି ମୁଁ ବିନତି ପାଦତଳେ ନିତି ଜଣାଣ କରୁଛି ଯାହା,

ବହି ଭକ୍ତବାନା ନ ଯାଉଛି ଶୁଣା ଧନ୍ୟ ତୋ ପାଷାଣ ହିୟା ।

 

ନିଶି ମହାଘୋର ହେଉଛି ଅନ୍ଧାର ଭୋଜନକୁ ବିଜେ କର,

ଦୀପ ନିଭିଗଲେ ଅନ୍ଧକାର ହେବ ଶୂନ୍ୟ ହୋଇବ ମନ୍ଦିର ।

 

ବଢ଼ାଇ ଭୋଜନ କରି ଆଞ୍ଚବନ ପଲଙ୍କରେ ପହୁଡ଼ସି,

ରାତ୍ରି ଉଜାଗରେ ବେନି ପାଦ ଧରି ଭଜନ କରିବି ବସି ।

 

ନିଷ୍କାମକୁ ଭଜି ନିରାଶ ହେଉଛି ନିରନ୍ତରେ ଆଶା କରି,

ଅରୁଣ ଅସ୍ତ ହେବାକୁ ଦଣ୍ଡେ ଅଛି ଘୋଟି ଆସୁଛି ତିମିରି ।

 

ତ୍ରିଗୁଣର ମାୟା ଆବୋରିଛି କାୟା ବାୟା କରି ବଳିଆରେ,

ଗୁରୁପାଦ ଧ୍ୟାୟି ଭଣେ ଭୀମଭୋଇ ଭାସୁଅଛି ଦରିଆରେ ।

***

 

ଚତୁର୍ଦ୍ଦଶ ବୋଲି

 

ଯେଉଁଦିନୁ ଧନି ସ୍ଥାପନା ହୋଇଲା ନବଖଣ୍ଡ ମହୀ ଦୀପା,

ଜାଣିଲି ନିଶ୍ଚୟେ ଯୁଗ ଯିବ କ୍ଷଏ ମନକୁ ଲାଗିଲା ଶଙ୍କା ।

 

କି ହେବ ଜଗତ କି କରୁଛ ଧାତ ହୃଦରେ ପଡ଼ିଲା ଚିନ୍ତା;

ନିକଟରେ ଆସି ପ୍ରାପତ ହେଲାଣି ଦେଖା ନାହିଁ ଯେଉଁ କଥା ।

 

ଚନ୍ଦ୍ର ସୂର୍ଯ୍ୟ ଆଜି ଅଗ୍ନି ପବନାଦି ବେଦଶାସ୍ତ୍ର ନାହିଁ ଲେଶ,

ଅନନ୍ତ ଠାକୁର ଜଗତ ଈଶ୍ୱର ଧରି ଦିଗମ୍ୱର ବେଶ ।

 

ଆସନ ବସନ ଛାଡ଼ି ଅଣାକାର ଦଣ୍ଡେହେଁ ବିଶ୍ରାମ ନୋହେ,

ଆଦି ବ୍ରହ୍ମ ପିତା ଏତେକ ଅବସ୍ଥା ମୋତେ ପଚାରୁଛି କିଏ ।

 

ଏ ସୁଖ ସମ୍ପଦ କ୍ଷଣକରେ ଯିବ ନିମିଷିକ ଅଛି ରହି,

ତେଣୁ କରି ମୋତେ ବହୁତ ଆକୁଳ ଭୋଗକୁ ମୋ ଆଶ ନାହିଁ ।

 

ମାୟାରେ ତ୍ରୈଲୋକ୍ୟ ହେବ ପରା ଲୋପ୍ୟ ସରିବ ପୃଥ୍ୱୀର ହାଟ,

ବାର ଯାଇ ତେର ଚଉଦ ଅଙ୍କରୁ ପଡ଼ିଲାଣି ଦେବକୂଟ ।

 

 

 

ଭୁଞ୍ଜିବାର ଅନ୍ନ ଦିଶିଲା ବିବର୍ଣ୍ଣ ନେଇ ପକାଇଲେ ଧୂଳି,

ତୃଷାଭରେ ଜଳ ଆତୁରେ ପିଅନ୍ତେ ଛଡ଼ାଇ ଦେଲେଣି ଢ଼ାଳି ।

 

ଯେତେକ ବିଚାର କରୁଛନ୍ତି ନର ଏ ସର୍ବ ମିଥ୍ୟା ରଚନା;

ଅନ୍ୟାୟକୁ ନ୍ୟାୟ କରି ସଭାଜନ କରୁଛନ୍ତି ହାର ଜିଣା ।

 

ସାଧୁ ସନ୍ଥ ସଙ୍ଗ କରୁଛନ୍ତି ଭଙ୍ଗ ଉପହାସେ ପାରି ବୋବି,

କଳିଯୁଗେ ସାତବରଷ ପୁତ୍ରଙ୍କୁ ହାରିବେ ବଣ୍ଡିତ କବି ।

 

ସତ୍ୟକୁ ଛାଡ଼ିଲେ ଅମଡ଼ା ମାଡ଼ିଲେ ଲାଗିଅଛି ନଟକୂଟ,

ମିଛ ପସରାକୁ ଆବୋରି ଅଛନ୍ତି ବସାଇ ବଜାର ହାଟ ।

 

ନ ଜାଣନ୍ତି ଭେଦ ନ ଜାଣନ୍ତି ସ୍ୱାଦ ଅମୃତରେ ନାହିଁ ମନ,

ସାଧୁ ମଧୁରସ ଛାଡ଼ି ସୁଜ୍ଞଜନେ ବିଷ କରୁଛନ୍ତି ପାନ ।

 

ଅଧିକ କଥାରେ ବିଷୟା ବୃଥାରେ କିସ ପ୍ରୟୋଜନ ଅଛି,

କି କର୍ମ କରୁଛି କି ଦ୍ରୋହ ଅର୍ଜୁଛି ଗୋଚର ମନେ ନୋହୁଛି ।

 

ସମର୍ପିଲା ସତ୍ୟ ପାଇଲା ସମସ୍ତ ବାଞ୍ଛିତ ପସରା ବୋଝ,

ଦେବ କି ନ ଦେବ ହେବ କି ନ ହେବ ଶ୍ରୀଛାମୁକୁ ହେବ ଲାଜ ।

 

ପୂର୍ବର ସୁକୃତ ଲଲାଟ ଲିଖିତ କର୍ମେ ଯେବେ ଥିବ ଖଞ୍ଜି,

ମୁଁ କିସ ଜାଣଇ ପ୍ରଭୁ ସିନା ଜାଣ ତୁମ୍ଭର ମହତ୍ତ୍ୱ ମର୍ଜୀ ।

 

ତାରଣ ମାରଣ ଯୁଗକୁ ଧାରଣ କାରଣକୁ ସର୍ବଶୁଭ,

ଏକା ସ୍ୱାମୀ ବିନୁଚିତ୍ତରେ ମୋହର ନ ଜାଣଇ ଅନ୍ୟ ଦେବ ।

 

ଏକା ସ୍ୱାମୀ ବିନୁ ଅନ୍ୟ ପ୍ରଭୁ ଆଉ କରି ନୋହେ କାହା କୃତେ,

ଯାହା ବିଚାରିଛି ଲଭିବା ପର୍ଯ୍ୟନ୍ତେ ମନରେ ନାହିଁ ପରତେ ।

 

ରୂପରୁ ଅରୂପ ଅରୂପରୁ ରୂପ ସର୍ବଘଟେ ବିଜେ ହରି,

ଭଗତ ଆରତ ବାନା ବହିଅଛ ଅରକ୍ଷକୁ ହିତକାରୀ ।

 

ପ୍ରକୃତି ଜଞ୍ଜାଳ ସକଳ ସମ୍ଭାଳ ପ୍ରାଣର ବଲ୍ଲଭ ମଣି,

ଫଳ ଶ୍ରୁତି ଗତି ମୁକ୍ତି ପରାପତ ଯଥାବିଧି ମତ ଜାଣି ।

 

ଭଙ୍ଗିଗଲେ ଫନ୍ଦା ପାଇବଟି ନିନ୍ଦା ହୋଇବଟି ଅପ୍ରମଏ,

ବିଚାରି ବିବେକ କରି ମହାପ୍ରଭୁ ଯାହା ବୁଝିକର ନ୍ୟାଏ ।

 

ନିଷ୍କାମ ଧର୍ମରେ ନିର୍ବେଦ କର୍ମରେ ଜଗାଇ ଭଜନ ଧୂନି,

ଗୁରୁପାଦାର୍ବିନ୍ଦେ ଭାଷା ପରବନ୍ଧେ ଭୀମ ଅରକ୍ଷିତ ଭଣି ।

***

 

ପଞ୍ଚଦଶ ବୋଲି

 

ସ୍ଥାବରୁ ଜଙ୍ଗମ କୀଟରୁ ପତଙ୍ଗ ଚାହିଁ ଦେଲେ ଅନୁସରି,

ସକଳ ଘଟରେ ପୂରି ସମାନରେ ନୋହେ ସାନ ବଡ଼ କରି ।

 

ଭାବକୁ ନିକଟ ଅଭାବେ ଅଭେଟ ଭକ୍ତଭାବେ ପରା ବଶ,

ଏ ମୋର ଗୁହାରି ନ ଶୁଣ କି କରି ଧରିଅଛ କେଉଁ ରୋଷ ।

 

ବଚନକୁ ଏଡ଼ି ଭଗତିକି ଛାଡ଼ି ଅନ୍ୟରେ କି ବଢ଼ିଗଲି,

ପ୍ରଭୁ ଶ୍ରୀଛାମୁରେ ସେବିବା ପୟରେ କି କି ଅପରାଧ କଲି ।

 

ନ ଶୁଣିଲା ପରି ହେଉଅଛ ହରି ଦେଉଅଛ ଦଣ୍ଡ ସଜା,

ପାଖରୁ ଅନ୍ତର କରି ନିରନ୍ତର ଦୟାରେ ହେଉଛ ଦୁଜା ।

 

ନୋହୁଛି କରୁଣା ଅଲେଖ ଅବନା ଯୁଗ ରହିଲାଣି ବାକି,

ବନବାସ ଘୋରେ ଝାଡ଼ର ଭିତରେ କେତେକାଳ ଥିବ ରଖି ।

 

ଚିରକାଳ ରଙ୍କ ଆଶା ମୋ ଅନେକ ଜନ୍ମଜନ୍ମାନ୍ତରୁ ଦୁଃଖୀ,

ପ୍ରାପତ ନିଧିକ ସକଳ ସିଦ୍ଧିକି ଅପ୍ରସ୍ତୁତ ଯୁଗ ଦେଖି ।

 

 

 

ଖାଇବାକୁ ଅନ୍ନ ପିନ୍ଧିବାକୁ ବସ୍ତ୍ର ସୁସ୍ଥେ ନ ମିଳୁଛି କିଛି,

ଅଧମ ଜୀବକୁ ହୀନ ପାମରକୁ କେତେଦିନ ଦୟା ଅଛି ।

 

ଗମିବି କି ଯୋଗେ ଭଜିବି କି ମାର୍ଗେ ସଦବୁଦ୍ଧି ଜ୍ଞାନ ନାହିଁ,

ନୋହେ ସାଧୁ ସନ୍ଥ ନୁହଇ ପଣ୍ଡିତ ପ୍ରକୃତ ଅତିଥି ମୁହିଁ ।

 

ଆପେ ମଣ୍ଡିପାର ଆପେ ଖଣ୍ଡିପାର ବାଞ୍ଛାଫଳେ ଉଦେ ରିପୁ,

ବିଚାରୁଛି ଚିତ୍ତେ ହୃଦୟର ଗତେ ପ୍ରଭୁ ମୋର ବଳ ବପୁ ।

 

ମହାପ୍ରଭୁ ହୋଇ କର୍ତ୍ତାପଦ ବହି ସକଳ ହେଉଛି ବୃଥା,

ପିଣ୍ଡ ଦେଇ ପ୍ରଭୁ ମଣ୍ଡ ନ ଦେଉଛ ଏ ପୁଣି କେବଣ କଥା ।

 

ଭଗତ ଜୀବନ ଦରିଦ୍ରଙ୍କ ଧନ ଅନାଦିତ କୃପାସିନ୍ଧୁ,

ଆପେ ସାହା ବାହା କରିବାକୁ ଆହା ପ୍ରଭୁ ମୋର ବର୍ଗବନ୍ଧୁ ।

 

ଯେହ୍ନେ ଜଳଧାର ସେହି ପରକାର ଯନ୍ତ୍ରରେ ସୂନ୍ତ୍ରକୁ ଧରି,

ଚିଆଇଁ ଚୈତନ୍ୟ ଜୀବ ପରମକୁ ଭେଟାଭେଟି କର ହରି ।

 

ସତ୍ୟ ତ୍ରେତୟା ଦ୍ୱାପର କଳି ଆଦି ଚାରିଯୁଗକୁ ଯେ ଧରି,

ଭାରା ହରୁ ପୃଥୀ ଆଦି କର୍ମ ରୀତି କ୍ଷୀର ନୀର ପ୍ରୀତି ପରି ।

 

କଳ୍ପନା ବିଚାରି କାମନା ଉଙ୍କାରି କରିଅଛ ଉଦଯୋଗ,

ମୁଁ କିସ ଜାଣଇ ପ୍ରଭୁ ସିନା ଜାଣ ହେବ କି ନ ହେବ ଭୋଗ ।

 

ନ ପାଞ୍ଚନ୍ତେ ଫଳ ଉପୁଜୁଛି ଖଳ ଶତେବାର ବସି ହାଟ,

ଯେହ୍ନେ ଜଳେ ମୀନ ଧୀବରରେ ପୁଣ ବିନାଦୋଷେ ହୋଏ ନଷ୍ଟ ।

 

ଚିନ୍ତା ଅର୍ଥ ନେଇ ପାଦତଳେ ଥୋଇ କରିଛି ବହୁତ ଆଶ;

ପିତା ଥାଉଁ ପୁତ୍ର ସଭା ମଣ୍ଡିଥିଲେଜଗତେ ବୋଲିବେ କିସ ?

 

ନୋହୁ ସିଂହାସନ ଯୋଗୀବେଶେ ଦିନ ଯାଉ ପଛେ ଏହି ମତେ,

ମୋହର ନିମନ୍ତେ ଶ୍ରୀଛାମୁକୁ ନିନ୍ଦା କାହିଁପାଇଁ ଅନିମତ୍ତେ ।

 

ସଂସାର ଆଚାରେ ମନର ବିଚାରେ ମାୟାକୁ ଆବୋରି ଦେଖି,

କିମ୍ପା ହନ୍ତସନ୍ତ ହେବି ଶ୍ରମପଥ କର୍ମେ ଯେବେ ନାହିଁ ଲେଖି ।

 

ଲାଭ ହାନି ବେନି ପ୍ରକାରେ ଲିହିଛି ସବୁକାଳେ ନୁହେ ଚିର,

ଯେସନେ ବାଳକେ ଶିଷ୍ୟଙ୍କ ମେଳକେ ନିମିଷକ ଖେଳଘର ।

 

ପ୍ରେମେ ପୁଲକିତ ଅଶ୍ରୁଜଳଯୁକ୍ତ କ୍ରୋଧଭରେ ଗଦଗଦ,

କପାଳରେ ହସ୍ତ ଦେଇ ଭୀମ ଭକ୍ତ କହେ ତିନିଶତ ପଦ ।

***

 

ଷୋଡ଼ଶ ବୋଲି

 

ଧନରତ୍ନମାନ ଆୟ ଆଭରଣ କାହୁଁ ପାଇବି ଲୋଡ଼ିଲେ,

ବିନା କମାଣିରେ ଆୟ ବ୍ୟୟନୁହେ ପୂର୍ବ ସୁକୃତ ନ ଥିଲେ ।

 

ମାରକଣ୍ଡ ଋଷି ଯାଉଥିଲେ ଭାସି ପୃଥ୍ୱୀ ମହାପ୍ରଳୟରେ,

ଶ୍ରୀଭୁଜ ବଢ଼ାଇ ଦୟାଚିତ୍ତେ ନେଇ ରଖିଲା ଗର୍ଭ ଭିତରେ ।

 

ସେହିରୂପେ ମୁହିଁ ଭାସି ଯାଉଅଛି ମାୟାଜଳ ସୋହତିରେ,

ହେଉଛି ଦହନ ସମିଧ ଯେସନ କାଳ ଅଗ୍ନି ଆହୁତିରେ ।

 

ହିରଣ୍ୟ ଦୈତ୍ୟ ଯେ ଶତବାର ବଧି ପୁତ୍ରକୁ ମେଲିଲା ଜଳ,

ଦଧିଭଣ୍ଡରୁ ଲବଣୀ ଯେହ୍ନେ କାଢ଼ି ଉଧରିଲ ଆଦିମୂଳ ।

 

ସେହିରୂପେ ମୁହିଁ ଭବସିନ୍ଧୁ ଜଳେ ଭାସି ଯାଉଅଛି ଦେଖ,

ସଦାନନ୍ଦ ସ୍ୱାମୀ ଉଧରିବେ ବୋଲି ବେଳହୁଁ କରିଛି ଠିକ ।

 

ଗଜକୁ କୁମ୍ଭୀର ଜଳର ଭିତର ନିର୍ବନ୍ଧେ ଛନ୍ଦିଲା ନେଇ;

ଶୂନ୍ୟେ ଚକ୍ର ପେଷି ଗ୍ରାହକୁ ନାଶିଲ, ଉଧରିଲ ଭାବଗ୍ରାହୀ ହ ।

 

 

 

ତହିଁରୁ ଅଧିକ ବିପତ୍ତି ସନ୍ତାପ ବେଢ଼ାଇଛି ମାୟାଜାଲ,

କର୍ମଦେବ ସ୍ୱାମୀ କଟାକ୍ଷରେ ଚାହିଁ ନିବାରିବେ କୂଟ ଖଳ ।

 

ଘୋରବନେ ପ୍ରଭୁ ମୃଗୁଣୀ ଡାକିଲା ଯେଣୁ ପଡ଼ିଲା ବିପତ୍ତି,

ତା ଦୁଃଖ ଫେଡ଼ିଲ ଅରୂପ ଅଖିଳ ପାରିକଲ ହେ ଅଜ୍ୟୋତି ।

 

ମାୟାଫାନ୍ଦ ପାତି ବିଷୟା ବିପତ୍ତି ଆବୋରିଛି ଚଉଦିଗେ,

ଚିରାନନ୍ଦ ସ୍ୱାମୀ ଚିରକାଳ ରଖି ନିସ୍ତାରିବା ହେଉ ବେଗେ ।

 

ଘୋର ବନବାସେ ଜନକକୁମାରୀ ହରିନେଲା ଦଶଶିର,

ବାନ୍ଧି ସେତୁବନ୍ଧ ଛେଦି ଦଶକନ୍ଧ ଜାନକୀ ସଙ୍କଟୁ ତାରି ।

 

ସୀତା ଅଶୋକବନେ କଷ୍ଟ ପାଇଲେ ରାବଣ ଉତପାତରୁ,

ସାଖା ହୋଇ ଥରେ ରକ୍ଷାକର ବାରେ ବିମୁଖ ବନ ଭିତରୁ ।

 

ଦ୍ରୁପଦଦୁଲ୍ଲଣୀ ଦୁଃଖାସନ ଆଣି ଉଲଗ୍ନରେ ବଳବନ୍ତ,

କୋଟିବସ୍ତ୍ର ଦେଇ ଚକ୍ରକୁ ଘୋଡ଼ାଇ ରଖିଲ ତାଙ୍କ ମହତ ।

 

ଦୌପଦୀ ପରାୟ କଷଣ ଦେଉଛି କଳିକାଳ ମିଥ୍ୟା ପାଦ,

ଯାଉଅଛି ଭେଦି ପକାଅନା ଛେଦି ଅକଳ୍ପନା ଶ୍ରୁତି ଜପ ।

 

ଜରାସନ୍ଧ ବୀର ଲକ୍ଷେ ରାଜା ବନ୍ଦୀ ଅଗ୍ନିରେ ଦହିଲା ବେଳେ,

ଅନ୍ତର୍ଯ୍ୟାମୀ ପ୍ରଭୁ ଅନ୍ତର୍ଗତେ ଜାଣି ଉଧରିଲ ଅବହେଳେ ।

 

ଲୋଭ ମୋହ କାମ ନ୍ତ୍ରୋଧ ଅହଙ୍କାର ନିରନ୍ତର ଲାଗି ବାଦୀ,

ଦାନବ ପରାଏ ହୋଇ ଏ ସମସ୍ତେ ଧରି ମାରୁଛନ୍ତି ସାଧି ।

 

ସୁରଭୀତ ନାରୀ କାରୁଣ୍ୟରେ ଘାରି ସୁର ପ୍ରୀତିରେ ଆକୁଳ,

ମୂର୍ତ୍ତିକି ଲିଭାଇ ପତିରେ ବିଳୋହି ସଙ୍ଗ ଦାରିଦ୍ର୍ୟ ଫେଡ଼ିଲ ।

 

ମୁହିଁ ସେ ପ୍ରକାର ଅନନ୍ତ ଈଶ୍ୱର ଡ଼ୁବି କାରଣ୍ୟ ଜଳରେ,

ଆଦି ଦୟାନିଧି କର ସର୍ବସିଦ୍ଧି ଆନନ୍ଦ ସୁଖ-ସାଗରେ ।

 

ଚାରୁଭୀତ ବାମା ନରଧିତ ହିତେ ସନ୍ୟକୁମାରକୁ ଆଣି,

ଅନ୍ତର ବେଦନା ଅନ୍ତର୍ଗତେ ଜଣା ବିହିଲ ଅବ୍ୟକ୍ତ ମଣି ।

 

ମୁଁ ଯେ ଅଭାଗିନୀ ମୁଢ଼ ପାପୀ ପ୍ରାଣୀ ଆଶାଲୋଭେ ଅନୁସରି,

ଦେଖି ମୋ ବିକଳ ଦିଅ ଖଞ୍ଜାମୂଲ ଦିନ ବଞ୍ଚିବି ଯେପରି ।

 

ଗୃହଧର୍ମେ ଥିବି ଅନ୍ୟସ୍ଥା ନୋହିବି ମଜ୍ଞା ହେଉ ଏହି ବାଗେ,

ଶ୍ରୀଗୁରୁ ଛାମୁରେ ଭୀମ ଅରକ୍ଷିତ କରପତ୍ର ଯୋଡ଼ି ମାଗେ ।

***

 

ସପ୍ତଦଶ ବୋଲି

 

ଦୁର୍ଯ୍ୟୋଧନ ରାଜା ପଞ୍ଚୁପାଣ୍ଡବଙ୍କୁ ଜଉଘରେ ଦେଲା ଭରି,

ଲୁଚାଇଲ କାୟା ଦେଖାଇଲ ମାୟା ଗୁପତରେ କଲ ପାରି ।

 

ସତ୍ୟ ଧର୍ମମାର୍ଗେ କରୁଣା ସମ୍ଭର୍ବେ ବିପଦକୁ କର କ୍ଷୟ,

ଫିଟାଅ କଳଙ୍କ ଭୁଞ୍ଜାଅ ସାତୁକ୍ୟ ଜଗତରେ ଠାବ ଦିଅ ।

 

କେଉଁ ଆଜ୍ଞା ହେବ ଚିରକାଳ ଥିବ ମନେ ଯାହା ଅଛି ଭାବି,

ଜଗତ ସଂସାର କେହି ନ ଜାଣିବେ ମୁହିଁ ଏକା ଜାଣୁଥିବି ।

 

ପାଞ୍ଚାଳ ଦେଶରେ ଗୁପତ ଭାବରେ ଲାଖବିନ୍ଧା ଅରଜୁନ,

ପଞ୍ଚୁପାଣ୍ଡବଙ୍କୁ ଦୌପଦୀଙ୍କି ଦେଇ କଲ ଯୁଦ୍ଧ ଆଭରଣ ।

 

ଗୁରୁଦେବ ସ୍ୱାମୀ ସର୍ବ ଅନ୍ତର୍ଯ୍ୟାମୀ ଅଧିକ କହିବି କେତେ,

ପ୍ରଭୁ ଶ୍ରୀଛାମୁରେ ମନର ଭିତରେ ମାଗୁଣି ମୋହର ଏତେ ।

 

ସେବା ଭକ୍ତି ନିଅ ହସ୍ତ ତୋଳି ଦିଅ କର୍ମସିଦ୍ଧି ବିଧାନକ,

ଦୟାରେ ବର୍ଦ୍ଧୁତ କରି ଅବଧୂତ ସନମାନ କରି ରଖ ।

 

 

 

ତ୍ରେତୟା ଯୁଗରେ ରାମ ଅବତାରେ ଅଭିଷେକ ହେବା ବେଳେ,

ମିଳି ସର୍ବ ଋଷି ଚାହିଁ ରୂପରାଶି ପଞ୍ଚୁମନେ ବିଚାରିଲେ ।

 

ତାଙ୍କ କଳ୍ପନା ମନେ ଘେନି ଆପଣ ଆହେ ଅଣରୂପ ଶୂନ୍ୟ,

ବ୍ରଜନାରୀ କରି ଗୁପତେ ଲଭିଲ ମନବାଞ୍ଛା କଲ ପୂର୍ଣ୍ଣ ।

 

ମୁହିଁ ସିନା ଅନ୍ତର୍ଗତରେ ଭାବନା କରୁଅଛି ନିରନ୍ତରେ,

ଚାହିଁ ଦେଲେ ହରି ଯିବି ମୁଁ ନିସ୍ତରି କରୁଣାଜଳ ସାଗରେ ।

 

କଂସ ଆଜ୍ଞା ଘେନି ପ୍ରଭୁ ବେନୁପାଣି ପଦ୍ମ ପୁଷ୍ପ ଯନ୍ତେ ତୋଳି,

ଫୁଲ ଶଯ୍ୟାପରେ ଶୟନ ସ୍ଥାନରେ ପୟରେ ଦଂଶିଲା କାଳି ।

 

ଗରୁଡ଼କୁ ରାଇ ଲୋଡ଼ି ଆଣ ଯାଇ ମନେ ମନେ ବହୁ ରୋଷ,

ଶରଣ ବୋଲନ୍ତେ କାରଣ ପାଇଲା କ୍ଷମା କଲ ତାର ଦୋଷ ।

 

ତେଡ଼େ ଅପରାଧେ ତାକୁ କ୍ଷମା କଲ ଜ୍ୟୋତିର୍ମୟ ବହ୍ମବେତ୍ତା,

ଏକାନ୍ତ ପୟରେ ପଶୁଛି ଶରଣ ବୁଝ ମୋ ବିନତି କଥା ।

 

ମାୟାର ପ୍ରମୋଦେ ମୃଗୟା ବିନୋଦେ ଅଙ୍ଗେ ଘାତ କଲା ଜାରା,

ପେଶି ବିଷ୍ଣୁଦୂତ ନେଲ ସ୍ୱର୍ଗପଥ ଖଣ୍ଡି ଅପରାଧ ଭାରା ।

 

ମଞ୍ଚେ ଦେହଧରି ଯୋଗ ଲୟେ କରି ଆହେ ନୀଳଗିରିବାସୀ,

ନାମ ବିକି ଶାହାସ୍ର କିଣି ବଖାଣି ଜନ୍ମଜନ୍ମାନ୍ତରେ ଦୋଷୀ ।

 

ମୁଁ ଯେ ନିରନ୍ତରେ ପଡ଼ି ଦୁଃଖଘୋରେ ଶୂନ୍ୟବାନା ଛାୟା ତଳେ,

ତରିବାକୁ ଆଶା କରିଛି ଭରସା ଆଶୀର୍ବାଦ ନାବ ଜଳେ ।

 

ଲେଖି ଚିତ୍ରଘଟ କରି ନଟକୂଟ ଯେସନେକ ରଙ୍ଗ ଢ଼ାଉ,

କାରୁଣ୍ୟ-ଜଳରୁ ତାରଣ ହେବାକୁ ବୁଦ୍ଧି ଦିଶୁନାହିଁ ଆଉ ।

 

ଡାଳକୁ ସିଞ୍ଚାଡ଼ି ମୂଳକୁ ଉପାଡ଼ି ବହୁଅଛି ମହାଗାଢ଼େ,

ଚକ୍ରପ୍ରାୟେ ପାଣି ପକାଇ ଖୋଳନି ଧରି ଝାଙ୍କୁଅଛ ଦୃଢ଼େ ।

 

ପ୍ରଭୁଭକ୍ତ ଯେତେ ଭଜୁଛନ୍ତି ନିତ୍ୟେ ରାମନାମେ ଚିତ୍ତ ଦେଇ,

ମେଳଛ ପତିତ ପାମର ଏ ଜୀବ ଉଦ୍ଧାର ହେବାର ପାଇଁ ।

 

ବାଳୁତ ଅଜ୍ଞାନ ଛନ ଛନ ମନ ଖେଳରସେ ଚିତ୍ତ ସ୍ମରି ।

ସଂସାର ସାଗରୁ ପାରି ହେବି ବୋଲି ସାଧୁଜନ ପାଦ ଧରି,

 

ଗୁରୁଦେବ ବିନୁ ମୋକ୍ଷ ନୋହେ ତନୁ ଅନ୍ୟରେ ଭରସା ନାହିଁ,

ପ୍ରଭୁପଦ ଧ୍ୟାଇ ଭଣେ ଭୀମ ଭୋଇ ହେତୁ ଘରେ ନାମ ଥୋଇ ।

***

 

ଅଷ୍ଟାଦଶ ବୋଲି

 

ପାପପଙ୍କେ ମନ ବୁଡ଼ି ଅନୁକ୍ଷଣ ନାହିଁ ସଦଜ୍ଞାନ ଗତି,

ନର ଦେହ ବହି କେ ପାରିବ କହି ପ୍ରଭୁଙ୍କ ମହିମା ରୀତି ।

 

ଅଣରୂପ ଶବ୍ଦ ନାହିଁ ବର୍ଣ୍ଣ ଭେଦ କେହୁ ମୁଖେ ବଖାଣିବ,

ନିରାମିଷ ନିଅଇଁଠା ସେହୁ ପଦ ଓଲଟଇ ନାହିଁ ଜିଭ ।

 

କାମନା କଳ୍ପନା ଶ୍ରୁତି-ସୁମରଣା ବର୍ଣ୍ଣିବାକୁ ଅଛି କାହିଁ,

ଜ୍ଞାନ ବେନି ଚକ୍ଷୁ ଏକା ମାତ୍ର ସାକ୍ଷୀ ଚର୍ମ ନେତ୍ର ଦିଶୁନାହିଁ ।

 

ନିରନ୍ତର ଶ୍ରମିକେ ପାରିବ ଗମି ନାସା ପବନେ ଭଜନା,

ଅନାଦି ଅଶେଷ ଆକାରେ ନ ମିଶି ଅବିକାର ତା ବାସନା ।

 

ମାୟା ମୋହେ ଦ୍ୱନ୍ଦୀ ପଡ଼ିଛନ୍ତି ବନ୍ଦୀ କେ ଅବା ତାକୁ ଜାଣୁଛି,

ଚଉଦ ଭୁବନେ ସଂସାର ସାଗରେ ମୀନ ପ୍ରାୟ ଚହଟୁଛି ।

 

ଅତି ଯତନରେ ମାୟା ଯୋନି-ଜାଲ ଶତେ-ପୁର ଅଛି ଛନ୍ଦି,

ଜୀବ ପରମ ଜନମ ମୂଳ ଧରି ବାମ କରେ ଅଛି ବାନ୍ଧି ।

 

 

 

ଶୂନ୍ୟର ପୁରୁଷ ଶୂନ୍ୟରେ ତା ବାସ ଚଉଦ ଭୁବନେ ଭେଦି,

ଘୋଟିଛି ଆବୋରି ଯେସନେକ ବାରି ନାହିଁ ଯାର ଅନ୍ତ ଆଦି ।

 

ରୋମ ଚର୍ମପ୍ରାୟେ ଆବୋରିଛି କାଏ ନାହିଁ ଯାର ରୂପ ଛାଇ,

ଦୁଃଖ ବ୍ୟାଧିମାନ ଅଙ୍ଗରେ ପୀଡ଼ନ୍ତେ କରୁଥାଇ ହାଇ ହାଇ ।

 

ଯେ ଯହିଁରେ ଥିଲେ କର୍ମ ଯୋଗବଳେ ଭେଟାଭେଟି ହେଲେ ଆସି,

ପିତା ମାତା ପିଣ୍ଡ ବିଚାରି ସଞ୍ଚିଲେ ଦ୍ୱିତୀ ଯୁଗଳରେ ବସି ।

 

ଏକା ଅଙ୍ଗ ବେନି ଅଙ୍ଗ ଏକ ଅଙ୍ଗ କରି ଏକାନ୍ତେ ମିଶାଇ,

ବରଷା ଋତୁରେ ଜଳ ସୋହତିରେ ଯେସନେକ ବଢ଼ି ନଈ ।

 

ମାତା ପ୍ରେମ ପସରା ହାଟ ବସାଇ ପରମକୁ କିଣି ନେଲେ,

ବଣିଜର ବୁତା ନିତ୍ୟେ କରି ପିତା ବ୍ରହ୍ମକୁ ସହିତେ ଦେଲେ ।

 

ପ୍ରଭୁ ସେବାକାଳେ ପୁଣ୍ୟ ଯେତେବେଳେ ଧର୍ମକୁ ହୋଇଲା ହିତ,

କୋଟିଜନ୍ମ ତପ ବାସନାର ବଳେ ଏ ପିଣ୍ଡ ହୋଇଛି ଜାତ ।

 

ଚିଆଁ ଚଇତନ ପଞ୍ଚୁଆତ୍ମା ମନ ବିଅର୍ଥେ ପଡ଼ୁଛି ହୁଡ଼ି,

କାଳକ ଅନ୍ତରେ କୁମ୍ଭି ନରକରେ କୋଟି ଜନ୍ମ ଥିବି ପଡ଼ି ।

 

ଛାଡ଼ିଗଲେ ଜୀବ ଅକାରଣ ହେବ ଏ ପିଣ୍ଡ ପଡ଼ିବ କାହିଁ,

ସ୍ୱର୍ଗେ ଦେବଗଣ ସ୍ତୁତି କରୁଛନ୍ତି ଏ ଦୁର୍ଲ୍ଲଭ ଜନ୍ମ ପାଇଁ ।

 

ଛେଦିବାକୁ ଦୁଃଖ ଲଭିବାକୁ ସୁଖ ମନେ କଲି ଯେତେ ବାଞ୍ଛା,

ଅବିବେକ ବିହି ଯଶା ଅଛି ଲିହି ପ୍ରତିଦିନ ଦୋଦୋ ପଞ୍ଚା ।

 

ନିରନ୍ତରେ ଭଗ୍ନ କରାଉଛି ବିଘ୍ନ ଅସ୍ତି ମାଂସ କରି ଲୋଚା,

ସମସ୍ତ ଲୋକ ପକ୍ୱଫଳ ପାଇଲେ ମୋ ଭାଗ୍ୟେ ପଡ଼ିଲା କଞ୍ଚା ।

 

ପ୍ରସାରନ୍ତେ ଅଣ୍ଟି ତୋଳିଦେଲେ ବାଣ୍ଟି ପାଇଲେ ସାରିଆ ପଡ଼ି,

ଥିଲା ମୋ କର୍ମରେ ପୂର୍ବ ଅଧର୍ମରେ ଖୁଦ ମଳୁଖାଦି ଗୋଡ଼ି ।

 

ସେ ଯେତେକ ପଡ଼ି କର୍ମକୁ ଆଦରି ଭୁଞ୍ଜନ୍ତେ ହୋଇଲା ବୃଥା,

ପାଟିରେ ନ ପଡ଼ି ହସ୍ତୁଁ ଗଲା ଝଡ଼ି କରେ ସ୍ୱାଦୁ କରେ ପିତା ।

 

ଜନ୍ମ ଫନ୍ଦାବୃତ୍ତି ଳଜଗତର ରୀତି ଆପକୁ ନୋହିଲା ହିତ,

ଲଲାଟ ପଟେ ଅପକର୍ମକୁ ଦେଖି ଏହା କଲୁ ହୋ ବିଧାତ ।

 

ଶୋକ ସନ୍ତାପରେ ଡୁବି ଚିନ୍ତାଜ୍ୱରେ ପୁଣି ପୁଣି ପଦ ବନ୍ଦେ,

କପୋଳରେ ହସ୍ତ ଦେଇ ଭୀମ ଭକ୍ତ ଶ୍ରୀଗୁରୁ ସୁମରି କାନ୍ଦେ ।

***

 

ଊନବିଂଶ ବୋଲି

 

ବିଚାରି ଆଣନ୍ତେ ବେଭାର ବୁଝନ୍ତେ ଅଧିକେ ଉଠୁଛି କୋହ,

ପଞ୍ଚଭୂତ ଆତ୍ମା କ୍ଷଣେ ସୁସ୍ଥ ନାହିଁ ପୋଡ଼ି ଯାଉଛି ହୃଦୟ ।

 

ମୁଁ ଯେ ଏତେ ସରି ହେଉଅଛି ହରି କିପାଁ ନ କରୁଛ ଦୟା,

ପାଞ୍ଚ ମନ ପଞ୍ଚଅଗ୍ନିରେ ପୋଡ଼ୁଛି ଯେସନେ କୁରାଳ ଉହା ।

 

ବିଚାର ନ ପଡ଼ି କହୁଥାନ୍ତି ବଢ଼ି କା କର୍ମ କେ ଖୋଳି ନେବ,

ପ୍ରଳୟକାଳରେ ସଂଯୋଗ ବଳରେ ଥାଇ ଯାକୁ ଯେଉଁ ଯୋଗ ।

 

ସମୁଦ୍ର ପରାଏ କୃପାଜଳ ମଏ ଅନାଥ ଲୋକର ନାଥ,

ଅକର୍ମ ପସରା ଖଣ୍ଡିବାକୁ ଭାରା ଗୁରୁଦେବ ସାମରଥ ।

 

ରଙ୍ଗ କଳା ଧଳା ଏକତ୍ରେ ମିଶିଲା ଝାବୋଡ଼ା ହୋଇଛି ଧାନ;

ଭିନ୍ନ ଭିନ୍ନ କରି ପକାଇବେ ବାରି ଗୁରୁଦେବ ଥିଲେ ଧନ୍ୟ ।

 

ବାହ୍ୟକୁ ଲଗାଇ ଲଜ୍ଜାକୁ ଜଗାଇ ମିଛ ପସରାକୁ ସାର,

ମହାକାଳ ଫଳ ବାହାରେ ସୁନ୍ଦର ଭିତର ପୋଡ଼ା ଅଙ୍ଗାର ।

 

 

 

ମହିମା ସାଗର ବାନା ତିନିପୁର ଧୁନି ଯେବେ ଅନାହତ,

ବଚନ ନ ମେଣ୍ଟି ପାଦତଳେ ଖଟି ଶତ୍ରୁ ଆସି ହେବ ମିତ ।

 

ସର୍ବଠାରୁ ଆସି ଏକାନ୍ତରେ ମିଶି ଗୋଳିଆ ହୋଇଛି ପାଣି,

ଆଦି ଅବଧୂତ କରିବେ ପବିତ୍ର ଜ୍ଞାନଖଡ଼ଗରେ ହାଣି ।

 

ମୁଁ ଯେବେ କପଟେ ବିଷୟା ଲମ୍ପଟେ ଅଛି ଯେବେ ନାନା ଦୋଷେ,

ଏଥିକି ଚାହିଁ ବିଚାର ମହାପ୍ରଭୁ ଯେବା ଦଣ୍ଡ ଶାସ୍ତି ଦିଶେ ।

 

ପରହିଂସକ ପରବାଦ ରମଣୀ ଧନ ସଧେ ଯେବେ ଅଛି,

ସତ୍ୟାନନ୍ଦ ସ୍ୱାମୀ ମହେ ଶୂନ୍ୟଚାନ୍ଦ ସଂଶୟ ନ ରଖ କିଛି ।

 

ଧ୍ୟାନଯୋଗେ ବସି ଦର୍ଶନ ନିବେଶି ନାମ ବ୍ରହ୍ମେ ଥିଲେ ଚିତ୍ତ,

ଶ୍ରୀଗୁରୁଦେବ ଯାକୁ କୋପ କରିବେ ହୋଇଯିବ ଭସ୍ମୀଭୂତ ।

 

ପୋଡ଼ୁଅଛି ଆତ୍ମା ହୋଇବାକୁ କ୍ଷମା ଶାନ୍ତି କରାଇବ କେହୁ,

ପିଣ୍ଡ ଆଦି ତିନି ବ୍ରହ୍ମାଣ୍ଡ ପୋଡ଼ିଲେ ସମ୍ଭାଳି ନୋହିବ ଆଉ ।

 

ତିମିରି ଅନ୍ଧାର କରି ମହାଘୋର ଘୋଟିଲାଣି ତିନିପୁର,

ଧନ ଦେଖି ମନକୁ ବଳାଇ ଦେଲେ ସାଧୁ ତ ହେଲେଣି ଚୋର ।

 

ଦେଖ ଦେଖ ଭାସି ଗଲି ବ୍ରହ୍ମରାଶି ଶୋଲ ପିଣ୍ଡ ଦିଅ ଫିଙ୍ଗି,

ସଂସାର ଆତଯାତ ଯେଉଁ ନାବରେ ସେ ନାବ ଲୋଡ଼ଇ ବେଗି ।

 

ଅଣକିଳଣି କବାଟ ତଳେ ଥାଇ ଜଣାଉଛି ବାରମ୍ୱାର,

ପ୍ରଳୟ ଜଳରେ ଡୁବିଗଲେ ପିଣ୍ଡ ଦୋଷ ନ ଧରିବ ମୋର ।

 

ଆଲୋ ହେଲେ ପୃଥ୍ୱୀ ରହିବ କୀରତି ଯାର ତେଜ ଛାୟାରୂପ,

ଅନ୍ଧାରେ ଲୁଚିବୁ ବୋଲୁଛ ନରେ ଲିଭାଇ ଅଛନ୍ତି ଦୀପ ।

 

ପଣ ଧନେ ବଡ ହେଉଛନ୍ତି ଗାଢ଼ ଭବକୂପେ ଛନ୍ତି ପଡ଼ି,

ମାୟାରେ ବଞ୍ଚିତ ହୋଇ ଏ ସମସ୍ତ ସତ୍ୟାଦି ଧର୍ମକୁ ଛାଡ଼ି ।

 

ମୁଁ ଯେ ସତ୍ୟଧର୍ମ ପାଳିବି ବୋଲନ୍ତେ ମନେ କରାଉଛି ଚିନ୍ତା,

ବ୍ରହ୍ମହାଣ୍ଡିରୁ ଅନ୍ନ ମୁଠାଏ ଦେଇ ଭୁଞ୍ଜନ୍ତେ କରୁଛ ପିତା ।

 

ମୁହିଁ ସିନା ଜାଣିଥିଲି ବ୍ରହ୍ମଭଣ୍ଡେ ପକ୍ୱ ନ ହେଉଛି ପାକ,

ପଞ୍ଚଭୂତ ଆତ୍ମା ପ୍ରତିବୋଧ କରି ଆଦରି ନିଜ କର୍ମକ ।

 

ଛଡ଼ରସ ପାକ ଭୁଞ୍ଜିବାର ଯୋଗ କରୁଥିଲି ବହୁ ଆଶ,

ଆପେ ମଣ୍ଡି ଥିଲ ଆପେ ଖଣ୍ଡି ଦେଲ କହେ ଭୀମ ଭକ୍ତଦାସ ।

***

 

ବିଂଶ ବୋଲି

 

ଜଣାଇଲି ଯେତେ ତୁମ୍ଭ ପାଦଗତେ ବୋଇଲେ ମୋତେ ବୁଝିବା,

ମହିମା ମହିମା ବୋଲିବାକୁ ସ୍ୱାମୀ ଭଙ୍ଗୁଛ ମୋର ଗାରିମା ।

 

କିରସ୍ତାନ ବୋଲି ଦେଉଛନ୍ତି ଗାଳି ନିନ୍ଦା କରୁଛନ୍ତି ଲୋକ,

ଅଲେଖ ଅଲେଖ ବୋଲିବାକୁ ସ୍ୱାମୀ ଦେଉଛ ଦୁର୍ଦ୍ଦଣ୍ଡ ଦୁଃଖ ।

 

ବସନ ପରାଏ ଘୋଡ଼ାଇ କାଏ କଳଙ୍କ ପାପ ବକଳ,

ସତ୍ୟ ଧର୍ମ ସତ୍ୟ ଧର୍ମ ବୋଲିବାକୁ ନିନ୍ଦୁଅଛନ୍ତି ସକଳ ।

 

ଜଗତର ହିତେ ବାନ୍ଧଲଇଁ ଗୀତେ ମୋ ମନକୁ କରି ସତ,

ଅବଧୂତ ଅବଧୂତ ବୋଲିବାକୁ ବୋଇଲେ ବାବନାଭୂତ ।

 

ମୁକତି ପସରା ଦିଗଦୀପାନ୍ତରା ବୋଲାଇଲେ ଭକ୍ତେ ନେଇ,

ଅଣାକାର ଅଣାକାର ବୋଲିବାକୁ ଅନାଇଁ ଦେଖିଲେ ନାହିଁ ।

 

ଅଜ୍ଞାନେ ବହୁତ ବୁଡ଼ିଅଛି ଚିତ୍ତ ଉଚ୍ଚପଦେ ଉତପାତ,

ନିଷ୍କାମ ନିଷ୍କାମ ବୋଲିବାକୁ ସ୍ୱାମୀ ନିଶେ ଦେଉଛନ୍ତି ହାତ ।

 

 

 

ନିଜ ନାମ ନିନ୍ଦି ମାରୁଛନ୍ତି ବାନ୍ଧି ହୋଇଲେଣି ଅପରାଧୀ,

ନିର୍ଗୁଣ ନିର୍ଗୁଣ ବୋଲିବାକୁ ସ୍ୱାମୀ ଗ୍ରାମରୁ ଦେଲେଣି ଖେଦି ।

 

ନେଉଛନ୍ତି ଜାତି ନାହିଁ ଜ୍ଞାନ ଗତିଆପେ ପାଞ୍ଚୁଛନ୍ତି ବୁଦ୍ଧି,

ନିର୍ବେଦ ନିର୍ବେଦ ବୋଲିବାକୁ ସ୍ୱାମୀ ଲାଗି ବସୁଛନ୍ତି ବାଦୀ ।

 

ପୋଥି ଗାଇ ଧୋତି ହେଉଛନ୍ତି ନିତି ନ ପାଇ ଜ୍ଞାନର ଗତି,

ଏକ ବ୍ରହ୍ମ ଏକ ବ୍ରହ୍ମ ବୋଲିବାକୁ ମାୟା ଭ୍ରମ ବୋଲୁଛନ୍ତି ।

 

ଗୁରୁ ଆଜ୍ଞା ଘେନି ହୁଅ ବ୍ରହ୍ମଜ୍ଞାନୀ ନିବାରି କଳି ମିଥ୍ୟାକ,

ନାମ ଭଜ ନାମ ଭଜ ବୋଲିବାକୁ ଭାଙ୍ଗି ଯାଉଛନ୍ତି ଲୋକ ।

 

ସଂସାରସାଗରେ ଏ କଳିଯୁଗରେ ଧୁନି ସ୍ଥାପିଛନ୍ତି ଗୁରୁ,

ଧୁନି ଦେଖ ଧୁନି ଦେଖ ବୋଲିବାରୁ ଭାଙ୍ଗି ଯାଉଛନ୍ତି ଦୂରୁଁ ।

 

କି ଧର୍ମ ଏ ହେଲା ଜଣା ତ ନ ଗଲା କହ ଶୁଣିଥାଉ ବେଳେ,

ମହିମା ମହିମା ବୋଲିବାକୁ ସ୍ୱାମୀ ମହୁରା ବିଷ ମଣିଲେ ।

 

ମୂର୍ତ୍ତିବନ୍ତ ତେଜ ଠାକୁରଙ୍କୁ ଭଜ କାହିଁ ତୋର ଗୁରୁ ଦେଖା,

ଅରୂପା ଅରୂପା ବୋଲିବାକୁ ବୋଲ ଆସି ରଖୁ ତୁମ୍ଭ ବାପା ।

 

ଖେଦ ଏ ସ୍ଥାନରୁ ରଖୁ ତାଙ୍କ ଗୁରୁ ସାତ ପାଞ୍ଚ ଏକ ମେଳେ,

ଅଜପା ଅଜପା ବୋଲିବାକୁ ସ୍ୱାମୀ ଅଛବ ଜାତି ବୋଇଲେ ।

 

କାହିଁ କାହିଁ ଥିଲେ ବାହାର ହୋଇଲେ ଯହୁଁ ନ ମିଳିଲା ଭାତ,

ଏକାଙ୍ଗ ଭଗତି ବୋଲିବାରୁ ବୋଲେ ଅଧମ ଏ ଅରକ୍ଷିତ ।

 

କରି ଠକପଣ ନେଉଛନ୍ତି ଦିନ ଘୋର ଯୁଗ କଳିକାଳେ,

କାରଣ କର୍ତ୍ତାକୁ ଲାଭ ବୋଳିବାରୁ କର୍ଣ୍ଣପିଚାଶୀ ବୋଇଲେ ।

 

ଶାସ୍ତ୍ରେ ବୁଝି ବସ ଏମନ୍ତ ଭବିଷ୍ୟ କେଉଁ ବେଦେ ଅଛି ଏହା,

ତାଙ୍କ ଗୁରୁ ଜାତି ପଠାଣ ଅଟନ୍ତି ବୋଇଲେ ଖପରାଖିଆ ।

 

ନ ଦିଅରେ ଠାବ ମୂଢ଼ ପାପୀଜୀବ ଦେଖିଲେ ଦୂରୁଁ ନିବାର,

ସମ ଦୀକ୍ଷା ସମ ଦୀକ୍ଷା ବୋଲିବାକୁ ବୋଇଲେ ଶ୍ୱାନ କୁକୁର ।

 

ଏ ବଚନ ଶୁଣି ମନେ ମନେ ଗୁଣି ବେନି ପାଦ ନ ଚଳଇ,

ଯହିଁ ଗଲେ ତହିଁ ଉଦଣ୍ଡ ଏ କଲେ ପ୍ରଚରିବୁ ଆମ୍ଭେ କାହିଁ ।

 

ଅଜ୍ଞାନୀକୁ ବିଷ ଭଗତଙ୍କୁ ରସ ସୁଜ୍ଞାନୀ ଜନଙ୍କୁ ଭେଦ,

ଭଣେ ଭୀମ କନ୍ଧ ସ୍ୱାମୀ ଶୂନ୍ୟଚାନ୍ଦ ଠିକ ଚାରିଶତ ପଦ ।

***

 

ଏକବିଂଶ ବୋଲି

 

ଆହୁରି ରହିଲା ବର୍ଣ୍ଣି ନ ସରିଲା ସଂସାର ବିଷୟ କଥା,

ଲେଖନ ପତର ଧରି ନିରନ୍ତର କେତେ ମୁଁ କରିବି ପୋଥା ।

 

ବାଳୁତ କାଳରୁ ଜାଣିଅଛି ସ୍ୱାମୀ ଏ ମୋ ଦୂରଦଣ୍ଡ ଦୁଃଖ,

ହୃଦପଦ୍ମେ ଚିନ୍ତା କରି ଅପ୍ରମିତା ଦଣ୍ଡେ ନାହିଁ ମୋର ସୁଖ ।

 

ଜନମ ଦିନରୁ ଦୁଇ ବରଷରୁ ବସିଲାକ ହେତୁ ବୁଦ୍ଧି,

ପଞ୍ଚୁମନେ ଆସି ଭେଦ ଗଲା ପଶି ଜୀବନ ହେଉଛି ଶୋଧି ।

 

ଏକା ହୋଇ ମୁହିଁ ବସିଥିଲେ ଯହିଁ ମନେ ପଡ଼ିଗଲେ କଥା,

ପଞ୍ଚଭୂତ ଆତ୍ମା ଦଗଧି ହୁଅଇ ବୁଡ଼ି ଯାଉଅଛି ଚେତା ।

 

ବିଚାରୁଥାଇ ହୃଦୟରେ ମନକୁ ଦୁଲଭ ଜନମ ଦେହୀ,

କୋମଳ ଶରୀର ପିଣ୍ଡ ଗୋଟା ମୋର ଜୀବ ପରା ପୁଣ ବହି ।

 

ମେଦ ମେଦା ପୃଥ୍ୱୀ ଦେହ ବହିଛନ୍ତି ତରୁ ଅଛନ୍ତି କି କରି,

ଚାହିଁ ଆକାଶକୁ ଭାଳଇ ମନକୁ ଦେହ ଯାଉଥାଇ ମରି ।

 

 

 

ଚାରି ବରଷ ସମ୍ପୂର୍ଣ୍ଣ ସମୟରେ ଦେଖାଥିଲା ଜ୍ୟେଷ୍ଠମାସେ,

ନିର୍ବେଦ କର୍ମେ ଯୋଗୀ ପୁତ୍ର ଗୋଟିଏ ଭ୍ରମୁଥିଲେ ଗ୍ରାମ ଦେଶେ ।

 

କଷା କଉପୀନ ଚଢ଼ାଇ ସେ ପୁଣି ଦିଶୁଥାନ୍ତି ଅପ୍ରଚ୍ଛନ୍ନ,

ବେନି ଭୁଜରେ ପତକ୍ଷେ ଦେଖିଅଛି ଥିଲା ଶଙ୍ଖ ଚକ୍ର ଚିହ୍ନ ।

 

ଦୁଇ ପନ୍ଥା ଦାଣ୍ଡେ ବିଜେ କରି ସ୍ୱାମୀ ହସ୍ତରେ ଖପରା ଧରି,

‘ଦିଅ ମାତା’ ‘ଦିଅ ମାତା’ ବୋଲୁଥିଲେ ଅନ୍ନ ଭିକ୍ଷା ଗୋଟା ଚାରି ।

 

ତେତେବେଳେ ମୁହିଁ ପାଶେ ଠିଆ ହୋଇ ଅଳପ ମୁଁ ଅଛି ଜାଣି,

ଥାଳ ଘେନି ସ୍ୱାମୀ ଆପେ ମାଗୁଥିଲେ ଦିଅ ବାବୁ ମୋତେ ପାଣି ।

 

ସାତ ପାଞ୍ଚ ହୋଇ ମୁଖ ଚୁହାଁଚୁହିଁ ଯହୁଁ ଅମାନିଆ ହେଲେ,

‘ଧର୍ମ’ ‘ଧର୍ମ’ ବୋଲି ତେଣୁ କରି ସ୍ୱାମୀ ସେଠାବରୁ ଚଳିଗଲେ ।

 

ସେ ସମୟ କଥା ହୃଦେ କରି ଚିନ୍ତା ଜୀବନ ଯାଉଛି ପୋଡ଼ି,

ପଞ୍ଚଭୂତ ଆତ୍ମା ନିତ୍ୟେ କାନ୍ଦୁଅଛି ଚିଆଁ ଚଇତନ ବୁଡ଼ି ।

 

ସେ କଥାମାନ ଏବେ ମନେ ପଡ଼ିଲେ ହୃଦୟ ହେଉଛି ଯାହା,

ଦେହେ ପୁଲକିତ ହୋଇ ଉତ୍କଣ୍ଠିତ ଚମକି ଉଠୁଛି ହିଆ ।

 

ଏହି ପିଣ୍ଡ ପ୍ରାଣ ବହି ସହି ଥାଇ ଦୁଃଖ ସୁଖ ଯଥା ଅର୍ଥ,

ତହିଁ ଉତ୍ତାରୁ ଦିବସ ବହିଗଲା ହୋଇଲା ବରଷ ସାତ ।

 

କ୍ଷୁଧା ତୃଷା କଲେ ଭାଳଇ ବିକଳେ ବଗଧି ହୁଅଇ କାଏ,

ଅତିଦୁଃଖେ ମୁହିଁ ଦିନ ବଞ୍ଚୁଅଛି କସ୍ତୁରୀ ଜୀବନ ପ୍ରାଏ ।

 

ଗର୍ଭଧାରୀ ପିତା ଛାଡ଼ିଗଲେ ମୋତେ ଜନ୍ମରୁ ନିସାଖା ହୋଇ,

ସୁସ୍ଥେ ଭୋଜନ ସୁଖଭୋଗ ବାଞ୍ଛିଲେ କାହିଁରୁ ପାଇବି ମୁହିଁ ।

 

ସପ୍ତ ବରଷରୁ ଅଷ୍ଟମ ନବମ ଦଶମ ଏଗାର ହେଲା,

ବାର ବରଷରୁ ବାଛାଙ୍କ ସଙ୍ଗତେ ବନେ ବୁଲି ଦିନ ଗଲା ।

 

ଆଗ ପଛ କଥା ହୃଦୟରେ ଚିନ୍ତା ପଡ଼ି ପୁଣ ପୁଣି ଆସି,

ଶୋକ ସନ୍ତାପରେ ରୋଦନ କରଇ ବୃକ୍ଷ ଛାୟାମୂଳେ ବସି ।

 

ଏ ଚରିତ୍ରମାନ ଶୁଣ ସାଧୁଜନ ବୋଲୁଥିବ ଅବା ବୃଥା,

ମିଥ୍ୟା କହୁଥିଲେ ଶ୍ରୀଗୁରୁ ଦଣ୍ଡିବେ ନିତ୍ୟ ସତ୍ୟବ୍ରତ କଥା ।

 

ବଛା ଗଲେ ଚରି ପଛେ ଅନୁସରି ବୁଲୁଥାଇ ସଙ୍ଗେ ସଙ୍ଗେ,

କହେ ଭୀମ ଭୋଇ ପୂର୍ବକାଳ କଥା କଚାଡ଼ି ହେଉଛ ଅଙ୍ଗେ ।

***

 

ଦ୍ୱାବିଂଶ ବୋଲି

 

ବୁଲୁଥାଇ ଦନେ ନିତି ପ୍ରତିଦିନେ ବତ୍ସାକୁ ସଙ୍ଗତେ ଘେନି,

କ୍ଷୁଧା ତୃଷା କଲେ ଜୀବନ ବିକଳେ ପିଉଥାଇ ଝର ପାଣି ।

 

ଆକାଶକୁ ଚାହିଁ ମନରେ ଭାଳଇ କରୁଥାଇ ପାଞ୍ଚ ହେଜ,

ବେଳ ହୋଇନାହିଁ ଯିବି ମୁଁ କି ହୋଇ ନ ମିଳିବ ପାଣି ପେଜ ।

 

ଧନ୍ୟ ଏ ପିଣ୍ଡ ନ ହୋଇ ଖଣ୍ଡ ଖଣ୍ଡ ପଡ଼ିଅଛି ଯେତେ ମାଡ଼,

ଗାଳି ଦ୍ୱନ୍ଦ ପଛ ଆଡ଼କୁ ପକାଇ ହୃଦ କରିଥାଇ ଦୃଢ଼ ।

 

ଲୁହ ନାହିଁ ରକ୍ତ ବହୁଥାଇ ମୋର ଶ୍ରୀହସ୍ତେ ଦିଅଇ ପୋଛି,

କେହି ନ ଜାଣନ୍ତି ଶ୍ରୀଗୁରୁ ଜାଣନ୍ତି ଯେତେ କଷ୍ଟ ପାଇଅଛି ।

 

ସେ ସମୟ କଥା ମନେ କଲେ ଚିନ୍ତା କରତି କାଟୁଛି ପିଣ୍ଡ,

ଉଠୁଅଛି ନ୍ତ୍ରୋଧ ହୋଇ ଗଦ ଗଦ ବୁକୁରେ ପଡ଼ୁଛି କାଣ୍ଡ ।

 

ବାର ଠାରୁ ତେର ଚଉଦ ବରଷ ବହିଗଲା ଏହି ରୂପେ,

ମନ ଜାଣୁଅଛି ଅନ୍ତର ବେଦନା ଦହିଯ୍ୟ ହୋଇ ସନ୍ତାପେ ।

 

 

 

ହାଇ ଘନ ଘନ ଆଖି ଥନ ଥନ ପଡ଼ିଛି ଚିନ୍ତା ସମୟ,

ଜୀବନ ମୋର ଛିଡ଼ି ପୋଡ଼ି ଯାଉଛି ଅଗ୍ନି ଉଠୁଅଛି ଦେହ ।

 

ଚଉଦିଗ ଚାହିଁ ମନରେ ଭାଳଇ ଲଲାଟରେ କର ମାରି,

ଆହାରେ ଦାରୁଣ ଦଇବ ବିଧାତା କରିଗଲୁ ଏତେ ସରି ।

 

କରେ ପଡ଼ି କରେ ସଢ଼ି ଯାଉଅଛି ତରତର ହୋଇ ଚିତ୍ତ,

ପାପ ଦୁଃଖଭାର ନ ଖଣ୍ଡିଲେ ମୋର ଅଣାକାର ଅବ୍ୟକତ ।

 

ସ୍ଥିତି ବସ୍ତି ନାହିଁ ପ୍ରଚରିବି କାହିଁ ସଙ୍ଗ ସାଥି ସଖା ନାହିଁ,

ତଳକୁ ଶିର ଉପରକୁ ପୟର ମଧ୍ୟେ ମାରୁଛି ଭୁଲାଇ ।

 

ଶୂନ୍ୟକୁ ଅନାଇ ରହିଅଛି ମୁହିଁ କି ରୂପେ ଧରିବି ଦେହୀ,

କେଉଁ ଡାଳ ଧରି ପାରି ହୋଇ ଯିବି ହାତ ଗୋଡ଼ ପାଉ ନାହିଁ ।

 

ଶ୍ରୀଗୁରୁ ବଚନ ପାଷାଣରେ ଗାର କଲେ ମୁହିଁ ଛିନ୍ନ ଭିନ୍ନ,

ରୋମ ଚର୍ମେ ଭେଦି ଅଷ୍ଟାଙ୍ଗ ଶରୀର ଅସ୍ଥି ମାଂସ ହେବ ଭିନ୍ନ ।

 

ବିଚାରୁ ଥାଇ ହୃଦୟରେ ମନକୁ ଅଲେଖ ବ୍ରହ୍ମକୁ ଧ୍ୟାୟି,

ଏଡ଼େ ପ୍ରଭୁ ଥାଇ ଅଣାଦର କଲେ କାହାର ହୋଇବି ମୁହିଁ ।

 

ବଚନକୁ ଜଗି ପାଦପଦ୍ମେ ସେବି ସେବା ଭକ୍ତି ଦାନ ଦେବି,

ପିଣ୍ଡପ୍ରାଣ ମୋର ସମର୍ପଣ କରି ନିଜ ଅଙ୍ଗେ ଲୀନ ହେବି ।

 

ପ୍ରଭୁ ସଙ୍ଗେ ସଙ୍ଗେ ଲାଗିଥିବି ଅଙ୍ଗେ ଦୟା ଯେବେ ମୋତେ ହେବ,

ସ୍ୱାମୀ ସେବା ବିନୁ ନ ଯୋଗାଏ ଆଉ ଜୀବ ଯେତେଦିନ ଥିବ ।

 

ଜନ୍ମ ଜନ୍ମାନ୍ତରେ ଯୁଗଯୁଗାନ୍ତରେ ଖଟିଥିବି ପାଦତଳେ,

ଦାସପଣେ ସେବି ଏକାକ୍ଷରେ ରୂପ ଦେଖୁଥିବି ସଦାକାଳେ ।

 

ଶ୍ରୀଗୁରୁ ପୟର କୋଟି ନମସ୍କାର ମୂର୍ଚ୍ଛିନ ପାରଇ ଦଣ୍ଡେ,

ପାଖରୁ ଅନ୍ତର ହେଲେ ସତ୍ୟବ୍ରହ୍ମ ବଜ୍ର ପଡ଼ୁଥାଇ ମୁଣ୍ଡେ ।

 

ପିତା ମାତା ଦୁଇ ଯୁଗଳରେ ଯାଇ କଲେ ଅବନୀରେ ଜାତ,

ପୂର୍ବକାଳ ଘୋର ତପସ୍ୟା ପୂର୍ଣ୍ଣରୁ ହୋଇଲି କବି ପଣ୍ଡିତ ।

 

ଜନନୀ ଉଦର ଗୋପ ମଧୁପୁର ପାସୋର ନ ଯାଏ ଚିତ୍ତୁ,

ମାତୃଗର୍ଭଗତେ ପାଠ ପଢ଼ିଥିଲି ଟିକେ ଟିକେ ଅଛି ହେତୁ ।

 

ସତ୍ୟରେ ମରିବି ସତ୍ୟରେ ତରିବି ଏହି ଆଜ୍ଞା ମୋତେ ହେଉ,

କହେ ଭୀମ ଭୋଇ ଏ ମୃତ୍ୟୁମଣ୍ଡଳେ ଯଶ ଅପଯଶ ଥାଉ ।

***

 

ତ୍ରୟୋବିଂଶ ବୋଲି

 

କଷୀବାସ ପରିହରିଣ ଶ୍ରୀଅଙ୍ଗେ ଦାରୁଣ୍ୟ ମୂରତି ସାଜେ,

ପୁରୁଷ ରତନ ଜୀବନର ଧନ କୋଟି କଳା ଧରି ବିଜେ ।

 

ଗ୍ରୀଷମ ବରଷା ନାହିଁ ସ୍ଥିତି ବସା କ୍ଷଣେ ନ ରହନ୍ତି କାହିଁ,

ନିଜେ ଭଗବାନ ଦୁଃଖ ପାଉଛନ୍ତି ବ୍ରହ୍ମାଣ୍ଡ ରଖିବା ପାଇଁ ।

 

କ୍ଷୁଧା ତୃଷା ମାରି ଦିବସ ତିମିରି କଷଣ କହିବି କେତେ,

ନିରନ୍ତରେ ପ୍ରଭୁ ଯୋଗ ସାଧୁଛନ୍ତି ଭକ୍ତମାନଙ୍କ ନିମନ୍ତେ ।

 

ଅଳପ ସିଦ୍ଧିରେ ସାଧନା ନୁହଇ ବଡ଼ାଇ ଆଶ୍ଚର୍ଯ୍ୟ କଥା,

ପ୍ରଭୁଙ୍କ ହୃଦେ ହେ ଯା ଲେଖା ପଡ଼ିଛି ତିନିଭୁବନ ବାରତା ।

 

ନୁହସି ବିକଳ ଭଗତ ସକଳ ସମ୍ଭାଳି ଥାଅରେ ଘାଏ,

ଏକା ଦିବସେ ସର୍ବସିଦ୍ଧି କରିବେ ଉଦେଠାରୁ ଅସ୍ତଯାଏ ।

 

ସାଧୁ ସୁଜ୍ଞ ନର ଚିହ୍ନି ଧରି ଧର ଯାଚି ଦେଉଛନ୍ତି ଧର୍ମ,

ସୈନ୍ତ୍ରିଂଶ ଅଙ୍କ ଆଗକୁ ଯେ ରହିବ ହୋଇବ ନୂଆରି ଜନ୍ମ ।

 

 

 

ନାନା ପାପେ ନାଶ ଯିବ ନରବଂଶ କାହାରି ନଥିବ ଚାରା,

ସପ୍ତନ୍ତ୍ରିଂଶ ଅଙ୍କୁ ଅଡ଼ଚାଳିଶ ଯାଏ ପଡ଼ିବ ବ୍ରହ୍ମାଣ୍ଡେ ଭାରା ।

 

ମେଳଚ୍ଛ ପତିତ ପାମର ପାପିଷ୍ଠ ସକଳ ଏ ଯିବେ ନାଶ,

ବିଷ୍ଣୁ ବ୍ରହ୍ମକଳା ଲାଗିଥିବ ଯାକୁ ରହିବେ ସ୍ତିରୀ ପୁରୁଷ ।

 

ଗୋପ୍ୟ ହେବ ସର୍ବ ଯେତେ ଧନ ଦ୍ରବ୍ୟ ମହା ଦୁରୁଦଶା ଅଛି,

ସାତଦିନ ସାତରାତି ଅନ୍ନ ପାଣି ଲୋଡ଼ି ନ ପାଇଲେ କିଛି ।

 

ନବ ଖଣ୍ଡ ମହୀ ରହିଛି କି ହୋଇ ଲାଗୁଛି ମୋତେ କାତର,

ଏଠାରୁ ଏଣିକି ସାଧୁ ସୁଜ୍ଞଜନ ସମ୍ଭାଳି ହୁଅ ଏଥର ।

 

ପଢ଼ା ଶାସ୍ତ୍ର ଗୀତା ଶ୍ଲୋକ ଅପ୍ରମିତା ନ ଶୁଣି ଥିଲି ମୁଁ ବେଦେ,

ଅଲେଖ ମହିମା ଦୂତୀକ୍ଷର ପାଦ ଏବେ ହୋଇଅଛି ଉଦେ ।

 

ବ୍ରହ୍ମା ବିଷ୍ଣୁ ଶିବ କୋଟିକଳ୍ପ ଯୁଗ ଅନେକ ଗଲେଣି ବହି,

ବହ୍ମକଳା ବିନା ନ ଥିଲେ ଅଙ୍ଗରେ ଭଜିତେ ସାମର୍ଥ ନାହିଁ ।

 

ଅତି ଭାଗ୍ୟ ପୂର୍ବ ସୁକୃତ ବାସନା ତପସ୍ୟା ଯାହାର ଥିବ,

ମାତୃଗର୍ଭ ହେତୁ ଆତ୍ମା ଜ୍ଞାନ ଭକ୍ତି ତାଙ୍କୁ ପରାପତ ହେବ ।

 

ମୃତ୍ୟୁ ପିଣ୍ଡ ଗୋଟି ମାୟା ଅଛି ଘୋଟି ଚାହୁଁ ଚାହୁଁ ଯିବ ସରି,

ଭଜି ଯେ ପାରିବ ଜନ୍ମ ମରଣରୁ ନିଶ୍ଚୟ ସେ ହେବ ପାରି ।

 

ଭୟକୁ ତେଜିଲେ ନିର୍ଣ୍ଣୟ ବୁଝିଲେ ତେବେ ଅଛି ପୁଣ୍ୟ କାମ,

ଅନ୍ତ ଡ଼ାକୁଥିବ ଅଲେଖ ମହିମା ମୁଖ ଡ଼ାକୁଥିବ ନାମ ।

 

ଆପଣା ମନ ଆପକୁ ଉଧରିବ ପ୍ରସନ୍ନ ହୋଇବ ଯେବେ,

ଧନ ଦାରା ସୁତ ଇଷ୍ଟ-ବନ୍ଧୁ ଭ୍ରାତ କେହି ସଙ୍ଗତେ ନ ଯିବେ ।

 

ସକଳ ଛାଡିଲେ ମାୟାକୁ ଏଡ଼ିଲେ ପ୍ରସନ୍ନ ହୋଇବ ମନ,

ଆପ ଦେହେ ଆପେ ଅର୍ଥ କରୁଥିଲେ ଉପୁଜିବ, ବ୍ରହ୍ମଜ୍ଞାନ ।

 

ତିନିପୁର ଲୋକ କଲେଣି ଭାଳେଣି ଅବଧୂତ ବେଶ ଦେଖି,

ଯତି ସତୀ ଆଦି ନାଗାନ୍ତି ଯୋଗାନ୍ତି ସର୍ବେ ରହିଲେଣି ଶଙ୍କି ।

 

ଏବେ ଦେଖ ବୈଷ୍ଣବ ସ୍ୱରୁପ ଅପୂର୍ବ ଚରିତ କଥା,

ଦାରୁ ପ୍ରତିମା ମୂର୍ତ୍ତି ଦେବୀ ଦେବତା ସର୍ବେ କି ହେଲେଣି ପୋତା ।

 

ନାଶ ଯିବ ମହୀ ନ ରହିବେ କେହି ସମସ୍ତେ ଭଜିବା ଆସ,

ଡ଼ାକି ଜଗତରେ କହେ ଭୀମ ଭୋଇ ଅନାଦି ଗୁରୁଙ୍କ ଶିଷ୍ୟ ।

***

 

ଚତୁର୍ବିଂଶ ବୋଲି

 

ଅଲେଖ ମହିମା ଭାଙ୍ଗିବେ ଗାରିମା ସରିବ ଏ ଉତପତ୍ତି,

ଭାଦ୍ରବରୁ ସପ୍ତ ଅଙ୍କ ଲାଗିଲାଣି ସପ୍ତାଙ୍ଗ ହୋଇବ ପୃଥ୍ୱୀ ।

 

ସ୍ୱାମୀ ଗୁରୁଦେବ ଗୁପତେ ସାଧିବେ ପ୍ରତ୍ୟେକ୍ଷ ନ ଦେବେ ଚିହ୍ନା

ଗୋଟି ଗୋଟି ହୋଇ ଖସି ଯାଉଥିବେ କାହାକୁ ନ ଥିବ ଜଣା ।

 

ହୃଦେ ନାହିଁ ଭେଦ ଶାହାସ୍ର ସମ୍ବାଦ ମୁଖେ ନାହିଁ ଗୁରୁ ନାମ,

ଏଣିକି ଏଠାରୁ ପ୍ରାଣୀଙ୍କ ହୃଦରୁ ଛାଡ଼ିଯିବ ସତ୍ୟ ଧର୍ମ ।

 

ଅନ୍ୟାୟ ଆଚାରେ ଅନୀତି ବିଚାରେ ପଡ଼ି ଛନ୍ଦ ନଟକୂଟେ,

କେଉଁ ଧର୍ମକୁ ଆଶ୍ରିତ କରି ପ୍ରାଣୀ ତରିଯିବେ କେଉଁ ବାଟେ ।

 

ଅଗ୍ନିରେ ପୋଡ଼ିବେ ଜଳେ ବୁଡ଼ିଯିବେ ବୃକ୍ଷରୁ ପଡ଼ି ମରିବେ,

ନିର୍ଦ୍ଦୟ ହୋଇବେ ସର୍ପାଘାତେ ଯିବେ ଗଳେ ଛୁରି ଲଗାଇବେ ।

 

ରୋଗବ୍ୟାଧିମାନ ଅଙ୍ଗରେ ପିଡ଼ିତ ପଡ଼ୁଥିବ ଦୁଃଖ ଚିନ୍ତା,

କେହୁ ମରିଥିବେ କେହୁ ଜୀଇଥିବେ ଅଙ୍ଗେ ନ ଥିବ ଶକତା ।

 

 

 

ବ୍ୟାଧିରେ ସକଳେ ହେଉଥିବେ ଘାରି ଥରୁଥିବ ନିଜ ଦେହ,

ଗୃହେ ପ୍ରାଣୀମାନେ ଯେତେ ଜଣା ଥିବେ ନେନ୍ତ୍ରୁ ବୋହୁଥିବ ଲୁହ ।

 

ଅଷ୍ଟ କୋଟି ରୋଗ ଚୌଷଠି ବେଦନା ମାଗି ଆସିଲେଣି ବର,

ସତୈଶ ଅଙ୍କରୁ ଶନ୍ତ୍ରୁ ସାଧିବାକୁ ହୋଇଲେଣି ଆଗୁସାର ।

 

ଅଷ୍ଟ କୋଟି ଯୋଗ୍ନୀ ନକୋଟି କାନ୍ତାନୀ ପ୍ରଭୁ ଶ୍ରୀଛାମୁରେ ଯାଇ,

ଶ୍ରୀଗୁରୁ ଛାମୁରୁ ସୁଧା ଶ୍ରୀମୁଖରୁ ଅଇଲେଣି ଆଜ୍ଞା ପାଇ ।

 

ଏରୂପେ ଜଗତ ନାଶିବେ ସମସ୍ତ ଚାହୁଁ ଚାହୁଁ ଯିବେ ସରି,

ରାନ୍ତ୍ର ପାହିଲା ବେଳକୁ ଗ୍ରାମ ମଧ୍ୟେ ଦଶ ପାଞ୍ଚ ଥିବେ ମରି ।

 

ଗ୍ରାମ ଭାଙ୍ଗିଯିବ ଦେଶ ବସିଥିବ ରାଜ୍ୟ ଭାଙ୍ଗି ଯିବ ଜାଣ,

ଗ୍ରାମଯାକେ ଦୁଇ ଚାରି ଜଣ ଥିବେ ଉଚ୍ଚାରି ମହିମା ନାମ ।

 

ଦଶ ପାଞ୍ଚ ପ୍ରାଣୀ ପନ୍ଦର ପ୍ରାଣୀରେ କେ ବର୍ତ୍ତିବ କେହୁ ନାହିଁ,

ବଂଶବୁଡ଼ା ହୋଇ ସର୍ବେ ମରିଯିବେ ତାଟି ବାଟ ଦିଆ ହୋଇ ।

 

ତାହାକୁ ସେ ଶାଖା ତାକୁ ତାର ଶାଖା ଏକା ଘରେ ଥିବେ ରହି,

ପାକକ ରନ୍ଧାରେ ସମସ୍ତ ଭୁଞ୍ଜିବେ ଏକାନ୍ତ ପରାଣ ହୋଇ ।

 

ତେତେବେଳେ ଜାତି ଗୋନ୍ତ୍ର ରଖିଥିବ କେଉଁ ରାଣ୍ଡପୁଅ ଝିଅ,

କର୍ମର ଆଚାର ବାଛନ୍ଦ ବିଚାର ବୁଝିବା ଯେ ରହ ରହ ।

 

ଗାଈ ମହିଷ ଛାଗଳ ମେଣ୍ଢା ବିତ୍ତ ମାତା ଭୋଗ କରିଯିବେ,

ମରିଯିବେ ସର୍ବ ହୋଇ ରୋଗ ବାଘ ହଳେ ଗୋଟେ ନ ମିଳିବେ ।

 

ଏମନ୍ତେ କଳିରେ ଗୃହମ ନଙ୍କରେ ଧନ ଦ୍ରବ୍ୟ ପୂରିଥିବ,

ପ୍ରଭୁଙ୍କ ବାହନ ଅଢ଼ୈବେଳ ଜାଣି ଗରୁଡ଼ ତା ବହିନେବ ।

 

ଫଳମୂଳ ଖାଇ ଝରପାଣି ପିଇ ନାମ ଭଜନେ ତତ୍ପର,

ଜଗତଯାକରୁ ତୁଚ୍ଛା ପଡ଼ିଯିବ ବାଉନକୋଟି ଭଣ୍ଡାର ।

 

ନିନ୍ଦାଗର୍ଭମାନ ନ ରହିବ ଟାଣ କରୁଥିବେ ଏକ ଭାବ,

ପୁରୁଷଙ୍କୁ ସ୍ତିରୀ ଜ୍ଞାନ ବୁଝାଇଲେ ଲେଉଟିବ ସତ୍ୟଯୁଗ ।

 

ଭଜିବେ ସେ ଜନ ରହିବେ ସେମାନେ ସତ୍ୟାଦି ଗୃହକର୍ମକ,

ସ୍ତିରୀ ଚାରିପଦ୍ମ ପୁଂସ ଚାରିପଦ୍ମ ଠିକ ଆଠ ପଦ୍ମଲୋକ ।

 

କେମନ୍ତେ ବଞ୍ଚିବି ପିଣ୍ଡକୁ ସଞ୍ଚିବି ମନେ ପଡ଼ୁଛି କଷଣ,

ଭୀମ ଅରକ୍ଷିତ ବୁଝି ଆଦି ଅନ୍ତ ଥରୁଛି ଦେହ ଜୀବନ ।

***

 

Unknown

ପଞ୍ଚବିଂଶ ବୋଲି

 

କାହିଁ ମୁଁ ଲୁଚିବି କେମନ୍ତେ ବଞ୍ଚିବି ପଳାଇବି କେଉଁ ପଥେ,

ଜଗତ କଷଣ କେତେ ମୁଁ ସହିବି ବିପତ୍ତି ପଡ଼ିବ ଯେତେ ।

 

ଆଗତର କଥା ଯେତେକ ବ୍ୟବସ୍ଥା ଘୋଡ଼ାଇ ରଖିଛି ଜାଣି,

ଭକ୍ତଙ୍କ ଜୀବନ ନ ରହିବ ପିଣ୍ଡେ କାତର ହୋଇବେ ଶୁଣି ।

 

ଆସିବେ ଯବନ ମାଡ଼ି ଘୋରବନ କରିଯିବେ ସମଛନ୍ତ୍ର,

ତରୁ ତୃଣମାନ ଛେଦି ପକାଇବେ ନ ରହିବ ଡ଼ାଳ ପନ୍ତ୍ର ।

 

ଗନ୍ଧ ପରକଟ ହୋଇ ଛଟପଟ ମହୀ ଲୋଟୁଥିବେ ମଡ଼ା

ଭୂମିରେ ତିରଣ ନ ରହିବ ଜାଣ ଚରିଯିବେ ହସ୍ତୀ ଘୋଡ଼ା ।

 

ରାଜାମାନେ ତହିଁ ଯୁଦ୍ଧେ ପିଠି ଦେଇ ଥୋକାଏ ଆରମ୍ଭି ଭେକ;

ପାଏକ ମାନଙ୍କୁ ଆପେ ଡ଼ାକୁଥିବେ ବୋଲୁଥିବେ ଛେକ ଛେକ ।

 

ରଣ ଯୁଦ୍ଧଘାତେ ସମ୍ଭାଳିବେ କେତେ କାହାରି ନ ଥିବ ସକ୍ଷ,

ଯେଝା ସୁଖେ ଯେଝା ପଳାଇ ପଶିବେ ରଣଭଣ ହୋଇ ଲୋକ ।

 

 

 

ଯୁଝିବି ଫିରଙ୍ଗି ନ ପାରିବ ଭାଙ୍ଗି ରହିବ ତା ନିଜ ସ୍ଥାନେ,

ସାକ୍ଷୀରୂପେ ଦେବତାଏ ଦେଖୁଥିବେ ରହି ଅଧା ସ୍ୱର୍ଗ ଶୂନ୍ୟେ ।

 

କମ୍ପିବ ମେଦିନୀ ରଣଗୋଳ ଧୁନି ସ୍ୱର୍ଗ ପାତାଳରୁ ଭେଦି,

ଅଠର ଦିବସ ଜମ୍ବୁଦ୍ୱୀପ ମଧ୍ୟେ ବହିବ ରକତ ନଦୀ ।

 

ଦେବ ସିଦ୍ଧ ସୁର ମନୁଷ୍ୟ ଅସୁର ରହି ନ ପାରିବେ କେହି,

ସୈନ୍ତ୍ରିଂଶ ଅଙ୍କରେ ଦିଗ ଦିଗାନ୍ତରେ ଉଧୁଳୁଥିବ ଏ ମହୀ ।

 

ନାଗାନ୍ତି ଯୋଗାନ୍ତି ବେଦାନ୍ତିସିଦ୍ଧାନ୍ତି ଉଠିବେ ଆସନ ଛାଡ଼ି,

କ୍ଷନ୍ତ୍ରି ପଣେ ରଣ ଯୁଦ୍ଧରେ ଚହଟି ଦେଉଥିବ ସିଂହରଡ଼ି ।

 

ରାଜଋଷି ଦେବଋଷି ରୁଦ୍ରଋଷି ଶୂଦ୍ରଋଷି ଆଦିକରି,

କରିବେ ଧନ୍ଦଳ ଉଠିବେ ସକଳ ସର୍ବେ ବୀରବେଶ ଧରି ।

 

ଜପୀ ତପୀ ତୀର୍ଥବ୍ରତ ବ୍ରହ୍ମଚାରୀ ସମସ୍ତେ ହୋଇବେ ମେଳି,

ଦକ୍ଷିଣୁ ଉତ୍ତର ପୂର୍ବ ପଶ୍ଚିମରୁ ରୁଣ୍ଡ ହେବେ ସର୍ବେ ମେଳି ।

 

ଆଦି ଅବଧୂତ ଅନନ୍ତ ଅବ୍‌ଧୂତ ରାମ ଅବଧୂତତିନି,

ଜଗନ୍ନାଥ ଅବଧୂତ ହନୁମନ୍ତ କୃଷ୍ଣ ଅବଧୂତ ଘେନି ।

 

ଶିବ ଅବଧୂତ ବିଷ୍ଣୁ ଅବଧୂତ ଧର୍ମ ଅବଧୂତ ତୁଲେ,

ଅଲେଖ ଅବଧୂତ ସଙ୍ଗତେ ମିଶିବେ ବଦଳିବେ ତେତେବେଳେ ।

 

ଅନନ୍ତ କୋଟି ସାଧୁ ଚଉଷଠି ସିଦ୍ଧ କଷା କଉପୀନ ମାରି,

ବୀରବେଶ ରୂପ ସକଳେ ଧରିବେ ହୋଇଥିବେ ଶସ୍ତ୍ରଧାରୀ ।

 

ସେ ପଞ୍ଚୁପାଣ୍ଡବେ ଯୁଦ୍ଧେ ଧାଡ଼ି ଦେବେ ଉତ୍ତରୁ ଆସିବେ ମାଡ଼ି,

ଗଦା ମୁଦୁଗର ବାଣ କାଣ୍ଡଘାତେ ସନ୍ୟ ପଡ଼ୁଥିବେ ଝଡ଼ି ।

 

କଳିଙ୍ଗା ଅସୁର ହୋଇ କୋପଭର ଯୁଦ୍ଧେ ହେବ ରଣରଙ୍କା,

ପାଦକ ବହଳେ ଏ ମହୀ ମଣ୍ଡଳେ ପଡ଼ିଯିବ ସୁନା ଟଙ୍କା ।

 

ଷଡ଼ ବ୍ରହ୍ମବାସୀ ପ୍ରଭୁଙ୍କର ପୁନ୍ତ୍ର ହୋଇଥିବେ ଷଡ଼ରଥୀ,

ତାଙ୍କ ସମାନରେ ତିନି ବ୍ରହ୍ମାଣ୍ଡରେ ନ ଥିବୋଟି ଆଉ କ୍ଷନ୍ତ୍ରି ।

 

ନବ ଋଷି ନବ ବ୍ରାହ୍ମଣ ହୋଇବେ ଧରି ବେଦବାକ୍ୟ ପୋଥି,

ଯୁଦ୍ଧକୁ ଅନାଇ ଶିରେ କର ଦେଇ ଉଚ୍ଚାରି କରିବେ ସ୍ତୁତି ।

 

ବଡ଼ାଇ ଆସ୍ଫତେ ଅନ୍ୟାୟ ଅନର୍ଥେ ଭାଙ୍ଗିବ ଏ ଯୁଗ କଳି,

କହେ ଭୀମ ଭୋଇ ପାଞ୍ଚଶତ ପଦେ ନିତ୍ୟ ମରୁଅଛି ଭାଳି ।

***

 

ଷଷ୍ଠବିଂଶ ବୋଲି

 

ନର ମନୁଷ୍ୟ ଦଶ ଖର୍ବ ମରିବେ ରାକ୍ଷସ ଅସୁର ନବେ,

ପୃଥ୍ୱୀ ହଟପଟ ହେଲାଣି ନିକଟ ଘୋର କଳିକାଳ ଯୁଗେ ।

 

ମୂର୍ଖ ପଣ୍ଡିତ ପାଷାଣ୍ଡ ପାପୀ ପ୍ରାଣୀ ଏମାନେ ମରିବେ ଆଗେ,

ପାପକର୍ମେ ନାଶ କାହାର କି ଦୋଷ ଭୂତ ପ୍ରେତଙ୍କର ଭାଗେ ।

 

ମେଳଛ ପାମର ଅଧର୍ମ ଏ ଜୀବ ଛନ୍ଦ ନଟକୂଟ ପ୍ରାଣୀ,

ଛିଡ଼ିଯିବ ମୁଣ୍ଡ ହୋଇ ଖଣ୍ଡ ଖଣ୍ଡ ଲୋଟୁଥିବ ଏ ଧରଣୀ ।

 

ଦାମ୍ଭିକ ନାସ୍ତିକ କପଟୀ ଲମ୍ପଟୀ ଖଚୁଆ ମିଛୁଆ ଲୋକେ,

ହାବୁଡ଼େ ପଡ଼ିବେ ଖଡ଼ଗେ ଛିଡ଼ିବେ କାଳ ବିକଳାଙ୍ଗ ମୁଖେ ।

 

କାମୀ ନ୍ତ୍ରୋଧୀ ଲୋଭୀ ଲାବରୀ ଯେ ଜନ ସକଳେ ଏ ଯିବେ ହତ,

ଲୁଚି ପଳାଇଲେ ଧରି ଗିଳୁଥିବ ଅକାଳ ବାବନା ଭୂତ ।

 

ହିଂସା ଅହଙ୍କାର ଥେଣ୍ଟ ଖଣ୍ଟ ଚୋର ଜଗତେ ଅଛନ୍ତି ଯେତେ,

ଖପରେ ପଡ଼ିବେ ଖଡ଼ଗେ ଛିଣ୍ଡିବେ ଚଣ୍ଡୀ ଚାମୁଣ୍ଡାଙ୍କ ହସ୍ତେ ।

 

 

 

ଏତେ ଉପଦର୍ପ ଜଗତେ ପଡ଼ିବ କି ବୁଦ୍ଧି କରିବି ମୁହିଁ,

ତିନି ବ୍ରହ୍ମାଣ୍ଡରେ ଧର୍ମ ନ ଦିଶିବ ଦିବସେ ଅନ୍ଧାର ହୋଇ ।

 

ମନେ ମନେ ହେଜି ହୋଇ ଚୁରି ଭାଜି କାତର ଲାଗୁଛି ଚିତ୍ତେ,

ତେତେବେଳେ ସ୍ୱାମୀ ବ୍ରହ୍ମାଣ୍ଡ ଭିତରେ କାହିଁ ରଖିଥିବ ମତେ ।

 

ଚାରିଦିଗ ଯାକ ସମୁଦ୍ର ଲହଡ଼ି ଅଧେ ଅଧେ ଯିବ ମଡ଼ି,

ଦିହୁଡ଼ି ପରାଏ ତାରାଗଣ ସିନା ଶୂନ୍ୟରୁ ପଡ଼ିବେ ଝଡ଼ି ।

 

ଶୁଭ ଅନକୂଳସମ୍ଭର୍ବ ଯୋଗାଡ଼ ଶେଷ ଯୁଗେ ଭିଆଇବେ,

ନବଗ୍ରହ ଶନିଶ୍ଚର ସତାଇଶ ନିଜ ରୂପେ ଉଦେ ହେବେ ।

 

ନାମ ପରକାଶ କର ଦଶ ଦିଶ ଘୋର କଳିକାଳ ତୁଟୁ,

ମହିମା ବାନା ନିର୍ବେଦ ଦୀକ୍ଷାମତେ ଜମ୍ବୁଦ୍ୱୀପଯାକ ଉଠୁ ।

 

ବୁଝାଇଲି ଯେତେ ନ ଗଲେ ପରତେ ଭରସା ନାହିଁ ନା ମୋର,

ଏ ଜଗତ ଜନ ସର୍ବେ ହତଜ୍ଞାନ ହେଲେଣି ମାଟି ପଥର ।

 

ସମ୍ପତ୍ତି ସୁଲଭ ଦେବଙ୍କୁ ଦୁଲଭ ଚାହାନ୍ତେ ସରିବ ଦେଖ,

ନାମ ଆଶ୍ରିତ ଯେତେ ଭକ୍ତ ତୁମ୍ଭର ବାଛି ବାଛି କରି ରଖ ।

 

ବେଳୁଁ ବେଳ ପୃଥ୍ୱୀ ହେଲାଣି ଉତ୍ପାତ ଘୋର କଳିକାଳ ପାପୁଁ,

ଏ ଜଗତ ନରେ ଅନ୍ୟାୟ ଆଚାରେ ବହିଯିବେ ଦେଖୁଁ ଦେଖୁଁ ।

 

ଭୁଲାଇଛ କେତେ କହି ନାନାମତେ ବୁଝାମଣା ନାହିଁ ବେଗ,

ଛାହି ଦିଅ ମତେ ଗୁରୁଦେବ ସ୍ୱାମି ଭରଣା କରିବି ଯୁଗ ।

 

ନବଖଣ୍ଡ ମହୀ ଥାଳି ପ୍ରାୟ ହୋଇ ହେଜିଲେ ମନକୁ ଆସେ,

ଏ ମୋର ନେନ୍ତ୍ରକୁ ଛପ୍ନାକୋଟି ଜୀବ ତିରଣ ପରାଏ ଦିଶେ ।

 

ଏକା ଦିବସରେ କ୍ଷଣକ ଭିତରେ ଦ୍ୟନ୍ତି ପୃଥ୍ୱୀ ଲେଉଟାଇ,

ଦନ୍ତ କାମୁଡ଼ି କିସ ବୁଦ୍ଧି କରିବି ଶ୍ରୀଗୁରୁଙ୍କର ଆଜ୍ଞା ନାହିଁ ।

 

କହୁଛି ସଂସାରେ ସତୈଶ ଅଙ୍କରେ ସାଧନ ନୋହିଲେ ପୃଥୀ,

ନିଷ୍ଠୁର ବଚନ ସାଧୁ ସୁଜ୍ଞଜନ ଶୁଣ ଶୁଣ ମୋର ରୀତି ।

 

ବସିଥାଇ କୂଳ ମହାନଦୀ ଜଳ ଛୁଇଁଅଛି ସତ୍ୟ କରି,

ଧର୍ମକୁ ଲଙ୍ଘି ସୁରାପାନ କରିବି ହରିବି ବ୍ରାହ୍ମଣ ସ୍ତିରୀ ।

 

ପ୍ରାଣୀଙ୍କ କଷଣ ଭେଦୁଅଛି ମନ ଜୀବନକୁ ମୋର ବାଧେ,

ଭୀମ ଅରକ୍ଷିତ କରି ଦଣ୍ଡବତ ଶରଣ ମାଗୁଛି ପାଦେ ।

***

 

ସପ୍ତବିଂଶ ବୋଲି

 

ବଖାଣି ମହିମା ଧୁନିକୁ ସ୍ଥାପିବା ଶ୍ରୀମୁଖରେ ଆଜ୍ଞା ଦେଲେ,

ଦାସପଣେ କିଣି ଅର୍ଦ୍ଧ ବାଟେ ଆଣି କିମ୍ପା ଏତେ ସରି କଲେ ।

 

ନାହିଁ ମୋ ଭରସା ଉଡ଼ୁଛି ସାହାସା କି ବୁଦ୍ଧି କରିବି କହ,

ଜଗତ ସମ୍ଭାଳି ଭଗତଙ୍କୁ ପାଳି ତୁମ୍ଭ ଭାରା ତୁମ୍ଭେ ବହ ।

 

ଭଗତଙ୍କ ଦୁଃଖ ନିରନ୍ତର ଦେଖ ଲାଗିଲାଟି ପାଦାର୍ବିନ୍ଦେ,

ବାନ୍ଦିଥା ଯୋଗାରି ଆଗପଛ କରି ବହିଥାଅ ନିଜ କାନ୍ଧେ ।

 

ସମ୍ପତ୍ତି ବିପତ୍ତି ମୁକତି ଦୁର୍ଗତି ଭିଆଣ କରିଛ ଯୋଡ଼ି,

ପାପ ଦୁଃଖଭାର କେ ତୁମ୍ଭ ବହିବ ପାଦତଳେ ଥାଉ ପଡ଼ି ।

 

ବିଜେ କରିଅଛ କିମ୍ପା ନ ବୁଝୁଛ ପଳାଇ ପଶିବି କାହିଁ,

ଅର୍ଜି ପାପଭରା କରିବି ପସରା ପାଦତଳେ ଦେବି ଥୋଇ ।

 

ଶରଣ ବାଞ୍ଛିତ କାନ୍ଦି କାନ୍ଦି ଭକ୍ତ ଗଡ଼ିଗଲେଣି ସକଳ,

ଦୋଷ ଅପରାଧ କ୍ଷମା କରି ଗୁରୁ ଜାଗ୍ରତରେ ପ୍ରତିପାଳ ।

 

 

 

ପ୍ରାଣୀଙ୍କ ଆରତ ଦୁଃଖ ଅପ୍ରମିତ ଦେଖୁ ଦେଖୁ କେବା ସହୁ,

ମୋ ଜୀବନ ପଛେ ନର୍କେ ପଡ଼ିଥାଉ ଜଗତ ଉଦ୍ଧାର ହେଉ ।

 

ଜଣାଉଛି ମୁଁ ଯେ ଭକ୍ତିଭାବରଞ୍ଜେ ଆହେ ଅଣିମା ଅନନ୍ତ,

ତିନି ବ୍ରହ୍ମାଣ୍ଡରେ ଯେତେ ଜୀବ ଛନ୍ତି ସମସ୍ତେ ତୁମ୍ଭ ଭଗତ ।

 

ନବଲକ୍ଷ ତାରା ସୁରାଟ ବିରାଟ ଧ୍ରୁବଲୋକ ଆଦି ଯେତେ,

ସମସ୍ତେ ତୁମ୍ଭ ପାଦତଳେ ଆଶ୍ରିତ ଠୁଳ ଶୂନ୍ୟ ପରିଯନ୍ତେ ।

 

ଠୁଳ ଶୂନ୍ୟଠାରୁ ତହିଁ ଉପରକୁ ଦେଖିଲଇଁ ନାହିଁ କିଛି,

ଅବିକାର ବ୍ରହ୍ମ ଅନାମ ଅରୂପ ସିନ୍ଧୁ ପ୍ରାୟେ ପୂରିଅଛି ।

 

କିବା ଦୁଷ୍ଟ ସନ୍ଥ ସେବକ ସାମନ୍ତ କୀଟ ପତଙ୍ଗରେ ପୂରି,

ତୁମ୍ଭେ ପୂରିଅଛ କାହିଁ ଉଣା ନାହିଁ ସର୍ବଘଟେ ସମସରି ।

 

ମେଦିନୀ ପାଷାଣ କାଠ ତରୁତୃଣ ନିର୍ଜୀବରେ ଯେହୁ ଗଚ୍ଛି,

ମୁଁ ଯେ ଜାଣୁଅଛି ମନର ଭିତରେ ଶବ୍ଦବ୍ରହ୍ମ ହେଲେ ଅଛି ।

 

ମୁଁ ଯେ ମୁର୍ଖ କବି ଭେଦ ମାର୍ଗେ ଜଗି ତୁମ୍ଭ କରୁଣା ମାତର,

ସମାନରେ ଦେଖି ସତ୍ୟ ଧର୍ମ୍ମ ସାକ୍ଷୀ କରି ନ ପାରେ ଅନ୍ତର ।

 

ନ୍ତ୍ରିପୁର ଜଗତେ ଜୀବ ଛନ୍ତି ଯେତେ ଅଛି ନାମ କଳା ଚିହ୍ନ,

ସମସ୍ତେ ସଙ୍ଖୁଳି ଏକ ଆତ୍ମା ବୋଲି ନ କର ହୋ ଆନ ଭିନ୍ନ ।

 

କାଠର ଭିତରେ ସୁଢ଼ଳ ଧାତୁରେ ଜଳ ପୁରିଥାଇ ଯେତେ,

ପ୍ରାଣୀଙ୍କ ଅଙ୍ଗରେ ଜୀବ ପର୍ମରୁପ ଫୁଟି ଦିଶୁଥାଇ ସତେ ।

 

ଦୋଷକୃତ ହାନି ଲାଭ ଧରା ମରା ଗାଳି ଦ୍ୱନ୍ଦ୍ୱହ୍ୱନ୍ତି ଯହିଁ,

ରୁମ ଚର୍ମ ଭେଦି କାଟେ ଜୀବନକୁ କାତର ମୁଁ ହେଉଥାଇ ।

 

ଅଗ୍ନି ଚୁଲା ପରେ ତାରଣ ଭାଣ୍ଡରେ ଯେସନେ ଫୁଟଇ ଅନ୍ନ,

ତେସନ ପରାଏ ହୃଦେ ଡ଼େଉଁଥାଇ ପଞ୍ଚଭୂତ ଆଜ୍ଞାମାନ ।

 

ଏକ ଖଣ୍ଡ ହାଡ଼ ବୁନ୍ଦାଏ ରୁଧିର ଫୁଟେ ମାଉଁସ ଜାଣଇ,

ତେଣୁକରି ସିନା ପ୍ରାଣୀଙ୍କ ବିକଳ ସହି ନ ପାରିବି ମୁହିଁ ।

 

ଏକା ଖଡ଼ଗରେ ଦଶ ପାଞ୍ଚ ମୁଣ୍ଡ ଛିଡ଼ଇ ଭାରତ ଯୁଦ୍ଧେ,

ଆରେକ ଅଙ୍ଗକୁ ପାଦେ ପହାରିଲେ ଏ ଅଙ୍ଗକୁ ମୋର ବାଧେ ।

 

ଆତ୍ମା ଭଗତିରେ ଦୋଷାଦୋଷ ହେଲେ ବଜ୍ର ପଡ଼ୁ ମୋ ମୁଣ୍ଡକୁ,

କହେ ଭୀମଭୋଇ ବ୍ରହ୍ମଶାପ ଦେଇଜ,ଜାଳିଦିଅ ମୋ ପିଣ୍ଡକୁ ।

***

 

ଅଷ୍ଟବିଂଶ ବୋଲି

 

ଶୂନ୍ୟ ପବନ ପୁରୁଷ ବୋଲାଇଲା ଜଳଧାରା ହେଲା ସ୍ତିରୀ,

ଏଥିରୁ ଅଧିକ ଅଛି ଯେବେ ସନ୍ଥେ କହି ଦିଅ ବାଛି କରି ।

 

ନାଗ ଅଂଶକଳା ଯାକୁ ଲାଗିଥାଇ ଶୁଣ କହିଦେବା ଠିକା,

ସର୍ପକୁ ବନ୍ଦୀରେ ପକାଇ ଫାନ୍ଦରେ କରନ୍ତି ଗୁଣୀ ଜୀବିକା ।

 

ପୃଥୀ ଅଂଶ କଳା ଯାର ଅଙ୍ଗେ ଥାଇ ସହିବା ପଣକୁ କ୍ଷମ,

ନିନ୍ଦା ସ୍ତୁତିମାନ ନ ଘେନଇ ମନ ସବୁ ମଣୁଥାଇ ସମ ।

 

ଦିଗ ଅଂଶ କଳା ଯେଉଁ ପ୍ରାଣୀ ବହେ ନିତ୍ୟେ କରେ ପରବାସ;

ଚନ୍ତ୍ର ପବନ ପରାଏ କରେ ମନ ଭ୍ରମୁଥାଇ ଦଶଦିଶ ।

 

ଧର୍ମ ଅଂଶ କଳା ଯାହା ଅଙ୍ଗେ ଥାଇ ସଭାମଧ୍ୟେ ବଳବନ୍ତ,

ଅନ୍ୟାୟକୁ ଫିଙ୍ଗି ନ୍ୟାୟ କଥା ସ୍ଥାପି ସବୁ କହୁଥାଇ ସତ୍ୟ ।

 

ପାପ ଅଂଶ କଳା ଯେଉଁ ପ୍ରାଣୀ ବହେ କହି ନୁହେ କର୍ମମାନ,

ଅଜ୍ଞାନ ଆଚାରେ ଅନୀତି ବିଚାରେ ମୁର୍ଖପଣ ନିଏ ଦିନ ।

 

 

 

କାଳ ଯମ ଅଂଶ କଳା ଯେ ବହନ୍ତି ବହୁତ ରାଗ କୋପିତ,

ଭାରତଭୂମିକି ଆଗଭର ହୋଇ କ୍ଷନ୍ତ୍ରିପଣେ ସାମରଥ ।

 

କାମ ଅଂଶ କଳା ଯାର ଅଙ୍ଗେ ଥାଇ ଥୟ ନୁହେ ପଞ୍ଚୁ ମନ,

ପଚିଶ ପ୍ରକୃତି କରି ନାନା ମୂର୍ତ୍ତି ମତ୍ତ ପ୍ରେମେ ଛନ୍ନ ଛନ୍ନ ।

 

ରମ୍ଭା ମେନକା ଅଂଶ କଳା ଯା ଅଙ୍ଗେ ଜାଣେ ଛବି ନଟକୂଟ,

ଭାଙ୍ଗିମା ଚାତୁରୀ ବେନି ନେନ୍ତ୍ର ଠାରି କରେ ନବରଙ୍ଗେ ନାଟ ।

 

ଦେବତା ଅଂଶରେ ଯେହୁ ଜନ୍ମିଥାଇ ଗାୟନରେ ଗୁଣବାଦ,

ମୃଦଙ୍ଗ କର୍ତ୍ତାଳ ଖଞ୍ଜରି ମର୍ଦ୍ଦଳ ବଜାନ୍ତି ଅନେକ ବାଦ୍ୟ ।

 

ରାଜ ଅଂଶ କଳାଯାକୁ ଲାଗିଥାଇ ବହୁତ ଲୋକ ତା ସଙ୍ଗ,

ନ କରଇ ମାନ୍ୟ ଉଚ୍ଚ ପଦେ ମନ ଲୋଡ଼ୁଥାଇ ବଡ଼ ଢ଼ଙ୍ଗ ।

 

ବିଷ୍ଣୁ ଅଂଶ କଳା ଯାର ଅଙ୍ଗେ ଜାଣ ସ୍ୱକାମେ ନିଷ୍କାମେ ଦୁଜା,

ମଉନେ କପଟ ବେଶ ଧରିଥାନ୍ତି କରନ୍ତି ପ୍ରତିମା ପୂଜା ।

 

ବ୍ରହ୍ମ ଅଂଶ କଳା ଯାହା ଅଙ୍ଗେ ଥାଇ କରୁଥାଇ କର୍ମମାନ,

ବୋଲାଇ ଆଚାରୀ ହୋଇ ବ୍ରହ୍ମଚାରୀ କରେ ସନ୍ଧ୍ୟା ତରପଣ ।

 

ଦେବ ଅଂଶ କଳା ଯାକୁ ଲାଗିଥାଇ ଚାରି ବେଦେ ଉଦ୍ଦୀପନ,

ସ୍ନାହାନ ତର୍ପଣ ନ୍ତ୍ରିସନ୍ଧ୍ୟା ବିଧାନ ଜପ ମନ୍ତ୍ରେ ତାର ମନ ।

 

ଶିବ ଅଂଶ କଳା ଯାର ଅଙ୍ଗେ ଥିବ ସ୍ନାନ ଶଉଚରେ ତେଜା,

ସମ୍ଭର୍ବ ଯୋଗାଡ଼ ଧୂପ ଦୀପ ଘେନି କରୁଥାଇ ଲିଙ୍ଗପୂଜା ।

 

ଇନ୍ଦ୍ର ଅଂଶ କଳା ଯେହୁ ପ୍ରାଣୀ ବହେ ଦାତାପଣେ ସମଯୋଗ,

ସମାନରେ ଦେଖି ଚିଠିପନ୍ତ୍ର ଲେଖି ପାଳୁଥାଇ ଆତ୍ମା ଜୀବ ।

 

କୁବେର ଅଂଶରେ ଯେହୁ ଜନ୍ମିଥାଇ ବହୁ ଧନ ଅଧୀକାର,

ଏଠାକୁ ସେଠାକୁ କରୁଥାଇ ଧନ ଖଟି ବାଣିଜ୍ୟ ବେପାର ।

 

ଚନ୍ଦ୍ରଅଂଶ କଳା ଯେ ଜନ ବହନ୍ତି ଧୀରପଣେ ସମଶୀଳ,

ବଚନ ଭାସିଲେ ଅମୃତ ସମାନ ଅଗ୍ରଚନ୍ଦନୁ ଶୀତଳ ।

 

ସୂର୍ଯ୍ୟ ଅଂଶ କଳା ଯେଉଁ ପ୍ରାଣୀ ବହେ ସପତ ଦ୍ୱୀପକୁ ଦୃଷ୍ଟି,

ଘେନି କର୍ମଯୋଗ କରେ ସାଧୁ ସଙ୍ଗ ସକଳ ସ୍ଥାନରେ ଗୋଷ୍ଠୀ ।

 

ନାମ ଅଂଶ କଳା ଯାକୁ ଲାଗିଥାଇ ପାଦେ ଖଟନ୍ତି ସମସ୍ତ,

କହେ ଭୀମ ଭୋଇ ନାମ ବ୍ରହ୍ମପଦେ ଗୁରୁପଣେ ସାମରଥ ।

***

 

ଊନତ୍ରିଂଶ ବୋଲି

 

ବୃହସ୍ପତି ଅଂଶ କଳା ଯାର ଅଙ୍ଗେ କହିବା ଜାତକ ଗୁଣ,

ପାପ ପୁଣ୍ୟ କଥା ଜାଣଇ ସର୍ବଥା କରି ଜଉତିଷପଣ ।

 

ଶୁନ୍ତ୍ର ଶନ୍ତି କଳା ଯେଉଁ ପ୍ରାଣୀ ବହେ କରଇ ବଇଦ ବୃତ୍ତି,

ଛୁତ ହସ୍ତେ ଦେଖି ଅନୁଭବ ରଖି ଜାଣେ ବ୍ୟାଧିର ଉତ୍ପତ୍ତି ।

 

ଅସୁର ଅଂଶରେ ଯେହୁ ଜନ୍ମିଥାଇ ସତ ଶାନ୍ତିକି ନ ଭଜେ,

ଚାରି ବେଦ କଥା ବୁଝାଇ କହିଲେ କଦାଚିତ୍ତରେ ନ ବୁଝେ ।

 

ପବନ ଅଂଶରେ ଯେହୁ ଜନ୍ମିଥାଇ ନୁହଇ ଥିର ସମୀର,

ଅଳପ କଥାକୁ ବହୁତ ମଣଇ ବଚନ କହେ ପ୍ରଖର ।

 

ଅଗ୍ନି ଅଂଶ କଳା ଯାକୁ ଲାଗିଥାଇ ପ୍ରାଣୀକି ନାଶ କରଇ,

କାଳକ ଅନ୍ତରେ କୁମ୍ଭୀ ନରକରେ କୋଟି ଜନ୍ମ ପଡ଼ିଥାଇ ।

 

ବ୍ରହ୍ମ ଅଂଶ କଳା ଯାର ଅଙ୍ଗେ ଥାଇ ଶରଣ ତା ପାଦଗତ,

ବିନୟ ବହୁତ ମଣି ସତ୍ୟ କୃତ୍ୟ ଶତବାର ଦଣ୍ଡବତ ।

 

 

 

ସେ ଜନମାନଙ୍କୁ ଲେଖି ସମ୍ପାଦକୁ ସ୍ତୁତି କରି ପ୍ରତିଦିନେ,

ବନ୍ଦନା କରି ମୁଁ ପ୍ରଭୁ ଭଗତଙ୍କୁ ଡ଼ରୁଥାଇ ପଞ୍ଚୁମନେ ।

 

ମାଗୁଅଛି ବର ଏତେକ ମାତର କଲ୍ୟାଣ ବାଞ୍ଛା ସମ୍ପୂର୍ଣ୍ଣ,

ଅଲେଖ ମହିମା ଯେ ଜନ ଭଜୁଛି ତା ପାଦେ ମୋର ଶରଣ ।

 

ପ୍ରଭୁଙ୍କ ଭଗତ ସୁଜ୍ଞ ସାଧୁ ସନ୍ଥ ଶ୍ରୀଛାମୁକୁ ଯେବେ ଯିବ,

କରପନ୍ତ୍ରଯୋଡ଼ି ବିନୟ ହେଉଛି ପଛ ଆଡ଼େ ମୋତେ ନେବ ।

 

ନିର୍ବେଦ ଦୀକ୍ଷାରେ ଶ୍ରୀଗୁରୁ ଶିକ୍ଷାରେ ଅଟଇ କୀଟପ ମାଛି,

ନିଜ ରୂପ ଚାହିଁ କାହିଁ ମୁଁ ଭଜନ୍ତି ବାନା ଦେଖି ଡ଼ରୁଅଛି ।

 

ଯେଉଁ ଭଗବାନ ଗଙ୍ଗାରେ ସ୍ନାହାନ ନୀଳଗିରିରେ ଭୋଜନ,

ବୃନ୍ଦାବନେ ନାଟ ରାଧା ସଙ୍ଗେ ଭେଟ ଦ୍ୱାରକାପୁରେ ଶୟନ ।

 

ସେ ପୁରୁଷ ଆଜ ବୀରବେଶେ ସଜ ନିଜ ରୂପ ପରକାଶ,

ଦିବସରେ ତିନି ପହର କାନ୍ଦୁଛି ଦୁଃଖ ମୁଁ କହିବି କିସ ।

 

ଚଉଦ ଭୁବନ ଜୀବଜନ୍ତୁଗଣ କାହାରି ନାହିଁ ନା ସୁଖ,

ଅକାଳ ମରଣ ଘୋଟି ଯାଉଅଛି ତିନିପୁରନ୍ତ୍ରଇଲୋକ ।

 

ଅନନ୍ତ ଠାକୁର ଅନାଦି ପୁରୁଷ ଯେଉଁଦିନ ହେବେ ରାଜା,

ସେହିଦିନ ମୁହିଁ ଶ୍ରୀଚରଣତଳେ ହୋଇବି ଦାସ ପରଜା ।

 

ଏତେ ଦୁରାନ୍ତକୁବିଚାରି ମନକୁ ଜଗିଅଛିଟି ଆକଣ୍ଟ,

ତେଣୁକରି ମୁହିଁ ବ୍ରହ୍ମାଣ୍ଡେ କହୁଛି ନ ପିନ୍ଧିବି କୁମ୍ଭୀପଟ ।

 

ନାମଟି ଅକ୍ଷୟ ଅଜନ୍ମ ଅଜୟ ଚାରିଯୁଗେ ଯେବେ ସତ୍ୟ,

ଗୃହେ ଥାଇ ବିହିତ କର୍ମେ ଚାଲିଲେ ସବୁ ହେବ ପରାପତ ।

 

ନିଷ୍କାମ ପଦରୁ ସୁମରି ଆଦ୍ୟରୁ କରିଅଛି ଧ୍ୟାନଯୋଗ,

ପ୍ରଭୁଠାରେ ବଡ଼ କଟାଳ କରିବି ନାହିଁ ଦେଲେ ମୋତେ ଭାଗ ।

 

ଜନ୍ମ ହେଲେ ମୃତ୍ୟୁ ମୃତ୍ୟୁଠାରୁ ଜନ୍ମ ବେନି ପରକାର ଅଛି,

ଏ ମୃତ୍ୟୁ ମଣ୍ଡଳେ ଥିବା ପରିଯନ୍ତେ ଭୋଗ କରୁଥିବି କିଛି ।

 

ସତ୍ୟେ ଯେବେ ମୁହିଁ ଜନମ ଲଭିଛି ବ୍ରହ୍ମତେଜ କଳା ଘେନି,

ଯିବାବେଳେ ନିଶ୍ଚେ ସେ ଠାବକୁ ଯିବି ଭୀମ ଅରକ୍ଷିତ ଭଣି ।

***

 

ତ୍ରିଂଶ ବୋଲି

 

ପିତା ଅଟନ୍ତି ମୋ ଅନାଦି ଠାକୁର ମାତା ଆଦି ଶକ୍ତି ନାରୀ,

ଦୁତୀ ଯୁଗଳରୁ ଜନମ ଲଭିଛି କବି-କୃତ କଳା ଧରି ।

 

ପିତା ମାତାଙ୍କର ଚରଣତଳକୁ ପ୍ରଳମ୍ବିତ ଶତେବାର,

ଏଠାରୁ ଏଣିକି ନ ଦିଶୁଛି ପଦ ଜାଣି ବୁଝି ଦୟା କର ।

 

ଗୁରୁଦେବ ସ୍ୱାମୀ ସର୍ବ ଅନ୍ତର୍ଯ୍ୟାମୀ ନାହିଁ ମୋର କହିବାକୁ,

କାମନା କଳ୍ପଣା ସମସ୍ତ ଲାଗିଲା ଶ୍ରୀଗୁରୁ ପାଦ ତଳକୁ ।

 

ସାର ଅସାର ଦୁତୀୟ ପରକାର ବାତ୍ସଲ୍ୟରେ ପଦ ବସୁ,

ବରଷା ଋତୁରେ ମହାନଦୀ ପ୍ରାୟ ପଦ ଅର୍ଥ ବଢ଼ି ଆସୁ ।

 

ପଶିବି ଶରଣ ମେଣ୍ଟିବି ମରଣ ମନେ ନ ଧରିବି କ୍ଷୋଭ,

ପ୍ରାଣ ବଞ୍ଚାଇବି ପିଣ୍ଡକୁ ସଞ୍ଚିବି ଛନ୍ତ୍ର ପ୍ରାୟ ଯେଉଁ ପାଦ ।

 

ଭଜୁଅଛି ମୁହିଁ ଦିବା ନିଶି ନାହିଁ ଯୁଗଳ ଚାରି ଚରଣ,

ସୁଧା ମଧୁରସ ପିଉଥିବି ନିତ୍ୟେ ତାହା କରୁଅଛି ମନ ।

 

 

 

ଦାରୁ ହୋଇ ଦୁବ ହୋଇଲି ମୁଁ ଆସି ବହି ଯାଉଅଛି ଯୁଗ,

ପିତା ମାତାଙ୍କର କରୁଣା ନୋହିଲେ ଜଗତେ ନ ମିଳେ ଠାବ ।

 

ସତେ ଯେବେ ଅବଧୁତ ଶୂନ୍ୟବାନା ଅଲେଖ ମହିମା ମେରୁ,

ବିଚାରିଲେ ପ୍ରଭୁ କ୍ଷଣକ ମାନ୍ତ୍ରକେ ଦୁବ କରିପାର ଦାରୁ ।

 

ଅନନ୍ତ ପୁରୁଷ ଅରୂପେ ଅଦୃଶ୍ୟ ଯାର ନାହିଁ ହାଇ ଛାଇ,

ଶୂନ୍ୟକୁ ଅନାଇ ଦର୍ଶନ କରୁଛି ପାଦ ରେଣୁ ପାଇ ପାଇ ।

 

ଅଜନ୍ମ ଅକ୍ଷଏ ନ ଦିଶଇ କାଏ ଅନାଦି ଅରୁପାନନ୍ଦ,

ତରିଯିବି ବୋଲି ଚିତ୍ତରେ ମୋହର ଶୂନ୍ୟକୁ ପାତିଛି ଫାନ୍ଦ ।

 

ଆଗତଭବିଷ୍ୟ ଆଜ୍ଞାରେ ଅଦୃଶ୍ୟ ମନେ ମନେ ହେତୁ କରି,

ଦିବସ ରଜନୀ ସନ୍ତାପୀ ହେଉଛି ପ୍ରଭୁ ନାମ ଧରି ଧରି ।

 

ମନରେ ନିମଜ୍ଜି ଆନକୁ ନ ଭଜି ଏକା ମହିମାଙ୍କ ବିନୁ,

ପ୍ରଭୁ ସେ ରଖିବେ ପ୍ରଭୁ ସେ ଭକ୍ଷିବେ ଏ ମୋର ମାନବ ତନୁ ।

 

ଏଥକୁ ଚାହିଁ ବିଚାରି ଦୟା କର ବାଞ୍ଛାଫଳ ପୂର୍ଣ୍ଣ ହେଉ,

କବି କୃତ କଳା ଫୁଟି ଅନର୍ଗଳା ଯୁଗେ ଯୁଗେ କୀର୍ତ୍ତି ରହୁ ।

 

ଯୋନିଜନ୍ମ ପିଣ୍ଡ ପ୍ରକୃତି ପ୍ରଚଣ୍ଡ ରୋମ ଚର୍ମେ ଲାଗି ମୟା,

ଅନୁଭଦ ଭେଦ ମାର୍ଗେ କହିଦେଲେ ପିତା ମାତା ହେଲେ ଦୟା ।

 

ଶ୍ରୀଗୁରୁଙ୍କ ଠାସ ନୟନ ସାଦୃଶ ବେଦଶାସ୍ତ୍ର ନାହିଁ ସାଧି,

ଶୂନ୍ୟକୁ ଅନାଇ ପଦ ବଖାଣଇ ଅନୁଭବେ କରି ବୁଦ୍ଧି ।

 

ଶଶୀ ତେଜ ପ୍ରାୟ ହୋଇଲା ଉଦୟ ହୁଦରୁ ଉବୁରି ଭେଦ,

ଅଜ୍ଞାନ ପିଣ୍ଡରେ ଚେତା ପ୍ରକାଶିଲା ଶିରେ ଶିରେ ଲାଗି ପାଦ ।

 

ପିତା ମାତା ଦୁଇ ଏକ ସଙ୍ଗ ହୋଇ ଭକ୍ତି କଳାକୁ ସୁମରି,

ବେନି ଜନ ହୋଇ ଆଶୀର୍ବାଦ ଦେଇ କୃପାଜଳେ ସ୍ନାନ କରି ।

 

କୀଟପ ଜନମ ଅଜ୍ଞାନ ପାମର ଜଡ଼ା ବୃକ୍ଷ ସଙ୍ଗେ ଜଣେ,

କହିଲା ବଚନ ପାସୋରି ହୁଅଇ ହୃଦରେ ନ ଥାଇ କ୍ଷଣେ ।

 

ସର୍ବ ସାଧୁଗଣ ହୋଇ ଏକ ସ୍ଥାନ ସିଦ୍ଧ ସାଧୁଙ୍କର ମେଳେ,

ଆଶିଷ କଲ୍ୟାଣ ଦେଇ ଋଷିଗଣ ମାଥେ ହସ୍ତମାରି ଦେଲେ ।

 

ଅନାଦି ଅଲେଖ ହୋଇଛନ୍ତି ଉଦେ କହନ୍ତେ ବୋଇଲେ ନାହିଁ,

କହେ ଭୀମ ଭୋଇ ଷଡ଼ ଶତ ପଦ ସମସ୍ତେ ହେଲେଣି ବାଇ ।

***

 

ଏକତ୍ରିଂଶ ବୋଲି

 

ଦିନୁ ଦିନ ଆସି ପ୍ରବଳ ହେଲାଣି ଦୁଃଖ କଷ୍ଟ ଦୁରୁଦଣ୍ଡ,

ଦୋଷ ଅପରାଧ କ୍ଷମା କରି ସ୍ୱାମୀ ସମ୍ଭାଳ ତୋ ଭକ୍ତ ମୁଣ୍ଡ ।

 

ଧିକାର ବଚନେ ଧ୍ୟାନକୁ ଛଡ଼ାଇ ଧୀରେ ରହୁ ନାହିଁ ମନ,

ଧିକ ଯାଉ କିନା ଜୀବ ଜନ୍ମ ମୋର ଧାଉଁଅଛି ଅନୁକ୍ଷଣ ।

 

ବ୍ରହ୍ମାଣ୍ଡ କରତା ଆପେ ବିଜେ କରି ବାଛି ବେଭାର କରିଛ,

ବାଧି ଯାଉଅଛି ଜୀବନକୁ ମୋର ସତ କଥା ନୋହେ ମିଛ ।

 

ଅନ୍ତର୍ଯ୍ୟାମୀ ପ୍ରଭୁ ଅଶ୍ରୁତିଅମୃତି ଅନ୍ତର୍ଗତେ ପରା ଜାଣି,

ଆଶ୍ରିତ ପ୍ରାଣୀକି ଅବସ୍ଥା ଦେଉଛ ହୃଦୟ ହେଉଛି ହଣି ।

 

ଦୟାଳୁ ପୁରୁଷ ଦରଶନେ ଦୃଶ୍ୟ ଦଗଧି ହେଉଛି କାଏ,

ବାମ ଡ଼ାହାଣକୁ ଯେଣିକି ଚାହିଁଲେ ଆଗ ପଛେ ନାହିଁ କିଏ ।

 

ତେଣୁକରି ମୁଁ ଯେ ତରିବି ବୋଲିଣ ତୀରକୁ ଦେଉଛି ଦୃଷ୍ଟି,

ନ୍ତ୍ରୈଲୋକ୍ୟର ପ୍ରଭୁ ତତ୍ତ୍ୱରେ ନ ବୁଝି ଲଗାଉଅଛ ଅରଷ୍ଟି ।

 

 

 

ଅନାସ୍ତ ପ୍ରାଣୀକି ଛନ୍ଦ କୁଟେ ଆଣି ଅଥଳେ ପକାଉଅଛ,

ଅନୁମାନ କରୁଅଛି ନିରନ୍ତରେ ଅନ୍ତର କରି ଦେଉଛ ।

 

ଆଶା କରି କରି ଅବସ୍ଥା ହେଉଛି ଆସି ମୃତ୍ୟୁ ରବିତଳେ,

ଅଜ୍ଞାନ ଅକର୍ମ ଯଶ ଅପଗୁଣ ଘୋଟିଲାଣି ଏକାବେଳେ ।

 

ମନରେ ତବଦ ମାନି ନିଜ କର୍ମ ମୃତ୍ୟୁପଥକୁ ଆବୋରି,

ମଲା ପିଣ୍ଡେ ମୋର ଭାରା ପକାଉଛ ମାୟା ମୋହ ଭରି କରି ।

 

ଗୁରୁଦେବ ସ୍ୱାମୀ ସର୍ବ ଅନ୍ତର୍ଯ୍ୟାମୀ ଖାତକୁ ଦେଉଛ ଫିଙ୍ଗି;

ଗରଳ ବିଷ ପରାୟେ ଲଗାଉଚ ଗାଢ଼ପଣେ ଅଛି ଜଗି ।

 

ମହତ ମର୍ଯ୍ୟାଦା ସକଳ ବୁଡ଼ାଇ ମନୁଷ୍ୟ ପରାଏ ହୋଇ,

ମାନ ଛଳ କଥା ଦୂରେ ଫିଙ୍ଗି ଦେଇ ମୃତ୍ତିକା ପରାଏ ମୁହିଁ ।

 

ଛାର ଛିକାର ଛୋକାରିଆ କଥାକୁ ଛନ ଛନ ହୁଏ ଚିତ୍ତ,

ଛାଡ଼ି ଲାଜ ଭୟ ଦୂରକୁ ତେଜିଲେ ସରିବ ମାନ ମହତ୍ତ୍ୱ ।

 

ଗୁରୁ ସେ ହରତା କରତା ବିଧାତା କରିବେ ଯେ ଭଲ ମନ୍ଦ,

କିସ ଜଣାଇବି ଶ୍ରୀଗୁରୁ ଛାମୁରେ ଜାଣିବେ ଅନାଦିକନ୍ଦ ।

 

ଶୂନ୍ୟ ଶୂନ୍ୟ ବୋଲି ସକଳକୁ ଛାଡ଼ି ସତ୍ୟକୁ କରି ପସରା,

ସହିବାକୁ କାହିଁ ଶକତି ମୋହରି ନେନ୍ତ୍ରୁ ବହୁଅଛି ଧାରା ।

 

ଶୋକ ସନ୍ତାପରେ ଶରଣ ପ୍ରଣାମ ସକ୍ଷ ନାହିଁ ମୋର ଦେହେ,

ସହି ସମ୍ଭାଳି ସାଧ୍ୟ କରିବି ପଢ଼ି ଏକାକ୍ଷର ନିରାମଏ ।

 

ଘନ ପ୍ରାଏ ଘୋଟି ଗର୍ଜି ଆସୁଅଛି ଘୋର କଳି ମାୟା ଦେଖ,

ବୀରବଧୂବାନା ଘୋଡ଼ାଇ ଜୀବକୁ ଅଭୟ ପଞ୍ଜରେ ରଖ ।

 

ଡ଼ିଙ୍ଗରକୁ ଚାହିଁ ଡ଼ରୁଅଛି ମୁହିଁ ଡ଼ାକ ଜଗତରେ ପଡ଼ି,

ଡ଼ୋଳା ଗୋଚରେ ଦେଖୁ ଦେଖୁ ସମସ୍ତେ ଅଙ୍ଗେ ବସିଲେଣି ମାଡ଼ି ।

 

ପଞ୍ଚମନ ମଧ୍ୟେ ବିଚାରଣ କଲେ ପାସୋର ନୁହଇ କଥା,

ପୁରାଉଛ ନେଇ ଅଗମ୍ୟ ଭିତରେ ରଖୁଛ କୀରତି ପୋଥା ।

 

କାର୍ଯ୍ୟ ଯେବେ ଅଛି କାହିଁକି ଶ୍ରୀଗୁରୁ କରାଉଛ ହଟପଟ,

କର୍ମକାଣ୍ଡେ ମୋର କି କି ଲେଖିଅଛ କହିଦିଅ ମୋତେ ବାଟ ।

 

ନ ଜାଣଇ କିଛି ଆଶା କରିଅଛି ହୃଦୟରେ ପାଞ୍ଚି ଯାହା,

ଭଣେ ଭୀମ ହୀନ ପାମର ଅଜ୍ଞାନ ଗୁରୁଦେବ ସ୍ୱାମୀ ସାହା ।

***

 

ଦ୍ୱାତ୍ରିଂଶ ବୋଲି

 

ଗୁରୁ ଦେବ ସ୍ୱାମୀ ମହିମାସାଗର ପିଣ୍ଡ ପ୍ରାଣ ରକ୍ଷା କର,

ଶରଣ ପାଦପଦ୍ମରେ ଶତେବାର ଦୟାରେ ଉଦ୍ଧରି ଧର ।

 

ଅବଧୂତ ସ୍ୱାମୀ ଅଲେଖ ଅବର୍ଣ୍ଣ ଅରୁପ ଅନାମ ଦୀକ୍ଷା,

ହରତା କରତା ଜ୍ଞାନ ଗୁରୁ ଦାତା ଗତି ପତି ସ୍ୱାମୀ ଏକା ।

 

ପ୍ରାଣର ବଲ୍ଲଭ ଜଗତ ବାନ୍ଧବ ଜୀବ ପ୍ରାୟେ ଅଙ୍ଗେ ବସି,

ଏଡ଼େ ବଡ଼ ପ୍ରଭୁ ବାନା ଥାଉଁ ଥାଉଁ ବିଅର୍ଥେ ଯାଉଛି ଭାସି ।

 

କୋଟିଏ ଶରଣ କୋଟିଏ ବିନତି କୋଟି ଦଣ୍ଡ ପରଣାମ,

କୋଟି ପ୍ରଳମ୍ବିତ କୋଟି ଯୋଡ଼ା ହସ୍ତ ଅନାଦି ଅରୁପ ବ୍ରହ୍ମ ।

 

କୋଟି କୋଟି ସ୍ତୁତି କୋଟି ପ୍ରଣପତ୍ୟ ଗଳାରେ ବସନ ବାନ୍ଧି,

ଦନ୍ତରେ ତିରଣ ବିନୟ ଭାବେଣ ଜଣାଣ କରୁଛି କାନ୍ଦି ।

 

ଅଯୋନି ଅଜାତ ଅବ୍ୟଏ ଅଚ୍ୟୁତ ଅଣାକାର ଏକ ବ୍ରହ୍ମ,

ମହିମାସାଗର ବାନା ପ୍ରକାଶିଛ ଆଦି ଅବଧୂତ ଧର୍ମ ।

 

 

 

ମେଳଛ ପତିତ ପାମର ଅଜ୍ଞାନ କୀଟପ ଏ କୁତା ଜୀବ,

ଅନାସ୍ଥ ପ୍ରାଣୀକି ଅନ୍ତର୍ଗତେ ଜାଣି ସୁଦୟାରେ ଚାହିଁ ଥିବ ।

 

ନିରେଖ ଜୀବକୁ ନିରାଶ ନକରି ନିଷ୍କାମରେ ଫଳ ଦେବ,

ନିଶାଖା ପ୍ରାଣୀକି ଶୂନ୍ୟ ନାମ ବ୍ରହ୍ମ କୃପାଜଳେ ତାରି ନେବ ।

 

କୀଟ ଜୀବ ଛାର ସମ ଦ୍ରୋହକାର ସଦା ଅପରାଧୀ ହୋଇ,

ପାପ ପୁଣ୍ୟ କଥା କିବା ଭଲ ମନ୍ଦ କିଛି ନ ଜାଣଇ ମୁହିଁ ।

 

ଏକାକ୍ଷର ନାମ ଏକାକ୍ଷର ବ୍ରହ୍ମ ଏକାକ୍ଷର ଧର୍ମ ସେବା,

ଏକାନ୍ତ ଭଜନ ନିଷ୍କାମ ଭଗତି ଦୟା କଲେ ସିନା ହେବା ।

 

ଏକାକ୍ଷର କର୍ମ ଏକାକ୍ଷର ପାଦ ଏକାନ୍ତ ସାଧନା ସିଦ୍ଧି,

ଅଶ୍ରୁତିଅମୃତି ଅଣାକାର ଧର୍ମ ଏକାଙ୍ଗ ଭକ୍ତିର ବିଧି ।

 

ଆଦି ଅନାଦି ଅରୂପ ଭଗବାନ ଅବ୍ୟକତ ଭାବଗ୍ରାହୀ,

ଅନନ୍ତ ପୁରୁଷ ଅତୁଳ ମହିମା ଅଣଶବଦର ଦେହୀ ।

 

ଅରୂପ ଗୋବିନ୍ଦ ଚିର ଜଣାନନ୍ଧ ଅନାଦିତ ଆଦିକନ୍ଦ,

ଅଗ୍ନି ଅଙ୍ଗୀକାର ସର୍ବ ଅବିକାର ଅଲେଖ ପରମାନନ୍ଦ ।

 

ତୁମ୍ଭରି ପିଣ୍ଡ ପ୍ରାଣ ତୁମ୍ଭେ ସମ୍ଭାଳ ତୁମ୍ଭରି ବ୍ରହ୍ମାଣ୍ଡ ରଖ,

ଦେବକୂଟ ବିଷ୍ଣୁ କୂଟ କାଳକୂଟ ଦୟାରେ କରି ବିବେକ ।

 

ତୁମ୍ଭ ମାୟାକୂଟ ଯମଦଣ୍ଡକୂଟ ଭୁପତିକୂଟକୁ ଛେଦି,

ଅସୁର ମେଳଛ କୂଟରୁ ବଞ୍ଚାଇ ସମ୍ଭଳି ରଖ ଅନାଦି ।

 

ତୁମ୍ଭରେ ଶରଣ ସମ୍ଭାଳି ଆପଣ ସେବା ଭକ୍ତି ଆପେ ଘେନ,

ବଡ଼ ପଦେ ମୋର ଭରସା ନ ଥାଇ ଘେନିବାକୁ ଦରଶନ ।

 

ତୁମ୍ଭ ସେବା ଭକ୍ତି ତୁମ୍ଭ ଭକ୍ତକୁଳ ତୁମ୍ଭ ଯଶ କୀର୍ତ୍ତିମାନ,

ତୁମ୍ଭ ସାରସ୍ୱତ ତୁମ୍ଭ କବିକୃତ ଜଗତ ମଧ୍ୟେ ବଖାଣ ।

 

ତୁମ୍ଭରି ନିନ୍ଦା ସ୍ତୁତି ପାପ ପୁଣ୍ୟାଦି ହେଉଅଛି ଲାଭ ହାନି,

କର୍ମ ଅକର୍ମରେ ଆସ୍ତି ନାସ୍ତିଠାରେ ଶ୍ରୀଗୁରୁ ଦେବ କାରେଣି ।

 

ମେଳଛ ଅସୁର ପାପିଷ୍ଠ ହସ୍ତରେ ନ ଦିଅ ସ୍ୱାମୀ ପକାଇ,

ଅକୂଳ ସାଗରେ ଚିନ୍ତା ଦୁଃଖ ଘୋରେ ମାଡ଼ିବା ଉଚିତ ନାହିଁ ।

 

ସତ୍ୟ ବାନା ସତ୍ୟ ନାମ ବ୍ରହ୍ମ ବୋଲି ଅଛି ମୁଁ ଭରସା କରି,

କନ୍ଦି କାକୁସ୍ଥିରେ କହେ ଭୀମ ଭୋଇ ଗୁରୁ ପାଦପଦ୍ମ ଧରି ।

***

 

ତ୍ରୟତ୍ରିଂଶ ବୋଲି

 

ସତ୍ୟ ନାମ ବ୍ରହ୍ମ ଧରତୀ ଆକାଶ ପୃଥୀ ଆପ ତେଜ ବାଇ,

ଚାରି ଧର୍ମ ଥିଲେ ବିଚାରି ବୁଝିବେ ନିଶ୍ଚୟ ପାଇବି ମୁହିଁ ।

 

ନବ ଲକ୍ଷ ତାରା ସୁରାଟ ବିରାଟ ମହାରାଟ ଠୁଳ ଶୂନ୍ୟ,

ବିନୟକୁ ଘେନି ବୁଝାମଣା କର ମନବାଞ୍ଛା ହେଉ ପୂର୍ଣ୍ଣ ।

 

ଦଶଦିଗପାଳ ସ୍ୱର୍ଗ ସୁରପତି ତେତିଶକୋଟି ଦେବଗଣେ,

ବ୍ରହ୍ମା ଦେବପତି ଚନ୍ଦ୍ର ସୂର୍ଯ୍ୟ ଆଦି ବୁଝିଦିଅ ସାବଧାନେ ।

 

ଚାରି ଦିଗ ଚାରିଯୁଗ ଚାରି ମେଘ ବିଜୁଳି ଝଟକ ଆଦି,

ଏ ମୋର ଭାରତୀ ବିଚାରି ଉଚିତ ବେଗେ କର ସର୍ବ ସିଦ୍ଧି ।

 

ଜଳ ଅନଳ ପବନ ଆଦିକରି ବରୁଣ କୁବେର ଧାତା,

ଚାରି ଯତି ଚାରି ସତୀ ରୁଣ୍ଡ ହୋଇ ବୁଝିଦିଅ ମୋର କଥା ।

 

ସପତ ସାଗର ଅଷ୍ଟକୁଳ ନାଗ ଆଦି ନବଖଣ୍ଡ ମହୀ,

ଏ ମୋର ବଚନ କଲେ ଅନୁମାନ କେଭେଁ ମୁଁ ଛାଡ଼ିବି ନାହିଁ ।

 

 

 

ଉଡ଼ା ବୁଡ଼ା ଚଳ ଅଚଳ ଏ ଯେତେ ଅଛନ୍ତି ଯେ ଯେଉଁ ସ୍ଥାନେ,

ଭଜିବା ନ ଭଜିବାର ଜାଣୁଅଛ ଦୃଷ୍ଟି ଦେଇ ଅନୁକ୍ଷଣ ।

 

ଛପ୍ନାକୋଟି ଜୀବ ସୁଜ୍ଞ ସାଧୁ ସନ୍ଥ ନର ନାରାୟଣ ହରି,

ବୁଝାମଣା କର ସକଳ ବୃତ୍ତାନ୍ତ ପଡ଼ୁଅଛି ପାଦ ଧରି ।

 

ଅନନ୍ତ କୋଟି ସାଧୁ ଚୌଷଠୀ ସିଦ୍ଧ ଅନାହତ ବ୍ରହ୍ମଧୁନି,

ଶକତରେ ବୁଝାମଣା କରିଦିଅ କମ୍ପୁଥାଉ ଏ ମେଦିନୀ ।

 

ବ୍ରହ୍ମା ବିଷ୍ଣୁ ଶିବ ଆଦି ଚାରି ଯୁଗ ନବଗ୍ରହ ସତାଇଶ,

ଏ ମୋର ଗୁହାରି ସଭାରେ ବିଚାରି ବୁଝାମଣା କରି ବସ ।

 

ସ୍ୱର୍ଗ ମର୍ତ୍ତ୍ୟ ପାତାଳ ତିନି ପୁରକୁ କୋଟିଏ ଶରଣ ଗଲି,

ଚିନ୍ତା ଅର୍ଥ ଆରା ଭାରା ଯେତେ କଥା ସଭାରେ ପକାଇ ଦେଲି ।

 

ବୁଝିଦେଲେ ବୁଝ ଏ ମୋର ନିଆୟ ନୋହିଲେ ଛାଡ଼ିବି ଦେହ,

ତିନିପୁର ସଭାମଣ୍ଡଳରେ ଯେତେ କବି ହତ୍ୟା ଦୋଷ ବହ ।

 

ଘର ଦ୍ୱାର ଇଷ୍ଟ ବନ୍ଧୁ ବର୍ଗ ଛାଡ଼ି ବ୍ରହ୍ମାଣ୍ଡେ ବୁଲୁଛି ଆସି,

ମୋହର ପିତାର ରଚିଲା ଜଗତେ ଖେଳ କରୁଅଛି ବସି ।

 

ପିତା ମାତା ସଙ୍ଗ ସାଥି ବାଡ଼ି ବୃତ୍ତ ଛାଡ଼ି ମୁଁ କଲି ଭରସା,

ପ୍ରଭୁ ପ୍ରଭୁ ବୋଲି ନିରନ୍ତରେ ଭାଳି ଏକାକ୍ଷର ପାଦେ ଆଶା ।

 

କର୍ମ ଧର୍ମ କ୍ରିୟା ଆଚାର ବେଭାର ବେଦମତ ଛାଡ଼ି ଦେଇ,

ବାତୁଳ ପରାଏ ଭ୍ରମୁଛି ସଂସାରେ ଗୁରୁପାଦେ ଚିତ୍ତ ଦେଇ ।

 

ଜପ ତପ ସନ୍ଧ୍ୟା ହୋମ ଯଜ୍ଞ ତେଜି ଧରି ନିରିବେଦ ପଥ,

ଆତ୍ମା ଭଗତିରେ ଏ ମୃତ୍ୟୁ ସଂସାରେ ମଣିଲି ମୁଁ ଏକମତ ।

 

ଦାରୁ ପ୍ରତିମା ସେବା ପୂଜା ଛାଡ଼ିଲି ଭୋଗରାଗ ଯେତେ କଥା,

ପ୍ରଭୁଙ୍କ ନାମରେ ବୁଲନ୍ତି ସଂସାରେ ଲଗାଉ ଅଛନ୍ତି ଲେନ୍ତା ।

 

ଜଗତ ଯାକରେ ଗୁରୁ ପିତା ମାତା ସକଳ ସମାନ ଚାହିଁ,

ଦାରା ସୁତ ବିତ୍ତ ବନ୍ଧୁବର୍ଗ ବୋଲି ମନରେ ଘେନୁଛି ମୁହିଁ ।

 

ତେଣୁକରି ସିନା ମନର ଭିତରେ ସମାନ ଭଗତି କରି,

ହୃଦରେ ବିକାର ଚିତ୍ତେ ଅହଂକାର ସର୍ବ ସଂଶୟ ନିବାରି ।

 

ଏଡ଼େ ପ୍ରଭୁ ଥାଇ ନ ଗଲା କଷଣ ନିଜ ରୂପେ ଉଦେ ହୋଇ,

ଚାହିଁଛି ଶୂନ୍ୟକୁ ନିଷ୍କାମ ପୁଣ୍ୟକୁ ଭୀମ ଅରକ୍ଷିତ ଭୋଇ ।

***

 

ଚତୁଃତ୍ରିଂଶ ବୋଲି

 

ଜଗତରେ କବିପଣେ ବୋଲାଉଛି ଦୋଷ ନାହିଁ ଦେବ ମୋତେ,

ନିନ୍ଦା ହାନି ଲାଭ ପାପ ପରମାଦ ପୂରି ରହିଛି ଜଗତେ ।

 

ଅତି ଅନ୍ୟାଚାର ଏ ମାୟା ସଂସାରେ କେଉଁରୂପେ ନେବି ଦିନ,

ପିଣ୍ଡ ବ୍ରହ୍ମାଣ୍ଡରେ ସକଳ ଠାବରେ ଛନ୍ଦିଅଛ ତିନିଗୁଣ ।

 

ରଞ୍ଚନା ଦେଖାଇ ପାଞ୍ଚନା କରାଇ କରାଉଛ ଖଳବଳ,

ଭବସିନ୍ଧୁ, ଭାବସିନ୍ଧୁ, ଦୁଇ ମିଶି ପୂରି ରହିଅଛି ଜଳ ।

 

ତହିଁର ଭିତରେ ଛାଡ଼ି ଦେଇଅଛ ଏ ଜୀବକୁ ପିଣ୍ଡ ଦେଇ,

ପାତକ ଲଗାଇ ଦୋଷ ନାହିଁ ଦେବ ଅନ୍ତର୍ଗତେ ଥିବ ଚାହିଁ ।

 

ଅନାଥ ଜୀବଟି ବୁଲୁଛି ସଂସାରେ ନ ଜାଣଇ କିଛି କଥା,

କେତେ ମିଛ କେତେ ପାପ ହେଉଅଛି ପ୍ରଭୁ ଜାଣନ୍ତି ଏ କଥା ।

 

ଯେଉଁ ଦିନୁ ଜାତ କରି ଅଛନ୍ତି ତ ରବିତଳେ ମହାଶୁନ୍ୟ,

ଚାରି ଯୁଗ ମତେ ନିଦ୍ରା ଗଲା ପରି ଲାଗୁଅଛି ଚାରିଦିନ ।

 

 

 

ଏଥିରୁ ଆହୁରି କିସ ମୁଁ କହିବି ସଂସାରକୁ ସତ୍ୟ ସତ୍ୟ,

ଯେ ଯହିଁରେ ଥାଇ ସେହି ସେ ଜାଣଇ ଆନକୁ ନ ଆସେ ହିତ ।

 

ବଡ଼ିମା କହିଲା ବୋଲିବେ ଜଗତେ ତେଣୁକରି ମୋର ଭୟ,

ମୁହିଁ ସିନା ଜାଣେ ମୋ ଜନ୍ମର କଥା ଅନାଦି ଗୁରୁଙ୍କ ପୁଅ ।

 

ସଂସାର ମଧ୍ୟରେ କେମନ୍ତେ ଜାଣିବେ ନର ଅଙ୍ଗେ ଦେହ ବହି,

ଆତଯାତ କଥା ଯୁଗର ବ୍ୟବସ୍ଥା ସମସ୍ତଙ୍କୁ ଜଣା ନାହିଁ ।

 

ହୃଦୟରେ ଭେଦ ସାରସ୍ୱତ ପଦ ଅନୁଭବେ ନାହିଁ ବୁଦ୍ଧି,

ନର ଦେହ ବହି ସର୍ବେ ଅଣଚେତେ କାହୁଁ ଜାଣିବେ ସେ ସିଦ୍ଧି ?

 

ରୂପ ରସ ଗନ୍ଧ ରଙ୍ଗେ ମାତି ସର୍ବେ ଭୁଲାଇ ନେଉଛି ମାୟା,

ମୋହିନୀ ମଦେ ପଡ଼ିଛନ୍ତି ସମସ୍ତେପାସୋରି ଜୀବନ କାୟା ।

 

ଜଗତ ଭିତରେ ସଂସାର ହିତରେ ବଖାଣିଲି କବିକୃତ,

ଯେତେ ବୁଝାଇଲି ନ ବୁଝିଲେ କେହି କୋପ କରି ଅପ୍ରମିତ ।

 

କୋଳରେ ବସାଇ ମନରେ ମିଶାଇ କହୁଁ କହୁଁ କର୍ଣ୍ଣପାଶେ,

ନଦୀଜଳ ପ୍ରାୟ ବଢ଼ି ଯାଉଅଛି ଜ୍ଞାନ ନ ଭେଦିଲା ଲେଶେ ।

 

ମୁହିଁ କହୁଥାଇ ମନରେ ବିଚାରି ମୁକତି ପଦକୁ ଭାଳି,

ଜଣ ଜଣ କରି ବୁଝାଇ କହଇ ସର୍ବେ ତରିଯିବୁଁ ବୋଲି ।

 

ଦୁଲଭ ଜନମ ଦେହ ବହିଛନ୍ତି କରି ନୁହେ ବଡ଼ ସାନ,

କଥାର ପ୍ରସଙ୍ଗେ କହି ନେଉଥାଇ ଶୁଣ ଶୁଣ ସର୍ବ ଜନ ।

 

ଧରମ ପଥକୁ ଆଶ୍ରିତ କରାଇ ବତାଇ ଦିଅଇ ଜ୍ଞାନ,

ଆତ୍ମା ଭକତିକି ଜୀବ ମୁକତିକି ପ୍ରତ୍ୟକ୍ଷେ କରାଇ ଚିହ୍ନ ।

 

କପଟ ନକରି ଧୂଳିମାଟି ପରି ବାଣ୍ଟି ଦେଉଥାଇ ଭାଗ,

ପୁତ୍ର ପରାଏ ଆହାଲାଦ କରାଇ କହୁଥାଇ ଜ୍ଞାନଯୋଗ ।

 

କି ଅବା ସ୍ତିରୀ ସେ କି ଅବା ପୁରୁଷ ବାଳ ବୃଦ୍ଧ ଯୁବା ଯେତେ,

ଭିନ୍ନ ଭିନ୍ନ କରି ଚିହ୍ନାଇ ଦିଅଇ ସଂଶୟ ନ ରଖି ଚିତ୍ତେ ।

 

ପ୍ରାଣରୁ ଅଧିକ କରିଣ ତାହାକୁ କହୁଥାଉ ସଦବୁଦ୍ଧି,

ଗୁରୁସେବା କଲେ ନିଶ୍ଚେ ଅନ୍ତକାଳେ ତରିଯିବ ବାରାନିଧି ।

 

ଏଥକୁ ଚାହିଁ ବିଚାର ମହାପ୍ରଭୁ ହେବ ଯେବେ ମୋର ଦୋଷ,

ଶ୍ରୀଗୁରୁ ଛାମୁରେ ବିନତି ମାଗୁଛି ଭୀମ ଅରକ୍ଷିତ ଦାସ ।

***

 

ପଞ୍ଚତ୍ରିଂଶ ବୋଲି

 

ଅରୂପ ଅନାଦି ସର୍ବଗୁଣେ ସିଦ୍ଧି ନାମ ଅଖଣ୍ଡିତ ପୂର୍ଣ୍ଣା,

ଭଗତି ମୁକତି ସେଠାରୁ ଉଦଏ ସବୁ କାଳେ ନୁହେ ଊଣା ।

 

ସତ୍ୟ ଧର୍ମ ବୋଲି ଅନୁସରି ଅଛି ସତ୍ୟେ ନାହିଁ ମୋର ବାଞ୍ଛା,

ବୁଝିବ କି ନାହିଁ ବ୍ରହ୍ମାଣ୍ଡ କରତା ଦୟା ଯେ ତୁମ୍ଭର ଇଚ୍ଛା ।

 

ଏକ ପାଦ ବିନୁ ଅନ୍ୟ ନ ଜାଣଇ ସର୍ବଘଟେ ପରିପୂର୍ଣ୍ଣ,

ଅବିବେକପଣେ ଆନକୁ ନ ଭଜି ଚିହ୍ନି ଧର୍ମ ନିରିଗୁଣ ।

 

ସର ଅବତାର ବ୍ରହ୍ମାଣ୍ଡ ଠାକୁର ସକଳ ଜୀବ କରତା,

ପିଣ୍ଡ ପ୍ରାଣ ସଞ୍ଚି ରଖିଛ ବଞ୍ଚାଇ ପ୍ରଭୁ ସିନା ପିତା ମାତା ।

 

ପ୍ରଭୁ ବର୍ଗ ବନ୍ଧୁ ପ୍ରଭୁ ଇଷ୍ଟ ଦାତା ପ୍ରଭୁ ସିନା ସାହା ବାହା,

ସ୍ୱାମୀ ବିନୁ ମୋର ସଙ୍କଟୁ ଦୁର୍ଗତି ଆନ କେ ଫେଡ଼ିବ ଏହା ।

 

ଶ୍ରୀଗୁରୁ ମୋହର ସକଳ କାରେଣି ବୁଝିବେ ସେ ମୋର ରୀତି,

ଅନ୍ତର୍ଯ୍ୟାମୀ ପ୍ରଭୁ ଫେଡ଼ାଇ ପାରିବେ ମାନ ସନ୍ତାପ ବିପତ୍ତି ।

 

 

 

ଯେତେ ପରକାରେ ଏ ମାୟା ସଂସାରେ ବୁଦ୍ଧି ବିଚାରଣା କଲି,

ସକଳ ଉପାୟ ସବୁ ଏ ଅନ୍ୟାୟ କିଛି ଫଳ ନ ଦେଖିଲି ।

 

ସପତ ବ୍ରହ୍ମାଣ୍ଡ ଏକୋଇଶପୁରେ ଲୋଡ଼ି ଆସିଲି ମୁଁ ଯାହା,

ସତ୍ୟଧର୍ମ ବିନୁ ଏ ମହୀମଣ୍ଡଳେ ବଡ଼ ହୋଇ ନୁହେ କାହା ।

 

ତେଣୁକରି ସାର ବ୍ରହ୍ମ ବୋଲି ଜାଣି ଧରିଅଛି ନିରିବନ୍ଧେ,

ଦୁଃଖ ସୁଖ ସର୍ବ ଭାରା ପକାଇଛି ଶ୍ରୀଗୁରୁଙ୍କ ପାଦବିନ୍ଦେ ।

 

ପ୍ରଭୁ ସେ ମାରିବେ ପ୍ରଭୁ ସେ ତାରିବେ ଯାହା ଇଚ୍ଛା ପଛେ କର,

ଦିବସ ରଜନୀ ସନ୍ତାପ ମନରେ ନେତ୍ରୁ ବହୁଅଛି ନୀର ।

 

ପଞ୍ଚଭୂତ ଆତ୍ମା ଦଗଧି ହେଉଛି ଜୀବନ କାନ୍ଦୁଛି ନିତି,

ଅନ୍ୟାୟ ସଂସାର ଅନୀତି ଆଚାର ଦେଖି କଳିଯୁଗ ରୀତି ।

 

ଅନୁମାନ କରୁଅଛି ଅନ୍ତର୍ଗତେ ସନ୍ଥ ହୋଇ ନାହିଁ କେହି,

କଳିଯୁଗେ ଆଣି ମେଳଛଙ୍କ ସଙ୍ଗେ ଜାତ କଲେ କାହିଁପାଇଁ ।

 

ସ୍ୱଦେହରେ ଉଦେ ହୋଇଅଛ ବୋଲି ଅଛି ମହତ୍ତ୍ୱ ବେଭାର,

ଶୀତ ପ୍ରାୟେ ଦେହ ଥରୁଅଛି ମୋର ଦେଖି ଅନୀତି ଆଚାର ।

 

ଡ଼ରି ଡ଼ରି କରି ଏ ମର୍ତ୍ତ୍ୟମଣ୍ଡଳେ କେତେକାଳ ନେବି ଦିନ,

ଘାଣ୍ଟି ହେଉଅଛି ହୃଦରେ ମୋହର ପଚିଶ ପ୍ରକୃତି ମନ ।

 

ଯେଣିକି ଚାହିଁଲେ ମହାଶୂନ୍ୟ ଶୂନ୍ୟ ନ ଦିଶଇ ଆଖାଶାଖା,

କେଉଁ ମତ୍ତଗର୍ବେ ବଚନ କହିବି ହୁଦରେ ପଶୁଛି ଦକା ।

 

ଯେ ଜନ ଭଜିଲା ଯା ମନ ମଜ୍ଜିଲା କେ କରିବ ତାକୁ କିସ,

କବିତ୍ୱ ପଣେ ମୁଁ ଯାହା ବୁଝାଇଛି ଏତିକି ମୋହର ଦୋଷ ।

 

ବୋଲିବେ ଜଗତେ ବ୍ରହ୍ମଜ୍ଞାନୀ ହୋଇ କରୁଛନ୍ତି ଅପକୃତ,

ପାଖେ ନ ବସିଲେ ମନ ନ ରସିଲେ କହି ନୋହେ ସରି ଅର୍ଥ ।

 

ଘଟ ଭେଦ କଥା ଯେବଣ ବିଧାନ ଏକ ଅଙ୍ଗ ହେଲେ ଯାଇ,

କ୍ଷୀର ନୀର ଠାରୁ ଅଧିକ ପୀରତି ମନ ମିଶାଇଲେ ନେଇ ।

 

କେହୁ ଅଟେ ଗୁରୁ କେହୁ ଅଟେ ଶିଷ୍ୟ ତହିଁ ନ ଥାଏ ବାରଣ,

ଭକ୍ତ ଭଗବାନ ଏକ ଅଙ୍ଗ ଜାଣ ଏକାନ୍ତ ଠାବେ ଭୋଜନ ।

 

ଏ ବେନି ପ୍ରକାରେ ଯେ କରେ ବିକାର ସେ ପ୍ରାଣୀ ହୁଅନ୍ତି ନାଶ,

ଭଣେ ଭୀମ ଭୋଇ ସାତଶ ପଦରେ ଅଭୟ ପଞ୍ଜରେ ବାସ ।

***

 

ଷଟ୍‌ତ୍ରିଂଶ ବୋଲି

 

ବେନି ଜନ କଥା ଧର୍ମ ଉଲକିତା କେ କହିବ ତାହା କାଟି,

ମୁଖରେ କହିଲେ ହୃଦ ଫାଟିଯିବ ଛିଡ଼ିଯିବ ଜିହ୍ୱାପାଟି ।

 

ନୁହନ୍ତି ସେ ଗୁରୁ ନୁହନ୍ତି ସେ ଶିଷ୍ୟ ନାହିଁ ସାଆନ୍ତ ସେବକ,

ନୁହନ୍ତି ବ୍ରାହ୍ମଣନୁହନ୍ତି ଚଣ୍ଡାଳ ନୁହନ୍ତି ସେ ବଡ଼ଲୋକ ।

 

ନୁହନ୍ତି ସେ ସ୍ତିରୀ ନୁହନ୍ତି ପୁରୁଷ ନୁହନ୍ତି ଅଣ୍ଡିରାମାଈ,

ନୁହନ୍ତି ସେ ପିତା ନୁହନ୍ତି ସେ ପୁତ୍ର ନୁହନ୍ତି ଭଉଣୀ ଭାଇ ।

 

ନୁହନ୍ତି ସେ କ୍ଷୀର ନୁହନ୍ତି ସେ ନୀର ନୁହନ୍ତି ଦୁଗ୍‌ଧ ମଧୁର,

ନୁହନ୍ତି ସେ କଷା ନୁହନ୍ତି ସେ ପିତା ନ ଥାଇ ଶୋଭା ସୁନ୍ଦର ।

 

ନାହିଁ ତାଙ୍କ ଜାତି ନାହିଁ ତାଙ୍କ ଗୋତ୍ର ନ ଥାଇ ବାଛ ବେଭାର,

ବେନି ଜନ ଏକ ଆତ୍ମା ମନ ହୋଇ କରୁଅଛନ୍ତି ସଂସାର ।

 

ନୁହନ୍ତି ସେ ଜଳ ନୁହନ୍ତି ପବନ ନୁହନ୍ତି ରୂପଅରୂପ,

ନୁହନ୍ତି ସେ ଜ୍ଞାନ ନୁହନ୍ତି ଅଜ୍ଞାନ ନ ମଣେ ବେଦ କଳପ ।

 

 

 

ନୁହନ୍ତି ସେ ପାପ ନୁହନ୍ତି ସେ ପୁଣ୍ୟ ନୁହନ୍ତି ସେ ସେବା ଭକ୍ତି,

ନୁହନ୍ତି ସେ କାମ ନୁହନ୍ତି ସେ କ୍ରୋଧ ନୁହନ୍ତି ଯତି ସେ ସତୀ ।

 

ନୁହନ୍ତି ସେ ସେ କାଳ ନୁହନ୍ତି ସେ ମୃତ୍ୟୁ ନୁହନ୍ତି ଶୁଭ ଅଶୁ,

ନାହିଁ ପତି ପତ୍ନୀ ସକଳ ଜାଣନ୍ତି ଏକ ଅଙ୍ଗେ ସବୁ ଭୋଗ ।

 

ନୁହନ୍ତି ସେ ଦାସ ନୁହନ୍ତି ସେ ଦାସୀ ନୁହନ୍ତି ମାୟା ପ୍ରକୃତି,

ନୁହନ୍ତି ସେ ସତ୍ୟ ନୁହନ୍ତି ସେ ମିଥ୍ୟା ବେନି ଅଙ୍ଗ ଏକ ମୂର୍ତ୍ତି ।

 

ନୁହନ୍ତି ସେ କଳା ନୁହନ୍ତି ସେ ଧଳା ନାହିଁ ଭାରିଯା ଗୁରସ୍ତ,

ନୁହନ୍ତି ସେ ହାନି ନୁହନ୍ତି ସେ ଲାଭ ଦୁଃଖ ସୁଖ ସମ ମତ ।

 

ଭଗତ ଅଙ୍ଗଟି ପ୍ରଭୁ ଅଙ୍ଗ ଜାଣ ଜୀବରୂପେ କରି ବିଜେ,

ଗୁରୁ ଚରଣକୁ ଶିଷ୍ୟ ଭଜୁଥାଇ ଶ୍ରୀଗୁରୁ ଶିଷ୍ୟକୁ ଭଜେ ।

 

ଅସ୍ଥିର ଜୀବନ ଯେଉଁ ପରକାର ରହିଛି ଧାରଣ ହୋଇ,

ସେହି ପରକାରେ ଗୁରୁ ଶିଷ୍ୟ କଥା ଫେଡ଼ି ଦେଲୁ ଆମ୍ଭେ କହି ।

 

ଜୀବନେ ଯେସନେ ପଞ୍ଚଭୂତ ମନ ଆବୋରି ରହିଛି ଜଡ଼ି,

ସେହି ପରକାରେ ବ୍ରହ୍ମାଣ୍ଡ ଭିତରେ ଗୁରୁ ଶିଷ୍ୟକୁ ନ ଛାଡ଼ି ।

 

ପାଞ୍ଚ ମନଠାରେ ପଚିଶ ପ୍ରକୃତି ଲାଗିଛି ଯେସନେ ଲତା,

ସେହି ପରକାରେ ସୁଜ୍ଞ ସାଧୁ ସନ୍ଥେ ଗୁରୁ ଶିଷ୍ୟଙ୍କରକଥା ।

 

ପ୍ରକୃତିର ପରେ ବିକୃତି ଯେସନେ ରସରେ ତ ଅଛି ଭିଡ଼ି,

ସେହି ପରକାରେ ଶାହାସ୍ର ମତରେ ଗୁରୁ ଶିଷ୍ୟଙ୍କର ଧାଡ଼ି ।

 

ଅସ୍ଥିରେ ଯେସନ ମାଏଁସ ଘୋଡ଼ାଏ ମଝି ରହିଅଛି ଆଣ୍ଟ,

ଜ୍ଞାନ ସିନ୍ଧୁ ଜଳେ ସେହି ପରକାରେ ଗୁରୁ ଶିଷ୍ୟଙ୍କର ବାଟ ।

 

ମାଏଁସକୁ ଯେହ୍ନେ ରୁଧିର ସର୍ବାଙ୍ଗେ ବୁଡ଼ାଇ ରଖିଛି ପୂରି,

ତେମନ୍ତ ପ୍ରକାରେ ଗୁରୁ ଶିଷ୍ୟ କଥା ନୁହେ ଆନ ଭିନ୍ନ କରି ।

 

ପଞ୍ଜରା ହାଡ଼ ଖଞ୍ଜାମାନ ଗଣ୍ଠିରେ ଶିର ଯେସନେକେ ଛନ୍ଦି,

ସେହି ସୁତ୍ର ଯନ୍ତ୍ରେ ବୁଝିନିଅ ସର୍ବେ ଗୁରୁ ଶିଷ୍ୟ ହୋନ୍ତି ବନ୍ଦୀ ।

 

ଦେହରେ ଯେସନ ଚର୍ମ ଘୋଡ଼ାଇଛି ଚର୍ମରେ ଆବୋରି ରୋମ,

ଚାରି ଯୁଗେ କେବେ ଭିନ୍ନା ଭିନ୍ନା ନାହିଁ ଗୁରୁ ଶିଷ୍ୟ ଏକ ନାମ ।

 

ଶ୍ରୀନାମ ବ୍ରହ୍ମରେ ଅଙ୍ଗ ସଙ୍ଗ ଯୋଗ ଯେସନ ପୁରୁଷ ସ୍ତିରୀ,

ଭଣେ ଭୀମ ଭୋଇ ପାମର ଅଜ୍ଞାନ ଗୁଣ ନିର୍ଗୁଣକୁ ଧରି ।

***

 

ସପ୍ତନ୍ତ୍ରିଂଶ ବୋଲି

 

ଶରୀରେ ଯେସନ ଜୀବ ପରମଟି ନୁହନ୍ତି ସେ ଭିନ୍ନାଭିନ୍ନ,

ସେହି ଅନୁଭବେ ବୁଝାମଣା କର ଗୁରୁ ଶିଷ୍ୟଙ୍କର ମନ ।

 

କର୍ଣ୍ଣକୁ ଆବୋରି ଶବଦ ବ୍ରହ୍ମଟି ରହିଅଛି ଯେଉଁ ରୂପେ,

ପିଣ୍ଡପ୍ରାଣ ଦେଇ ଆଜ୍ଞାକାରୀ ହୋଇ ଶିଷ୍ୟ ଖଟେ ଗୁରୁ ପାଖେ ।

 

ନ ବୁଝି ବିଚାରି ଅଜ୍ଞାନ ଆଚରି ସୁଜନେ ହେଉଛ ଭୋଳା,

ସେବକ ଅଙ୍ଗଟି ଶ୍ରୀଗୁରୁ ଭୂଷଣ ଯେସନେ ଧବଳ ଡୋଳା ।

 

କଳା ଧଳା ଡ଼ୋଳା ମଧ୍ୟରେ ଯେସନେ ପୁରୁଷେକ ଅଛି ରହି,

ଶ୍ରୀଗୁରୁ କରୁଣା ଜଳ ଓଜାଡ଼ୁଛି ଶିଷ୍ୟ ସେବା ଭକ୍ତି ବୋହି ।

 

କେତେ କେତେ ଦୂର ଅନ୍ତରି ରହିଲା ବୁଝ ସାବଧାନ କରି,

ଭଗତି ଭାବରେ ସତ୍ୟାଦି ସ୍ନେହରେ ଗୁରୁ ଶିଷ୍ୟ ସେହିପରି ।

 

ଯେସନେ ଦଶ ଅଙ୍ଗୁଳି ଲାଗିଅଛି ଫେଡ଼ିଲେ ଫେଡ଼ା ନ ଯାଇ

ସେହି ରୂପେ ସିନା ଗୁରୁ ଶିଷ୍ୟଙ୍କର ଭଗତି ଭାବନା ଲିହି ।

 

 

 

ଶ୍ରୀଗୁରୁ ଲୋଡ଼ଇ ଦୟା କରିବାକୁ ସେବକ ଲୋଡ଼ଇ ଦୟା,

ବେନି ଜନ ତହିଁ ଏକ ପ୍ରାଣ ହୋଇ ନ ଥାଇ ଅନ୍ତରେ ମାୟା ।

 

ତୃଷାର୍ତ୍ତ ଯେସନ ଜଳ ନ ମିଳିଲେ କାତର ହୁଅଇ ଅଙ୍ଗ,

ପାଇଲେ ତୃପତି ଲଭି ସୁଖ ଶାନ୍ତି ତେସନେ ନୁହଇ ଭଙ୍ଗ ।

 

ବାମ୍ଫିରେ ଯେସନେ ଜଳ ପୂରିଥାଇ ଗାର କାଟିଲେ କି ଛିଡ଼ି,

ଯୁଗଯୁଗାନ୍ତରେ ତିନି ତ୍ରୈଲୋକ୍ୟରେ ଗୁରୁ ଶିଷ୍ୟ ସେହିପରି ।

 

ସେବକ ବୋଲଟି ଯାହାକୁ ବୋଲନ୍ତି ଅଙ୍ଗର ଭୁଷଣ ମଳି,

ସେହି ଶ୍ରୀଗୁରୁଙ୍କ ଭାରା ସମ୍ଭାଳଇ ସହି ନିନ୍ଦା ଗର୍ବ ଗାଳି ।

 

ଶ୍ରୀଗୁରୁଙ୍କୁ ଶିଷ୍ୟ ଚିହ୍ନି ଯେବେ ଥାଇ ସମ୍ଭାଳି କରଇ ସେବା,

ତାର ହୃଦପଦ୍ମେ ଯେତେ ଦୟା ଧର୍ମ କିସ ପଟାନ୍ତର ଦେବା ।

 

ସାମନ୍ତ ପଣରେ ବସିଥିବ ଯେବେ ସୁଜ୍ଞାନ ନ ଥିଲେ ଜଣା,

ଶ୍ରୀଗୁରୁ ହୋଇ ଶିଷ୍ୟକୁ ନ ତାରିଲେ ମୁଖ ପୋଡ଼ୁଥାଇ କିନା ।

 

ପ୍ରତିଦିନ ଖଟି ଦୁଃଖ ସୁଖ ମେଣ୍ଟି ଯେ କରେ ଗୁରୁର ସେବା,

ସୁଦୟା ନ କରି ଚିତ୍ତେ ନ ବିଚାରି ଯେ ଗୁରୁ କିଛି ନ ଦେବା ।

 

ଧିକ ହେଇ କିନା ଜ୍ଞାନ ଧର୍ମ ତାର କିଛି ନ ମିଳିଲେ ଫଳ,

ସେବା କରୁଥିଲେ କି କାର୍ଯ୍ୟ ହୋଇବ ନ ମିଳେ ଯହିଁରେ ମୂଲ ।

 

ଭୋଗ ଯୋଗ ଧନ ସମ୍ପଦ ପ୍ରାପଦ ମୁକତି ପଦ ଚିହ୍ନାଇ,

ନିତି ପ୍ରତି ଯେଉଁ ସେବକ ଖଟଇ ଅନ୍ତର କରିବ ନାହିଁ ।

 

ଜୀବନରୁ ତାକୁ ଅଧିକ କରାଇ କରିବ ଗଳାର ମଣି,

ଦେହରୁ ଯେବେ ଖଣ୍ଡେ କାଟି ଖାଇବ ନ ଥିବଟି ଛଳ ମାନି ।

 

ସେ ଭକ୍ତମାନଙ୍କୁ ସଙ୍ଗୁ ନ ଛାଡ଼ିବ ପାଶରେ ବସାଇଥିବ,

ଗାଇ ଗୁଣମାନ ହୃଦର ଚନ୍ଦନ କରିଥିବ ଆତ୍ମା ଜୀବ ।

 

ଏମନ୍ତେ ଯେ ଗୁରୁ ଶିଷ୍ୟଙ୍କ ଚରିତ ଆନକେ ସମ୍ଭବ ନୋହି,

ଗୁରୁ ଶିଷ୍ୟ ଦୁହେଁ ଏକତ୍ୱ ଅଟନ୍ତି ଅନ୍ତର ମଣିବ ନାହିଁ ।

 

ଶ୍ରୀଗୁରୁଙ୍କ ଅଙ୍ଗ ବ୍ୟଥା କରୁଥିଲେ ଭକ୍ତକୁ ଲାଗଇ ଚିନ୍ତା,

ଭଗତ ଦୁଃଖ ଫନ୍ଦାରେ ପଶିଥିଲେ ଶ୍ରୀଗୁରୁଙ୍କୁ ଲାଗେ ବ୍ୟଥା ।

 

ଗୁରୁ ଶିଷ୍ୟ କଥା ଯାହା ମୁଁ କହିଲି ଶୁଣ ଆହେ ସାଧୁଜନ,

ଗୁରୁ ପାଦତଳେ ଜୀବନ ଆକୁଳେ ପ୍ରଣମିତ ଭୀମ ହୀନ ।

***

 

ଅଷ୍ଟତ୍ରିଂଶ ବୋଲି

 

ହୃଦୟ ଭିତରେ ବିଚାରି ଅନ୍ତରେ ଅନୁଭବେ କରି ଠାବ,

ଅଭୟ ପାଦ ତଳରେ ଧ୍ୟାନ ଦେଇ ଆଶା କରିଅଛି ଜୀବ ।

 

ଯେସନେ ଚାତକ ଶୂନ୍ୟର ଜଳକୁ ଚାହିଁଥାଇ ନିରନ୍ତରେ,

ପାଟିକି ବିସ୍ତାରି ବହୁ ଆଶାକରି ମଉନରେ ବସି ଧୀରେ ।

 

କ୍ଷୁଧାତୃଷାର ପଥିକ ଯେସନ ଲୋଡ଼ି ବସି ବୃକ୍ଷମୂଳେ,

ସ୍ନାହାନ ସାରିଣ ଭୋଜନ ଆଚରି ଚଳି ଯାଇ ତତକାଳେ ।

 

ଦରିଦ୍ର ପରାଣୀ ଚିରକାଳ ରଙ୍କ ଅଟଇଟି ମୁହିଁ ପରା,

ନିରାପକ୍ଷ କରୁଅଛ ପ୍ରଭୁ ମତେ ଛଡ଼ାଇ ସବୁ ଆଶରା ।

 

ବଚନକୁ ଟାକି ହୋଇ ନିରିମାକ୍ଷିନିଷ୍କାମ ନାବରେ ବସି,

ସ୍ୱଦେହରେ ସ୍ୱାମୀ ଉଦେ ହୋଇଅଛ ଯେସନେ ପୂର୍ଣ୍ଣମୀ ଶଶୀ ।

 

ଏଡ଼େ ବଡ଼ ପ୍ରଭୁ ବୀରବଧୁ ବାନା ବିରାଜ କରୁଛ ମଞ୍ଚେ,

ବିଷୟା ବୃଥାରେ କର୍ମରେ ଶ୍ରୁତିରେ ଘାଣ୍ଟି ମାରୁଅଛ ମିଛେ ।

 

 

 

ହଟ ପଟ ନଟକୂଟ ଲଗାଉଛ ଯେସନେକେ ଖଣ୍ଟ ଚୋର,

ଭୁଲାଇ ଚିତ୍ତକୁ ଆପଣା ଭୃତ୍ୟକୁ କରୁଅଛ ନାରଖାର ।

 

ଆପଣା ମର୍ଯ୍ୟଦା ଆପେ ରଖି ପ୍ରଭୁ ଜାଣି ସମ୍ଭାଳନା ହେଉ,

ତୁମ୍ଭର ନାଶିବ କାର କିସ ଯିବ କିମ୍ପା ପରୀକ୍ଷା ନ ଦେଉ ।

 

ପ୍ରଭୁ ପ୍ରଭୁ ବୋଲି କେତେ କାଳ ଭାଳି ନର ଅଙ୍ଗ ବହି ମର୍ତ୍ତ୍ୟେ,

କାମନା କଳ୍ପଣା ସମସ୍ତ ସମର୍ପି ପିଣ୍ଡ ପ୍ରାଣ ଆଦି ଯେତେ ।

 

ହେବ କି ନ ହେବ ସିଦ୍ଧି ଶୁଭଯୋଗ ସୁଦୟାରେ ମେତେ କହ,

ଗଙ୍ଗାଜଳେ ସ୍ନାନ କରିବି ବୋଲୁଛି ତାହା ହେଉଅଛି ଦେହ ।

 

ପୁର୍ବକାଳୁ ମୋର କ୍ଷୁଧା ତୃଷା ଅଛି ମିଳିବ କି ନାହିଁ ଭାତ,

ନିଜରୂପେ ପ୍ରଭୁ ବିଜେ କରିଅଛ ଏତେବେଳେ କହ ସତ ।

 

ତୃଷା କରୁଅଛି ଆକୁଳ ହେଉଛି ପାଇବି କି ନାହିଁ ପାଣି,

ଆଦି ଅନ୍ତ କରି ଫେଡ଼ି କହ ମତେ ବେନି କର୍ଣ୍ଣେ ଥିବି ଶୁଣି ।

 

ରଙ୍କ ହୋଇଅଛି ନ ମିଳୁଛି କିଛି ପାଇବି କି ନାହିଁ ଧନ,

କିମ୍ପାଇ ମଉନ ହେଉଛ ଆପଣ ଫେଡ଼ି କହ ନାରାୟଣ ।

 

ଜାତ କରିଅଛ ବ୍ରହ୍ମାଣ୍ଡ ଭିତରେ ପାଳିବ କି ନାହିଁ ସ୍ଥିତି,

କବିକୃତ୍ୟ ପଦ ପ୍ରଭୁ ଦେଇଅଛ ବାନ୍ଧିବି କି ନାହିଁ ପୋଥି ।

 

ପିଣ୍ଡ ବ୍ରହ୍ମାଣ୍ଡ ଏକମତ ବୋଲନ୍ତି ଯଶ ଅପଯଶ କୀର୍ତ୍ତି,

ଚାରି ଯୁଗ ବହି ଗଲାଣି ସଂସାରେ ନାମେ ଆତଯାତ ପୃଥୀ ।

 

କେତେ ଜନ୍ମି କେତେ ମରି ଯାଉଛନ୍ତି ନାମ ବୋଲି ଜଣା ନାହିଁ,

ମୁଁ ଛାର ପାମର କେତେ ମୋ ଶକତି ଥିବି ନର ତନୁ ବହି ।

 

ପ୍ରଭୁ ଯେ ଅକ୍ଷଏ ଅବ୍ୟୟେ ପୁରୁଷ କ୍ଷୟ ବୃଦ୍ଧି ନାହିଁ କିଛି,

ଚାରି ଯୁଗ ମଧ୍ୟେ ଏକାଙ୍ଗ ସ୍ୱରୂପ ଜନ୍ମ ମୃତ୍ୟୁ କାହିଁ ଅଛି ।

 

ତୁମ୍ଭ ଅଙ୍ଗ ସିନା ତୁମ୍ଭେ ବଞ୍ଚାଇଛ ମାୟାରୁ କାୟାରୁ ଏଡ଼ି,

ମୋର ପିଣ୍ଡ ପ୍ରାଣ କେତେ କାଳ ଥିବ ଯେସନ ସିନ୍ଧୁ ଲହଡ଼ୀ ।

 

ଅନାଦି ଈଶ୍ୱର ବୁଝାମଣା କର ଏ ମୋ ବିନତିକୁ ଚାହିଁ,

କାଳ ବେଳ ଆସି ନିକଟ ହୋଇଲା ମହତ୍ତ୍ୱ ରଖ ଗୋସାଇଁ ।

 

ଥର ଥର ହୋଇ ଛାମୁରେ ଜଣାଇ ଶିରେ ବେନି କର ଯୋଡ଼ି,

ଭୀମ ଅରକ୍ଷିତ ମାଗୁଣି ମାଗୁଛି ଗୁରୁ ପାଦତଳେ ପଡ଼ି ।

***

 

ଊନଚତ୍ୱାରିଂଶତ୍‌ ବୋଲି

 

ଜଳ ପବନରେ ପିଣ୍ଡକୁ ଗଢ଼ିଛି ଦେହ ଅଟେ ଘୋର ବନ,

ପ୍ରକୃତି ଶରୀର ପ୍ରେମେ ବଳିଆର ଏହାର ବା କେତେ ଜ୍ଞାନ ।

 

ନରଦେହେ ମୋତେ ଜାତ କରି ପ୍ରଭୁ ରବିତଳେ ଅଛ ରଖି,

ଆସିବା ବେଳରେ କର କପାଳରେ ଯାହା ଦେଇଅଛ ଲେଖି ।

 

ସେହି କଥା ଏବେ ସମ୍ପତ୍ତି ବିପତ୍ତି ଅଛି ପରା ବେନି ମତ,

ମୁଁ କିସ ଜାଣଇ ପ୍ରଭୁ ସିନା ଜାଣ କେତେ ମିଛ କେତେ ସତ ।

 

ପ୍ରଭୁ ସାମରଥ ମୋର କି ଆୟତ୍ତ ସଂସାର-ସାଗରେ ଅଛି,

ବିପତ୍ତି ଲେଖାକୁ କି ଯୋଗ ଭାଷାକୁ ପ୍ରଭୁ ଯେବେ ଦେବ ପୋଛି ।

 

ତେବେ ସିନା ଏହୁ ପିଣ୍ଡେ ପ୍ରାଣ ଥିବ କର୍ତ୍ତାଙ୍କୁ ଭେଟିବା ଯାଏ,

ଏହି ଦେହେ ଯେବେ ଦର୍ଶନ ପାଇବି ତୁଟିବ ମନ ସଂଶୟେ ।

 

ଘଟ ଜଗିଅଛି ଘାତ କରିବାକୁ ଘଟ ଯେବେ ଭାଙ୍ଗିଯିବ,

ପ୍ରଭୁଙ୍କ ଦର୍ଶନ କରିବାର ଯାଏ କି ପ୍ରକାରେ ପିଣ୍ଡଥିବ ।

 

 

 

ଏଥକୁ ଚାହିଁ ବିଚାର ମହାବାହୁ ଯେଉଁରୂପେ କ୍ଷମା ହୁଏ,

ଅନ୍ତର୍ଯ୍ୟାମୀ ପ୍ରଭୁ ପ୍ରତ୍ୟକ୍ଷେ ତ ଜାଣ ଜନ୍ମ ମରଣର ନ୍ୟାୟେ ।

 

ଆଗତ ନିୟତ ଭୁତ ଭବିଷ୍ୟତ ପ୍ରଭୁ ସିନା ସବୁ ଜାଣ,

ଆଜ୍ଞା ହେଲେ ସିନା ଏ ପିଣ୍ଡ ରହିବ ଥୋଇଥିବ ଯେତେ ଦିନ ।

 

ଅକାଳ ବିପତ୍ତି ପକାଅ ନା କାଟି ସାମରଥ ଅଟ ପ୍ରଭୁ,

ନ ଜାଣିଲା ପ୍ରାଏ ବୋଲୁଅଛ ମତେ ଟିଆ ପରିଯନ୍ତେ ଥିବୁ ।

 

ଗୁରୁ କୃପା କଲେ ଏ ଦେହ ରହିବ ଅନ୍ୟରେ ନୁହଇ କିଛି,

ଚାରି ଯୁଗ ପଛେ ବହି ଯାଉଅଛି ଆଜ୍ଞା ମାତ୍ର ଏକା ଅଛି ।

 

ଆଜ୍ଞାରେ ଯେମନ୍ତ ଏ ପିଣ୍ଡ ବ୍ରହ୍ମାଣ୍ଡ ହେଉଅଛି ଆଏ ବଏ,

କୃପା ନୟନରେ ଚାହିଁଥିବ ଯେବେ ଏ ପିଣ୍ଡ ନୋହିବ କ୍ଷୟେ ।

 

ଦୁର୍ଲ୍ଲଭ ଜନମ ମଣିଷ ଶରୀର ସଂସାରରେ କଲା ସାର,

କିପାଇଁ କାଳ ମରଣେ ପକାଉଛ ଅନ୍ତର୍ଯ୍ୟାମୀ ଅଣାକାର ।

 

ଗୁରୁଦେବ ସ୍ୱାମୀ ଅଲେଖ ମହିମା ନାମ ଯେବେ ନିରିଗୁଣ,

ଏ ଛାର ବିପତ୍ତି କେତେକ ମାତର ଆଜ୍ଞାରେ ହୋଇବ ଲୀନ ।

 

ବୁଦ୍ଧ ଅବତାର ସୁଜ୍ଞାନ ବିସ୍ତାର ସତ୍ୟେ ଅବଧୂତ ଯୋଗୀ,

କୋପ କରୁଣା ସମାନ ଯେବେ ଅଟେ ବଚନରେ ଯାଉ ଲିଭି ।

 

ସିଦ୍ଧ ବ୍ରହ୍ମବାଣୀ ସତ୍ୟାଦି ବଚନ ଚାରିଯୁଗେ ଯେବେ ଥିବ,

ପ୍ରଭୁ ଦୟା ହେଲେ ପାପ କାଳ ଶର ନିଷ୍କାମରେ ଛିଡ଼ିଯିବ ।

 

ଗୁରୁ ବଳବନ୍ତ ଗୁରୁ ସାମରଥ ଗୁରୁ ସିନା ପିତା ମାତା,

ଏ ପିଣ୍ଡ ବ୍ରହ୍ମାଣ୍ଡ ଆୟ ବୟ ଯେତେ ଅଟ ହରତା କରତା ।

 

ଅଲେଖ ବିନୁ ମୁଁ କିଛି ନ ଜାଣଇ କା ଆଗେ କହିବି ଦୁଃଖ,

ଏ ମହୀ ମଣ୍ଡଳେ ମହାପ୍ରଭୁ ବିନୁ କେ ଖଞ୍ଜିବ ଭୋଗ ସୁଖ ।

 

ହାନି ଲାଭ କଥା ଯାହା ହେଉଅଛି ନ ଜାଣ କି ପ୍ରଭୁ ତହିଁ,

ଅନ୍ତର୍ଯ୍ୟୀମୀ ପ୍ରଭୁ ଭୃତ୍ୟର ଗୁହାରି ବୁଝିବ ଯେମନ୍ତେ ନାହିଁ ।

 

ଆତଙ୍ଗ-ଫେଡ଼ନ ଦୁଃଖୀ-ଜୀବ-ଧନ ନିରେଖ-ପରାଣୀ ବନ୍ଧୁ,

ଏ ମାୟା କୁହୁଡ଼ି ପ୍ରକାଶି ଦିହୁଡ଼ି ପାରି କର ଭବସିନ୍ଧୁ ।

 

ମୁରୁଛି ସବୁଙ୍କୁ ଅଲେଖ ପ୍ରଭୁଙ୍କୁ କରିଛି ବହୁତ ଆଶ,

ଏକ ବ୍ରହ୍ମପାଦେ ଦିବା ନିଶି ସେବି ଭଣେ ଭୀମ ଭକ୍ତଦାସ ।

***

 

ଚତ୍ୱାରିଂଶତ୍‌ ବୋଲି

 

ଏ ପିଣ୍ଡ ବ୍ରହ୍ମାଣ୍ଡ ଭାସି ଯିବ କିପାଇଁ ହୋଇଛ ଉଦେ,

ଅବଧୂତ ଧର୍ମ ନିର୍ବିକାର କର୍ମ ପ୍ରକାଶିଲା ନିରିବେଦେ ।

 

ମହାପ୍ରଭୁ ଥାଇ ନାଶ ଯେବେ ଯିବ କି ବୋଲିବେ ସାଧୁଜନ,

ଗୁରୁ ବିଜେ ହୋଇ ଅକାଳ ବିପତ୍ତି ପଡ଼ୁଅଛି ସଂସାରେଣ ।

 

ଜଗତ ଭଗତ ରଖିବ ଯେମନ୍ତ ସମ୍ଭାଳି ଧର ସକଳ,

କୁହୁଡ଼ି ପରାଏ ଅଦଭୁତ ମାୟା ଘୋଟି ଆସୁଅଛି କାଳ ।

 

ଏ ପିଣ୍ଡ ବ୍ରହ୍ମାଣ୍ଡ ଅହ୍ମଣିଆ କରି ପ୍ରଭୁଙ୍କୁ ଦେଉଛି ଟେକି,

ଏ ଛତ୍ର ପାଦେ ଘୋଡ଼ାଇ ସମ୍ଭାଳ ଅମୃତ ଲୋଚନେ ଦେଖି ।

 

ମୋର ପିଣ୍ଡ ପ୍ରାଣ ଦେଇଅଛି ଦାନ ଅଲେଖ ପୁରୁଷ ପାଦେ,

ଶ୍ରୀଛାମୁରେ ମୁହିଁ ବ୍ରହ୍ମାଣ୍ଡର ପାଇଁ ଜଣାଣ କରୁଛି ଏବେ ।

 

ଅଶେଷ ବ୍ରହ୍ମାଣ୍ଡ ଡ଼ୁବି ଯେବେ ଯିବ କାହିଁରେ ରହିବି ମୁହିଁ,

ମନ ଛନ୍ନ ଛନ୍ନ ହେଉଛି ଉଚ୍ଛନ୍ନ ଏ ପିଣ୍ଡ ବ୍ରହ୍ମାଣ୍ଡ ପାଇଁ ।

 

 

 

ଗୁରୁଙ୍କର ପିଣ୍ଡ ଗୁରୁଙ୍କ ବ୍ରହ୍ମାଣ୍ଡ ଗୁରୁଙ୍କର ତିନିପୁର,

ସପତ ବ୍ରହ୍ମାଣ୍ଡ ଚଉଦ ଭୁବନ ଦୟା ବହି ରକ୍ଷା କର ।

 

ଏକୋଇଶ ପୁର ଚଉଦ ଭୁବନ ଯେଉଁଠାରେ ଯେହୁଛନ୍ତି,

ସବୁ ଘଟେ ପ୍ରଭୁ ହେତୁ ଚେତା ଦିଅ ଉଠୁ ଅଲେଖ ଭଗତି ।

 

ଉଡ଼ାଖାନି ବୁଡ଼ାଖାନି ଚଳଖାନି ଅଚଳଖାନି ଏ ଯେତେ,

ଜଣେ ଜଣେ କରି ଉଠାଅ ଏହାକୁ ଚେତା ହୁଅନ୍ତୁ ସମସ୍ତେ ।

 

ଏ ଜନ ଜଗତ ହତ ହୋଇଗଲେ କାହିଁ ପ୍ରଚରିବି ମୁହିଁ,

ଏଣୁକରି ସିନା ପ୍ରଭୁ ଶ୍ରୀଛାମକୁ ନିତି ଜଣାଣ କରଇଁ ।

 

କି ଆଜ୍ଞା କରୁଛ କିସ ବୋଲୁଅଛ ସଂଶୟ ଫିଟାଅ ପାଦେ,

ଏଡ଼େ ବଡ଼ ଧର୍ମ ନାଶ ଯାଉଅଛି କୁଟୁମ୍ୱର ଘର ଭେଦେ ।

 

ଜାଣି ଜାଣି କରି ନାମ ବ୍ରହ୍ମ ଧରି କେହି କାହାକୁ ନ ମାନି,

ବ୍ରହ୍ମାଣ୍ଡ ଭିତରେ ଦେହ ଧରି ଯେତେ ହେଉଛନ୍ତି ଅନାଅନି ।

 

ଯେଉଁ ରୂପେ ଏହୁ ଶାନ୍ତିକି ଲଭିବେ ସେହି ରୂପେ ହେଉ ଦୟା,

ଏ କଳି ସାଗର ଧର୍ମରେ ନିବାର ଛିଡ଼ିଯାଉ ଛନ୍ଦ ମାୟା ।

 

ଅଶେଷ ବ୍ରହ୍ମାଣ୍ଡ ପୃଥୀ ନବଖଣ୍ଡ ପ୍ରଳୟ ହେବ ନିଶ୍ଚଏ,

ମୋର ବିଚାରକୁ ଭରସା ନ ଦିଶେ ମାଡ଼ୁଅଛି ବଡ଼ ଭଏ ।

 

ପାଦରେ ଶରଣ ଦନ୍ତରେ ତିରଣ ରଖ ରଖ ଏ ବ୍ରହ୍ମାଣ୍ଡ,

ଅଭୟ ପଞ୍ଜରେ ସମ୍ପାଦନା କରି କ୍ଷମାକର ଘୋର ଦଣ୍ଡ ।

 

ଜଗତ ଭଗତ ଦାସ ଦାସୀ କଥା ଜଲଦି ବୁଝିଲେ ଯାଇ,

ପ୍ରଭୁ ବିନୁ ଆଉ କେ ଅଛି ଶକତା କା ଆଗେ ବୁଝିବି ମୁହିଁ ।

 

ଅନ୍ତର ବିଚାର ଅନ୍ତର୍ଯ୍ୟାମୀ ପ୍ରଭୁ ଜାଣୁ ତ ଥିବ ସକଳ,

ଏ କଳି ଯୁଗରେ ଯାହା ହେଉଅଛି ବ୍ରହ୍ମାଣ୍ଡର ଫଳାଫଳ ।

 

ଜାଣିବାରୁ ପ୍ରଭୁ ଉଦଏ ହୋଇଛ ଧର୍ମ ପ୍ରକାଶିଛ ଆଣି,

ଏ କଳି ଯୁଗରେ ସଂସାର ସାଗରେ ଜଗାଇ ଅଲେଖ ଧୁନି ।

 

ଅଲେଖ ମହିମା ନାମ ବେଇ ଅଛ ବିହନ ରହିବେ ବୋଲି,

କଠୋର ଏ ଦୀକ୍ଷା କେଭେ ନାହିଁ, ଦେଖା ନ ପାରୁ ଅଛନ୍ତି ଚାଡ଼ି ।

 

ବ୍ରହ୍ମାଣ୍ଡ ନିମନ୍ତେ କର ଯୋଡ଼ି ମାଥେ ପଡ଼ି ଶ୍ରୀଗୁରୁଙ୍କ ପାଦେ,

କହେ ଭୀମ ଭୋଇ ଅଷ୍ଟଶତ ପଦନେତ୍ରୁ ଲୁହ ପୋଛି କାନ୍ଦେ ।

***

 

ଏକଚତ୍ୱାରିଂଶତ୍‌ ବୋଲି

 

ନିଷ୍କାମ ଭଗତ ବୋଲି ନାମ ଦେଇ ଜଗତେ ଦେଇଛ ଡାକ,

କବି ପଦ ନୁହେଁ ଶ୍ରୀମୁଖ ବଚନ ସଞ୍ଚରି ତିନି ତ୍ରୈଲୋକ୍ୟ ।

 

ଜଣେ ଜଣେ କରି ବତାଇ କହିଲି ତାହାର ଏ ତିନିପୁର,

ଗୁରୁଦାସ ବୋଲି ଯେବଣ ଭଗତ ବ୍ରହ୍ମାଣ୍ଡରେ ବୀରବର ।

 

ତାହାର ବ୍ରହ୍ମାଣ୍ଡ ରଖୁ ବା ନ ରଖୁ ଆମ୍ଭର ଯାଉଛି କିସ,

ଜୀବନ୍ତେ ଆମ୍ଭର ଧର୍ମଦାଣ୍ଡେ ଭିକ୍ଷା ମଲେ ଚଉରାଶି ବାସ ।

 

ଏହା ବୋଲି ସ୍ୱାମୀ ଶ୍ରୀମୁଖେ କହିଛ ସେ କଥା କେମନ୍ତେ ହେବ,

ବ୍ରହ୍ମାଣ୍ଡେ ଯେବେ ମୋତେ ଉଦେ କରିବ ପ୍ରଭୁ ଏକା ଅଙ୍ଗେ ଥିବ ।

 

ମହାତେଜ ଘେନି ପ୍ରକାଶ ମେଦିନୀ କୋଟିଏ ଅରୁଣ କାନ୍ତି,

ଜଗତ ଭଗତ ଦେଖନ୍ତୁ ସମସ୍ତେ ପ୍ରଭୁଙ୍କ ନୀଳ ମୂରତି ।

 

ମୋତେ ଯେବେ ପ୍ରଭୁ ଭଗତ ବୋଇଲ ଦାସପଣକୁ କି ସରି,

ଛପନା କୋଟିରୁ ସାନ ଜୀବ ଅଟେ ଅଛି ମୁଁ ମନେ ବିଚାରି ।

 

ପ୍ରଭୁ ଭୃତ୍ୟ ପାଦେ ଭୃତ୍ୟ ହୋଇବାକୁ ଶକତି ମୋହର ନାହିଁ,

ଅଖଣ୍ଡ ବ୍ରହ୍ମର ପାଦ ଲଭିବାକୁ ଭାଗ୍ୟ କରିଅଛି କାହିଁ ?

 

ପ୍ରଭୁଙ୍କ ଭଗତ ଯେହୁ ସେ ବୋଲନ୍ତି ସମଯୁକ୍ତ ଥାନ୍ତି ସତ୍ୟେ;

ଚାରି ବେଦ ଚାରି ଧର୍ମଗତି ମୁକ୍ତି ପୂରିଥାଇ ଗର୍ଭଗତେ ।

 

ପ୍ରଭୁଙ୍କର ଦାସ ଯାହାକୁ ବୋଲନ୍ତି ଶକତି ଧାରଣ ସେହି,

ନବଖଣ୍ଡ ପୃଥୀ ଅଶେଷ ବ୍ରହ୍ମାଣ୍ଡ ଅଙ୍ଗେ ତାର ପୂରିଥାଇ ।

 

ମୁହିଁ ଛାର କିସ ଭଗତ ହୋଇବି କେଉଁ ଜୀବରେ ଗଣିତା,

ମନେ ମନେ ମୋର ବିଚାର ଆଣୁଛି ବଡ଼ାଇ ଆଶ୍ଚର୍ଯ୍ୟ କଥା ।

 

ଜନମ ଦିନରୁ କିଛି ନ ଜାଣଇ ମୁହିଁ ବଡ଼ ଅପରାଧୀ,

ଖଟି ନ ପାରଇ ଗୁରୁପାଦବିନ୍ଦେ ନାହିଁ ମୋର ଜ୍ଞାନ ବୁଦ୍ଧି ।

 

ମାନବ ଶକତି ବହିଉତପତ୍ତି ହୋଇଅଛି ଏ ସଂସାରେ,

ଅନାଦି ପୁରୁଷ ଦରଶନେ ଦୃଶ୍ୟ ଦୟା ଥିବ ମୋହଠାରେ ।

 

ଦୁଃଖୀ ଜନ ବନ୍ଧୁ ଦୁଃଖ ଚାହିଁ ମୋର ଫେଡ଼ିବ ଅଖିଳ ଦଶା,

କଳିଯୁଗେ ମଧ୍ୟେ ପାପପଙ୍କ ହୃଦେ ନୁହଇ ମୋର ଭରସା ।

 

କାତ କେଳୁଆର କିଛି ନ ପାଉଛି ନାବ ନ ରହୁଛି ଧୀରେ,

ତେଣୁ କରି ଜୀବ ସନ୍ତାପି ହେଉଛି ପଞ୍ଚଭୂତ ହୃଦୟରେ ।

 

ଅପମାନ ଯୋଗ ଦୁରାକଷ୍ଟ ଭୋଗ ଆହୁରି ରଖିଛ କେତେ,

ନରଦେହେ ମୋତେ ଅବତାର କଲ ଭୁଞ୍ଜାଇବାର ନିମନ୍ତେ ।

 

ଏଡ଼େ ପ୍ରଭୁ ଥାଇ ସଂଶୟ ନ ଗଲା ବସନ୍ତେ ଉଠନ୍ତେ ଚିନ୍ତା,

ତିନିଶ ଷାଠିଏ ଦିନ ପରିଯନ୍ତେ ଭୋଜନ ହେଲାଣି ପିତା ।

 

କେତେ ଜଣାଇବି ପୁନର୍ବାର କରି ମନ ହୃଦୟ ବେଦନା,

ସାକ୍ଷାତରେ ବ୍ରହ୍ମ ବିଜେ କରିଅଛ ଗୁହାରି ନ ଗଲା ଶୁଣା ।

 

କହନ୍ତା ବହନ୍ତା ସ୍ୱରୂପେ ପ୍ରକାଶ ଅଦେହ ହୋଇ ତ ମୁହିଁ,

ଘୋର କଳିଯୁଗେ ଯାହା ମୁଁ ଦେଖିଲି ଦେହ ଧରିଛ ଗୋସାଇଁ ।

 

ପଟ ପଟ କହି ମଟ ମଟ ଚାହିଁ ମଉନ ହୋଇ ରହୁଛ,

ମଥା ଛେଚି ହୋଇ ଜଣାଇଲେ ସୁଦ୍ଧା ବିନତି ମୋ ନ ଘେନୁଛ ।

 

ଯାହା ଅର୍ଜିଅଛୁ କପାଳର ଫଳ ଭୁଞ୍ଜ ଥାରେ ପାପୀ ଜୀବ,

ଗୁରୁ ପାଦ ଧ୍ୟାୟି ଭଣେ ଭୀମ ଭୋଇ ଯୁଗେ ଯୁଗେ କୀର୍ତ୍ତି ଥିବ ।

***

 

ଦ୍ୱିଚତ୍ୱାରିଂଶତ୍‌ ବୋଲି

 

ଶୂନ୍ୟ ଶୂନ୍ୟ ମହାଶୂନ୍ୟ ଦିଶୁଅଛି ସାହସ ଯାଉଛି ଉଡ଼ି,

ପଞ୍ଚଭୂତ ମଧ୍ୟେ ଭାଳେଣି ପଡ଼ିଛି ହେତୁ ବୁଦ୍ଧି ଚେତା ବୁଡ଼ି ।

 

ଦଶଦିଗ ମୋତେ ଅନ୍ଧାର ଦିଶୁଛି ମଣୁଅଛି ଆଚମ୍ବିତ,

ଦିବସ ରଜନୀ ସନ୍ତାପରେ ପଡ଼ି ଥୟ ନାହିଁ ମୋର ଚିତ୍ତ ।

 

ତିନି ଭୁବନରେ ବାସ ନ ମିଳୁଛି ବାହ୍ୟ ଅନ୍ତେ ନାହିଁ ପାର,

ଆକାଶର ବଜ୍ରଶିଳ ପଡ଼ୁଅଛି ପାତିଛି କମଳ ଶିର ।

 

ମୁଣ୍ଡର ଶିରୀକି ପାଦରେ ଟାଳିଲି ମୋଠାରୁ ନାହିଁ ଅଧମ,

ଗୋଡ଼ର ଦଉଡ଼ି ଗଳାରେ ଛନ୍ଦିଛି ପ୍ରଭୁ ଅଣାକାର ବ୍ରହ୍ମ ।

 

ଶୋଲ ପିଣ୍ଡି ଛାଡ଼ି ଗଳାରେ ପଥର ବାନ୍ଧି ପହଁରୁଛି ମୁହିଁ,

ମହାସୁଖ ଛାଡ଼ି ଦୁଃଖେ ମଜ୍ଜି ଅଛି ମୋହଠାରୁ ମୂର୍ଖ ନାହିଁ ।

 

ହରଷକୁ ଛାଡ଼ି ବିରସ ଭାଜିଲି ଉଜ୍ଜ୍ୱଳ ଛାଡ଼ି ଅନ୍ଧାର,

ଗ୍ରାମ ଦେଶ ଛାଡ଼ି ବିଅର୍ଥେ ପଶିଲି ଝାଡ଼ ବନ ଲତା ଘୋର ।

 

 

 

ଶାନ୍ତି ଛାଡ଼ି ଅଣଶାନ୍ତିରେ ପଡ଼ିଲି କହିଲେ ନ ସରେ ଚିନ୍ତା,

ଘର ଦିଅଁ ଛାଡ଼ି ମାୟା ପ୍ରକୃତିରେ ପୂଜିଲି ପର ଦେବତା ।

 

ପଥ ଛାଡ଼ି ଅଣପଥରେ ଗମିଲି ସତ୍ୟ ଛାଡ଼ି ଅସତ୍ୟକୁ,

କେଉଁରୂପେ ମୋର ଦିନକାଳ ଯିବ ଜଣାଉଅଛି ପ୍ରଭୁଙ୍କୁ ।

 

ନିଜ ଧର୍ମ ଛାଡ଼ି ବାହ୍ୟ ଧର୍ମ କଲି ଅମୃତକୁ ଛାଡ଼ି ବିଷ,

କଲା କର୍ମଫଳ ଏବେ ମୁଁ ଭୁଞ୍ଜୁଛି କହାକୁ ଦେବଇଁ ଦୋଷ ।

 

ଚାହିଁଲା ନେତ୍ରରେ ଡାଙ୍ଗ କେଞ୍ଚୁଅଛି ଫୁଟିଲେ କାହାର ଯିବ,

ମୋର ହସ୍ତେ ମୋହ ଜିହ୍ୱା କାଟୁଅଛି କାହାକୁ ଏ ଦୋଷ ହେବ ?

 

କପାଳରେ ମୋର ଯାହା ଲେଖା ଅଛି ତାହା କେ କରିବ ଆନ,

ଯାହା ମାଗିଅଛି ତାହା ଭୋଗ ହେବ ଯାହା ଅଛି ପାପ ପୁଣ୍ୟ ।

 

ପାଦକୁ ଛାଡ଼ି ମୁଁ ବାଦରେ ପଡ଼ିଲି ଲାଗିଅଛି ଗୋଲମାଲ,

ଘୋର କଳିଯୁଗେ ଅସତ୍ୟ ଠାବରେ କେମନ୍ତେ ବଞ୍ଚିବି କାଳ ।

 

ତିଥି ଛାଡ଼ି ଅଣତିଥିରେ ପଡ଼ିଲି ବଣା ହୋଇ ମାୟା ମୋହେ,

ନିଜ ବ୍ରହ୍ମ ଛାଡ଼ି ଭ୍ରମି ମରୁଅଛି ଦୁର୍ଲ୍ଲଭ ଜନମ ଦେହେ ।

 

କୀର୍ତ୍ତି ଛାଡ଼ି ଅପକୀର୍ତ୍ତି ଭୁଞ୍ଜୁ ଅଛି ଆହାରେ ଜନମ ସାର,

ଏହା ପରା ପିଣ୍ଡ ନ ମିଳିବ ଆଉ କଲେ ତପସ୍ୟା ଅପାର ।

 

ବେଦ ପୋଥି ଛାଡ଼ି ଥୋତ ହେଉଅଛି ଧନ୍ୟ ସେ ପ୍ରଭୁଙ୍କୁ ବାକ୍ୟ,

ଆଜ୍ଞା ଗରିଷ୍ଠ ସେ ଗୁରୁଙ୍କର ବାକ୍ୟ ମଣୁଅଛି ମୁଁ ଅମୋକ୍ଷ ।

 

ପୃଥ୍ୱୀ ଛାଡ଼ି ପ୍ରୀତି ସ୍ନେହରେ ପଡ଼ିଛି ଗୁରୁପାଦ ଛାଡ଼ି ଦେଇ,

ଏହା ପରା ହେତୁ ବୁଦ୍ଧି ନ ମିଳିବ ଆଉ ଜନ୍ମ ହେଲେ ମହୀ ।

 

ନିଜ ଥାନ ଛାଡ଼ି ବିଥାନରେ ମୁହିଁ ବାସ କରି ନିରନ୍ତରେ,

ପାଶେ ଥାଇ ମୋର ଗୁରୁ ପାଦବିନ୍ଦ ରହି ଯାଉଅଛି ଦୂରେ ।

 

ନିଜ କାମ ଥାଇ କାମରେ ଅଚେତା ପ୍ରକୃତି ଲୋଭରେ ପଡ଼ି,

କିଞ୍ଚିତ ତଥାକୁ ବହୁତ ବିଚାରି ଛାଡ଼ି ଗୁରୁ ଧର୍ମ ଧାଡ଼ି ।

 

ନିଜ ବୃତ୍ତି ଛାଡ଼ି ବୃଥାରେ ପଡ଼ିଛି ଦିନ ଗଲା ଅକାରଣେ,

ଅନୁକ୍ଷଣ ଯାର ପାଦ ଧରିଥାଇ ହେତୁ ନାହିଁ ମୋର ମନେ ।

 

କର୍ମମାନ ଛାଡ଼ି ଅକର୍ମରେ ପଡ଼ି ଶ୍ରୀଗୁରୁ ଜାଣନ୍ତି ତାହା,

ଗୁରୁପାଦ ଧ୍ୟାୟି କହେ ଭୀମ ଭୋଇ କରିଥିବ ମୋତେ ଦୟା ।

***

 

ତ୍ରିଚତ୍ୱାରିଂଶତ ବୋଲି

 

ବିଚାରିଲେ ଅସମ୍ଭବ ଲାଗୁଅଛି ହେ ଅନାଦି ଗୁରୁଦବ,

ଏ ପିଣ୍ଡ ବ୍ରହ୍ମାଣ୍ଡ ପୃଥ୍ୱୀ ନବଖଣ୍ଡ କେଉଁରୂପେ ସାଧ୍ୟ ହେବ ।

 

ମନେ ମନେ ହେଜ ପାଞ୍ଚ କରୁଅଛି ମହୀ ମେଦିନୀରେ ଥାଇ,

ନିଷ୍କାମ ଧର୍ମରେ ନିର୍ଗୁଣ କର୍ମରେ ଅଲେଖ ଧର୍ମକୁ ଧ୍ୟାୟି ।

 

ଅଲେଖ ପ୍ରଭୁ ସେ ମହିମାସାଗର ପିଣ୍ଡ ବ୍ରହ୍ମାଣ୍ଡର ଗୁରୁ,

ଚାରି ଯୁଗ ମଧ୍ୟେ ଚାରିଖାନି ଜୀବ ଜାତ ହ୍ୱନ୍ତି ସେ ବ୍ରହ୍ମରୁ ।

 

ସେ ପ୍ରଭୁଙ୍କୁ ମୁହିଁ ଧ୍ୟାଏ କରୁଅଛି ନ ଗଲା ଦାରୁଣ ଦଶା;

ପିଣ୍ଡ ବ୍ରହ୍ମାଣ୍ଡ ଅନ୍ଧକାର ଦିଶୁଛି ଶୂନ୍ୟକୁ କରି ସାହସା ।

 

ନିଜ ନାମ ଛାଡ଼ି ଅଗମ୍ୟେ ପଶିଲି ନେତ୍ରେ ଚାହୁଁ ଚାହୁଁ ବଣା,

ଥଳ ଛାଡ଼ି ମୁହିଁ ଅଥକେ ପଡ଼ିଲି ମୋ କର୍ମ ବହୁତ ଊଣା ।

 

ସେବା ଭକ୍ତି ଛାଡ଼ି ଅଧର୍ମ ଭକ୍ତିରେ ହୋଇଲି ମୁଁ ଗତାଗତ,

ନିଜ ଗୁରୁ ପାଦେ ଅପ୍ରାଧୀ ହେଉଛି ନ ଦେଇ ପାରୁଛି ସତ ।

 

 

 

ନିଜ ଥାନ ଛାଡ଼ି ବିଥାନ ହେଉଛି ବୁଦ୍ଧି ଅନୁସାରେ ମୁହିଁ,

ସଦଜ୍ଞାନ ଛାଡ଼ି ଅଜ୍ଞାନରେ ପଡ଼ି ଆଗକୁ ଯାଉଛି ଧାଇଁ ।

 

ବୃକ୍ଷ ମୂଳ ଛାଡ଼ି ଡାଳ ତଳେ ପଡ଼ି ଶ୍ରମ ଲଭିବାକୁ ଇଚ୍ଛା,

ନ ଜାଣି ମୁହିଁ ମନ୍ଦ କର୍ମ ବିଚାରେ ଆକାଶ ଫଳକୁ ବାଞ୍ଛା ।

 

ପିତାମାତା ଯୁକ୍ତ କାଳେ ଯା ଲେଖିଛି ତାହା ସିନା ଭୋଗ ହେବ,

ମୋ କର୍ମ ବ୍ୟବସ୍ଥା ମୁଁ କିସ ଜାଣିବ ପ୍ରଭୁ ହସ୍ତ ମାରି ଦେବ ।

 

ବିନା ଲେଖନରୁ କର୍ମେ ନ ଫଳଇ ପାପ ପୁଣ୍ୟ ବେନି ମତ,

କର୍ମ ଦଣ୍ଡ ଛପା ଲାଗି ବୁଲୁଅଛି ପରମ ଗୁରୁଙ୍କ ହସ୍ତ ।

 

ନିରନ୍ତରେ ମୁହିଁ ଅନ୍ତରେ ଡାକୁଛି ଶୁଣୁଛ କି ନାହିଁ ଗୁରୁ,

ଭଗତରକ୍ଷଣ ବାନା ବହିଅଛ ଦୟା ପଦେ ଆଦ୍ୟାନ୍ତରୁ ।

 

ଦେଖ ଏ ବ୍ରହ୍ମାଣ୍ଡ କେମନ୍ତ ହେଲାଣି ଦିନୁ ଦିନୁ ମହାଘୋର,

ଛପ୍ନାକୋଟି ଜୀବ ଅଚେତ ହେବାରୁ ଡାକୁଛି ମୁଁ ନିରନ୍ତର ।

 

ଚାରିଖାନି ଜୀବ ପାପକର୍ମ କଲେ କେହି ନାହିଁ ମୋକ୍ଷଭାଗୀ,

କଳିର ମହିମା ପିଣ୍ଡ ବ୍ରହ୍ମାଣ୍ଡରେ ତ୍ରିପୁରେ ଗଲାଣି ଲାଗି ।

 

କଳିଯୁଗରୁ କିରୁପେ ବଞ୍ଚାଉଛ ବୁଡ଼ିଛନ୍ତି ପାପ ପଙ୍କେ,

ପିଣ୍ଡ ବ୍ରହ୍ମାଣ୍ଡ ନାଶିବାକୁ ହେଲାଣି ଅପମୃତ୍ୟୁ କାଳମୁଖେ ।

 

ମାୟାକୁ ଛେଦିଲେ କାଳକୁ ବଧିଲେ ତେବେ ପ୍ରତିକାର ଅଛି,

ତିନି ବ୍ରହ୍ମାଣ୍ଡେ ଯେତେ ଜୀବ ଅଛନ୍ତି ଇଜତ ନାହିଁ ନା କିଛି ।

 

ଧରଣୀ ଧରି ସମ୍ଭାଳି ସୁସ୍ଥ କର ନୋହିଲେ ଭାସିଲ ନିଶ୍ଚେ,

ଡୁବିଲା ସଂସାର ଜଣାଇଲୁ ନାହିଁ ନ ବୋଲିବେ ମୋତେ ପଛେ ।

 

ଚାରିଖାନି କର୍ମ କେତେ ମୁଁ କହିବି କରିଛନ୍ତି ଯାହା ଯାହା,

ଘୋର କଳିଯୁଗେ ଯେଉଁ ବିଧିମତ କର୍ଣ୍ଣେ ଶୁଣି ନୁହେ ତାହା ।

 

ଅନ୍ତର୍ଯ୍ୟମୀ ଗୁରୁ ଅନ୍ତର୍ଗତେ ଜାଣି ତାରି ମୁକ୍ତ ଦୟା କର,

ସନ୍ଦେହରେ ଏହୁ ନର୍କେ ପଡ଼ିଛନ୍ତି ଧୋଇ ପଖାଳି ଉଧର ।

 

ଚାରି ଯୁଗ ମଧ୍ୟେ ଗୁରୁ ପାଦ ଗୋଟି ଅଟଇଟି ଧର୍ମ ନାବ,

ଯହିଁ ଜାତ ହେଲେ ତହିଁ ହତ ହେଲେ ଭାସୁଛନ୍ତି ଭବାର୍ଣ୍ଣବ ।

 

ଘୋର କଳିଯୁଗେ ଯାହା ମୁଁ ଦେଖୁଛି ତରିବାକୁ ନାହିଁ ବାଟ,

ଗୁରୁ ପାଦ ଧ୍ୟାୟି କହେ ଭୀମଭୋଇ ପଡ଼ୁଛି ବଡ଼ ସଙ୍କଟ ।

***

 

ଚତୁଶ୍ଚତ୍ୱାରିଂତ୍‌ ବୋଲି

 

ନମେ ଶୂନ୍ୟବାସ ଅନାଦି ପୁରୁଷ ଅନୁସରି ପାଦଗତେ,

କପାଳରେ ମୋର ଅର୍ଦ୍ଧାଙ୍ଗ ତପସ୍ୟା ଲେଖି ଦେଇଛ କିମର୍ଥେ ।

 

ଅର୍ଦ୍ଧ -କପାଳରେ ଅଢ଼ାଇ ଅକ୍ଷର କେଉଁ ଅପରାଧ ଗୁଣେ,

ଅର୍ଦ୍ଧେକ ସଫଳ ଅର୍ଦ୍ଧେକ ବିଫଳ- ମାଗିଥିଲି କି ମୋ ମନେ ।

 

ଶତେ ଜନ୍ମଠାରୁ ଏପରି କମାଣି କରିଥିଲି କି ମୁଁ ନିତ୍ୟେ,

ଭୁଞ୍ଜିଲା ଆଧାରେ ଧୂଳି ପଡ଼ୁଅଛି ଏହା ଥିଲା କି ସୁକୃତେ ।

 

କର୍ମ ବୃକ୍ଷ ମୋର ଆତି କ୍ଷୀଣ ହୋଇ ଫଳୁଛି ପୋକରା ଫଳ,

ହସ୍ତେ ତୋଳି ଖାଇ ପକାଇ ନୋହିଲା ପଞ୍ଚୁମନେ ଖଳବଳ ।

 

ଡାଳ ପୁଷ୍ପ-ପତ୍ରେ ଲୋଡ଼ିଲି ମୁଁ ଫଳ କାହିଁ ନ ପାଇଲି ଗୋଟା,

ଯାହାକୁ ଭୁଞ୍ଜିଲେ ସୁସ୍ୱାଦୁ ନୋହିଲା ସକଳ ତୁଣ୍ଡକୁ ପିତା ।

 

କସି ଦିନୁ କଞ୍ଚା ଅଧେ ଦରପଚା କଷା ମଧୁର ନୋହିଲା,

ଶୂନ୍ୟ ଧର୍ମ ପ୍ରଭୁ ଗୁରୁ ହୋଇ ମୋର ଏହା ଲଲାଟେ ଲିହିଲା ।

 

 

 

ପିତା କି ଆମ୍ବିକ ଆତ୍ମାକୁ କୁଶଳ ସନ୍ତୋଷ ନୋହିଲା କିଛି,

ପ୍ରଥମ ଯୋଗରୁ ଯେତେ ଦୁର୍ଘଟଣା ଆଗତକୁ କିସ ଅଛି ।

 

ଏପରି ଯୁଗକୁ ଏହିପରି ଭୋଗ ଭୋଗରେ ଦେଇଛ ବାଣ୍ଟି,

କର୍ମ କାଣ୍ଡ ଗୋଟି ବସ୍ତ୍ର ଅଟେ ମୋର ସଳଖ କରି ନ କାଟି ।

 

ପୂର୍ବକାଳେ ଗୁରୁସେବା ଅସନ୍ତୋଷ କରିଥିବାରୁ ଏମାନ,

ତେଣୁକରି ସିନା ଭୋଗେ ଯୋଗେ ମୋର ସନ୍ତୋଷ ନୋହିଲା ମନ ।

 

ଅଦୃଷ୍ଟକୁ ମାନି ବନରେ ପଡ଼ିଛି ସାର ଅସାର ଯେ ଗ୍ରାସ,

ଏତେକାଳେ ଆସି ପ୍ରବେଶ ହୋଇଲା ପୂର୍ବର ଅର୍ଜିଲା ଦୋଷ ।

 

ପୂର୍ଣ୍ଣ ସେବା ଭକ୍ତି ନ କରି ମୁଁ ନିତି ତେଣୁ ମୋ କରମ ଊଣା,

ପୂର୍ବେ କାହାକୁ ବନସ୍ତକୁ ଖେଦିଲି ଏବେ ମୁଁ ହେଉଛି ବଣା ।

 

ପୂର୍ବେ ମୁଁ କାହାର ଥିତି ବସା ଭାଙ୍ଗି ଥାନୀକି ବିଥାନୀ କଲି,

ସେହି ଯୋଗେ ମୋତେ ପ୍ରାପତ ହୋଇଲା ଏବେ ପ୍ରତକ୍ଷେ ଜାଣିଲି ।

 

ପୂର୍ବେ ମୁଁ କାହାର ସୁଖଭୋଗ ଖଣ୍ଡିଥିବାରୁ ପଡ଼ୁଛି ଦଣ୍ଡ,

ଏବେ ସେହି ଶାସ୍ତି କରତି କାଟୁଛି ସବୁ ଦୋଷ ହୋଇ ରୁଣ୍ଡ ।

 

ଅନ୍ତର୍ଯ୍ୟାମୀ ସ୍ୱାମୀ ଅନନ୍ତ ଗର୍ଭରେ ରଖିଥିଲା ଠୁଳ କରି,

ଏବେ ସେ ଫଳମାନ ବ୍ୟର୍ଥ ହେଉଛି ଭୁଞ୍ଜାଉଛି ମୋତେ ଧରି ।

 

କରି ଏବେ ଦୂର ପ୍ରଭୁ ଅଣାକାର କିପାଇଁ ଦେଉଛ ସଜା,

ବେନି କନ୍ଧେ ବେନି ଭାର ବୁହାଇଛ ବୋଝର ଉପରେ ବୋଝା ।

 

ପ୍ରକୃତି ସଂସାର ତିମିରି ଅନ୍ଧାର ଗୋଚର ନ ଥିଲା ଚିତ୍ତେ,

ବେଳହୁଁ ଯେବେ ଜାଣିଥାନ୍ତି ଏମାନ କାହିଁକି ହୁଅନ୍ତା ଏତେ ।

 

ଯେତେ ସରିକି ହୋଇଲାଣି ଆଜକୁ କେ କହୁ ମୋର ଭାଳେଣି,

ଦିବା ନିଶି ଅସରନ୍ତି ହେଉଅଛି ଗୁରୁ ଦେବ ଗୁଣି ଗୁଣି ।

 

ମିଛ ପସରାକୁ ଆବୋରି ବସିଛ ଧନ ରତ୍ନ ନାହିଁ କିଛି,

ଏବେ ପ୍ରଭୁ ମୋର ମନେ ପଡ଼ୁଅଛି ବେନି ନେତ୍ରୁ ଲୁହ ପୋଛି ।

 

କରୁ ମୁଁ ଅଛି ଯାହା ଯାହା ବିଚାର ହୃଦୟ ପଦ୍ମରେ ମୋର,

ପଚିଶ ପ୍ରକୃତି ପିଣ୍ଡରେ ପ୍ରବଳ ଯୁଗ ଅଟେ ମହାଘୋର ।

 

ଏତେବେଳେ ମୁହିଁ କି ବୁଦ୍ଧି କରିବି କହ ଗୁରୁ ଅଣାକାର,

ସ୍ୱାମୀ ପଦ ଧ୍ୟାୟି କହେ ଭୀମ ଭୋଇ ଏ ଯୁଗରୁ ତ୍ରାହି କର ।

***

 

ପଞ୍ଚଚତ୍ୱାରିଂଶତ୍‌ ବୋଲି

 

ଗୁରୁ ଦେବ ସ୍ୱାମୀ ନିର୍ଗୁଣ ପୁରୁଷ ମୁହିଁ ଅଟଇ ସଗୁଣ,

ଏତେବେଳେ ମୋତେ ପଥ କହିଦିଅ ପଶି ଯାଉଅଛି ବନ ।

 

ଅଣାକାର ସ୍ୱାମୀ ନିଷ୍କାମ ପୁରୁଷ ମୁହିଁ ଅଟଇ ସକାମ,

ମାୟା ପ୍ରଳୟରୁ ବଞ୍ଚଇଣ ରଖ ତାରି ନିଅ ଦେଇ ନାମ ।

 

ଗୁରୁଦେବ ସ୍ୱାମୀ ନିର୍ବେଦ ପୁରୁଷ ମୋର ତନୁ ଅଟେ ବେଦ,

ପାପ ପ୍ରକୃତି ପିଣ୍ଡରୁ ଉଧରିବ କହି ବ୍ରହ୍ମଜ୍ଞାନ ଭେଦ ।

 

ଗୁରୁଦେବ ସ୍ୱାମୀ ନିର୍ବେଦ ପୁରୁଷ ମୋ ଦେହ ଅଟଇ ରୂପ,

ବ୍ରହ୍ମ ଗଙ୍ଗାଜଳେ ସ୍ନାନ କରି ନେବେ ପଡ଼ିଅଛି ଭବକୂପ ।

 

ଶୂନ୍ୟବାସୀ ପ୍ରଭୁ ଏକ ପାଦ ବ୍ରହ୍ମ ମୋର ଅଛି ବେନି ପାଦ,

ଏକ ପାଦେ ମୋତେ ପାରି କରି ନେବ ନ ରଖିବ ଭେଦାଭେଦ ।

 

ଗୁରୁଦେବ ମୋର ଅପାପ ପୁରୁଷ ମୁଁ ଅଟଇ ମହାପାପୀ,

କଳୁଷରୁ ସ୍ୱାମୀ ପାରି ନିଅ ମୋଠାରେ ମାୟା ନ ରଖି ।

 

 

 

ଗୁରୁ ଦେବ ସ୍ୱାମୀ ବୁଦ୍ଧିବନ୍ତ ଅଟ ମୁଁ ଅଟଇ ନିର୍ବୁଦ୍ଧିଆ,

ସଂସାର -ସାଗର ହାନିଲାଭ ଜାଣି ଟିକେ ଟିକେ ଥିବ ଦୟା ।

 

ଗୁରୁଦେବ ସ୍ୱାମୀ ଜ୍ଞାନର ଭଣ୍ଡାର ମୁହିଁ ଅଟଇ ଅଜ୍ଞାନ,

ଘୋର କଳିକାଳୁ ପାରି କରି ନେବେ ଜାଣି ମୋର ଅଭିମାନ ।

 

ଗୁରୁ ଦେବ ସ୍ୱାମୀ ତାରଣରେ ସଚ୍ଚା ମୁଁ ମୁଢ଼ ଅଟଇ କଚା,

ଷଠିସସ୍ର କୁମ୍ଭୀ ନର୍କ ପଡ଼ିଥିଲେ ଘିଞ୍ଚି ନେବେ କରି ବଚ୍ଛା ।

 

ଅନ୍ତର୍ଯ୍ୟାମୀ ପ୍ରଭୁ ଅନ୍ତର୍ଗତେ ଜାଣି ଦୟାରେ ସାଗର ହୁଅ,

ପଡ଼ିଅଛି ଜୀବ ପାପପଙ୍କ ମଧ୍ୟେ ବକଳ ଛଡ଼ାଇ ନିଅ ।

 

ଗୁରୁଦେବ ସ୍ୱାମୀ ନିରୋଗୀ ପୁରୁଷ ମୁଁ ମୂଢ଼ ଅଟଇ ରୋଗୀ,

ଶୂନ୍ୟ ଧର୍ମ ପ୍ରଭୁ ଶିରୀବନ୍ତ ଅଟ ଏ ଜୀବ ଅଟେ ଅଭାଗୀ ।

 

ଗୁରୁଦେବ ସ୍ୱାମୀ ନିଅଙ୍ଗୀ ନିସଙ୍ଗୀ ମୋହର ଯୁଗଳ ତନୁ,

ରୋମ ଚର୍ମେ ମୋର ମାୟା ଲାଗିଅଛି ଦେହଧାରୀ ହେଲା ଦିନୁ ।

 

ଅଲେଖ ପୁରୁଷ ଶ୍ରୀଗୁରୁ ମୋହର ମୁଁ ଅଟଇ ତୁମ୍ଭ ଶିଷ୍ୟ,

ବୁଡ଼ି ମରୁଅଛି ଛାଣିନିଅ ମୋତେ ଅଧିକ କହିବି କିସ ।

 

ସଦଗୁରୁ ମୋର ପୁଣ୍ୟାଧି ପୁରୁଷ ମୁଁ ଅଟଇ ମହାପାପୀ;

ଭବାର୍ଣ୍ଣବୁ ମୋତେ ପାରି କରି ନେବ ଅବସ୍ଥା ମୋହର ଦେଖି ।

 

ଦୟାପାଦେ ଗୁରୁ ଅଗାଧ ସାଗର ଧର୍ମ ଅଟଇ ମହିମା,

ଜ୍ଞାନୀଜନଙ୍କୁ ଅଗୋଚର ଅଟଇ ବେଦ ନ ଜାଣଇ ସୀମା ।

 

ଧର୍ମ ପୁରୁଷର ରୂପ ରେଖ ନାହିଁ କାହାକୁ ଜପିବି ମୁହିଁ,

ଅକର୍ମ ଦାୟକ ପୁରୁଷ ତୁ ପ୍ରଭୁ କ୍ରିୟା କର୍ମ ନ ଲାଗଇ ।

 

ଅଚିନ୍ତା ପୁରୁଷ ଶୂନ୍ୟମୟ ଦେହ ଯହିଁରେ ନାହିଁ ବଚନ,

ନିରୂପଣ କରି ଶାହାସ୍ର ପଥରେ କେ ପାଇବ ବର୍ଣ୍ଣ ଚିହ୍ନ ।

 

ସାଧୁ ସଜ୍ଞଜନ କବି ତ ପଣ୍ଡିତ ଚିତ୍ତରେ ବିଚାର କର,

ଘୋର କଳିଯୁଗେ ଅଲେଖ ମହିମା ଦିବା ନିଶି ଅନୁସର ।

 

ଏ ଯୁଗରେ ଏକା ଏ ଧର୍ମ ଉଦିତ ଅନ୍ୟରେ ନାହିଁ ନା ସାର,

ଗତି ମୁକତି ସମ୍ପତ୍ତି ପରାପତ ନିଷ୍ଠା ଏ ବଜ୍ରର ଗର ।

 

ଯୁଗ କଳିକାଳ ପାପ ଅନର୍ଗଳ ଦିନୁ ଦିନୁ ମହାଭାରୀ,

ଭଣେ ଭୀମ କନ୍ଧ ନବଶତ ପଦେ ଗୁରୁ ପାଦ ଅନୁସରି ।

***

 

ଷଟ୍‌ଚତ୍ୱାରିଂଶତ୍‌ ବୋଲି

 

ଜୟ ଜୟ ପ୍ରଭୁ ଅନାଦି ଈଶ୍ୱର ଅନନ୍ତ ଅରୂପ ହରି,

ମହାଭାରା ହେଲା ଘୋର କଳିଯୁଗ ପାପ ହୋଇଲାଣି ଭାରି ।

 

ସମୁଦ୍ର ପରାଏ ପୂରିତ ହେଲାଣି ନ ଚଳୁଛି ସତ୍ୟନାବ,

ଏଥିକି ଚାହିଁ ବିଚାର ମହାପ୍ରଭୁ ଯେଉଁ ପରି କ୍ଷଏ ଯିବ ।

 

ସ୍ୱର୍ଗ ମର୍ତ୍ତ୍ୟ ପାତାଳ ତିନିପୁରକୁ ଡୁବାଇ ଦେଲାଣି ଧରି,

ନିରନ୍ତରେ ଭାସୁଅଛି ନବଖଣ୍ଡ ଜଳରେ ମୀନ ଯେପରି ।

 

ଅଗାଧ ପାତକ ଯେମନ୍ତ ତୁଟିବ ତହିଁକି ବିଚାର କର,

ମହାବ୍ରହ୍ମତେଜ ପରକାଶ କରି ଅନଳମୂରତି ଧର ।

 

ପାପ ସାଗରରେ ମହିସାଗର ବ୍ରହ୍ମାଣ୍ଡେ ସ୍ଥାପିଲ ଧୁନି,

ଅବଧୂତ ନିର୍ବିକାର ଦୀକ୍ଷା ଦେଇ ଆପଣେ ହେଲ ଅଗ୍ରଣୀ ।

 

ଅଗୋଜାକୁ ଗୋଜା କରି ମହାପ୍ରଭୁ ଅଚେତାକୁ ଚେତା କଲ,

ଅଲେଖ ମହିମା ନାମ ସର୍ବେ ଡ଼ାକ ବୋଲି ମୁଖେ ଆଜ୍ଞା ଦେଲ ।

 

 

 

ଘୋର କଳିଯୁଗେ ଏ ଧର୍ମ ଉଦିତ ଏଠାରୁ ନାହିଁ ନା ବଡ଼,

ଅଲେଖ ମହିମା ନାମ ଯେଉଁ ପଦ ଅଙ୍ଗାଇତ ଖଣ୍ଡା ଦାଢ଼ ।

 

ତୁମ୍ଭେ ଯେ ବୋଇଲ ମହିମା ଭଜିଲେ ମରଣ ତାହାକୁ ନାହିଁ,

ଶ୍ରୀମୁଖ ବଚନ ବଜ୍ରଗାର ଅଟେ ଯାଉଛି ବିଅର୍ଥ ହୋଇ ।

 

ମ ଅକ୍ଷର ନାମ ହୃଦେ ଲଏ କର ମହୀମଣ୍ଡଳେ ରହିବ,

ବିନା ଆଶ୍ରିତରେ ନ ବର୍ତ୍ତିବେ କେହି ଯୁଗଭାଗେ ପଡ଼ିଯିବ ।

 

ଏହା ବୋଲି ଗୁରୁ ଶ୍ରୀମୁଖେ କହିଛ ଶୁଣି ମୁଁ କରିଛି ହେତୁ,

ଏକ ପାଦ ଅନୁସରି ଯେତେଦିନୁ ପାସୋରି ନ ଦେଇ ଚିତ୍ତୁ ।

 

ସକଳ ବାରତା ପଶ୍ଚାନ୍ତକୁ ଥାଉ ମୋ କଥା କେମନ୍ତେ ହେବ,

ତିନି ପୁରେ ମୋତେ ଅଚିନ୍ତା କରାଇ କାହିଁ ନେଇ ଠାବ ଦେବ ।

 

ତିନି ପୁରଯାକ ଅସତ୍ୟ ହେଲାଣି ଧର୍ମ ଯାଉଅଛି ଛାଡ଼ି,

ବେଳକୁ ବେଳ ଅପ୍ରମାଣ ହେଉଛି ପଡ଼ୁଅଛି କାଳ ଧାଡ଼ି ।

 

ନିଜ ରୂପ ଧରି ମହାଘୋର କାଳ ବ୍ରହ୍ମାଣ୍ଡ ଭିତରେ ପଶି,

ଛପନା କୋଟି ହୃଦୟରେ ଘାଣ୍ଟୁଛି ହୋଇ କାଳଦଣ୍ଡ ଫାଶି ।

 

ଭବ ନଦୀରେ ଭସାଇ ନେଉଅଛି ଭାବନା କରାଇ ମୁଖେ,

ପ୍ରକୃତି ଭିତରେ ପକ୍ଷୀ ମହାମାୟା ଭୋଗ କରୁଅଛି ସୁଖେ ।

 

ଜନ ପ୍ରାଣୀମାନେ ବିଚାରୁ ଅଛନ୍ତି ଆମ୍ଭେ କରୁଅଛୁ ସବୁ,

ଅନ୍ୟାୟକୁ ନ୍ୟାୟ ଏକାକାର କରି କଳି ପୁରୁଷର ଯୋଗୁଁ ।

 

ଆତ୍ମା ଲିଙ୍ଗେ ପକ୍ଷୀ ରୂପ ଚର୍ମ ଭେଦି ପାଲଟି ନାଶୁଛି ପିଣ୍ଡ,

ତେଣୁ ପାଞ୍ଚ ମନ ପଚିଶ ପ୍ରକୃତି ଅଜ୍ଞାନରେ ପରଚଣ୍ଡ ।

 

ବେଳୁ ବେଳକୁ ବଚନ କହିଲାଣି ନାଶିବ ପିଣ୍ଡ ବ୍ରହ୍ମାଣ୍ଡ,

ସମସ୍ତଙ୍କୁ ଏକାବେଳେ ମୁଁ ଭକ୍ଷିବି ଛେଦି ପକାଇବି ମୁଣ୍ଡ ।

 

ଏ ବଚନ କାଳମୁଖେ ଭାଷିଲାଣି କେମନ୍ତେ ହେଉଛି କଥା,

ଏ ପିଣ୍ଡ ବ୍ରହ୍ମାଣ୍ଡ କେମନ୍ତେ ରହିବ ଲାଗୁଅଛି ମୋତେ ଚିନ୍ତା ।

 

ଏତେବେଳେ ଦେଖ ମହାଶୂନ୍ୟ ଦେହୀ ଛାଣିରଖ ଭବାର୍ଣ୍ଣବୁ,

ସତ୍ୟ ଧର୍ମ ଘେନି ଉଦେ ହୋଇଅଛ ଅଟ ଯେବେ ମହାପ୍ରଭୁ ।

 

ଏହିପରି କେତେ ବର୍ଣ୍ଣନା କରିବି ନ ଜାଣ କି ଗୁରୁଦେବ,

କହେ ଭୀମ ଭୋଇ ଏ ପାପୀ ଜୀବକୁ ନୀରନ୍ତରେ ଦୟା ଥିବ ।

***

 

ସପ୍ତଚତ୍ୱାରିଂଶତ୍‌ ବୋଲି

 

ଅରୂପ ଶରୀର ରୂପ ନାହିଁ ଯାର କେମନ୍ତେ ଚିହ୍ନିବି ମୁହିଁ,

ଦୟାକରି ମୋତେ ଦରଶନ ଦିଅ ଅନ୍ତର୍ଯ୍ୟାମୀ ଶୂନ୍ୟଦେହୀ ।

 

ଏକ ଗୋଟା ପାଦ ନିର୍ବେଦ ନିଃଶଙ୍କ ପଡ଼ିଅଛି ଶୂନ୍ୟ ଶବ୍ଦ,

ଅନାଦି ଅଗାଧ ଅଟଇ ସେ ଆଦ୍ୟ ଯେମନ୍ତେ ମିଳିବ ଭେଦ ।

 

ବ୍ରହ୍ମମଧ୍ୟେ ସାର ଧର୍ମ ଧନୁର୍ଦ୍ଧର କର୍ମ ଅଟେ ବୀରବର,

ଏକସ୍ଥାନେ ଥାଇ ସକଳ ଶରୀର ପୂରିଅଛ ତିନିପୁର ।

 

ଜଳସ୍ଥଳାନଳ ପବନ ଶରୀରେ ଭିତର ବାହାରେ ରହି,

ଶବଦ ସ୍ୱରୂପ ହୋଇ ଅଣରୂପ ଆତ୍ମାଭୂତ ପ୍ରାୟ ହୋଇ ।

 

ସାନ ଦେହେ ସାନ ବଡ଼ ଦେହେ ବଡ଼ ଜୀବ ଅଜୀବ ସମାନ,

ବିକାର ଅଣବିବାର ଠାବେ ବସି ନ ଥାଇଟି ଭିନ୍ନାଭିନ୍ନ ।

 

ଦୁଷ୍ଟ ଦୁରାଚାରେ ଦୈତ୍ୟ ଦାନବରେ ସକଳ ଘଟେ ବିଶ୍ରାମ,

କାହିଁ ଶୂନ୍ୟ ନାହିଁ ସକଳ ଭୂତରେ ବହି ଜୀବବ୍ରହ୍ମ ନାମ ।

 

 

 

ସନ୍ଥସାଗର ସାଧୁଜନ ପଣ୍ଡିତ କବିତ୍ୱ ହୃଦରେ ଥାଇ,

ଅନୁଭବ ଶକ୍ତି ଅଣାକାର ଜ୍ୟୋତି ଆକାଶରୁ ପଦ ଲିହି ।

 

ଅଶେଷ ମହିମା ବହିଅଛି ପ୍ରଭୁ କେତେ ବର୍ଣ୍ଣିବି ତୁମ୍ଭଙ୍କୁ,

ବ୍ରହ୍ମସାଗରରେ ମୁଁ ହଜି ଯାଉଛି ଆଶ୍ଚର୍ଯ୍ୟ ମଣି ମନକୁ ।

 

ମୋହ ବୁଦ୍ଧିବଳେ ଅନେକ ପ୍ରକାରେ ଧରି ମନ କରୁଅଛି,

ଯେତେ ଲୋଡ଼ିଲେ ତୁ ଚିହ୍ନା ନ ପଡ଼ୁଛୁ ବଚନ ନ କହୁ କିଛି ।

 

କି ନିମନ୍ତେ ମୋତେ ସାଧି ମାରୁଅଛୁ ଲାଗିଅଛି ତୋର କେତେ,

କାହିଁକି ଗୁପତେ ମଉନ ହେଉଛୁ ଫେଡ଼ି କହ ପ୍ରଭୁ ମୋତେ ।

 

କରୁଣାକଟାକ୍ଷ କୃପାହିଁ ତ ଦୟା ଯାହା ଦେଇଅଛୁ ମୋତେ,

ସେବା ଭକ୍ତି ଗୁଣ କଳନ୍ତର ଋଣ ଊଣା ହେଲା କେତେ କେତେ ।

 

ପାରୁ ପରିଯନ୍ତେ ଶୁଝୁଅଛି ମୁହିଁ ଘେନୁଛୁ କି ନାହିଁ ତୁହି,

ଜନମଯାକ ମୋ ବହି ଗଲାଣି ତ ଗଉଣୀରେ ମାପି ଦେଇ ।

 

ଚାରି ବରଷ ହୋଇଲାଣି ଆଜକୁ ତୋଠାରୁ ମୋ ଅଣା ନିଆ,

ବହିରେ ନ ଲେଖି ମାରୁଅଛୁ କୋପି କିପାଇଁ କରୁଛୁ ଏହା ।

 

ମୁହିଁ ଏକା ନେଇଅଛି ତୋହ ଋଣ ସମସ୍ତେ ତ ଛନ୍ତି ନେଇ,

ମୂଳ କଳନ୍ତର ବୁଝାଇବା ବେଳେ କିମ୍ପା ନ ଲେଖିଲୁ ବହି ।

 

ପୁଣି ଯେତେଠାରୁ ଆଣିଅଛି ମୁହିଁ ଏପରି କରିବୁ ମୋତେ,

ସାହୁ ରାହୁ ତୁହି ପାରି କରିନିଅ ଏବେ ମୁଁ କହୁଛି ତୋତେ ।

 

ସାହୁ ହୋଇ କରି ଖାତକଠାବରେ ମାୟା କରିବାର ନୁହେ,

ଅଶେଷ ବ୍ରହ୍ମାଣ୍ଡ ମହାଜନ ଅଟୁ ସମ୍ପତ୍ତି ତୋର ଅକ୍ଷଏ ।

 

ତେଣୁକରି ମୁହିଁ ଆଶ୍ରେ କରିଅଛି ଅନନ୍ତ ଭଣ୍ଡାରେ ସିନା,

ଶତେ ପୁରୁଷକୁ ଅଣ୍ଟିବ ବୋଲି ମୁଁ ମନେ କରିଛି ଭାବନା ।

 

ସାହୁ ଗଙ୍ଗାଜଳ ହୃଦୟ ନିର୍ମଳ ହେଲେ ଖାତକକୁ ଲାଭ,

ଖାତକ ଶୁଝିଲେ ସାହୁ ନେଉଥିଲେ ସବୁଦିନେ ପ୍ରୀତି ଥିବ ।

 

ତୋହୋ ଦାନାପାଣି ଛପ୍‌ନା କୋଟି ପ୍ରାଣୀ ଖାଇ ସମସ୍ତେ ଆନନ୍ଦ,

କାହାକୁ କେଉଁ ପରକାରେ ଦେଉଛୁ ତୁ ଜାଣିବୁ ସେହି ଭେଦ ।

 

ଏବେ ଶ୍ରୀଛାମୁରେ ବିନତି କରୁଛି ଘେନ ମୋହର ବଚନ,

ଭଣେ ଭୀମକନ୍ଧ କବି କୁଳଚାନ୍ଦ ଗୁରୁ ପୟରେ ଶରଣ ।

***

 

ଅଷ୍ଟଚତ୍ୱାରିଂଶତ୍‌ ବୋଲି

 

ତୁମ୍ଭେ ଯେବେ ସାହୁ ମୁଁ ଅଟେ ଖାତକ ପାରିକର କେଉଁ ରୂପେ,

ବ୍ରହ୍ମସ୍ୱର କଥା ବ୍ରହ୍ମଶର ଅଟେ ମଗ୍ନ ହେବି ବୋଲି ପାପେ ।

 

ଗଳାରେ ବସନ ଦନ୍ତରେ ତିରଣ ପାଦ ଧରି କହୁଅଛି,

ଶ୍ରୀଗୁରୁ କୋପକୁ ବଡ଼ ଭୟ ମୋର ବାରମ୍ବାର ଜଣାଉଛି ।

 

ନୋହିଲେ ପ୍ରସନ୍ନ କି ପାଇବି ଧନ ହେବି ଦରିଦ୍ର ଅବସ୍ଥା,

ଅଣହେଳା କଲେ ଝୁଙ୍କି ମୁଁ ପଡ଼ିବି ଆଗୁ ରଖୁଅଛି କଥା ।

 

କୌଣସି ପ୍ରକାରେ ଋଣଠାରୁ ମୋତେ ପାରି କର ଗୁରୁସ୍ୱାମୀ,

ଅନ୍ତର୍ଗତ କଥା ଜାଣୁଥିବ ମୋର ଅଣାକାର ଅନ୍ତର୍ଯ୍ୟାମୀ ।

 

ବହୁତ ଅବସ୍ଥା ହୋଇଲାଣି ମୋତେ କି କରିବି ଗୁରୁ କହ,

କି ପ୍ରକାରେ ମୋତେ ନିଆରା କରିଛ ତାତପରିଯରେ ଥୁଅ ।

 

ପ୍ରଭୁଙ୍କୁ ନ କହି କାହାକୁ କହିବି କେ ବୁଝିବ ମୋର ଦୁଃଖ,

ଦୁଃଖୀଜନ ବନ୍ଧୁ ଅଟ ପରା ତୁମ୍ଭେ କୃପା କରି ମୋତେ ରଖ ।

 

 

 

କା ଆଗେ କହିଲେ କେହୁ ସେ ବୁଝିବ ଶୁଣିବ ମୋର ଗୁହାରି,

କେହି ନ ଦିଶନ୍ତି ତୁମ୍ଭେ ତ ଦିଶୁଛ ଅରୂପ ଶୂନ୍ୟବେହାରୀ ।

 

ଗୁରୁ ଆଗେ ଶିଷ୍ୟ ନ କହିବ ଯେବେ କାହୁଁ ପାଇବ ସୁବୁଦ୍ଧି,

ସୁଦୟାରେ ଗୁରୁ ସାଗର ଅଟନ୍ତି ପ୍ରତ୍ୟେକ୍ଷ କରୁଣାନିଧି ।

 

ହାନି ଲାଭ ହେଲେ ନ କହିବ ଯେବେ କେମନ୍ତେ ବଞ୍ଚିବ ଦିନ,

ଗୁରୁ ତ ମୋହର ସକଳ କାରେଣି ଦରିଦ୍ର ପ୍ରାଣୀଙ୍କ ଧନ ।

 

ପିଣ୍ଡ ପ୍ରାଣ ରକ୍ଷା କେହି ନ ଅଟନ୍ତି ଏକା ଗୁରୁଦେବ ବିନୁ,

ମେଦିନୀରେ ଥାଇ ସକଳ ଜାଣୁଛି ଜନ୍ମ ହେଲି ଯେତେଦିନୁ ।

 

ଦୁଲଭ ଜନମ ସୁଲଭ କରମ ଦେଉଥିବ ଯୁଗେ ଯୁଗେ,

ବାହ୍ୟ ଅନ୍ତରେ ପରାପର ନ କରି ରଖିଥିବ ସଙ୍ଗେ ସଙ୍ଗେ ।

 

ପାଦପଦ୍ମେ ମୋତେ ଦୋଷୀ ନ କରିବ କ୍ଷମା କରିଥିବ ଚିତ୍ତେ,

ନିର୍ମାଲ୍ୟକୁ ତୋର ଅନୁସରି ଅଛି ଦୟା ଥିବ ଅନ୍ତର୍ଗତେ ।

 

ସତ୍ୟଧି ପୁରୁଷ ଭଗତବିଶ୍ୱାସ ମହାଶୂନ୍ୟେ ତୁମ୍ଭ ବାସ,

ଅରୂପ ବୋଲନ୍ତେ ଆଶା କରିଅଛି ଅରୂପ ଶୂନ୍ୟ ଆକାଶ ।

 

ସର୍ବଠାରେ ଥାଅ ଉତ୍ତର ନ ଦିଅ ବଡ଼ ଅସମ୍ଭବ କଥା,

ଚିହ୍ନିବ ବୋଇଲେ ଚିହ୍ନାହିଁ ନ ଦିଅ ଛେଚି ହେଉଥିଲେ ମଥା ।

 

ଆୟରେ ଆନନ୍ଦ ବ୍ୟୟରେ ଆନନ୍ଦ ବେନିଠାରେ ସମାସମ,

ତେଣୁକରି ପ୍ରଭୁ ଶକତି ବହିଲ ଅଲେଖ ଅନାଦି ବ୍ରହ୍ମ ।

 

ବ୍ରହ୍ମ ବ୍ରହ୍ମ ବୋଲି ଡାକ ପାରୁଅଛି କଣ୍ଠ ଯାଉଅଛି ଶୁଖି,

ଗୁରୁ ମୋତେ ସଦା ସର୍ବଦା ଦେଖୁଛ ଶୂନ୍ୟ ମଧ୍ୟେ ହୋଇ ସାକ୍ଷୀ ।

 

ବାରେ ହେଲେ ଘେନ ଏ ମୋର ବିନତି ନ କର ମୋତେ ନିରାଶ,

ଦୋଷ ଅପରାଧ କ୍ଷମା କରି ଗୁରୁ ଯୁଗେ ଯୁଗେ କର ଦାସ ।

 

ଅନାଦର କରି ଫୋପାଡ଼ି ନ ଦିଅ ଦୟା କର ଶୂନ୍ୟବାସୀ,

କଳିଯୁଗେ ମୁହିଁ କଷଣ ପାଉଛି ତ୍ରିପୁର ମଧ୍ୟରେ ଆସି ।

 

କାହିଁ ମୁଁ ପଡ଼ିଲି କେଉଁ ପଥେ ଯିବି କହିଦିଅ ସ୍ୱାମୀ ବାଟ,

ଯହିଁ ଅନାଇଲେ ତହିଁ ପଶୁଛନ୍ତି କଳି ପୁରୁଷରେ ଥାଟ ।

 

ନିଶି ଦିବସରେ ଭାଳେଣି ପଡ଼ିଛି ମାୟା ସଂସାରକୁ ଚାହିଁ,

ଭଣେ ଭୀମ ହୀନ ପାମର ଅଜ୍ଞାନ ଗୁରୁ ପାଦେ ଚିତ୍ତ ଦେଇ ।

***

 

ଊନପଞ୍ଚଶତ୍‌ ବୋଲି

 

ଶୂନ୍ୟ ଶୂନ୍ୟ ମହାଶୂନ୍ୟରେ ବିଶ୍ରାମ ନାମ ଅଟଇ ନିର୍ବେଦ,

ନ କରି ଅଇଁଠା ନ ପାଇ ତୋ ମିଠା କେ ପାଇବ ପ୍ରତିବୋଧ ।

 

ନ ଦେଖି ତୁମ୍ଭଙ୍କୁ କେ ସନ୍ତୋଷ ହେବ ନାହିଁ ଯହିଁରେ ଶରୀର,

ଅନୁଭବ କରି ଥୟ କେ କରିବ ହୃଦରେ ଧଇର୍ଯ ଧର ।

 

ନ ଚିହ୍ନି କାମନା ସୁଶନ୍ତି ଭଜିବ ବର୍ଣ୍ଣ ଚିହ୍ନ ଯାର ନାହିଁ,

ନ ପାଇ କେହୁ ପରତେ ଯିବ ମନେ ନାହିଁ ଯାର ହାଇ ଛାଇ ।

 

ଅଦେହ ଶ୍ରୁତିରେ କେ ଆଶ୍ରେ କରିବ ଭଜି କାହା ମନେ ଦମ୍ଭ,

ଶୂନ୍ୟରେ ବିଶ୍ୱାସ କେ କରୁ ସାହସ ଦୃଢ଼ରେ ହେବ ଆରମ୍ଭ ।

 

ନ ଜାଣି ନ ଶୁଣି କେହୁ ଚିତ୍ତ ଦେବ ତୁଚ୍ଛାକୁ ଭରସା କରି,

ନାମ ନାହିଁ ଯହିଁ ମୁଖେ ନୁହେ କହି କେବଣ ଆଶାକୁ ଧରି ।

 

ନ ବୁଝି ନ ଗମି କେ ପ୍ରୀତି କରିବ ଧରିବାର କଥା ନୁହେଁ,

ଆପ ମନେ ଜାଣି ସୁଶାନ୍ତିକିଘେନି କେଉଁ ଜନ ଧୀରେ ରହେ ।

 

 

 

ନ ଖାଇ କେହୁ ଜିହ୍ୱାକୁ ବୁଲାଇବ ଆସ୍ୱାଦେ ସନ୍ତୋଷ ପାଇ,

ଆକାଶକୁ ଚାହିଁ ଅମନେ ମନାଇ କେ ପାରିବ ଧର୍ମେ ରହି ।

 

ନ ଗମି ତୁମ୍ଭଙ୍କୁ କେ ଲଭି ପାରିବ ପଢ଼ିଣ ଶାହାସ୍ର ପଥ,

ବୁଦ୍ଧି ପାଞ୍ଚନା କରି ବ୍ରହ୍ମ ଲଭିବି ବୋଲି କେ କରିବ ସତ ।

 

ନ ପଶି କେହୁ କଳଣା କରି ବ୍ରହ୍ମ ମନରେ ହେବ ଆନନ୍ଦ,

ବିନା ଆଶରାରେ କେ ପାତିବ ଶିର କର୍ଣ୍ଣେ ଣୁଣି ଅଧାଧୁନ୍ଦ ।

 

ବିନା ପ୍ରଚେ ହୋଇ ଦିନ ବଞ୍ଚିବାର ବହୁତ କଠିନ କଥା,

ପ୍ରକୃତି ଶରୀରେ କେ କରିବ ଧ୍ୟନ କାହୁଁ ପାଇବ ବାରତା ।

 

ନର ଦେହ ବହି ନିରତେ ତୁମ୍ଭଙ୍କୁ କେ ଭଜି ପାରିବ ଠିକେ,

ଅନାମରୁ ନାମ କ୍ଷରାକ୍ଷର କରି କେ ଜପି ପାରିବ ମୁଖେ ।

 

ନିଶବ୍ଦରୁ ଶବ୍ଦ କେ କାଢ଼ି ପାରିବ ବୁଦ୍ଧିବଳ ପୂରେ ନାହିଁ,

ବ୍ରହ୍ମସାଗର ଅଗାଧ ସିନ୍ଧୁ ଅଟେ ଥଳ କୂଳ ନ ମିଶଇ ।

 

ମହିମାସାଗର ଝାସିପଶିବାକୁ କାହାର ଭରସା ଅଛି,

ବ୍ରହ୍ମମୟ ପୁର ଅଦ୍ଭୁତ ମନ୍ଦିର ଜ୍ଞାନନେତ୍ରେ ନ ଦିଶୁଛି ।

 

ଯୋଗିଜନମାନେ ଧ୍ୟାନ କରି କରି ରହି ଗଲେଣି ଅନେକ,

ପାଇଲେ କି ନାହିଁ କେ ତାହା ଜାଣଇ ଯୋଗ ଘରେ କରି ସଖ୍ୟ ।

 

ତିନି ଭୁବନରେ ଲୋଡ଼ୁଛନ୍ତି ତୋତେ ଅନ୍ତ ନ ପାଇଲେ ନାମ,

ବ୍ରହ୍ମ ବ୍ରହ୍ମ ବୋଲି ଅନୁସରି ସରି ଲଭିଗଲେଣି ମରଣ ।

 

ନ ଜାଣିମା ଲୋକେ ବୋଲନ୍ତି ତୁମ୍ଭଙ୍କୁ ଚିହ୍ନିଅଛୁ ଆମ୍ଭେ ବ୍ରହ୍ମ,

ମିଛ କଥାରେ ସେ ଭ୍ରମି ହେଉଥାନ୍ତି ଯେସନେକ ପଥଶ୍ରମ ।

 

ନିଷ୍କାମ ପଥରେ ବଡ଼ିମା ନ ଚଳେ ଛିଡ଼ିପଡ଼ିବାର ହୁଏ,

ଅଜ୍ଞାନୀ ଜୀବ ଏ ପ୍ରକୃତି ବିଚାର ଯେଣୁକରି ଦେହ ବହେ ।

 

ଜାଣିବାର ଲୋକେ ନିଊନ ହୁଅନ୍ତି ନ କରନ୍ତି ବେଦବାଦ,

ଅଖଣ୍ଡ ବ୍ରହ୍ମକୁ ଖଣ୍ଡ ନ୍ୟାୟ କଲେ ଅଙ୍ଗେ ପଡ଼େ ପରମାଦ ।

 

ମୂର୍ଖ ପ୍ରାଣୀମାନେ ନ ଜାଣି ଚିତ୍ତରେ କରନ୍ତି ଉଦଣ୍ଡ ଜ୍ଞାନ,

ନ ବୁଝି ନିନ୍ଦା କଲେ ସତ୍ୟ ଧର୍ମକୁ ପରମାୟୁ ହୁଏ କ୍ଷୀଣ ।

 

ସାଧୁଜନମାନେ ବିଚାରଣା କର ଅଜ୍ଞାନ କି ଜ୍ଞାନ ଅଟେ,

ଭଣେ ଭୀମଭୋଇ ଗୁରୁପାଦ ଧ୍ୟାୟି ନିରନ୍ତରେ ସେବା ଖଟେ ।

***

 

Unknown

ପଞ୍ଚାଶତ୍‌ ବୋଲି

 

କଳିଯୁଗେ ମୋତେ ସଙ୍କଟ ପଡ଼ିଲା ନର ଅଙ୍ଗେ ଅବତରି,

କି ବୁଦ୍ଧି କରିବି ବୁଦ୍ଧି ଦିଶୁନାହିଁ ଅଲେଖ ଶୂନ୍ୟ ବେହାରୀ ।

 

ଦିବସ ପାହିଲା ରଞ୍ଚନା ସରିଲା ବିଚାର କରିବି କିସ,

ଆଜି କାଲି ବୋଲି ସଂସାର ଭିତରେ ଯୁଗ ହୋଇଲାଣି ଶେଷ ।

 

ନେତ୍ରେ ଦେଖୁ ଦେଖୁ ଚିହ୍ନି ନ ପାରିଲେ ତିନି ଭୁବନର ଲୋକ,

ସତ୍ୟଧର୍ମଠାରୁ ଆହୁରି ମାଗୁଅଛନ୍ତି ପରୀକ୍ଷା ।

 

କେମନ୍ତ ପ୍ରକାରେ ତ୍ରିପୁର ସଂସାରେ ପାଇବେ ଆତ୍ମାରେ ବୋଧ,

ଅଚେତା ହୋଇ ସମସ୍ତେ ପଡ଼ିଛନ୍ତି ଖାଇଛନ୍ତି ମାୟାମଦ ।

 

ଆଣ୍ଟୁଆ ପଣରେ ସରବେ ଅଛନ୍ତି ନିହାଇ ଭାଙ୍ଗେ ଗରବ,

ବଡ଼ଲୋକ ହୋଇ ଗାରିମା ବହିଲେ ଅଜ୍ଞାନ ପଣରେ ସର୍ବ ।

 

ଅଜ୍ଞାନ ଆଚାରେ ନିନ୍ଦିତ ବିଚାରେ କରୁଛନ୍ତି ଉପହାସ,

ମୁହିଁ କୋପ କଲେ କି କାର୍ଯ୍ୟ ହୋଇବ ବୁଝ ପ୍ରଭୁ ଜଗଦୀଶ ।

 

 

 

ବୋଲାଇ ନୃପତି ନିନ୍ଦା କରୁଛନ୍ତି ବସି ଦଣ୍ଡ ସିଂହାସନେ,

ହସ୍ତ ଝାଡ଼ି ମୁଖ ଶିରକୁ ହଲାଇ କହୁଛନ୍ତି ଗର୍ବମନେ ।

 

ତୁମ୍ଭର ଗୁରୁଙ୍କ ତୁମ୍ଭେ ସେବାକର ନୁହନ୍ତି ଆମ୍ଭର ଗୁରୁ,

ପରୀକ୍ଷା କରି ତୁମ୍ଭେ ସେବା କରୁଛ ଆମ୍ଭେ ନ ପାଇ ଆଦ୍ୟରୁ ।

 

ସଭା ବିଦ୍ୟମାନେ ହାସ୍ୟ ଆନୁକ୍ଷଣେ ଦଶ ପାଞ୍ଚ ହୋଇ ମେଳ,

ସୁର ଅସୁର ଏକ ଠାବରେ ମିଳି ବିଚାରୁ ଅଛନ୍ତି ଖଳ ।

 

କଉତୁକ କରି ଗେଲରେ ପଚାରି ମହିମା ତୁମ୍ଭେ ଭଜିଛ,

କଥାଏ ତୁମ୍ଭଙ୍କୁ ପଚାରୁଛୁଁ ଆମ୍ଭେ ନାହିଁ କହ ପରା ମିଛ ।

 

କେତେ ଦିବସେ ସତ୍ୟଯୁଗ କରୁଛ ଏକଠାବେ ପରା ଖାଅ,

ଦାରା କର୍ମ କରି ମଦ ମାଂସ ଭକ୍ଷି ସମସ୍ତଙ୍କ ଜାତି ନିଅ ।

 

ସ୍ତିରୀ ପୁରୁଷ ମୁଣ୍ଡିଆ ମରାମରି ହେଉଅଛ ପରା ତୁମ୍ଭେ,

ସମସ୍ତେ ଆସି ଆମ୍ଭ ଆଗେ କହିଲେ କର୍ଣ୍ଣରେ ଶୁଣୁଛୁ ଆମ୍ଭେ ।

 

ପୁରୁଷମାନେ ସର୍ବଘରେ ଭକ୍ଷିଲେ କଲେ ମହିମା ଭଗତି,

ସ୍ତିରୀମାନେ ଆଦି ମହିମା ଭଜିଲେ କିପାଁ ବୁଡ଼ାଇଲେ ଜାତି ।

 

ଭଲ ଘର ଝିଅ ଭଲ ଘର ବୋହୂ ଯାଉଛନ୍ତି ନଷ୍ଟ ହୋଇ,

ଛତିଶ ପାଟକ ଏକଜାତି ହେଉ ଏହା ଲେଖିଥିଲା ବିହି ।

 

କଳିଯୁଗ ମଧ୍ୟେ ବୋଲୁଥିଲେ ଯାହା ମେଳଛ ହୋଇବେ ସର୍ବେ,

ତୁମ୍ଭେମାନେ ଯେଉଁ କର୍ମ କରୁଅଛ ନେତ୍ରରେ ଦେଖୁଛୁ ଏବେ ।

 

ଉଶ୍ୱାସ ଲୋକ ତୁମ୍ଭେମାନେ ସମସ୍ତେ ମନିଷକୁ ବୋଲ ପ୍ରଭୁ,

ଯାହାକୁ ତୁମେ ପରଂବ୍ରହ୍ମ ବୋଲୁଛ ଦେଖିଅଛୁ ତାଙ୍କୁ ସବୁ ।

 

ପିତାମାତା ଗୃହ କୁଟୁମ୍ବ ଅଛନ୍ତି ସେହି କି ଅଟଇ ବ୍ରହ୍ମ,

ବ୍ରାହ୍ମଣ ବୈଷ୍ଣବ ଶୁଦ୍ର ଆଦି କରି ସମସ୍ତେ ହେଉଛ ଭ୍ରମ ।

 

ଜନମ ଭୂମି ଦେଖିଛୁ ଆମ୍ଭେମାନେ ବାଳୁତ ଦିନୁ ପ୍ରମାଣେ,

କେହୁ ବୋଲେ ବୃତ୍ତ ଫନ୍ଦା କରୁଥିଲେ କେ ପରତେ ଯିବ ମନେ ।

 

କେ ବୋଲେ ସଂସାରୀ ମତେ ରହିଅଛି ଆମ୍ଭରି ପରାଏ ହୋଇ,

କେଉଁଶକତି ଦେଖି ପ୍ରଭୁ ବୋଲିବା ହେଉଛନ୍ତି କୁହାକୁହି ।

 

ମନର ବିଚାର ପଡ଼ିଛି ଇଝାର ଚିତ୍ତେ ଅପମାନ ହୋଇ,

ଭଣେ ଭୀମ ଭୋଇ ସହସ୍ର ପଦରେ ଶୂନ୍ୟବାସୀଙ୍କି ଜଣାଇ ।

***

 

ଏକପଞ୍ଚାଶତ୍‌ ବୋଲି

 

ସ୍ତିରୀ ପୁରୁଷ ଏକାନ୍ତ ମତ ହୋଇ ନିନ୍ଦା କରୁଛନ୍ତି ମୁଖେ,

ପାଖକୁ ଗଲେ ଆଡ଼ ହୋଇ ପଳାନ୍ତି ତିନି ଭୁବନର ଲୋକେ ।

 

ଦୁରୁ ଦେଖିଲେ ବୋବି ମାରୁଅଛନ୍ତି କରୁଛନ୍ତି ଉପହାସ,

ବାବା ମାତା ଯୂଥ ଯୂଥ ଫେରୁଛନ୍ତି ଦେଖ କେବଣ ଭବିଷ ।

 

ଗତି ମୁକତି ନାହିଁନା ଏହାଙ୍କର ଗଲେ ଏ ସମସ୍ତେ ଭାସି,

ପିତୃ ଦେବତା ଇଷ୍ଟବନ୍ଧୁ ଛାହିଁଲେ କଣ୍ଠେ ଲଗାଇଲେ ଫାଶି ।

 

ଦେବୀ ଦେବତା ବ୍ରହ୍ମା ବିଷ୍ରୁ ଶିବଙ୍କୁ ନିନ୍ଦା କରି ଗର୍ବ ବାକ୍ୟେ,

ପାଗଳ ଅଟନ୍ତି କିଛି ନ ଜାଣନ୍ତି ବଡ଼ ଅବିବେକ ଲୋକେ ।

 

ଏକୂଳେ ସେ କୂଳେ କାହିଁରେ ନୋହିଲେ ମଧ୍ୟରେ ଗଲେଣି ବୁଡ଼ି,

ଧନ ସମ୍ପଦ ଦାରାସୁତଙ୍କୁ ତେଜି ପଳାଉ ଅଛନ୍ତି ଛାଡ଼ି ।

 

ଗାଧୈବା ଖାଇବା ଦି କଥା ଜାଣନ୍ତି ଆଉ ନ ଜାଣନ୍ତି କିଛି,

ବେଦ ଶହାସ୍ର ବଚନ ନ ମାନନ୍ତି ପକାଉଅଛନ୍ତି ଲେଛି ।

 

 

 

ଦେବୀ ଦେବତା କାହାକୁ ନ ମାନନ୍ତି ଆବର ଦାରୁ ପ୍ରତିମା,

ତୁଳସୀ ପତ୍ର ଖାଅ ବୋଲି ବୋଇଲେ ଆଣ ତ ଶିରେ ମୂତିବା ।

 

ଗୀତା ଭାବେତ ପଢ଼ି ବୋଲୁଛନ୍ତି ତା ପରେ ଥୁଅନ୍ତି ଗୋଡ଼,

ମହିମା ଭଜା ଲୋକ ଏମନ୍ତ ଭାବ ଅଜ୍ଞାନ ପାମର ମୂଢ଼ ।

 

ଏହା କହୁଛନ୍ତି ତିନି ଭୁବନରେ କି ବୁଦ୍ଧି କରିବୁ ଆମ୍ଭେ,

ମହାପୁରୁଷ ଅଲେଖ ଶୂନ୍ୟବାସୀ ବିଚାରଣା କର ତୁମ୍ଭେ ।

 

କେହି ନାହିଁ ସହୁଅଛନ୍ତି ଆମ୍ଭଙ୍କୁ କେମନ୍ତେ ବୁଦ୍ଧି କରିବୁଁ,

ଅନ୍ତର୍ଯ୍ୟାମୀ ପ୍ରଭୁ ଜାଣି ଦୟାକର ଯେଉଁ ପ୍ରକାରେ ରହିବୁଁ ।

 

ସ୍ୱର୍ଗ ମର୍ତ୍ତ୍ୟେ ପାତାଳେ ଠାବ ନାହିଁନା ଯହିଁ ଗଲେ କଲେ ନିନ୍ଦା;

ଅଲେଖ ଏକ ପାଦେ ପିଣ୍ଡ ପରାଣ ଯେଉଁ ଦିନୁ ହେଲା ବନ୍ଧା ।

 

ନରଲୋକେ ବୋଲୁଛନ୍ତି ଆମ୍ଭ କର୍ମ ଛାଡ଼ି ଅନ୍ୟ କର୍ମ କଲେ,

ପିତୃ ପିତାମହ ଯାଇନାହିଁ ଯହିଁ ସେହି ମାର୍ଗରେ ଚଳିଲେ ।

 

ଭୋଗ ପରସାଦ ନ ଖାଇଲେ ଯେବେ ସେ କାହିଁ ଆମ୍ଭର ସଙ୍ଗ,

ତାଙ୍କ ଆମ୍ଭ ପନ୍ଥା ଏକାନ୍ତ ନୋହିଲା ପୀରତି ତ ହେଲା ଭଙ୍ଗ ।

 

ମହିମା ବୋଲିବା ବେଦଶାସ୍ତ୍ରେ ନାହିଁ କର୍ଣ୍ଣରେ ନ ଥିଲ ଶୁଣା,

ଏବେ ଏହି ଦୀକ୍ଷା କାହିଁରୁ ଅଇଲା ହେଉଅଛୁ ଆମ୍ଭେ ବଣା ।

 

ମରିଯିବୁ ପଛେ ମହିମା ନ ଭଜୁକେ ପାରେ ପ୍ରାତରୁ ଗାଧି,

ଦିବସେ ଖାଇ ଉଦେ ଅସ୍ତେ ଦର୍ଶନ କେ ହୋଇବ ଏତେ ସାଧି ।

 

ସପତ ପୁରୁଷ ଯହିଁ ଯାଇଛନ୍ତି ସେହି ବାଟେ ଆମ୍ଭେ ଯିବୁ,

ଜାତି ଗୋତ୍ର ବୁଡ଼ୁଅଛି ଏ ଧର୍ମରେ କିମ୍ପା ମହିମା ଭଜିବୁ ।

 

ସୁରଲୋକେ ବୋଲୁଛନ୍ତି ଆମ୍ଭ ସ୍ଥାନ ଛଡ଼ାଇ ବସିବେ ମାଡ଼ି,

ତପସ୍ୟା ଦେଖି ଆମ୍ଭ ଦେହ ନ ସହେ ବିଘ୍ନକର ଯାନ୍ତୁ ଛାଡ଼ି ।

 

ତପୋବନ୍ତ ହେବେ ଇନ୍ଦ୍ରପଦ ନେବେ ପଶିବେ ସୁର ଭୁବନେ

ଅଇଶୁର୍ଯ୍ୟ ଭୋଗ ସମସ୍ତେ ଭୁଞ୍ଜିବେ ବସିବେ ଶୂନ୍ୟ ବିମାନେ ।

 

ନିରନ୍ତରେ ସଙ୍ଗେ ସଙ୍ଗେ ଲାଗିଥାଅ ରଞ୍ଜୁ ଥାଅ ନଟକୂଟ,

ଅତି ଯତ୍ନ କରି ମାୟାରେ ପକାଅ ବ୍ରହ୍ମକୁ ନ ପାନ୍ତୁ ଭେଟ ।

 

କୌଣସି ପ୍ରକାରେ ବୁଝାମଣା ହେଉ କରୁଅଛୁ ପ୍ରତିଆଶା,

କହେ ଭୀମଭୋଇ ଗୁରୁପଦ ଧ୍ୟାୟି ପଡ଼ୁଛି ବହୁତ ଦଶା ।

***

 

ଦ୍ୱି ପଞ୍ଚାଶତ୍‌ ବୋଲି

 

କର୍ଣ୍ଣେପଥେ ପଶି ବେନି ନେତ୍ରେ ବସି କରାଉ ଅଛନ୍ତି ମୋହ,

ନିଷ୍କମ ଧର୍ମପଥ ଆଶ୍ରେ କରନ୍ତେ ବୋଲନ୍ତି ଛାଡ଼ିଣ ଦିଅ ।

 

ଦେବଗଣମାନେ ପ୍ରାଣୀଙ୍କ ହୃଦରେ ପ୍ରକୃତି ସ୍ୱରୂପେ ବସି,

ଆତ୍ମା ଲିଙ୍ଗରେ ଲିପିତ ହୋଇଛନ୍ତି କରାଉ ଅଛନ୍ତି ଦୋଷୀ ।

 

ମନ ବୁଦ୍ଧି ବିଚାରରେ ଚେତା ଘରେ ଦେଉଛନ୍ତି ସମୁଜାଇ,

ନାଗ ସର୍ପ ପରି ଉଠି ପ୍ରାଣୀମାନେ ଗର୍ବେ ପାରୁଛନ୍ତି କହି ।

 

ଦେବକୂଟ ବୋଲି ଜାଣିବାକୁ ନାହିଁ ବୋଲନ୍ତି ଆମ୍ଭେ କରୁଛୁଁ,

ଏମାନେ ସର୍ବେ ବିଅର୍ଥକୁ ଗଲେଣି ଆମ୍ଭେ ଜାତି କୂଳେ ଅଛୁଁ ।

 

ସୁରଗଣ କୂଟ ଲାଗିଅଛି ସଙ୍ଗେ ପଞ୍ଚମ ଗୁଣକୁ ଧରି,

ବିଅର୍ଥେ ଆୟୁଷ କ୍ଷୟ କରୁଛନ୍ତି ମହିମାକୁ ନିନ୍ଦା କରି ।

 

ଦେବତାମାନେ ବୋଲୁଛନ୍ତି ଆମ୍ଭର ସଙ୍ଗ ଛାଡ଼ି କିପାଁ ଗଲେ,

ଆମ୍ଭର କର୍ମ ଧର୍ମ ସବୁ ଛାଡ଼ିଲେ ବ୍ରହ୍ମଲୋକ ସଙ୍ଗ ହେଲେ ।

 

 

 

ଆମ୍ଭର ଭୋଗ ଉଚ୍ଛିଷ୍ଟ ନ ଖାଇଲେ ନ କଲେ ଆମ୍ଭଙ୍କୁ ପୂଜା,

ଦେବତା ସେବା ଭକ୍ତି ସବୁ ଛାଡ଼ିଲେ ହେଲେ ବ୍ରହ୍ମର ତନୁଜା ।

 

ଗୋରସ ତଣ୍ଡୁଳ ଭୁଞ୍ଜିକା ଆଧାର ପୂଜାକଲେ ଗୁରୁପାଦେ,

ତେଣୁ କରି ଆମ୍ଭ ଚ୍ୟୁତ ହେଲା ବିଘ୍ନ କର ଅପ୍ରମାଦେ ।

 

ଯେଉଁ ପୁଷ୍ପ ଆମ୍ଭଶିରରେ ଲାଗଇ ଗୁରୁପାଦେ କଲେ ଯୋଗ୍ୟ,

ରଙ୍ଗ ଶୁକଳ ଆବର ଯେତେ ପୁଷ୍ପ ଚରଣରେ କଲେ ଭୋଗ୍ୟ ।

 

ତେଣୁକରି ଦେବେ ସହି ନ ପାରିଲେ ବିଘ୍ନ କଲେ ଘନ ଘନ,

ଜନ୍ତୁଙ୍କ ହୃଦେ ପ୍ରକୃତିରୂପେ ପଶି ହରୁଛନ୍ତି ପ୍ରାଣୀ ମନ ।

 

ବିଷ୍ଣୁ ଲୋକେ ବୋଲୁଛନ୍ତି ଆମ୍ଭ ଭୋଗ ସବୁଯାକ କଲେ ମାରା,

ଆବର ଯେ ଚୁଆ ଚନ୍ଦନ କର୍ପୂର କଲେ ସପ୍ତାମୃତ ଧାରା ।

 

ଦଧି ଦୁଗ୍‌ଧ ଗୁଡ଼ ମଧୁ ଆଦି କରି ଗନ୍ଧବାସ ଯେତେ ଥିଲା,

ଧୂପ ଦୀପ ଷଡ଼ ଅର୍ଘ୍ୟ ସଞ୍ଚମାନ ତାହା ପୟରେ ଲାଗିଲା ।

 

ଦେବାଙ୍ଗ ବାସ ସର୍ବେ ଭୂଷଣ କଲେ ହେଲେ ଦେବ ବିଷ୍ଣୁ ଦେହୀ,

ଯେତେ ଦିନୁ ଧର୍ମ ଉଦେ ହୋଇଲାଣି ସେ ଦିନୁ ନେଲେ ଛଡ଼ାଇ ।

 

ଅବର ବୃକ୍ଷ ବଳ୍‌କଳ କୁମ୍ଭୀପଟ ଅବଧୂତ ବାନା କଲେ,

ଦେବୀ ଦେବତା କେହି ନ ମାନି ବୋଲି ଗୁରୁଦେବ ଆଜ୍ଞା ଦେଲେ ।

 

ଆମ୍ଭର ଅଙ୍ଗର ଭୂଷଣ ଯେତେକ ବିଭୁତି ଭୃତ୍ୟଅଙ୍ଗରେ ମଣ୍ଡିଲେ,

ଦେବଲୋକ ବିଷ୍ଣୁଲୋକଙ୍କୁ ଯେ ଆଦି ସ୍ୱହସ୍ତେ ଗର୍ବ ଗଞ୍ଜିଲେ ।

 

ନରତନୁ ବହି ସେବା କରୁଛନ୍ତି ଅଲେଖ ବ୍ରହ୍ମର ଆଳେ,

ଦେବାଦେବୀ ସବୁ ଅପୂଜା ରହିବେ ଫଳିବ ଏ ତିନିକାଳେ ।

 

ଏହାର ବିଚାର କରି ଏ ତିନିକୁଳ କରୁଅଛନ୍ତି ଉଦ୍ଦଣ୍ଡ,

ମନୁଷ୍ୟ ହୋଇ ବ୍ରହ୍ମ ସେବା ଖଟିଲେ ତପ ହେଉ ଖଣ୍ଡ ଖଣ୍ଡ ।

 

ନର ହୋଇ ଦେବମାୟା କି ଜାଣିବେ କର ଭଲ କରି କୂଟ,

ଆମ୍ଭର ପଣ ପାଟକ ଗଲା ବୋଲି ହେଉଛନ୍ତି ଛଟପଟ ।

 

ଅଲେଖ ମହିମା ନାମକୁ ଭଜିଣ ସର୍ବ କର୍ମ କଲେ ନାଶ,

ତିନିପୁରଯାକ କାହିଁ ନ ମିଳିବ ଦେବାଦେବୀଙ୍କର ବାସ ।

 

ନିରନ୍ତରେ ଧର୍ମେ ବିପତ୍ତ ପଡ଼ୁଛି ଲାଗିଅଛି ଦେବମାୟା,

ଗୁରୁପାଦ ଧ୍ୟାୟି ଭଣେ ଭୀମ ଭୋଇ ଶୂନ୍ୟବାସୀଙ୍କର ଦୟା ।

***

 

ତ୍ରି ପଞ୍ଚାଶତ୍‌ ବୋଲି

 

ବ୍ରହ୍ମାଗଣମାନେ ବିଘ୍ନ କରୁଛନ୍ତି ବେଦବାକ୍ୟ ନିନ୍ଦା କଲେ,

ଅଲେଖ ଧର୍ମରେ ସବୁ କାଟଗଲା ବୋଲି ମୁଁ କାର ବହିଲେ ।

 

ଆମ୍ଭର ବଚନ ଉଠାଇ ଦେଇଣ ନିର୍ବେଦ କଲେ ସ୍ଥାପନ,

ଚାରି ଯୁଗେ ବେଦବାକ୍ୟର ଘଟଣା ତାହା କେ କରିବ ଆନ ।

 

ବେଦ ଶାହସ୍ର ବାକ୍ୟକୁ ଛାଡ଼ି ଦେଇ ଅକର୍ମେ କଲେ ଭଗତି,

ବେଦବାକ୍ୟରେ ଯାହା କରଣି ଥିଲା ପାତାଳରେ ଦେଲେ ପୋତି ।

 

ଏଣୁକରି ଆମ୍ଭ ଦେହ ସହୁ ନାହିଁ ନିନ୍ଦା କରୁଥାଅ ନିତି,

ନିର୍ବେଦ ଧର୍ମ ଯେଉଁରୂପେ କଟିବ ତୁଟିବ ସେବା ଭଗତି ।

 

ବ୍ରହ୍ମଗଣ ବ୍ରହ୍ମାଣ୍ଡରେ ପୂରିଛନ୍ତି ବ୍ରାହ୍ମଣ ସ୍ୱରୂପ ହୋଇ,

ବ୍ରହ୍ମ ଚଣ୍ଡାଳ ସମସ୍ତେ ହୋଇଗଲେ ଜନମ ତ ଗଲା ବହି ।

 

ମନ୍ତ୍ର ଯନ୍ତ୍ର ତନ୍ତ୍ରସୂତ୍ରହୋମ ଯଜ୍ଞ ବେଦାନ୍ତ କରମ ଯେତେ,

ଧର୍ମ ଉଦେ ହ୍ୱନ୍ତେ ସର୍ବେ ନାଶ ଗଲେ ସିଦ୍ଧ ବଚନ ସହିତେ ।

 

 

 

ଏଣୁକରି ତୁମ୍ଭେ ମହିମଭଜଙ୍କୁ ସୁଖ ପାଅ ନାହିଁ କେହି,

ଯହିଁ ଦେଖ ତହିଁ ମୁଖେ ନିନ୍ଦା କର ହେନ୍ତୁ ବେଦବାକ୍ୟ ଦ୍ରୋହୀ ।

 

ଏହା ବୋଲୁଛନ୍ତି ବ୍ରହ୍ମଗଣମାନେ କି ବୁଦ୍ଧି କରିବୁ ଆମ୍ଭେ,

ଦିବସ ରଜନୀ ଭାଳେଣି ପଡ଼ିଛି ପ୍ରାଣ ରହୁ ନାହିଁ ଦମ୍ଭେ ।

 

ରୁଦ୍ରଗଣମାନେ ବୋଲୁଛନ୍ତି ପ୍ରଭୁ କର ଏହାଙ୍କୁ କଟାଳ,

ଚିତା ପଇତାମାନଙ୍କୁ ନିନ୍ଦା କଲେ ନାହିଁ ରଖିଲେ ମଙ୍ଗଳ ।

 

ଜଟା ବିଭୂତି କର୍ଣ୍ଣ ତାଟ ମୁଦୁରା ଜପ ତପ ନିନ୍ଦା କଲେ,

ରୁଦ୍ରକୁଳେ ବେଶ ଭୂଷଣାଦି ଯେତେ ହାସ୍ୟରେ ଉଡ଼ାଇ ଦେଲେ ।

 

ଶିବଲିଙ୍ଗମାନ ଯେଉଁ ସ୍ଥାନେଛନ୍ତି ତାଙ୍କୁ ବୋଇଲେ ପଥର,

ରୁଦ୍ର ଭଗତି ଅଳପ ଦୀକ୍ଷା ଅଟେ ବିଅର୍ଥେ ଭ୍ରମି ନ ମର ।

 

ତେଣୁ ସେ ଏହାଙ୍କୁ ରୁଦ୍ର ବିଘ୍ନ ପଡ଼ୁ ନୁହନ୍ତି ଭଗତି,

ଅନେକ ମାୟା ମୋହରେ ଭ୍ରମି ହ୍ୱନ୍ତି ନ ମିଳୁ ଗତି ମୁକତି ।

 

ରୁଦ୍ରଗଣମାନେ ଏମନ୍ତ ବିଚାରି କରୁଛନ୍ତି ବହୁମାୟା,

ବିଷୟାରେ ଆମ୍ଭେ ଭାସି ଯାଉଅଛୁଁ ନ ବୁଝିଲେ ଗୁରୁ ଏହା ।

 

ନାଗଗଣମାନେ ବିଘ୍ନ କରୁଛନ୍ତି ଦାନ୍ତଘାତରେ ବିଚାର,

ପାତାଳ ବିମ୍ବରୁ ବାହାର ହୋଇଣ ପବନ ତୋଳି ପ୍ରଖର ।

 

ନିଷ୍କାମ ଧର୍ମ ଲୋକଙ୍କୁ ଘାତ କର ଘୋଟିବ ନାହିଁ କି ବିଷ,

ବିଷ ନ କାଟିଲେ ତେବେ ସେ ଜାଣିବା ଅଲେଖବ୍ରହ୍ମରୁ ଶିଷ୍ୟ ।

 

ନାଗଲୋକମାନେ ଏମନ୍ତ ବିଚାରି ବହିଛନ୍ତି ମନେ ରୋଷ,

ଦୟା କରି ଆମ୍ଭ ପିଣ୍ଡ ପ୍ରାଣ ରଖ ପ୍ରଭୁ ଅଲେଖ ପୁରୁଷ ।

 

ଦିବସ ରଜନୀ ପଥ ଚାଲିବାକୁ ହେଉଛି ଚିତ୍ତରେ ଭୟ,

ସର୍ବ ବିପତ୍ତିରୁ ବଞ୍ଚାଇଣ ରଖ ଅଣାକାର ବ୍ରହ୍ମମୟ ।

 

ସହସ୍ରେକ ବାର ଚରଣେ ଶରଣ ତ୍ରାହିତ୍ରାହି ରଖ ରଖ,

ଗୁରୁପାଦ ସେବି ବିଅର୍ଥ ହେଉଛି ନିବାର ଭୃତ୍ୟଙ୍କ ଦୁଃଖ ।

 

କଳିଯୁଗ ଆସି ବାକି ରହିଲାଣି ଡରୁଅଛି ପଞ୍ଚୁପ୍ରାଣ,

ଶରଣପଞ୍ଜର ବାନା ବହିଅଛ ରଖ ଆରତଭଞ୍ଜନ ।

 

ଅତି ଆତଙ୍କରେ ଜଣାଣ କରୁଛ କର୍ଣ୍ଣେ ଶୁଣୁଛ କି ନାହିଁ,

ଗୁରୁପାଦ ଧ୍ୟାୟି ଭଣେ ଭୀମଭୋଇ ଛାମୁରେ କାକୁସ୍ଥ ହୋଇ ।

***

 

ଚତୁଃପଞ୍ଚାଶତ୍‌ ବୋଲି

 

ନରଲୋକ ହୃଦେ ଯୋଗମାୟା ପଶି କରୁଅଛି ନାନା ଛନ୍ଦ,

ଥରକୁ ଥର ବିପତ୍ତି ପଡ଼ୁଅଛି ସେବିଥାଅ ପାଦବିନ୍ଦ ।

 

ଦାନବଙ୍କ ହୃଦେ ଦେବଗଣ ପଶି ଲଗାଉଛନ୍ତି ଅରଷ୍ଟି,

ଏତେଦିନ ବହି ଗଲାଣି ସଂସାରେ ପାତକ ଧାରା ନ ତୁଟି ।

 

ଆଚାରିଙ୍କ ହୃଦେ ସୁରଗଣ ପଶି କରାଉଅଛନ୍ତି ଭ୍ରମ,

କଳିଯୁଗ ଶେଷ ହୋଇଲାଣି ଆସି ନ ଜାଣି ମହିମା ଧର୍ମ ।

 

ବ୍ରାହ୍ମଣଙ୍କ ହୃଦେ ବ୍ରହ୍ମଗଣ ପଶି କରୁଛନ୍ତି ଖଳବଳ,

ବେଦପତି ବ୍ରହ୍ମା ଭେଦ ନ ଜାଣଇ ଅଜ୍ଞାନ ମତ୍ତ ସକଳ ।

 

ରାଜାଙ୍କର ହୃଦେ ବ୍ରହ୍ମଗଣେ ପଶି କରୁଅଛନ୍ତି ଅଜ୍ଞାନ,

ବଡ଼ପଣ ପାଇଁ ମୂଢ଼ ହୋଇଲେଣି ନ ଗଣନ୍ତି ନ୍ୟାୟମାନ ।

 

ବୈଷ୍ଣବଙ୍କ ହୃଦେ ରୁଦ୍ରଗଣ ପଶି କରାଉଅଛନ୍ତି ମୋହ,

ନିଷ୍କାମ ନାମ ବ୍ରହ୍ମ ନିନ୍ଦା କରିଣ ଅର୍ଜି ସାରିଲେଣି ଦ୍ରୋହ ।

 

 

 

ନାଗରଙ୍କ ହୃଦେ ଭୂତଗଣ ପଶି କରାଉଅଛନ୍ତି ରୋଷ,

ଏହି ସପ୍ତକୁଳ ହୃଦୟ-ପଦ୍ମରେ ପଶିଛି ପାପ ପୁରୁଷ ।

 

ତ୍ରିପୁର ଅସତ୍ୟ ଅଗ୍ୟାନ ହେଲାଣି କାହାରି ନାହିନା ହେତୁ,

ସନ୍ଥ ସାଗରକୁ ଅହନ୍ତା କରିଣ ହୋଇଲେଣି ସର୍ବେ ଶତ୍ରୁ ।

 

ବସିଲା ଠାବରୁ ପାଦ ନ ଚଳିଲେ ଅଚିନ୍ତା ରହିବି କାହିଁ,

ଏତେ ଦିନ ବହି ଗଲାଣି ସଂସାରେ ବୁଝାମାଣା କଲ ନାହିଁ ।

 

ଛପନା କୋଟିରେ ସକଳ ଶରୀରେ ଘୋଟିଲାଣି ପାପପଙ୍କ,

କଳି ପୁରୁଷ ସମସ୍ତେ ମୂର୍ଖ ହେଲେ କି କହିବି ମୁଁ ଅଧିକ ।

 

ଧର୍ମ ଉଦେ ଦିନୁ ବତାଇ କହିଲି ଗୁରୁ ନାମ ହୃଦେ ଘୋଷ,

ଯେତେ ବତାଇଲେ ବିଶ୍ୱାସ ନ ଗଲେ ନାହିଁ ମୋର କିଛି ଦୋଷ ।

 

ଦିନୁ ଦିନୁ ମହା ଅନର୍ଥ ହେଲାଣି ଥୟ ନ ରହୁଛି ଦେଖ,

ବ୍ରହ୍ମ ନିନ୍ଦାକରି ମେଳଛ ହେଲେଣି ତିନି ଭୁବନର ଲୋକ ।

 

ବ୍ରହ୍ମ ସେବାକରି ବ୍ରହ୍ମରୁ ଚଣ୍ଡାଳ ହୋଇଲେଣି ଆପ ସୁଖେ,

ସତ୍ୟ ଆଶ୍ରେକରି ସୁକୃତକୁ ଧରି ନିନ୍ଦା କରୁଛନ୍ତି ମୁଖେ ।

 

ମିଛଠାରୁ ବଡ଼ ପାତକ ନାହିଁ ନା ଦାନ ଧ୍ୟାନରେ ନ ପୋଡ଼େ,

ଅତି ଅପ୍ରମଏ ଅସତ୍ୟ କହିଲେ କୁଳ ସନ୍ତାନହିଁ ବୁଡ଼େ ।

 

ଦୁଲଭ ତନୁରେ ମିଥ୍ୟା କହିବାର ବହୁତ ଏ ଅସମ୍ଭବ,

କଲା କର୍ମମାନ ଧନ ଦ୍ରବ୍ୟମାନ କେହୁ ବାଣ୍ଟି ଭାଗ ନେବ ।

 

ଅସତ୍ୟ ପାପକୁ ସମସ୍ତେ ଡରନ୍ତି ତିତିପୂରେ ନୁହେ ଥୋଇ,

ଚଉଦିଗରେ ସିନ୍ଧୁପ୍ରାଏ ପୂରିଲେ ରସାନ୍ତଳେ ପଡ଼େ ମହୀ ।

 

ଯମ ଯାତନା ପଥକୁ ଯୋଗ୍ୟ ହୁଏ ଅନେକ ଯୋନିରେ ଜାତ,

ଜୀବ ଥାଉଁ ମଲା ସମାନରେ ସରି ସୁକୃତ ହୁଅଇ ହତ ।

 

ସଂସାର ସାଗରେ ଜନମ ଲଭିଲେ ଗୁରୁପାଦେ ସେବା ଭଲ,

ରଜବୀର୍ଯ୍ୟ ପିଣ୍ଡ କେତେକ ମାତର ନ ରହଇ ଚିରକାଳ ।

 

ମନୁଷ୍ୟଶରୀର ପାଇ କରି ଯିବ ସତ୍ୟ ଉଚ୍ଚାରିବା ଚାହିଁ,

ସତ୍ୟଟି ସନ୍ଥ ସାଗର ସାଧୁ ଅଟେ ବେଦଶାସ୍ତ୍ରେ ଛନ୍ତି କହି ।

 

କଳିଯୁଗୁଁ ମୁଁ କେମନ୍ତେ ପାର ହେବି ମାଡ଼ୁଛି ମନରେ ଭୟ,

ଭଣେ ଭୀମ ହୋଇ ଗୁରୁପାଦ ଧ୍ୟାୟି ଅଚିନ୍ତା ଠାବରେ ଥୁଅ ।

***

 

ପଞ୍ଚପଞ୍ଚାଶତ୍‌ ବୋଲି

 

ନିରନ୍ତରେ ହୃଦେ ଦକା ମାଡ଼ୁଅଛି ଥୟ ନାହିଁ ପଞ୍ଚଭୂତ,

ବୁଦ୍ଧି ବିଚାର ମୋ ହଜି ଯାଉଅଛି କେମନ୍ତେ କରିବି ଚ୍ୟୁତ ।

 

ପୁରେ ପୁରେ କଳି ଘରେ ଘରେ କଳି ଘଟେ ଘଟେ କଲା ବାସ,

ତିନି ଭୁବନରେ ଯେତେ ଲୋକ ଛନ୍ତି ନାହାନ୍ତି ଆତ୍ମ ବିଶ୍ୱାସ ।

 

ରୋମେ ଚର୍ମେ କଳି ଘୋଟି ରହିଅଛି ନାସା ନେତ୍ର କର୍ଣ୍ଣପଥେ,

ପ୍ରାଣୀଙ୍କ ସଙ୍ଗତେ ହତ ହୋଇବାକୁ ବୁଦ୍ଧି ପାଉନାହିଁ ମୋତେ ।

 

ଅନ୍ତ ପିତ୍ତ କଳି ରଞ୍ଚି ରହିଅଛି ମଳମୂତ୍ର ଦ୍ୱାରେ ପୂରି,

ଜିହ୍ୱା ଅଗ୍ରରୁ ସତ୍ୟ ଉଠିଗଲାଣି ନବମ ଦ୍ୱାରକୁ ଧରି ।

 

ନବଦ୍ୱାର ଯାକ ଦ୍ୱାରେ ସତ୍ୟ ନାହିଁ କେମନ୍ତେ ରହିବ କାଏ,

ଚିଆଁ ଚଇତନ୍ୟ ହେତୁ ହଜିଗଲା ମରଣକୁ ନାହିଁ ଭଏ ।

 

କି ଅବା ସ୍ତିରୀ ସେ କିଅବା ପୁରୁଷ ସର୍ବଜନ ଏକାକାର,

ପାତକ ପୁଣ୍ୟ ଆପଣା ମହତ୍ତ୍ୱକୁ କାହାରି ନାହିଁ ବିଚାର ।

 

 

 

ଯଦି ସତୀ କେହି ନାହାନ୍ତି ତ୍ରିପୁରେ ସର୍ବେ ବିଟପୀ ବିଟପ,

ଧର୍ମ ଚିନ୍ତା ପ୍ରାଣୀ କାହିଁ ମୁଁ ରହିବି ସବୁ ଘଟିଲାଣି ପାପ ।

 

କଲି ପୁରୁଷର ଲୋକ ସର୍ବସ୍ଥାନେ ନାହିଁଟି ସତ୍ୟର ଲୋକ,

ଧର୍ମ ଧାରଣେ କାହାରି ଶ୍ରେତା ନାହିଁ ସର୍ବଜନେ ଅବିବେକ ।

 

ପାତକ ପୁଣ୍ୟକୁ ଜଳପ୍ରାୟ କରି ପିଇ କରି ହେଲେ ପାର,

ମୂଢ଼ପଣରେ ସାହସ କରିଛନ୍ତି କେମନ୍ତେ ହେବେ ଉଧାର ।

 

ବିନା କର୍ମରେ ଶାନ୍ତି ଲଭିଅଛନ୍ତି କେମନ୍ତେ ସରିବ ଦିନ,

ଏଡ଼େ ଅଜ୍ଞାନୀ ମୂର୍ଖ ହୋଇଣ ପ୍ରାଣୀ ପଶିଛନ୍ତି ମାୟାବନ ।

 

ଘୋରବନେ ପଶି ସୁଖ ମଣିଛନ୍ତି ଦୁଃଖକୁ ନାହିଁ ନା ହେଜ,

ଆପଣା କଲା ଅକର୍ମ ଯେତେ କଥା ଶିରକୁ ହୋଇଛି ବୋଝ ।

 

କୁହୁଡ଼ି କି ଦେଖି ଝାସି ପଡ଼ୁଛନ୍ତି ସତ୍ୟ ପ୍ରାଏ ମଣି ଚିତ୍ତେ,

ଦେଖିଲା ବେଳକୁ ତୁଚ୍ଛାହିଁ ପସରା ମୃତ୍ୟୁ ଘୋଟେ ଅଦଭୁତେ ।

 

ବଚନ ଭାଷିଲା ଜୀବମାନ ହୋଇପଶୁଙ୍କ ପରାଏ ବୁଦ୍ଧି,

ଏ ଭବସାଗରେ ପଥଶ୍ରମ ହୋଇ ନିତ୍ୟେ ଦେଉଛନ୍ତି ସାଧି ।

 

ଏ ମାୟା ରଞ୍ଜନା ପ୍ରକୃତି ପାଞ୍ଚନା ଜାଣି କରି ନ ଜାଣିଲେ,

ଦୁଲଭ ସୁନ୍ଦର ତନୁମାନ ଲଭି ପଶୁରେ ଗଣନା ହେଲେ ।

 

ସାର ଅସାର ସମାନରେ ରହିଛି ବାଛିଲେ ସିନା ହୋଇବ,

ମନୁଷ୍ୟ ହେଲା ମାତ୍ରକେ କିସ ହେଲା ପୁଣ୍ୟ କଲେ ସିନା ହେବ ।

 

ପୁଣ୍ୟ ବୋଲିକରି ଯାହାକୁ ବୋଲନ୍ତି ଗୁରୁପାଦ ସେବା ମୂଳ,

ଗୁରୁ ସେବ ବିନୁ ଆଉ ପୁଣ୍ୟମାନ ନୁହନ୍ତି ସେ ସମତୁଲ ।

 

ଆଉ ଧର୍ମମାନ ଅଳପକେ ହୁଏ ଗୁରୁଧର୍ମ ନୁହେ କରି,

ବଡ଼ିମାପଣରେ ବଡ଼ ବଡ଼ ହୋଇ ଅନେକ ଗଲେଣି ସରି ।

 

ସୁଜ୍ଞ ସାଧୁଜନ ଗୁରୁସେବା କର ଅନ୍ୟରେ ନାହିଁ ନା ଫଳ,

ଦୁରିତ ନାଶିବ ଆୟୁଷ ବଢ଼ିବ ବଞ୍ଚିଥିବ କିଛିକାଳ ।

 

ମୁହିଁ ଗୁରୁସେବା କରି ନ ପାରିଲି ତୁମ୍ଭେ ହେଲେ ସେବା କର,

ତୁମ୍ଭ ସେବା ଦେଖି ପାପନେତ୍ରେ ମୋର ହୋଇବି ହେଲେ ଉଧାର ।

 

ଦିବସ ରଜନୀ ପଶିଅଛି ମୁହିଁ ଛନ୍ଦ ନଟକୂଟ ବାଦେ,

ଗୁରୁପଦଧ୍ୟାୟି ଭଣେ ଭୀମଭୋଇ ଏକାଦଶଶତ ପଦେ ।

***

 

ଷଟ୍‌ପଞ୍ଚାଶତ୍‌ ବୋଲି

 

ମାୟା ଅନ୍ଧକାର ତିମିରଭିତରେ ପଡ଼ିଅଛି ଭବ-କୂପେ,

କି ପ୍ରକାରେ ମୋତେ ଉଦ୍ଧାର କରିବ ବୋଲି ଜଣାଉଛି ଦୁଃଖେ ।

 

ଭୃତ୍ୟର ଗୁହାରି ନ ଶୁଣ କିପାଇଁ ଚିନ୍ତାଜନ ଚିନ୍ତାମଣି,

ଦେଖୁ ଦେଖୁ ମୋତେ ଭସାଇ ନେଉଛି ମାୟାସାଗର ତ୍ରିବେଣୀ ।

 

ଗୁରୁତ ସକଳ ଅନ୍ତରଯାମିନି ଆତଙ୍ଗଫେଡ଼ନ ବାନା,

ଆରତତାରଣ ନାଥ ବୋଲିକରି ହୃଦେ କରୁଛି ଭାବନା ।

 

ଦୁଃଖୀଜନ ବନ୍ଧୁ ଦୁଃଖୀର ସଙ୍ଖାଳି ଅରକ୍ଷଙ୍କ ଗଣ୍ଠିଧନ,

ଖାଇଲେ ବହିଲେ ନ ସରଇ ପରା ଦରିଦ୍ର-ଜୀବ-ଜୀବନ ।

 

ତୁମ୍ଭ ନାମ ପରା ଅଲେଖ ମହିମା ଉଦେ ପରା ଯୁଗଶେଷେ,

ଅକାଳ ମରଣ ଅଭୁତ ବିପତ୍ତି ଆସି ରହିଲାଣି ପାଶେ ।

 

ଯୁଗଶେଷ ମଧ୍ୟେ କାହିଁ ମୁଁ ରହିବି ଦିଅ ମୋତେ ସଦବୁଦ୍ଧି,

ଯହିଁ ଅନାଇଲେ ତହିଁ ପୂରିଅଛି ପାପସାଗର ବାରାଧି ।

 

 

 

ନିଜ ନାମେ ପରା ପାତକ ପୋଡ଼ଇ ଅନ୍ୟ ନାମେ ନୁହେ କିଛି,

ଜନମ ଲଭିଲେ ପାତକ ଲାଗଇ ତେଣୁ ଭୟ କରୁଅଛି ।

 

ଏବେ ବଡ଼ ଗୁରୁ ଥାଇ ନବଖଣ୍ଡେ ମୋ ଜନମ ବୃଥା ହେଲା,

ଯେବଣ ମାୟାକୁ ଡରୁଥିଲି ମନେ ସେ ମାୟାରେ ଦିନ ଗଲା ।

 

ଯହିଁ ପଡ଼ିଥିଲେ ଉଧରିବ ମୋତେ ନିର୍ଦ୍ଦୟା କରିବ ନାହିଁ,

ଭକ୍ତଉଧାରଣ ବାନା ବହିଅଛ ଆସିଅଛ ପରା ଧାଇଁ ।

 

ଘୋର କଳିଯୁଗେ ଛପନା କୋଟିକି ତାରି ନେବ ପରା ନାମେ,

ଦୟା ବହି ପାପପଙ୍କରୁ ଛଡ଼ାଇ ରଖିବ ପରା ନିଷ୍କାମେ ।

 

ମୋତେ ସେହିରୂପେ ଜାଳି ପୋଡ଼ି ଏବେ ଧୋଇ ନିର୍ମଳ କରିବ,

ଅନନ୍ତ ପୁରୁଷ ଅନ୍ତର୍ଗତେ ଦୟା ଏ ଜୀବକୁ ରଖିଥିବ ।

 

ପଞ୍ଚଭୂତେ ମୋତେ କାତର ଲାଗୁଛି ଅମୃକ୍ଷ ହୋଇବି ବୋଲି,

ଏଡ଼େ ବଡ଼ ଗୁରୁ ଆଶ୍ରୟ କରିଛି ବିଅର୍ଥ ହୋଇଣ ମଲି ।

 

ଏହା ବିଚାର କରୁଅଛି ହୃଦରେ ଦିବସ ରଜନୀ ବସି,

ପାରୁ ନ ପାରୁ ଗୁରୁଦେବ ନାମକୁ ମନେ ମନେ ମୋର ଘୋଷି ।

 

ଏହା ପରା ଜନ୍ମ ନ ମିଳିବ ଆଉ ଏହି ସଂସାର ସାଗରେ,

ଏଣୁ କରି ମୁହିଁ ଚିନ୍ତା କରୁଅଛି ନ ପାଇବି ଆଉ ଥରେ ।

 

କେତେ ଜୀବ ଏହିପରି ଯାଉଛନ୍ତି ଇନ୍ଦ୍ର ଚନ୍ଦ୍ର ସମତୁଲେ,

ଅଳପ କଥାରେ ହତ ହେଉଛନ୍ତି ମାୟା ନଟ କୂଟେ ଭୋଳେ ।

 

ଜୀବ ପ୍ରତିଦିନ ଅଜ୍ଞାନ ଅଟଇ କେଭେଁ ନୁହେ ସଦଗ୍ୟାନ,

ଗୁରୁ ପୟରେ ପିଣ୍ଡହିଁ ସମର୍ପଣ ଅନ୍ୟ ଆଡ଼େ ଥାଇ ମନ ।

 

ତେଣୁ କରି ଜୀବ ଦୋଚାରୀ ଅଟଇ ନୁହଇ ସତ୍ୟ ଶକତି,

ଲୋଭ ମୋହ କାମ କ୍ରୋଧରେ ପଡ଼ିଛି ଦିବସ ରଜନୀ ମାତି ।

 

ମାୟା ବିଷୟାଟି ମଦ ହୋଇଅଛି ପିଇଲେ ନ ଜାଣେ କିଛି,

ପରମପତିକି ଥୟରେ ନ ଥୋଇ ଅଜ୍ଞାନପଣରେ ଅଛି ।

 

ସାଧୁ ସୁଜ୍ଞଜନ ଜୀବ ପରମକୁ ଏକଠାବେ କର ସଙ୍ଗ,

ନିଜ ହେତୁ ପାଇ ଅମର ହୋଇବ ଟଳି ନ ପଡ଼ିବ ଅଙ୍ଗ ।

 

ମୁହିଁ ସେହି ପଥ ନିତ୍ୟେ ଲୋଡ଼ୁଅଛି ପାଇଯିବ ଅବା ଥୟ,

କହେ ଭୀମ ଭୋଇ ଗୁରୁପାଦ ଧ୍ୟାୟି ଛାଡ଼ିବ ସଂଶୟ ଭୟ ।

***

 

ସପ୍ତପଞ୍ଚାଶତ୍‌ ବୋଲି

 

ସୁଜନ ପଣ୍ଡିତ ସାଧୁ ସେବା କର ଅନ୍ୟରେ ନାହିଁ ନା ଗତି,

ଗୁରୁ ନ ସେବିଲେ ଉଧାରଣ ନୁହେ ଆଉ ଯେତେ ଫଳଶ୍ରୁତି ।

 

ଜପ ତପ ଦାନ ଧ୍ୟାନ ତୀର୍ଥ ବ୍ରତ ଏ ଅଟେ ସମୂହ ପୁଣ୍ୟ,

ବୃକ୍ଷ କୀରତି ବମ୍ଫି ଦେଉଳ ଧର୍ମ ଏମାନ ନୁହେ ସମାନ ।

 

ଜଗତୀ ଅଟାଳି ମେଢ଼ ମଣ୍ଡପରେ ଲଭିବ ବୋଲି ମୁକତି,

ଦାରୁ ପ୍ରତିମା ସ୍ଥାପନା ମୂର୍ତ୍ତି ଯେତେ ଏ ନୁହଇ ସଦଗତି ।

 

ଯଶ ପଉରୂଷ କର୍ମ ସିନା ଏହି ଅଳପ ନାମ ଶକତି,

ଏମାନେ ବହୁତ ଦିନ ନ ରହନ୍ତି କିଛି ଦିନେ ହୁଏ ପୋତି ।

 

ଗୁରୁସେବା ଧର୍ମ ଚାରିଯୁଗେ ରହେ କ୍ଷୟ ବୃଦ୍ଧି କେବେ ନୁହେ,

ସେବା ମଧ୍ୟରେ ପ୍ରଧାନ ଅଟେ ସେହୁ ଶତେ ପୁରୁଷର ଯାଏ ।

 

ଗୁରୁ ସେବା ଫଳ ଶତେକ ପୁରୁଷ ଖାଇ ବୋହିଲେ ନ ସରେ,

ଗୁରୁ ଭଗତିରେ ଅପାର ମହିମା ଅଶେଷ ଦୁରିତ ହରେ ।

 

 

 

ଗୁରୁ ସେବା ଫଳେ ରୋଗ ବ୍ୟାଧି ନାହିଁ ଆଉ ଫଳେ ଅଛି ରୋଗ,

ନିଷ୍କାମ ଫଳ ସେ ସତ୍ୟଫଳ ଫଳେ ନିଶ୍ଚିନ୍ତେ ହୁଅଇ ଭୋଗ ।

 

ଗୁରୁସେବାରେ ଦାରା ସମ୍ପଦ ମିଳେ ଆବର ପୁତ୍ର ପଉତ୍ରୀ,

ଅନ୍ନ ବସ୍ତ୍ର ଗୋପ ଲକ୍ଷ୍ମୀ ପରାପତ ବର୍ଦ୍ଧିତ ହୁଏ ସମ୍ପତ୍ତି ।

 

ଗୁରୁସେବା କଲଶ ଲୋକହିଁ ସଭାରେ ପାନ୍ତି ଧନ୍ୟ ଧନ୍ୟ ପଦ;

ଦେବ ମାନବ ସଭା ରାଜସଭାରେ ନ ଥାଇ ସଂଶୟ ଭେଦ ।

 

ଗୁରୁସେବା କଲେ ଆୟୁଷ ବଢଇ ଦିଶଇ ବହୁତ ବୁଦ୍ଧି,

ଗୀତା ଅର୍ଥ ଜ୍ଞାନ ସମ୍ପଦମାନ ଯେ ସାଧଇ ସକଳ ସିଦ୍ଧି ।

 

ଗୁରୁସେବା କଲେ ପଣ୍ଡିତ ହୁଅଇ ସକଳଠାରେ ବକତା,

ହୃଦୟ ପଦ୍ମରେ ଆଗକୁ ପଛକୁ ନ ଥାଇ ସଂଶୟ ଚିନ୍ତା ।

 

ଗୁରୁସେବା କଲା ପ୍ରାଣୀଙ୍କ ଅଙ୍ଗରେ ବିଷ୍ଣୁରୂପ ପରକାଶ,

ଅଗ୍ନିକାନ୍ତି ପ୍ରାୟ ଦିଶୁଥାଇ କାୟ ଅନ୍ତେ ବଇକୁଣ୍ଠ ବାସ ।

 

ଗୁରୁସେବା ଲୋକ ନିର୍ମଳ ମରଣ ନ ଯାନ୍ତି ଯମର କତି,

କାଳଗଣ ତାକୁ ପ୍ରାଣରେ ଡରନ୍ତି ନ ଦେଇ ପାରନ୍ତି ଶସ୍ତି ।

 

ସାଧୁ ସୁଜ୍ଞଜନ ଗୁରୁସେବାକର ପଥଶ୍ରମ ନୁହେ ଚିତ୍ତେ,

କରପତ୍ର ଯୋଡ଼ି ବିନୟ ହେଉଛି ବୁଝାଇ କହୁଛି ଏତେ ।

 

ମୋର ବିଚାରକୁ ଯାହା ଦିଶୁଅଛି ଗୁରୁସେବା ଧର୍ମ ସାର,

କିଛିହିଁ ନ କଲେ ଗୁରୁ ସବା ଧର୍ମ ପାରୁଅଛ ଯେବେ କର ।

 

ଆଉ କର୍ମମାନ ବହୁତ ଅଡ଼ୁଆ ଗୁରୁ ଭଗତି ଉଶ୍ୱାସ,

ବୁଝି ଯେବେ ପାର ମେରୁ ଗିରି ପ୍ରାଏ କୋଟିଏ ନାଗର ବିଷ ।

 

ନ ଚିହ୍ନ ସେବିଲେ ଦ୍ରୋହ ଘଟୁଅଛି ଅପରାଧ ହେବା କଥା,

ପଚିଶ ପକୃତିର କିସ ଯାଉଛି ଆତ୍ମାକୁ ମିଳୁଛି ବ୍ୟଥା ।

 

ଆତ୍ମା ଲିଙ୍ଗଠାରେ ପଚିଶ ପ୍ରକୃତି ଖଟିଥାନ୍ତି ନିତି ନିତି,

ନିୟତ ବେଳକୁ ସର୍ବେ ଛାଡ଼ି ଯାନ୍ତି ଜୀବ ପାଉଥାଇ ଶସ୍ତି ।

 

ପିଣ୍ଡ ବ୍ରହ୍ମାଣ୍ଡରେ ହାନି ଲାଭ ଠାରେ କେହି ନୁହନ୍ତି କାହାର,

ଘଟ ଗଲା ବେଳେ ସମସ୍ତେ ଅନ୍ତର ହୋଇ ଯାଆନ୍ତି ବାହାର ।

 

ତିନିପୁର ମଧ୍ୟେ ଯାହା ମୁଁ ଦେଖିଲି ସକଳ ଅଟଇ ମିଥ୍ୟା,

ଗୁରୁପାଦ ଧ୍ୟାୟି ଭଣେ ଭୀମ ଭୋଇ ଗୁରୁଭକ୍ତି ଏକା ସଚ୍ଚା ।

***

 

ଅଷ୍ଟପଞ୍ଚାଶତ୍‌ ବୋଲି

 

ଦିନୁ ଦିନୁ କାଳ ଘୋଟି ଆସିଲାଣି ପିଣ୍ଡ ବ୍ରହ୍ମାଣ୍ଡ ଆବୋରି,

ପୃଥୀ ନବ ଖଣ୍ଡ ଅଶେଷ ବ୍ରହ୍ମାଣ୍ଡ ଛପନା କୋଟିକି ଧରି ।

 

କୌଣସିଠାବରେ ସତ୍ୟ ଧର୍ମ ନାହିଁ ଆକାଶେ ଗଲେଣି ଉଠି,

ଧର୍ମହୀନ ହୋଇଲାଣି ଏ ସଂସାର ଜାତ ହେଲାଣି ଅରଷ୍ଟି ।

 

ଠାବଠାବରେ ଅନର୍ଥ ହୋଇଲାଣି ଜୀବଠାରେ ଜୀବହିଂସା,

ଷୋଳ ବିଶ୍ୱାରୁ ଅଧିକ ବଢ଼ଲାଣି ହେଲାଣି ସତର ବିଶ୍ୱା ।

 

ଘରେ ଘରେ ଦ୍ୱନ୍ଦ୍ୱ ଜଣେ ମନ୍ଦ ପୀଡ଼ିତ ଅଜ୍ଞାନ ଲତା,

ଅଦଭୁତ ଯେ ଅକାଳ ଚଡ଼କକୁ ମଣୁଛି ଆଶ୍ଚର୍ଯ୍ୟ କଥା ।

 

ଆଚମ୍ବିତ ଲାଗୁଅଛି ମୋ ମନକୁ ଭୂତ ଭବିଷ୍ୟତ ଜାଣି,

ସଂସାରେ ଥାଇ କେବଣ ଦୋଷ କଲି ଧର୍ମାଦି ଆଶ୍ରିତ ପ୍ରାଣୀ ।

 

ସତ୍ୟ ଧର୍ମ ବିନୁ କିଛି ନ ଜାଣଇ ପାପ ପୁଣ୍ୟ ଭଲ ମନ୍ଦ,

ବସି ଦିବା ନିଶି ଘୋଷି ଅହର୍ନିଶି ଶ୍ରୀଗୁରୁ ଚରଣାବିନ୍ଦ ।

 

 

 

ଗୁରୁ ପାଦ ବିନୁ ନ ଦିଶଇ ମୋତେ ବଡ଼ ହୋଇ ଯେତେ ଦ୍ରବ୍ୟ,

ମୁହିଁ ବିଚାରୁଛି ମୋହର ମନରେ ଗୁରୁ ପାଦପଦ୍ମ ସର୍ବ ।

 

ଶରଣ ସମ୍ଭାଳି ରଖ ମହାବାହୁ ଅନ୍ୟରେ ମୋ ରକ୍ଷା ନାହିଁ,

କାହିଁରେ ନ ଲାଗି ନିକଳଙ୍କେ ଥିବି ଏହା ମାଗୁଅଛି ମୁହିଁ ।

 

ଦାନ୍ତକୁ କାମୁଡ଼ି କେତେ ମୁଁ ସହିବି ଏ କଳି ଯୁଗର ଦଶା,

କେତେ ଦିବସେ ସତ୍ୟଯୁଗ ହୋଇବ ମନେ କରି ପ୍ରତିଆଶା ।

 

ନର ଦେହ ବହି ଏ ମାୟା ସଂସାରେ କେ ସମ୍ଭାଳିବ ପ୍ରକୃତି,

ବାହ୍ୟକୁ ନ ଫୁଟି ମନର ଭିତରେ ଘୃଣା କରୁଅଛି ନିତି ।

 

ଗୁରୁଙ୍କର ହାନି ଲାଭ ଗୁରୁ ପା’ନ୍ତୁ ମୋହର ନାହିଁ ଭରସା,

ଏତିକି ମାଗୁଛି ଅନ୍ୟ ନ ମାଗଇ ଚରଣରେ ଥାଉ ଆଶା ।

 

ଗୁରୁଙ୍କର ସିନା ଏ ପିଣ୍ଡ ବ୍ରହ୍ମାଣ୍ଡ ଆପଣ ଆପେ ବୁଝିବ,

ଏତିକି ମାତ୍ରକ ଜଣାଉଛି ମୁହିଁ ଜୀବକୁ ସୁଦୟା ଥିବ ।

 

ମାୟ ଦଣ୍ଡେ ମୋତେ କିମ୍ପା ପକାଇଲୁ ରକ୍ଷା କର ପ୍ରଭୁ ତୁହି,

ମୋହ ବୁଝିବାକୁ ଶକତି ନୁହଇ ନ ପାରଇ ଆଜ୍ଞା ଦେଇ ।

 

ଆଜ୍ଞାପଦ ଯେହୁ ଗୁରୁଙ୍କର ସିନା ବ୍ରହ୍ମ ଶକତିରୁ ଜାତ,

ମୋତେ ବୋଲୁଛ ଏ ବ୍ରହ୍ମାଣ୍ଡ ବୁଝିବୁ ମୋର କେବଳ ଶକତ ।

 

ଧ୍ୟାନ ଯେ ଗବଳେ ଗୁରୁଙ୍କ ରୂପକୁ ବନ୍ଦନା କରି ନ ଜାଣେ,

ଦର୍ଶନ ବେଳରେ କିସ ମୁଁ ବୋଲଇ ଗୋଚର ନ ଥାଇ ମନେ ।

 

ଅକଳ୍ପଣା ଗୁରୁ ଆଶ୍ରୟ କରି ମୁଁ ହେଉଛି ହୃଦରେ ଶଙ୍କା,

ପାପପୁଣ୍ୟ ବେନି ମତ ପଚାରନ୍ତେ ମନରେ ପଶୁଛି ଦକା ।

 

ଥରହର ହେଉଅଛି ପିଣ୍ଡ ପ୍ରାଣ କ୍ଷଣେ ନ ରହୁଛି ଦମ୍ଭେ,

ଅଲେଖ ପ୍ରଭୁ ଅଣାକର ଠାକୁର ଥାଇ ଧର୍ମନାବ ମଙ୍ଗେ ।

 

ସଂସାର ସାଗରୁ କିରୂପେ ତରିବି ନ ଦିଶଇ ବୁଦ୍ଧି ବାଟ;

ନଟକୂଟିଆ ବନ୍ଧନରେ ପଡ଼ିଛି ହେଉଅଛି ଛଟପଟ ।

 

ତ୍ରାହି ତ୍ରାହି ବୋଲି ଆତଙ୍କେ ଡାକୁଛି ଡୁବିଭବସିନ୍ଧୁ ଜଳେ,

ସୁସ୍ୱାଦ ଲୋଭରେ ବନ୍ଦି ପଡ଼ିଅଛି ପଚିଶ ପ୍ରକୃତି ଫଳେ ।

 

କାହିଁ ମୁଁ ଆସିଲି ବିଅର୍ଥେ ଭାସିଲି ରକ୍ଷା କର ପ୍ରାଣ ପିଣ୍ଡ,

କହେ ଭୀମ ଭୋଇ ଗୁରୁ ପାଦ ଧ୍ୟାୟି କଚାଡ଼ି ହେଉଛି ମୁଣ୍ଡ ।

***

 

ଊନଷଷ୍ଠି ବୋଲି

 

ଅରୂପ ବ୍ରହ୍ମକୁ ଗୁରୁ କରି ମୁହିଁ ଅକାରଣେ ମରିଗଲି,

ମୋ କଳ୍ପିଲା ବୁଦ୍ଧି ମୋତେ କାଳ ହେଲା ଜୀବ ଥାଉ ଥାଉ ମଲି ।

 

ପୂର୍ବ ସୁକୃତର କିମ୍ପା ମୁଁ ମାଗିଲି ମାୟାଘର ଫଳଶ୍ରୁତି,

ଜାଲ ଜଞ୍ଜାଳକୁ ଜଣା ନାହିଁ ମୋତେ ଭୁଞ୍ଜିଲି ଏମନ୍ତ ରୀତି ।

 

ମୁହିଁ ସିନା ନ ଜାଣିଲି ମହାପ୍ରଭୁ ତୁମ୍ଭେ ତସକଳ ଜାଣ,

ଗୃହ ଫଳ ଭୋଗ ନ ମାଗ ତୁ ବୋଲି ମୋଡ଼ିଥାନ୍ତ ମୋର କାନ ।

 

ନେତ୍ରେ ଦେଖି ଯେବେ ଭୋଳରେ ପଡ଼ିଲି ଅଜ୍ଞାନପଣରେ ମାତି,

ରୂପ ଗଲା କାହିଁ କିଛି ନ ଦେଖନ୍ତି ନେତ୍ର ଯାଉଥାନ୍ତା ଫୁଟି ।

 

ଏବେ ମୁଁ ପଡ଼ିଲି ବିଷୟା ଫନ୍ଦାରେ ଭୟ ମାଡ଼ୁଅଛି ମୋତେ,

ଅନ୍ଧ ପ୍ରାୟ ମୁହିଁ ଭ୍ରମି ମରୁଅଛି ଆତଙ୍କେ ଡାକୁଛି ତୋତେ ।

 

ତୁ ଯେବେ ମୋର ଇଷ୍ଟଦେବତା ହେବୁ ଗୁହାରି ଶୁଣିବୁ କର୍ଣ୍ଣେ,

ଯହିଁପାଇଁ ତୋତେ ଅନୁସରି ଅଛି ପଶି ଘୋର ମାୟାବନେ ।

 

 

 

ଘୋର ଅରଣ୍ୟରେ ଉଚ୍ଚେ ମୁଁ ଡାକୁଛି କେ ଶୁଣୁଅଛ ଗୁହାରି,

ଦେହଧାରୀ ହୋଇ ବୈକୁଣ୍ଠ ଭୁବନେ ଆସି ମୁଁ ଅଛି ବାହାରି ।

 

ତୁମ୍ଭେ ତ ମୋତେ ବୋଇଲ ଯାଅ ଯାଅ ମୁହିଁଥିବି ତୋହ ସଙ୍ଗେ,

ଗୁରୁ ଥଉଁ ଥଉଁ ଅକାଳ ବିପତ୍ତି କାହିଁକି ପଡ଼ୁଛି ଅଙ୍ଗେ ।

 

ଏକପାଦ ବ୍ରହ୍ମ ଚରଣ ତଳକୁ ଅନୁବ୍ରତେ କରି ଆଶା,

ଏଡ଼େ ପ୍ରଭୁ ଥାଉ ଅସାହାସ ହୋଇ ଭାଙ୍ଗିଯାଉଛି ଭରସା ।

 

ଗୁରୁଙ୍କ କୃପାରୁ ସଂସାର ସାଗରେ ଗରବିତା ପଣ ମୋର,

ତୁମ୍ଭଙ୍କୁ ମୁହିଁ ଆଦ୍ୟରୁ କହିଅଛି ହାନିଲାଭ ଯେତେ ତୋର ।

 

ଜାଣୁଜାଣୁ ପ୍ରଭୁ ପେଲିଦେଇ ମୋତେ ଡୁବାଇ ଦେଲ ସିନ୍ଧୁରେ,

ତିନି ବ୍ରହ୍ମାଣ୍ଡରେ ଲୋକେ ଦେଖୁଛନ୍ତି ଏବେ ପଡ଼ିଛି ବନ୍ଦୀରେ ।

 

ଜାଣୁ ଜାଣୁ ହଟହଟା କରାଉଛ କଳଙ୍କ କଣ୍ଟା ଲଗାଇ,

ପଛନ୍ତେ ଏହାକୁ ସାଧିବଇଁ ବୋଲି ବିଚାରରେ ଥିଲ ଥୋଇ ।

 

ଏତେବେଳେ କହ କେମନ୍ତେ ହେଉଛି ପୂର୍ବରୁ ବିଚାରମାନ,

ସେହି ବିଷୟ ଏବେ ମନେ ପଡ଼ୁଅଛି ହୃଦୟରେ ଅନୁକ୍ଷଣ ।

 

ମାୟାଧର ସ୍ୱାମୀ ମାୟାକୁ ରଚନ କରିବେ ବୋଲି ନ ଜାଣି,

କାୟାକୁ ଦେଖଇ ଛାୟାର ଭିତରେ ଭଣ୍ଡିବେ ବୋଲି ନ ଚିହ୍ନି ।

 

କରତା ପୁରୁଷ କଉତୁକ କରି ଭବ-ସାଗରେ ମାଡ଼ିଛ,

ମନ୍ଦ ମନ୍ଦରେ ହସିଣ ଶୂନ୍ୟବାସୀ ଢମାଳିଆ ବୁଝୁଅଛ ।

 

ପିଣ୍ଡ ପ୍ରାଣ ମୋର ହଜି ଯାଉଅଛି ଗୁରୁଙ୍କ ମାଡ଼ୁଛି ହସ,

ତିନି ବ୍ରହ୍ମାଣ୍ଡରେ ଯହିଁ ଆଉଜିଲେ ସୁସ୍ଥେ ନ ମିଳୁଛି ବାସ ।

 

ଜାଣୁଅଛ ଗୁରୁ ନ ଜାଣିଲା ପ୍ରାଏ ଶୁଣୁଅଛ କର୍ଣ୍ଣପଥେ,

ଭବେ ବୁଡ଼ାଇ ଭାବନା ଦେଖୁଅଛ କଉତୁକ କରି ମୋତେ ।

 

ନାସା ପରିଯନ୍ତେ ହୋଇଲାଣି ଜଳ ଡୁବିବାକୁ ବାକି ଅଛି,

ତ୍ରାହି ତ୍ରାହି ବାରେ ଶରଣ ସମ୍ଭାଳ ସଂଶୟ ନ ରଖି କିଛି ।

 

ଚେତି ବିଚାରିଲେ ବ୍ୟଥା ମାଡ଼ୁଅଛି କଥା ହୋଇ ଅସମ୍ଭାଳ,

ମୋ ଭାବରେ ସବୁ ପିତା ହୋଇଗଲା ଚିନ୍ତା ହେଉଛି ପ୍ରବଳ ।

 

ଅଗାଧ ସାଗରେ ଭାସୁଅଛି ମୁହିଁ ଅଭୟ ପଞ୍ଜରେ ରଖ,

ଗୁରୁପାଦ ଧ୍ୟାୟି କହେ ଭୀମଭୋଇ ସକଳ ଠାବେ ନିରେଖ ।

***

 

ଷଷ୍ଠୀ ବୋଲି

 

ଅଜ୍ଞାନରେ ମୁହିଁ ଭ୍ରମି ଯାଉଅଛି ଜ୍ଞାନଗୁରୁ ବ୍ରହ୍ମ ଥାଇ,

ଅଚଳ ଶକତି ଅକ୍ଷୟ ପାଦକୁ ନ ପାରୁଅଛି ମୁଁ ଧ୍ୟାୟି ।

 

ଅଚେତାରେ ବୁଡ଼ି ଶ୍ରୋତା ବୁଡ଼ାଉଛି ଚେତାବନ୍ତ ପ୍ରଭୁ ଥାନ୍ତେ,

କେମନ୍ତେ ଆସିଲ କାହିଁ ମୁଁ ପଶିଲି ଜଣା ନ ପଡ଼ୁଛି ମୋତେ ।

 

ଭୂତାଶ୍ରମ ହୋଇ ଭିତରେ ପଶିଛି ଭୂତି ପ୍ରାୟ ବୁଦ୍ଧିକରି,

ସତ୍ୟବନ୍ତ ପ୍ରଭୁ ସଂସାରରେ ଥାଇ ସାକ୍ଷାତରେ ଯିବି ସରି ।

 

ଛବିକି ଦେଖି ଛନନାରେ ପଡ଼ିଛି ଛଟପଟ ହେଉଅଛି,

ମାୟାଧର ପ୍ରଭୁ ମହତ୍ତ୍ୱ ରଖାଅ ମର୍ଯ୍ୟାଦା ସରି ଯାଉଛି ।

 

ଭକୁଆ ପରାଏ ଭୁକି ମରୁଅଛି ଗଞ୍ଜି ହୋଇ ଭବକୂପେ,

ଖଣାରେ ପଡ଼ି ମୁଁ ବଣା ହେଉଅଛି କଣା ମନୁଷ୍ୟର ରୂପେ ।

 

ପଶୁପ୍ରାୟ ହୋଇ ପଶି ଘୋରବନେ ନଶୁଛି ମୋହରି ସୁଖେ,

ତତ୍ତ୍ୱ ନ କରି ସତ୍ୟକୁ ଛାଡ଼ି ଦେଇ ପଶିଛି ଶାସ୍ତିର ମୁଖେ ।

 

 

 

ମୂରୁଖ ବୁଦ୍ଧିରେ ନିରେଖ ହେଉଛି ଅଲେଖ ଗୁରୁଙ୍କୁ ଛାଡ଼ି,

କଳଙ୍କ ଲାଗନ୍ତେ କାଳଗଣମାନେ ଆସି ବସୁଛନ୍ତି ମାଡ଼ି ।

 

ଉତୁପାତ ହୋଇ ନିପାତ କର୍ମରେ ପଡ଼ିବଇଁ ଅପ୍ରମିତେ,

କି ବୁଦ୍ଧି କରିବି କେଉଁ ପଥେ ଯିବି କାତର ଲାଗୁଛି ମତେ ।

 

ମୂଳ ଛାଡ଼ି ଦେଇ ଖାଲରେ ପଡ଼ିଲି ଡାଳକୁ ଧଇଲି ଆଣ୍ଟେ,

କଳିଯୁଗ ଆସି ଶେଷ ହୋଇଲାଣି ପ୍ରବେଶ ହୋଇ ନିକଟେ ।

 

ଥର ଥର ହେଉଅଛି ଗୁରୁଦେବ ଧର ଧର ଶ୍ରୀ ହସ୍ତରେ,

ହର ହର ମୋର କୋଟି ଜନ୍ମ ପାପ ଭର ଅଭୟ ପଞ୍ଜରେ ।

 

ଚିନ୍ତା କରି କରି ପିତା ଲାଗିଲାଣି ପିତା ରହୁନାହିଁ ମୋର,

ମନ୍ଦିରୁ ବାହାର ହୋଇ ଖରତର ଆରତ ମୁଁ ନିରନ୍ତର ।

 

ଗଲି ନିଶ୍ଚେ ଭାସି ମଲି ହୋଇ ଦୋଷୀ ସରିଲି ମୁଁ ନଟକୂଟେ,

ଅନନ୍ତ ବ୍ରହ୍ମକୁ ଅନାଇଁ ମୁଁ ଅଛି ଅନୁସରି ବଟପୁଟେ ।

 

କ୍ଷୀରସିନ୍ଧୁ ବାସୀ ବେଗି ବେଗି ଆସି ନାଶ କାଳ ବିପତ୍ତିକି,

ଲାଗିଅଛି ଫାଶ ଲୋଭରୁ ଏ ପାପ ଜଣାଉଅଛି ଏତିକି ।

 

ନରଦେହ ବହି ନର୍କରେ ପଡ଼ିଛି ନାଶଯିବା ପଥେ ଆସି,

ଏତେ ଦୁଃଖ ମୋ କେତେଦିନେ ଫେଡ଼ୁଛି ଶୂନ୍ୟ ବଇକୁଣ୍ଠବାସୀ ।

 

ତୁମ୍ଭଠାରୁ ପରା ବଡ଼ ପ୍ରଭୁ ନାହିଁ ଦୃଢ଼େ ଧରିଛି ମୁଁ ମୁଢ଼ା,

ଗୋଡ଼ ଦଉଡ଼ି ମୁଁ ମୁଣ୍ଡକୁ ଆଣିଛି ସୁଦର୍ଶନେ କାଟି ଛିଣ୍ଡା ।

 

ମାୟାରେ ମୁଁ ମଜ୍ଜି ହେଉଅଛି ଗଞ୍ଜି ଭୁଞ୍ଜଅଛି କର୍ମଯୋଗ,

ଅନ୍ତର୍ଯ୍ୟାମୀ ହୋଇ ନ ଜାଣ କି ପ୍ରଭୁ ଦେଇଅଛ ଯାହା ଭୋଗ ।

 

ମହିମା ସାଗର ମହାବ୍ରହ୍ମ ରୂପ କେତେ ଦିନେ ପ୍ରକାଶିବ,

କେଉଁ ସ୍ଥାନେ ତୁମ୍ଭେ ଉଦୟ ହୋଇବ ଏ ଜୀବକୁ ଦୟା ଥିବ ।

 

ଅନନ୍ତ ମହିମା ବଡ଼ାଇ ଗଭୀର ନ ଜାଣିବ ମୁହିଁ ଅବା,

ରଜ ବୀଜରେ ଏ ପିଣ୍ଡ ହୋଇଅଛି କେତେ ଦିନ ଯାଏ ଥିବା ।

 

ମହା ଦୁରୁଦଣ୍ଡ ପଡ଼ୁଅଛି ମୋତେ କମ୍ପୁଅଛି ମୋର କାଏ,

ବିଚାରି ଆସିଲେ ଏ କଳିକାଳକୁ ମାଡ଼ୁଅଛି ବଡ଼ ଭଏ ।

 

ରଇ ରଗ ଧରେ ହୃଦୟ ପଦ୍ମରେ ବେନି ନେତ୍ରୁ ନୀର ପୋଛେ,

ଭଣେ ଭୀମ ଭୋଇ ବାରଶତ ପଦେ ରୋଦନ କରୁଛି ଉଚ୍ଚେ ।

***

 

ଏକଷଷ୍ଠୀ ବୋଲି

 

ମୋହର ବିକଳ କେହି ନ ଜାଣନ୍ତି ଅଲେଖ ଶୂନ୍ୟ ପୁରୁଷ,

ଶତେ ବାର ମୁହିଁ ଜଣାଣ କରୁଛି ଗୁରୁଙ୍କୁ ମାଗୁଛି ଦୋଷ ।

 

ଅଧମ ପାମର ଅଜ୍ଞାନ ଜୀବର କ୍ଷମା କର ଅପରାଧ,

ଶୂନ୍ୟ ଦେହ ଘେନି ଶୂନ୍ୟ ବାନା ଆଣି ଖଣ୍ଡନ କର ପ୍ରମାଦ ।

 

ଅଭୟ ବ୍ରହ୍ମକୁ ଆଶ୍ରେ କଲେ ପରା ନ ଥାଇ ମନରେ ଭୟ,

ଚିରାନନ୍ଦ ଯେବେ କରୁଣା କରନ୍ତି ଚିରକାଳ ରହେ ଦେହ ।

 

ଏହି ଦେହ ପରା ବ୍ରହ୍ମଭୂତ ହୁଏ ପୁରାତନେ ଛନ୍ତି କହି,

ମହିମା ଭଜିଲେ ମୋ ନ ଲାଗଇ ରହିଥାନ୍ତି ପରା ମହୀ ।

 

ଅଭୟ ପାଦପଦ୍ମକୁ ଆଶ୍ରା କଲେ ନାହିଁ ପରା ଜନ୍ମ ମୃତ୍ୟୁ,

ପିଣ୍ଡ ନ ପଡ଼ଇ ଶ୍ରୋତା ନ ବୁଡ଼ଇ ଚାରିଯୁଗେ ରହେ ହେତୁ ।

 

ଉଦାସୀନ ଭାବେ ଥିଲେ ଯୋଗମାର୍ଗେ ନ ଲାଗଇ ପରା ଲେନ୍ତା,

ଯେତେ ଇଚ୍ଛା ତେତେ ଦିନ ରହେ ଦେହ ଅଟଇ ଅମର ପନ୍ଥା ।

 

 

 

ଅଭୟ ନାମକୁ ଭଜୁଥିଲେ ପରା ନ ଥାଏ କାଳ ବିପତ୍ତି,

ଯଜନର ଧୁନି ଲାଗିଥିଲେ ପରା ଖଣ୍ଡଣ ହୋଏ ପ୍ରକୃତି ।

 

ଏହିପରି ମୁହିଁ ପୂର୍ବେ ଶୁଣୁଥିଲି ଏଣୁ ମୋ ବହୁତ ଆଶା,

କର୍ମ ଧର୍ମ ମୁହି କିଛି ନ ଜାଣଇ ନ କରି ଯୋଗ ତପସ୍ୟା ।

 

ଅଭୟ ବ୍ରହ୍ମକୁ ଆଶ୍ରେ କଲେ ପରା ନ ଥାଇ କାହାକୁ ଡର,

ଛପନା କୋଟିର ଉପରେ ସେ ବ୍ରହ୍ମ ଅଟନ୍ତି ସୁବରି ବର ।

 

ଦେହଧାରୀ ଯେତେ ଜୀବିତ ଅଟନ୍ତି କରିଛି ସୁବୁଙ୍କୁ ସେହି,

କଳ୍ପଣା ଗୋଚରେ ସର୍ବେ ଜାତ ହେଲେ ସଞ୍ଚରି ତ୍ରିପୁର ମହୀ ।

 

କ୍ଷୀରସିନ୍ଧୁ ବାସୀ ପ୍ରଭୁ ଅଟ ପରା ପରମ ତୁମ୍ଭର ନାମ,

ଅବ୍ୟକତ ପରା ଅଟ ଶୂନ୍ୟଦେହୀ ଅନାଦି ଅରୂପ ବ୍ରହ୍ମ ।

 

ସେହି ପ୍ରଭୁଙ୍କୁ ମୁଁ ଧରଣୀରେ ଥାଇ ଆଶ୍ରେ କରିଅଛି ଚିତ୍ତେ,

ଆକାଶକୁ ଚାହିଁ ଦୃଢ଼ କରିଅଛି ପାରି କରି ନେବେ ମତେ ।

 

ଏହାବିନା ମୁହିଁ କିଛି ନ ଜାଣଇ ଆଉ କେ ଅଧିକ କଥା,

ଚିନ୍ତାର୍ଥୀ ଜନ ଚିନ୍ତାମଣି ଅଟ ତ ଜାଣିବ ଭୃତ୍ୟ ବେବସ୍ତା ।

 

ମୁହିଁ ସିନା ଅସାମରଥ ଅଟଇ ଗୁରୁଦେବ ସାମରଥ,

ଯାହା ଭାବୁଅଛି ହୃଦୟପଦ୍ମରେ ଜାଣୁ ତ ଥିବ ନିଅତ।

 

ଅନ୍ତର୍ଯ୍ୟାମୀ ପ୍ରଭୁ ଅନ୍ତର୍ଗତେ ଜାଣି ହରହର ତାପ ବାଧା,

ସକଳ ମନ୍ତ୍ର ଉପରେ ସାର ଅଟେ ଯା ନାମ ଅଲେଖ ବିଦ୍ୟା ।

 

ଅଲେଖ ବୋଲନ୍ତେ ରୂପରେଖ ନାହିଁ ସର୍ବଭୁତେ ପରା ଥାଅ,

ରୁପ ଅରୁପ ସର୍ବଠାରେ ପୂରି ଅଟ ତୁମ୍ଭେ ବ୍ରହ୍ମମୟ ।

 

ଚନ୍ଦ୍ର ସୂର୍ଯ୍ୟ ପ୍ରାଏ ଉଦି ଅଛ ପରା ତିନିଶ ଷାଠିଏ ଦିନ,

ନିଷ୍ମାମରେ ସେବ ଭଗତି ଯେତେକ ଘେନୁଅଛ ପରା ଦାନ ।

 

ଭଗତ ବାନ୍ଧବ ଅଟ ପରା ତୁମ୍ଭେ ଜଗତ ଜନର ବନ୍ଧୁ,

ପିଣ୍ଡ ବ୍ରହ୍ମାଣ୍ଡକୁ କରି ଦେବା ମାତ୍ରେ ନାମ ଶ୍ରୀ କରୁଣାସିନ୍ଧୁ ।

 

ସାଧୁଜନମାନେ ଭଜ ଅନୁକ୍ଷଣେ ମହିମା ସାଗରେ ପଶ,

ଭଜି ପାରିଥିଲେ ସୁଦୟା ହୋଇଲେ ଯମ ନ ଆସିବ ପାଶ ।

 

ଝଞ୍ଜକାରେ ପଶି ନିରନ୍ତର ଦୋଷୀ ନ ତାରିବ ଅବା ମତେ,

ଭଣେ ଭୀମ ଭୋଇ ଗୁରୁପାଦ ଧ୍ୟାୟି ଅବୋଧ ହେଉଛି ଚିତ୍ତେ ।

***

 

ଚାଷଠୀ ବୋଲି

 

ବିନତି ମୋ ଯେତେ ଗୁରୁପାଦ ଗତେ ଗୁହାରି ଶୁଣୁଛ ନାହିଁ,

ବିହି ନିନ୍ଦାଭାର ଛାତିକି ପଥର କେତେ ସହିଥିବି ମୁହିଁ ।

 

ବଡ଼ିମା ପଣରେ ଅଶ୍ରୁତା ବାଦରେ କରୁ ଅଛନ୍ତି ତରିକା,

ନିନ୍ଦା ପସରାକୁ ମଥାରେ ମୋହର କେତେ କରିଥିବି ବୋଝା ।

 

ଅପ୍ରମଏ ନିନ୍ଦା ପେଣ୍ଡି ପେଣ୍ଡି ବନ୍ଧା ଦିନୁ ଦିନୁ ମହାଭାରି,

ନିନ୍ଦାକୁ କାନ୍ଧରେ ବହିଥିବି କେତେ ଯାଉଁଳି ମୁଟୁରା କରି ।

 

ଧର୍ମ ଉଦେ ଦିନୁ ଏ ମାନବ ତନୁ ବହିଗଲା ଏତେ ଦିନ,

ନିନ୍ଦାକୁ ବସ୍ତ୍ର ପ୍ରାଏ କେତେ ପିନ୍ଧିବି କଟିରେ କରି ଭୂଷଣ ।

 

ହାସ୍ୟ ଭର୍ଚ୍ଛନା ଗାଳି ଗର୍ବ ଠସାକୁ ଗଳାରେ ପିନ୍ଧିଛି ମାଳ,

ଟାକି ଟାକି ମୁହିଁ ଆଗତକୁ ଚାହିଁ ବହି ଯାଉଅଛି କାଳି ।

 

ଶ୍ରାବଣ ବରଷା ପ୍ରାଏ ନିନ୍ଦାପଦ ଅଜାଡ଼ି ହେଉଛି ଶିରେ,

ଜଳ ପ୍ରାଏ ହୋଇ ସର୍ବାଙ୍ଗ ଶରୀରେ ବହୁଅଛି ବେନି କରେ ।

 

 

 

ଘଣ୍ଟି ଘାଗୁଡ଼ି ପରାଏ ନିନ୍ଦାମାଳା ଲମ୍ବିଅଛି ଚଉକତି,

ଘନ ଘନ ନିରନ୍ତର ବାଜୁଅଛି ଡ଼କା ଫେରୁଅଛି ପୃଥ୍ୱୀ ।

 

ଯହିଁ ଇଚ୍ଛା ତହିଁ ପରିହାସ କରି ଭୀମ ଭୋଇ କନ୍ଧ ବୋଲି,

ପାଦଧୂଆ ଜଳ ପିଆଇଲା ବୋଲି ସର୍ବେ ଦେଉଛନ୍ତି ଗାଳି ।

 

କାହାରି ଧନ ନ ଖାଇ ନ ବୁଡ଼ାଇ ନ ଲାଗି କାହାରି ୠଣ,

ଦିବାନିଶିରେ ଇଙ୍ଗିତ କରୁଛନ୍ତି ଦେଖ ମେଳଛଙ୍କ ଗୁଣ ।

 

କାହାରି ଶତେ ପୁରୁଷର ସମ୍ପତ୍ତି ଉଡ଼ାଇ ମୁହିଁ ନ ଦେଇ,

ଅକାରଣ ସର୍ବେ ଭୁକି ମରୁଛନ୍ତି ମୋଠାରେ ଶତ୍ରୁତା ହୋଇ ।

 

କାହାକୁ ହିଂସା କପଟ ନ କରଇ ଅହଙ୍କାର ଛେଦ ଭେଦ,

ରାଜା ପରଜା ସମସ୍ତେ ମୋହଠାରେ ଲାଗି ବସିଛନ୍ତି ବାଦ ।

 

ଅରଷ୍ଟି ହେବାକୁ ବିଚାରୁ ଅଛନ୍ତି ବୁଡ଼ାଇ ଦେବାକୁ ମନ,

କାହାରି ହୃଦେ ଭଲ ବିଚାର ନାହିଁ ସମସ୍ତେ ଖଚୁଆ ଜନ ।

 

କାହାର ପୁତ୍ର ଦୋହିତା ମୁଁ ନ ଆଣି ଚୋରି କରି ଭ୍ରାତ ବିତ୍ତ,

କରିବାର ବୁଦ୍ଧି ଶିକ୍ଷା ମୁଁ ନ ଦେଇ ମୁଖରେ କହଇ ସତ ।

 

ମିଥ୍ୟା ବଚନକୁ କହିବି ବୋଲନ୍ତେ ପ୍ରାଣରେ ମାଡ଼ଇ ଭୟ,

ମିଛରୁ ପାତକ ତ୍ରିଭୁବନେ ଲୋଡ଼ ଅଧିକ ନାହିଁ ନା ଦ୍ରୋହ ।

 

କାହାରି ଖଚ ମିଛରେ ମୁଁ ନ ଥାଇ ଲୋଭୀ ନ ବାରି ବିଚାରେ,

ବିଅର୍ଥରେ ମୋତେ ନିନ୍ଦା କରୁଛନ୍ତି ଏ କଳିଯୁଗର ନରେ ।

 

କାହାରିଠାରୁ ଠକି ଭଣ୍ଡି ଖାଇବା ବିଚାର ହୃଦେ ନ ପଶେ,

ଛପନାକୋଟିଏ ଯେତେ ଜୀବ ଛନ୍ତି ମୋର ଆତ୍ମା ପ୍ରାୟେ ଦିଶେ ।

 

କାହାରି ଛେଦ ଭେଦରେ ମୁଁ ନ ଥାଇ ନୁହଇ ଶତ୍ରୁକଳଙ୍କ,

ଫିସାଦିରେ ମତେ ମନ୍ଦ ପାଞ୍ଚୁଛନ୍ତି ସହି ନ ପାରିଣ ଲୋକ ।

 

ପରକୁ ମନ୍ଦ ମନାସୁଥିଲେ ପ୍ରାଣୀ ପଳାଇ ଯାଇ ପାଖରୁ,

ରମ୍ଭାତରୁ ପ୍ରାଏ କମ୍ପୁଥାଇ କାଏ ପଞ୍ଚଭୂତ ହୃଦୟରୁ ।

 

କାହାରିଠାରେ ମୁଁ ଅସତ୍ୟ ବଚନ କଦାଚିତେ କହଇ,

ଅସତ୍ୟ ବଚନ କହି ଏ ସଂସାରେ କେତେ କାଳ ଥିବି ରହି ।

 

ସୁବିଚାର ବିନୁ କପଟ ବିଚାର ଅନ୍ତର୍ଗତେ ଥିବି ରଖି,

ଭଣେ ଭୀମ ଭୋଇ ଗୁରୁ ପାଦେ ଧ୍ୟାୟି ଗୁରୁଦେବ ଛନ୍ତି ସାକ୍ଷୀ ।

***

 

ତେଷଠୀ ବୋଲି

 

ବୋଲୁଛନ୍ତି ସର୍ବେ ପରପୁତ୍ର ହୋଇ ଆପଣାର ପୁତ୍ର କଲା,

ଭୁଲାଇଣ ମନ୍ତ୍ର ସବୁଙ୍କୁ ଶିଖାଇ ଜାତି ମହତ୍ୱହିଁ ନେଲା ।

 

ପର ଝିଅ ବୋହୂ ଭେଳକି ଲଗାଇ ନେଇ କରିଛି ଭାରିଯା,

ଗୁରୁ ବୋଲାଉଛି ଗୃହ କରିଅଛି ବୋଲୁଛନ୍ତି ରାଜା ପ୍ରଜା ।

 

ବ୍ରାହ୍ମଣ ପଣ୍ଡିତ ଯେତେକ ସଂସାରେ ଏମାନେ ବୋଇଲେ ତାହା,

ଗୁରୁପଣେ ବସି କିଛି ନ ଜାଣିଲା ଅନ୍ୟାୟ କରୁଛି ଏହା ।

 

କନ୍ଧ ଜାତି ହୋଇ ବ୍ରାହ୍ମଣର ପୂଜା ଘେନୁଅଛି ପାଦଗତେ,

ବିଷ୍ଣୁର ତେଜ ନ ଥିଲେ ତାର ଅଙ୍ଗେ ପାର ହେଲେ ଜୀବ କେତେ ।

 

ଏହା ବୋଲୁଛନ୍ତି ପତିତ ପାମରେ ମେଳଛ ଅଧମ ମୂଢ଼,

ଦତ୍ୟ ଦାନବ ଅସୁର ହାଡ଼ଖିଆ ହୋଇଛନ୍ତି ମହା ଗାଢ଼ ।

 

ମଦ ମାଂସଖିଆ ମତ୍ତଗରବିଆ ହୀନ ପାପୀ ନେଞ୍ଚ ଜନ,

ଗୁମାନୀ ଗାଲୁଆ ମୂରୁଖ ଚଣ୍ଡାଳ କହୁଛନ୍ତି କେତେ ଟାଣ ।

 

 

 

ଧନ ମଦ ପଣମଦ ସ୍ତିରୀ ମଦ ମାୟା ମଦଛନ୍ତି ପିବି,

ଚାରି ପରକାରେ ନିଶା ଘୋଟିଅଛି ପାପ ପୁଣ୍ୟକୁ ନ ଜଗି ।

 

ନରକ-ଖିଆଅଳପ-ଆୟୁଷିଆ କୁଳ-ବୁଡ଼ା ଯେତେ ଲୋକ,

ଜନମ ହଳିଆ ବ୍ରହ୍ମରାକ୍ଷସିଆ ନିନ୍ଦୁଛନ୍ତି କେତେ ଦେଖ ।

 

ଶୁଣ ସୁଜ୍ଞଜନ ଅପୂର୍ବ କାହାଣୀ କହୁଅଛି ମୁହିଁ ଯେତେ,

ଭୂତ ଭବିଷ୍ୟ ବର୍ତ୍ତମାନ ନ ଜାଣି ଦୋଷ ଲଗାଉଛ ମୋତେ ।

 

ଧନ ଦାରା ସୁତ ପାଇ ଆନନ୍ଦ ଏ ମୋର କପାଳରେ ଥିଲା,

ପୂର୍ବ କମାଣିର ଫଳ ଭୁଞ୍ଜୁଅଛି କାହାର ବା କିସ ଗଲା ।

 

ସତ୍ୟ ଧର୍ମ ସିନା ଅରଜି ଥିବାରୁ ତତ୍ତ୍ୱରେ ପାଇଲି ମୁହିଁ,

ଆମ୍ଭ ନିଧି ଆମ୍ଭ ହସ୍ତକୁ ଅଇଲା ଏଥିରେ ସଂଶୟ ନାହିଁ ।

 

ପୂର୍ବରେ ଆମ୍ଭର ଭାତ ବିତ୍ତ ରଖି ଥିବାରୁ ହେଲା ପ୍ରାପତ,

ପକାଇ ଦିଅ ଧର୍ମ ସଭା-ମଣ୍ଡଳେ ଅବଶ୍ୟ ବୋଲିବେ ସତ ।

 

ଆମ୍ଭର ଅର୍ଜିଲା ଧନରତ୍ନ ସିନା ଆମ୍ଭଙ୍କୁ ହେଉଛି ଭୋଗ,

କର୍ମରେ ନ ଥିଲେ କୁଆଡ଼ୁ ଫଳିବ କେମନ୍ତେ ହେବ ସଂଯୋଗ ।

 

ବିନା କମାଣିରେ ବିନା କପାଳରେ କେଉଁ ଫଳ ଫଳେ ଦେଖ,

ଭେଦକୁ ନ ବୁଝି ପଣ୍ଡିତ ସୁଜନେ କିମ୍ପା ହେଉଅଛି ମୁର୍ଖ ।

 

ପୂର୍ବେ ଆମ୍ଭର ସକଳ ଖଞ୍ଜା ଅଛି ଏବେ ଭଲ କରି ଜାଣ,

ଛଟପଟ କଲେ କେ କିସ କରିବ ଅଟେ ଦଇବ ଭିଆଣ ।

 

ଅଲେଖ ଦେବତା ମଥାର ଠାକୁର ଅଟନ୍ତି ମୋ ପ୍ରାଣ ଗୁରୁ,

ତାଙ୍କ କରୁଣାରୁ ସକଳ ମିଳିବ ଲେଖା ହୋଇଛି ପୂର୍ବରୁ ।

 

ଅଲେଖ ପୁରୁଷ ଭିଆଣ ସମସ୍ତ ଅନ୍ୟରେ ଘଟଣା ନୋହେ,

ଦୁର୍ଘଟଣା ବୋଲି କହୁଅଛ ସର୍ବେ ପଣ୍ଡିତରେ କର ନ୍ୟାୟେ ।

 

ବିନା ଘଟଣାରେ କେ ଖଞ୍ଜା କରିବ କେଉଁ ବେଦେ ଅଛି ଏହା,

ଗତ ଆଗତ ନ ବୁଝି ସୁଜ୍ଞଜନେ ବିଅର୍ଥେ ହେଉଛ ବାୟା ।

 

ଶୂନ୍ୟପୁରୁଷ ଯାହାକୁ ଚାହିୁଁଥିବେ ବହୁତ ଆଶ୍ଚର୍ଯ୍ୟ ନୁହେ,

ରୂପ ବର୍ଣ୍ଣ ତାର କେହି ନ ଦେଖନ୍ତି ଜାଣି ନ ପାରନ୍ତି କିଏ ।

 

ଭଲ କରି ବୁଝ ହୃଦୟରେ ହେଜ ମନେ ସଂଶୟ ନ ରଖି,

ଗୁରୁ ପାଦ ଧ୍ୟାୟି କହେ ଭୀମ ଭୋଇ ଧର୍ମରାଜ ପ୍ରଭୁ ସାକ୍ଷୀ ।

***

 

ଚଉଷଠୀ ବୋଲି

 

ସତ୍ୟ ଧର୍ମେ ମୋତେ ଜାତ କରିଛନ୍ତି ରାବିତଳେ କଳିଯୁଗେ,

ଦିଗାମ୍ବର ହୋଇ କାହୁଁ ମୁଁ ଲଭନ୍ତି ନ ଥାଆନ୍ତି ଯେବେ ପୂର୍ବେ ।

 

ଜନମ ଭୂମିରୁ କାଢ଼ିଆଣି ମୋତେ ବଇଷ୍ଣବ ଦୀକ୍ଷା ଦେଲେ,

ସାଧୁପଣେ ଥାଇ ଗୃହୀ ମୁଁ ହୋଇଲି କରତା ଏତକ କଲେ ।

 

ମୁହିଁ କି ବିଚାରିଥିଲି ମୋ ମନରେ କରିବି ଭାରିଜା ପୁତ୍ର,

ଗୁରୁ ସେବା କରି ନିଷ୍କାମରେ ଥିଲି ପାଇ ବ୍ରହ୍ମଜ୍ଞାନ ମନ୍ତ୍ର ।

 

ଜନମ ଧରିତ୍ରୀ ଛାଡ଼ି ପ୍ରାଣୀମାନେ ବଇଷ୍ଣବ ହୋଇଯାନ୍ତି,

କେଉଁ ବେଦଶାସ୍ତ୍ରେ ଶୁଣାଅଛି ଏହା ପୁତ୍ର ଭାରିଯା କରନ୍ତି ।

 

ଦିଗାମ୍ବର ହୋଇ ଯେଉଁ ପ୍ରାଣୀମାନେ ଇଚ୍ଛନ୍ତି ସ୍ତିରୀ ସଙ୍ଗକୁ,

ତ୍ରିଭୁବନ ଲୋକେ ପତିତ ବୋଲାନ୍ତି ମଲା ସଙ୍ଗେ ଗଣି ତାକୁ ।

 

ସନ୍ୟାସ ଯେ ଧର୍ମ ନଷ୍ଟ ଯାଇ କର୍ମ ତାହା ତ ପ୍ରମାଣ ସତ୍ୟ,

ଗୁରୁ ମହାପ୍ରଭୁ ଆଗତ ଘଟନା କରୁଛନ୍ତି ପରାପତ ।

 

 

 

ମନୁଷ୍ୟ ବିଚାରେ କିଛି ନୋହି ପାରେ ସବୁ ଦଇବ ବିଚାର,

ଉଚିତ ପ୍ରମାଣ ନୁହେ ଯେବେ କଥା ସୁଜ୍ଞଜନଙ୍କୁ ପଚାର ।

 

ଶ୍ରୀଗୁରୁ କୃପାରୁ ଜାଣିଅଛି ମୁହିଁ ଉବାର ନୁହଇ ମତେ,

ଜାଣିବାର ହୋଇ କିଛି ନ ଜାଣିଲା ଯାହା ବୋଲିଛ ସମସ୍ତେ ।

 

କେବଣ ଅନ୍ୟାୟ ମୁଁ କଲି ସଂସାରେ କେଉଁ ଅବିବେକ ହେଲା,

ଭକ୍ତ ବୋଲି ମୋତେ ଅଲେଖ ପୁରୁଷ ସକଳ ସମର୍ପି ଦେଲା ।

 

ଧର୍ମର ପଦାର୍ଥ ଭୁଞ୍ଜୁଅଛୁ ଆମ୍ଭେ କାହାର ନ ଖାଉ କିଛି,

ବିନା କଶୋରରେ ଦଗା ଲଗାଇବା ରବିତଳେ କେହୁ ଅଛି ।

 

ସତ୍ୟ ଧର୍ମେ ଯାହା ପ୍ରାପତ ହୁଅଇ ଗ୍ରହଣ କରୁ ତା ସର୍ବ,

ଅଲେଖ ଭଣ୍ଡାରୁ ପଡ଼ି ପାଉଅଛୁ ନ ଛୁଉଁ କାହାରି ଦ୍ରବ୍ୟ ।

 

ଏ ବସ୍ତ୍ର ଭୂଷଣ ଆୟ ଅଳଙ୍କାର ଆମ୍ଭ ସଙ୍ଗେ ଯେତେ ଅଛି,

କାଠାରୁ ଠକି ଭଣ୍ଡି ଚୋରି ନ ଆଣି ଅଲେଖ ସବୁ ଦେଉ ।

 

ସଦା ସରବଦା ଅଲେଖ ଭଣ୍ଡାରୁ ଖରଚା ହେଉଛି ଦେଖ,

ସହି ନ ପାରି ଚଳୁଛନ୍ତି ଆମ୍ଭଙ୍କୁ ତିନି ବ୍ରହ୍ମାଣ୍ଡର ଲୋକ ।

 

କାହାରି ଅଧୀନେ ନ ଥାଉଟି ଆମ୍ଭେ ଶ୍ରୀଗୁରୁ ଅଧୀନେ ଥାଉ,

କାହାରି ଆଜ୍ଞା ଶିରପରେ ନ ବହୁ ଗୁରୁ ଆଜ୍ଞା ହେଲେ ଯାଉ ।

 

ରାଜାର ପରଜା ନୋହୁ ସିନା ଆମ୍ଭେ ନୋହୁ ସାହୁର ଖାତକ,

ଯହିଁ ଗୁରୁ ନେବେ ତହିଁ ଯାଉ ଆମ୍ଭେ କେ ଅବା କରୁ ଅଟକ ।

 

ନର ମନୁଷ୍ୟରେ ଖଞ୍ଜା ନୋହି ପାରେ ଆମ୍ଭ ଯେତେକ ବିଷୟ,

ଅନୁସରି ଥିଲେ ପ୍ରସନ୍ନେ ଦେଉଛି ଅଲେଖ ପୁରୁଷ ଦିଅଁ ।

 

ଅଲେଖବ୍ରହ୍ମ ଆମ୍ଭ ଇଷ୍ଟ ଦେବତା ସାହା ନାହିଁ ଆମ୍ଭ କେହୁ,

ସତ୍ୟ ଧର୍ମର ଚିନ୍ତାରେ ଆମ୍ଭେ ଥାଉ ତାଙ୍କ ଦାନାପାଣି ଖାଉ ।

 

ଅଲେଖ ବ୍ରହ୍ମର ପୋଷାଜୀବ ଆମ୍ଭେ ତାଙ୍କ ସେବାକାରୀ ଅଟୁଁ,

ପିଣ୍ଡପ୍ରାଣ ଦାନ ଦେଇ ପାଦତଳେ ଶ୍ରୀଛାମୁରେ ନିତ୍ୟେ ଖଟୁ ।

 

ଶ୍ରୀଗୁରୁଙ୍କ ନାମ ଆମ୍ଭ ଫନ୍ଦ ବୃତ୍ତି ଅନ୍ୟନାହିଁ ରୋଜଗାର,

ଯାହା ଇଚ୍ଛା କଲେ ତାହା ମିଳୁଅଛି କଟା ହେଉଛି ଭଣ୍ଡାର ।

 

ଶତେ ପୁରୁଷର ଠାକୁର ଆମ୍ଭର ଦେଉଛନ୍ତି ପଡ଼ି-ଭାତ,

ଭଣେ ଭୀମଭୋଇ ଗୁରୁପାଦେ ଧ୍ୟାୟି ସେ ପ୍ରଭୁ ଆମ୍ଭର ହିତ ।

***

 

ପଞ୍ଚଷଠୀ ବୋଲି

 

ଅଲେଖ ପୁରୁଷ ସାହା ନୋହିଥିଲେ ପକାନ୍ତେ ଆମ୍ଭଙ୍କୁ ମାରି,

ବିପତ୍ତିଠାରୁ ବଞ୍ଚାଇ ରଖିଛନ୍ତି ଶୂନ୍ୟବାନା ଢ଼ାଙ୍କି କରି ।

 

ଡ଼ୁବାଇ ଦେବାକୁ ପାଞ୍ଚିଛନ୍ତି ସର୍ବେ କେତେଥର ଏହିପରି,

ଧର୍ମରାଜ ପ୍ରଭୁ ରକ୍ଷା କରିଛନ୍ତି ସୁଦର୍ଶନ ଆଡ଼ କରି ।

 

ସତ୍ୟ ଧର୍ବବଳେ ବଞ୍ଚିଅଛୁ ଆମ୍ଭେ ଦେହ ବହି ଏ ସଂସାରେ;

ଖଡ଼ଗ ଧରି ଧାଇଁ ପଡ଼ୁ ଅଛନ୍ତି ଧରୁଛନ୍ତି ବାରୁବାରେ ।

 

ତ୍ରିଭୁବନେ କେହି ବିଶ୍ୱାସୀ ନାହାନ୍ତି ସମସ୍ତେ ଅଣବିଶ୍ୱାସ,

ଗୁରୁଦେବଙ୍କର କରୁଣା ନଥିଲେ ହୋଇ ଯାଆନ୍ତୁ ବିନାଶ ।

 

ଏଡ଼େ ଅବିଶ୍ୱାସୀ କଳିଯୁଗ ନରେ ମୁଖେ ପ୍ରୀତି ବାହ୍ୟ ମତେ,

ଖେଦି ଦେବାକୁ ବିଚାର କରୁଛନ୍ତି ମାୟା ରଖି ଅନ୍ତର୍ଗତେ ।

 

ଶୂନ୍ୟ ପ୍ରଭୁଙ୍କର ଏ ପିଣ୍ଡ ବ୍ରହ୍ମାଣ୍ଡ ନୁହଇ କାହାର ମାଟି,

ମାଟି ପଥରକୁ ମେଦାମେଦି କରି ବନାଇଲେ ଛେଚି କୁଟି ।

 

 

 

ଗୁରୁଙ୍କ ଅର୍ଜିଲା ମେଦିନୀରେ ଅଛୁଁ ନାହିଁ କାହା ଅଧିକାର,

ଆମ୍ଭ ମନ ହେଲେ ଆମ୍ଭ ସୁଖେଯିବୁଁ ଦିଶିବ ଯେଉଁ ବିଚାର ।

 

ନ ସହିବେ ଯେବେ କେ କିସ କରିବେ ଧରଣୀତ ଅଛି ସହି,

ଧରତି ଯେବେ ନାହିଁ ସହି ପାରିବ ବୋଲିବ ନ ପାରେ ବୋହି ।

 

ସେଠାରୁ ଆଗକୁ ଯେମନ୍ତ ଦିଶିବ ବିଚାର କରିବୁଁ କଥା,

ଯାହା ପାଞ୍ଚିଥିବ ହୃଦୟର ବୁଦ୍ଧି ଗୁରୁଦେବ ସାମରଥା ।

 

ଧରତି କାହାକୁ ସହି ନ ପାରଇ ଏ ଅଟେ ବିଚିତ୍ର ଧନ୍ଦା,

ବାରାନିଧି ଯେବେ କୂଳ ଲଘିଂ ଯିବ କାହାକୁ ହୋଇବ ନିନ୍ଦା ।

 

ତାଙ୍କ ସିହାଣିଆ ବିବେକ ଯେତେକ ବାନ୍ଦି ରଖିଥାନ୍ତୁ ସଞ୍ଚି,

ଅଜ୍ଞାନ ଆଦରି ଗୁରୁ ନିନ୍ଦାକରି ମୁଖରେ କହନ୍ତି ମିଛ ।

 

ସଦଗୁରୁ ସେବା କରି ଆମ୍ଭେମାନେ ଅଟୁ ସଂସାରେ ଅଜ୍ଞାନ,

କଳିଯୁଗ ନରେ ଦୋଷ ବାଛୁଛନ୍ତି କରୁଛୁ ଅନ୍ୟାୟମାନ ।

 

ଶୂନ୍ୟ ମଣ୍ଡଳରୁ ବ୍ରହ୍ମଜ୍ଞାନ ତୋଳି ପଦବସ୍ତି କରେ ଯେହୁ,

କଳିଯୁଗିଆଙ୍କ ବିଚାର ଦିଶିଲା ନ ଜାଣିବା ଅଟେ ସେହୁ ।

 

ଆକାଶ ମଣ୍ଡଳୁ ପଦ ଉତୁରାଇ ରବିତଳେ ଯେହୁ ଦେଲା,

ବ୍ରହ୍ମଜ୍ଞାନ ବୀଜ ନିର୍ବେଦରୁ ଆଣି ବ୍ରହ୍ମାଣ୍ଡଯାକ ବୁଣିଲା ।

 

ଅଜ୍ଞାନୀକି ଯେହୁ ଜ୍ଞାନ ବତାଇଲା ବ୍ରହ୍ମଜ୍ଞାନ ମୁଖେ କହି,

କବିତ୍ୱ ହୋଇଣ ପଦ ବଖାଣିଲା ଶାହାସ୍ର ଲିହିଲା ସେହି ।

 

ଅବୋଧ ଆତ୍ମାକୁ ବୋଧ କରେ ଯେହୁ କହି ସରି ଅର୍ଥଭେଦ,

ପାପପୁଣ୍ୟ କଥା ବିଚାରଣ କରି ଯେ ବାନ୍ଧେ ନିର୍ଗୁଣ ପଦ ।

 

ସେହି ଲୋକମାନେ ଅନ୍ୟାୟ କରନ୍ତି ଅଛି କେଉଁ ବେଦବାକ୍ୟେ,

ଯେଉଁ ଲୋକ ସୁଧାପାନ କରୁଥାଇ ବିଷ୍ଠା କି ଭୁଞ୍ଜଇ ମୁଖେ ।

 

ଏମନ୍ତ କଥାକୁ ଗୁରୁଦେବ ସାକ୍ଷୀ ଆର ସାକ୍ଷୀ ତ୍ରୟଦଶେ,

ଜାଣିବାର ଲୋକେ ଅଜାଣିବା ହୋନ୍ତି କେଉଁ ବେଦଶାସ୍ତ୍ରେ ବଶେ ।

 

ନିଃଶବ୍ଦ ମନ୍ଦିରେ ମହାବ୍ରହ୍ମ ପରେ କରିଅଛି ଜୀବ ଆଶ,

ଭଣେ ଭୀମ ଭକ୍ତ ତେରଶତ ପଦେ ଅଭୟପଞ୍ଜରେ ବାସ ।

***

 

ଛଷଠୀ ବୋଲି

 

ଯେଉଁ ଲୋକମାନେ ସଦା ସରବଦା ଏପରି ଲକ୍ଷଣେ ଥାନ୍ତି,

ସେହି ଲୋକମାନେ ପାପ ପୁଣ୍ୟ କଥା ନ ଜାଣିବା ପରା ହୋନ୍ତି ।

 

ଯେଉଁ ପ୍ରାଣୀମାନେ ସତ୍ୟଧର୍ମ ଧରି ଗୁରୁସେବା କରୁଥାନ୍ତି,

ସେହି ଲୋକ ପରା ଅନ୍ୟାୟ ଆଚରି ଦାରୀ ଚୋରି କରି ଯାନ୍ତି ।

 

ଯାହାର ହୃଦୟେ ଶାନ୍ତିଶୀଳ ଦୟା କ୍ଷମା ଧର୍ମ ଥାଇ ମୁଖେ,

ସେମାନେ ପରା ଅକର୍ମ ଆଚରନ୍ତି ଅସତ୍ୟ କହନ୍ତି ମୁଖେ ।

 

ଯାହାର ଆଗରେ କୋଡ଼ିଏ ଜନମ ପାପ ଦୋଷମାନ ପୋଡ଼େ,

ଯାହାର ମୁଖେ ବ୍ରହ୍ମବାକ୍ୟ ପ୍ରକାଶ ପାପ ପଙ୍କରେ କି ପଡ଼େ ।

 

କୋଟି ଜନ୍ମ ପାପ କୋଟି ଜନ୍ମ ଦୁଃଖ ଖଣ୍ଡନ କରଇ ଯେହୁ,

ଯାହାର ଆଜ୍ଞାରେ ପାପଭାରା ପୋଡ଼େ ଅକର୍ମ କରେ କି ସେହୁ ।

 

ଦୋଷ କରିଥିଲେ କ୍ଷମା ଯେହୁ କରେ ଯାର ବଚନେ ଉଧାର,

ପାପ ଦୋଷ ଯେହୁ ଛଡ଼ାଇ ପାରଇ ସେ କି କରେ ଅନ୍ୟାଚାର ।

 

 

 

ବେଦ ପୁରାଣେ ଯାକୁ ଭଲ ବୋଲନ୍ତି ସେ କି ଅସାରକୁ ଯାଏ,

ତ୍ରିପୁରେ ଯାକୁ ସାଧୁ ସାଧୁ ବୋଲନ୍ତି ନୀଚ ବୁଦ୍ଧିରେ କି ଥାଏ ।

 

ନର ଦେବ ଦୁଇ ଏକମେଳ ହୋଇ କରନ୍ତି ଯାହାକୁ ପୂଜା,

ସେ କି ଅଜ୍ଞାନରେ ଗ୍ରହଣ କରଇ ପରର ପୁତ୍ର ଭାରିଯା ।

 

ଧନ୍ୟ କଳିକାଳ ଧନ୍ୟ ତୋ ମହିମା ଧରି କରାଉଛି ଭୋଗ,

କଳିଯୁଗ ବୋଲି ପୁରାଣେ ରହିବ କାଳେ କାଳେ କଥା ଥିବ ।

 

ଧନ୍ୟ କାଳପୁର୍ଷ ପାପିଷ୍ଠ ମୁରତି ତ୍ରିଭୁବନୁ ଯା ଯା ଛାଡ଼ି,

ଏଡ଼େ ଦୁର୍ଦ୍ଦଣ୍ଡ ଅଟେ ପାପପୁରୁଷ ସତ୍ୟକୁ ଦେଇଛି ମାଡ଼ି ।

 

ଶ୍ରୀଗୁରୁ କୃପାରେ ସହୁଛି ମୁଁ ନିନ୍ଦା ମୋର କିଛି ନାହିଁ ଦୋଷ,

ଆପଣା ବୁଦ୍ଧିରେ ଆପେ ପ୍ରାଣୀମାନେ ଇଚ୍ଛା ସୁଖେ ଯିବେ ନାଶ ।

 

ଧର୍ମ ଯେବେ ଥିବ ଅଧର୍ମିମାନଙ୍କୁ ତ୍ରିକାଳେ ହେଲେ ଦଣ୍ଡିବ,

ଆପଣା ପିଣ୍ଡ ପରାଣ ହତ ହୋଇ ନିଶ୍ଚୟେ କୁଳ ବୁଡ଼ିବ ।

 

ସତ୍ୟ ଯେବେ ଥିବ ଅସତଜନଙ୍କୁ ଅବଶ୍ୟ ମାରିବ ମାଡ଼,

ସାନ ବଡ଼ କେହୁ ଆଣ୍ଟି ନ ପାରନ୍ତି ତାହାକୁ ନୁହନ୍ତି ବଡ଼ ।

 

ଗୁରୁ ଯେବେ ଥିବେ ଗର୍ବିତା ଭାଙ୍ଗିବେ ଗାରିମା ଲୋକର ମତ,

ଆପଣା ପାପେ ଆପେ ଖରାପ ହେବେ କାଳବଳେ ଯିବେ ହତ ।

 

ପୁଣ୍ୟ ଯେବେ ଥିବ ପାତକୀ ପ୍ରାଣୀଙ୍କୁ ନିଶ୍ଚୟ ମିଳିବ ସଜା,

ଅନନ୍ତ କେଶରୀ ମହାବ୍ରହ୍ମଗୁରୁ ଯେଉଁ ଦିନ ହେବେ ରାଜା ।

 

ଦଇବ ଥିଲେ ଦୁଷ୍ଟଙ୍କୁ ବିନାଶିବ ଉଶ୍ୱାସ କରିବ ମହୀ,

ବ୍ରହ୍ମେ ଯେତେ ଲୋକ ଦୋଷୀ ହେଉଛନ୍ତି ଯୁଗ ଶେଷେ ଯିବେ ବହି ।

 

ପର୍ମେଶ୍ୱର ଥିଲେ ପ୍ରକୃତି ପ୍ରାଣୀଙ୍କୁ ବିହିବେ ଅନେକ ଦଶା,

କଳ୍ପଣାରୁ କାଳ ଶର ଜାତ ହେବ ତାହାଙ୍କ କହିଲା ଭାଷା ।

 

ଶୂନ୍ୟବାସୀ ଥିଲେ ସମସ୍ତଙ୍କୁ ଧରି ବୁଝିବେ ସେ ଏକାବେଳେ,

କର୍ମେ ଯାହା ଥିବ ଗ୍ରାହିଯ୍ୟ ହୋଇବ ଆପଣା ଅର୍ଜିଲା ଫଳେ ।

 

ପାପ କରିଥିଲେ ପାପକୁ ଭୁଞ୍ଜିବେ ପୁଣ୍ୟ ଥିଲେ ପୁଣ୍ୟ ଭୋଗ,

ଚାରି ଦ୍ୱାରେ ବୁଝାମଣା ହେଲା ବେଳେ ଯାହା ସୁକୃତରେ ଥିବ ।

 

ସୁଜ୍ଞ ସାଧୁନରେ ନ ବୋଲିବ ମୋର ମନେ କଲା ବୋଲି ରୋଷ,

ଗୁରୁପାଦ ଧ୍ୟାୟି ଭଣେ ଭୀମ ଭୋଇ କିଛି ନାହିଁ ମୋର ଦୋଷ ।

***

 

ସତଷଠୀ ବୋଲି

 

ଅଲେଖ ମହିସା ସାଗର ନାମକୁ ତ୍ରିଭୁବନ ଯାକ ଭଜ,

ସକାଳରୁ ସ୍ନାନ କର ବୋଇଲାକୁ ବୋଇଲେ ମାଡ଼ୁଛି ଲାଜ ।

 

ଅବଧୂତ ଦୀକ୍ଷା ନିରବେଦ ଧର୍ମ ଥରେ ହେଲେ ଡ଼ାକ ମୁଖେ,

ଦର୍ଶନ କରି ପାଦରେଣୁ ପାଇଲେ ବୋଇଲେ ହସିବେ ଲୋକେ ।

 

ଏ କଳିଯୁଗରେ ନାମ ନ ଭଜିଲେ ପଡ଼ିବ ଦେବୀ ଖପର,

ବୋଇଲେ ଏ ରୂପେ ମରିଯିବୁ ପଛେ ନିନ୍ଦା କରିବେ ଅପାର ।

 

ସାର ଧର୍ମ ଏହି ନ ଜାଣନ୍ତି କେହି ଆଶ୍ରେ କର ତତ୍ତ୍ୱ ବୁଝି,

ଏଡ଼େ ହରବର କେ ହେବ ଆମ୍ଭର ବୋଇଲେ ନ ପାରୁ ଭଜି ।

 

ଗ୍ରାମ ବନେ ପଶି ବୁଝାଇ କହିଲି ସତ୍ୟ ଅନୁସର ତୁମ୍ଭେ,

ତୁମ୍ଭେ ଯାହା ବ୍ରହ୍ମଜ୍ଞାନ ବତାଉଛ ବୋଇଲେ ନ ମାନୁ ଆମ୍ଭେ ।

 

ଜପ ତପ ମାଳ ମନ୍ତ୍ର ଗଡ଼ାଇବୁ ନ ଲାଗେ ଟଙ୍କା କଉଡ଼ି,

ବୋଇଲେ ଜାତି ଭାଇ ବନ୍ଧୁମାନଙ୍କୁ ନ ପାରୁ ତାହାଙ୍କୁ ଛାଡ଼ି ।

 

 

 

ଘରେ ଘରେ ପୁରେ ପୁରେ ଯାଚି ଦ୍ୟନ୍ତେ ନାମ ନ ଧଇଲେ କେହି,

ବୋଇଲେ ସର୍ବ ଘରେ କେହୁ ଖାଇବ ଯିବୁ କିରସ୍ତାନ ହୋଇ ।

 

ପୁରୁଷମାନଙ୍କୁ ବୋଇଲୁ ହେ ତୁମ୍ଭେ ଘରଦ୍ୱାର କରିଥାଅ,

ଋତୁମତ ଧରି ସ୍ତିରୀସଙ୍ଗ କରି ବ୍ରହ୍ମଜ୍ଞାନ ମନ୍ତ୍ର ନିଅ ।

 

ସେ ବୋଇଲେ ଆମ୍ଭେ ଖାଇବା ପିଇବା କମାଣିର କଥା ଜାଣୁ,

ପାଞ୍ଚମାଣ ପାଞ୍ଚବୋଡ଼ି ଘରେ ଥିଲେ ଆଉ କାହାକୁ ନ ଗଣୁ ।

 

ସ୍ତିରୀଙ୍କୁ ବୋଇଲୁଁ ନାମ ଆଶ୍ରେ କରି କର ଗୃହ ଧର୍ମ କୀର୍ତ୍ତି,

ପତିସେବା କଲେ ପୁତ୍ରବନ୍ତୀ ହେବ ବୋଲାଇବ ଯତି ସତୀ ।

 

ଗୁରୁଧର୍ମ ଯେବେ ଗୃହରେ ପାଳିବ କୁଟୁମ୍ବଯାକ ତରିବ,

ସେବା ଭକ୍ତିରେ ପୁଣ୍ୟଧର୍ମ ବଢ଼ିଲେ ପୁରୁଷ ଉଧାର ହେବ ।

 

ସେ ବୋଇଲେ ଆମ୍ଭେ ସ୍ତିରୀ ଜାତି ହୋଇ ନାହିଁ ନାମ ପାରୁ ଭଜି,

ମାଈ ଅଣ୍ଡିରା ଦୁହେଁ ପରା ଭଜିଲେ ଯାନ୍ତି ପରା ଗୃହ ତେଜି ।

 

ପତିପାଦେ ସେବା କରି ନାହିଁ ପାରୁ ନ ଚାଲୁ ଋତୁମତରେ;

ପତି ପତ୍ନୀ ହୋଇ ଗୃହ କରିବାର ଏତିକି ଏହି ସଂସାରେ ।

 

ଜ୍ଞାନ ନାହିଁ ଜାଣୁ ଏକ କଥା ଜାଣୁ ସୁରତି ସଙ୍ଗମ ସଧ,

ଦିବସକେ ଚାରିଥର ରତି କଲେ ତେବେ ମନ ନୁହେଁ ବୋଧ ।

 

ପୁତ୍ର ଦୁହିତା ଗୁଡ଼ାଏ ଜାତ କଲେ ସେହିଟି ଆମ୍ଭର ସବୁ,

ଲୋକହସା ହଟହଟା ହୋଇବାକୁ କିମ୍ପା ମହିମା ଭଜିବୁ ।

 

ପୁତ୍ର ଦୁହିତା ବନ୍ଦାପନା କରି ଯେ ନୋହିବ ଏହି ସଂସାରେ,

ଅକୁଳ ଅଥଳ ହେଲେ ବୋଲି ଲୋକେ ନ ଆସିବେ ଆମ୍ଭ ଘରେ ।

 

ପୁତ୍ରର ନିମନ୍ତେ ବଧୁ ନ ମିଳିବ ଝିଅଙ୍କୁ ନୋହିବେ ବର,

ସମସ୍ତେ ଆମ୍ଭଙ୍କୁ ଭଲ ବୋଲୁଛନ୍ତି ପଛେ ବୋଲିବେ ଅସାର ।

 

ଆୟ ଅଳଙ୍କାର ଅଙ୍ଗରେ ଲଗାଇ ଖାଇବା ପିନ୍ଧିବା ଜାଣୁ,

ତୈଳ ହରିଦ୍ରାରେ ସୁନ୍ଦର ଦିଶୁଛୁ ବହିଅଛୁ ଯୁବା ତନୁ ।

 

ଏ ବୟସେ ରାତିସୁଖ ନ ପାଇଲେ ଜୀବ ହେଲା ଅକାରଣ,

ସ୍ତିରୀ ଅଙ୍ଗ ଲିଭି କି କାର୍ଯ୍ୟ ହୋଇବ ବହି ଜାନୁ ଯଉବନ ।

 

ଅଲେଖ ମହିମା ବୋଇଲେ ଆମ୍ଭଙ୍କୁ ଅସୁଖ ଲାଗୁଛି ଚିତ୍ତେ,

କହେ ଭୀମଭୋଇ ଗୁରୁପଦା ଧ୍ୟାୟି ନ ବୁଝିଲେ ସ୍ତିରୀ ଯେତେ ।

***

 

ଅଠଷଠୀ ବୋଲି

 

ବୁଦ୍ଧମାନଙ୍କୁ ମୁଁ ବୁଝାଇ କହିଲି ଏ ଧର୍ମକୁ ଆଶ୍ରେ କର,

ଏ କଳିଯୁଗରେ ଏହି ନାମ ସାର ଭବାର୍ଣ୍ଣବୁ ହେବୁ ପାର ।

 

ଆତ୍ମା ଭକ୍ତି କଲେ ଉଦ୍ଧାର କରିବେ ଅଲେଖ ମହିମା ଗୁରୁ,

ଏ କଳିଯୁଗରେ ଦେହଧାରୀ ହୋଇ ଆସିଅଛନ୍ତି ଶୂନ୍ୟରୁ ।

 

କ୍ଷୀର ସିନ୍ଧୁ ବାସୀ ଅନନ୍ତ ଈଶ୍ୱର ହୋଇଛନ୍ତି ଅବତାର,

ହେଳାକଲେ ସର୍ବେ ଭେଳା ବୁଡ଼ିଯିବ ବେଳଥାଉଁ ଆଶ୍ରେକର ।

 

ବୃଦ୍ଧେ ବୋଇଲେ ତୁମ୍ଭେ ଯାହା କହିଲ ଉଚିତ ପ୍ରମାଣ ସତ,

ବଳବୀର୍ଯ୍ୟ ସବୁ ଗଲାଣି ଅଙ୍ଗରୁ ହୋଇଲୁଣି ଅଶକତ ।

 

ଅଲେଖ ମହିମା ବୋଲିବାର କଥା କେବେ ନାହିଁ ଶୁଣିଥିଲୁ,

ବେଦଶାସ୍ତ୍ରେ ଏହା ଦେଖାହିଁ ନଥିଲା ଶୁଣି ଆଚମ୍ବିତ ହେଲୁ ।

 

ବାପ ଅଜା ଆମ୍ଭ ବଡ଼ ବଡ଼େ ଥିଲେ ଏ ପଥେ କେହି ନ ଯାଇ,

ଏତେବେଳେ ଆମ୍ଭେ ମହିମା ଭଜିବୁ କେବଣ ପରତେ ପାଇ ।

 

 

 

ଏହି ଧର୍ମ କଲେ ସକଳ ଗୃହରେ ଖାଆନ୍ତି ପରା ସମସ୍ତେ,

ପିତୃ-ପିତାମହ ପିଣ୍ଡ ପାଣି ଦେଲେ ନ ପାଇବେ ଆମ୍ଭହସ୍ତେ ।

 

ମହିମା ଧର୍ମରେ କ୍ରିୟା କର୍ମ ନାହିଁ ସର୍ବେ ଯେମନ୍ତ ଭଜିବୁ,

ମରିଗଲେ ଆମ୍ଭେ ଅଶୁଦ୍ଧ ହୋଇବୁ ଭୂତ ପ୍ରେତ ବୋଲାଇବୁ ।

 

କିରସ୍ତାନ ମତ କିପାଇଁ କରିବୁ ମରିବାକୁ ଦିନେ ଅଛି,

ବୁହା ପୋଡ଼ା ଆଉ କେହି ନ କରିବେ ହୋଇଯିବୁ ପୋକ ମାଛି ।

 

ପ୍ରାଣ ଯିବ ପଛେ ମହିମା ନ ଭଜୁ ମୁକତି ନ ଲୋଡ଼ୁ ଆମ୍ଭେ,

ଆମ୍ଭେ ପଛକେ ସମସ୍ତେ ମରିଯିବୁ ଜୀଇବ ସଂସାରେ ତୁମ୍ଭେ ।

 

ଯାହା ବୋଇଲ ଏତିକି କହିଥାଅ ଆଉ ନ ଶୁଣିବୁ କର୍ଣ୍ଣେ,

ହାଡ଼ି ଚଣ୍ଡାଳିଆ କର୍ମ କରିବାକୁ କେହୁ କଳପିବ ମନେ ।

 

ପିତୃ ଲୋକମାନେ ପିଣ୍ଡ ନ ପାଇବେ ଅକାରଣ ହେବ ସବୁ,

କୁଟୁମ୍ବ ପୋଷିବାକୁ ଠକ ହୋଇଲ ମିଛ କହୁଅଛ ବାବୁ ।

 

ତୁମ୍ଭେ କାହିଁ ବ୍ରହ୍ମଜ୍ଞାନ ଜାଣିଲ ବୃଦ୍ଧେ ହୋଇ ନ ଜାଣୁଛୁ,

ଶଏ ଷାଠିଏ ବରଷ ହୋଇଲାଣି ଏତେଦିନୁ ଆମ୍ଭେ ଅଛୁ ।

 

ତୁମ୍ଭର ବାପ ଅଜାଙ୍କୁ ଜାଣୁ ଆମ୍ଭେ, ତାଙ୍କ ପୁତ୍ରନାତି ତୁମ୍ଭେ,

କାଲି ଜନମ ହୋଇଛ ଦେଖିଅଛୁ କେତେ କହୁଛ ଆରମ୍ଭେ ।

 

ସମସ୍ତ ବୃଦ୍ଧଜନ ଏହା ବୋଇଲେ ସେ ଠାବରୁ ପଳାଇଲୁଁ,

ପଶ୍ଚାନ୍ତେ ଆମ୍ଭଙ୍କୁ ଦୋଷ ଦେବ ନାହିଁ ଡ଼ାକିକରି କହିଦେଲୁଁ ।

 

ବାଳକମାନଙ୍କୁ ବୁଝାଇ କହିଲୁ ମହିମା ନାମକୁ ଭଜ,

ଏକମନ ହୋଇ ଶୁଣସିରେ ବାବୁ ଖେଚଡ଼ ବୁଦ୍ଧିକି ତେଜ ।

 

ବାଳକ ଦିନରୁ ଗୁରୁସେବା କରି ସତ୍ୟାଦି ପଥରେ ଚାଲ,

ଅନ୍ୟାଏ ଅକର୍ମ ନ କରିବ ଯେବେ ନ ଛୁଇଁ ପାରିବ କାଳ ।

 

ଧର୍ମ ଆଶ୍ରେ କଲେ ମୁକତି ପାଇବ ଗୁରୁ ପ୍ରସନ୍ନେ ତରିବ,

ଗୁରୁବଚନ ଶିର ପରେ ବହିଲେ ବ୍ରହ୍ମଜ୍ଞାନୀ ବୋଲାଇବ ।

 

ବେଳହୁଁ ଯେହୁ ମହିମା ଭଜିଥିବ ମହୀମଣ୍ଡଳେ ରହିବ,

ଏ ଘୋର କଳିଯୁଗରୁ ପାର ହୋଇ ସତ୍ୟଯୁଗକୁ ପାଇବ ।

 

ଗୁରୁସେବା କଲେ ଖାଇବାକୁ ମିଳେ ଶୁଣ ଶୁଣ ଆରେ ଭାଇ,

ଗୁରୁପାଦ ଧ୍ୟାୟି କହେ ଭୀମ ଭୋଇ ଶିଶୁଙ୍କ ମେଳରେ ଥାଇ ।

***

 

ଅଣସ୍ତୁରି ବୋଲି

 

ବାଳକେ ବୋଇଲେ ଶୁଣସି ହୋ ବାବା ଅଜ୍ଞାନ ଆମ୍ଭର ବୁଦ୍ଧି,

କିସ କିସ ତୁମ୍ଭେ ଆମ୍ଭଙ୍କୁ କହୁଛ ବୁଝି ନ ପାରୁଛୁ ଭେଦି ।

 

ଏ ବୟସେ ଆମ୍ଭ ଚଞ୍ଚଳ ଯେ ମତି ଅଟୁ ଆମ୍ଭେ ବାଳ ଭୋଳା,

ପାପ ପୁଣ୍ୟ କଥା କିଛିହିଁ ନ ଜାଣୁ ଖାଇ ଖେଳି ଦିନ ଗଲା ।

 

କେଉଁ କଥା ପାପ କେଉଁ କଥା ପୁଣ୍ୟ ନୁହେ ଆମ୍ଭଙ୍କୁ ଗୋଚର,

ଖେଚଡ଼ ପ୍ରକୃତି ବୁଦ୍ଧି ଅଟେ ଆମ୍ଭ ଅନୁକ୍ଷଣ ହରବର ।

 

ଖଜା-ଭୁଜା ଭାତ-ତୁଣ-ପିଠା ଖାଇଲେ ଆମ୍ଭେ ଆନନ୍ଦ,

କର୍ମ ଅକର୍ମ ବୁଦ୍ଧି କେମନ୍ତ ଅଟେ ନାହିଁ ଜାଣୁ ଭଲ ମନ୍ଦ ।

 

ସୁବୁଦ୍ଧି କୁବୁଦ୍ଧି କାହାକୁ ବୋଲନ୍ତି ନୁହଇ ଆମ୍ଭଙ୍କୁ ଜଣା,

ଶିଶୁମେଳରେ ବହୁତ ସ୍ନେହଭରେ ଖେଳିବା କଥା ଭାବନା ।

 

ଆମ୍ଭେ ବୋଇଲୁ ତୁମ୍ଭେ ଯାହା କହିଲ ଉଚିତ ପ୍ରମାଣ ସତ,

ବାଳକମାନେ ସର୍ବ ଶୁଭରେ ଥାଅ ପାଇ କଲ୍ୟାଣ ବାଞ୍ଛିତ ।

 

 

 

ତୁମ୍ଭଙ୍କୁ ପାପ ପୁଣ୍ୟ କିଛି ନ ଲାଗେ ଅଜ୍ଞାନ ହୋଇଛ ଯେଣୁ,

ଗୁରୁଙ୍କ କୃପା ତୁମ୍ଭଙ୍କୁ ହୋଇଥାଉ ବାହୁଡ଼ି ଅଇଲୁ ତେଣୁ ।

 

ଜଣେ ଜଣେଆମ୍ଭେ ବୁଝାଇ କହିଲୁ ନୀଚ ଉଚ୍ଚ ପରିଯନ୍ତେ,

ଏହି ଧର୍ମକୁ ସମସ୍ତେ ଆଶ୍ରେ କର ଶୁଦ୍ର ଚାଣ୍ଡାଳ ସହିତେ ।

 

ରାଜା ବ୍ରାହ୍ମଣଙ୍କୁ ବତାଇ କହିଲୁ ଏହି ଧର୍ମ ତୁମ୍ଭେ କର,

ଏ କଳିଯୁଗରେ ଏହି ଏକା ନାମ ଆଉ ନାହିଁ ନା ସଂସାର ।

 

ମାତୃହରଣ କରିଥିବ ଯେ ଜନ ଏ ଧର୍ମେ କ୍ଷମା ପାଇବ,

ଗୁରୁ ଅଗ୍ନି ରୂପ ମୂରତି ଅଟନ୍ତି ପାପଭାରାହିଁ ପୋଡ଼ିବ ।

 

ସୁରା ପାନ କରିଥିବ ଯେଉଁ ଜନ କାଟ ହୋଇବ ଦୁରିତ,

ଏହି ଧର୍ମକୁ ଆଶ୍ରେ କଲା ମାତ୍ରକେ ମୁକ୍ତି ହେବ ପରାପତ ।

 

ବାଳହତ୍ୟା ଦୋଷ କରିଥିବ ଯେହୁ ପୋଡ଼ିବ ସେ ପାପମାନ,

ଗୁରୁଙ୍କୁ ସେବା ଯେହୁ କରି ପାରିବ ମୋକ୍ଷ ହେବ ସେହୁ ଜନ ।

 

ସ୍ତିରୀହତ୍ୟା ପାପ ଯେହୁ କରିଥିବ ମୋକ୍ଷ ହେବ ଏହୁ ଧର୍ମେ,

ଜନମଯାକ ତା ଗୁରୁସେବା କରି ଚିତ୍ତ ରଖିଥିବ ନାମେ ।

 

ଅଜ୍ଞାନରେ ଯେତେ ପାପ କରିଥିଲେ ଏ ଧର୍ମେ ହୋଇବ କ୍ଷୟ,

ଗୁରୁବ୍ରହ୍ମ ଯେବେ ସୁଦୟା କରିବେ ନ ଥିବ ମନରେ ଭୟ ।

 

ବ୍ରାହ୍ମଣ ହୋଇ ଶୁଦ୍ରଯୋନିରେ ଇନ୍ଦ୍ରି ବଳାଇ ଥିବ ଯେସନେ,

ଧର୍ମ ଆଶ୍ରେକଲେ ସେ ପାପ ଖଣ୍ଡିବ ରଖିଥାଅ ଆରେ ମନେ ।

 

ରାଜାମାନେ ପ୍ରଜା ସ୍ତିରୀ ହରିଥିଲେ ସେହି ପାପ ଯେବେ ଥିବ,

ଏହି ଧର୍ମକୁ ଆଶ୍ରେ କରି ପାରିଲେ ଗୁରୁ ଆଜ୍ଞାରେ ପୋଡ଼ିବ ।

 

ଗଣ୍ଡାଏ ଯୁଗକୁ ଗଣ୍ଡାଏ ଗଣ୍ଡାଏ ଭଜନା ତିଆର କରି,

ସନ୍ଥଜନ ଦୁଷ୍ଟ ସମସ୍ତେ ତରନ୍ତୁ ହୃଦୟପଦ୍ମେ ବିଚାରି ।

 

ବୃତ୍ତିକେ ଚାରିଗୋଟି ଲେଖେ ଭଜନା ଉତୁରାଇକରି ଭାଗ,

ଘେନ ଘେନ ବୋଲି ସକଥ ଜନଙ୍କୁ ବାଣ୍ଟି ଦେଇ ଚାରିଦିଗ ।

 

ଯେହୁ ଇଚ୍ଛା ସେହୁ ନାମକୁ ଭଜିଲେ ଏଥି କିଛି ଦୋଷ ନାହିଁ ,

କି ଅବା ସ୍ତିରୀ ସେ କି ଅବା ପୁରୁଷ ଯେ ଜନ ପାରିବ ଧ୍ୟାୟି ।

 

ଆତ୍ମ ଭଗତିରେ ଦୋଷାଦୋଷ ନାହିଁ ନୀଚ ଉଚ୍ଚ ସବୁ ସମ,

ଭଣେ ଭୀମ ଭୋଇ ଗୁରୁ ପାଦ ଧ୍ୟାୟି ନିର୍ଗୁଣ ଏ ନାମ ବ୍ରହ୍ମ ।

***

 

ସତୁରି ବୋଲି

 

ଅନେକ ପ୍ରକାରେ ବୁଝାଇ କହିଲି ଗୁରୁଧର୍ମ ନ୍ୟାୟ ପଥ,

ଅପ୍ରତେ କରିଣ ହୃଦରେ ବସିଛ ମନରେ ନ କର ସତ ।

 

ଛତିଶ କୁଳ ଯେ ବାଉନ ପାଟକ ଯେତେ ଅଛନ୍ତି ସଂସାରେ,

ସର୍ବେ ନାହିଁ ନାହିଁ ବୋଇଲେ ମୁଖରେ ନ ପଶିଲେ ଏ ଧର୍ମରେ ।

 

ଆପଣା ଦୁଃଖସୁଖେ ସର୍ବେ ମଜ୍ଜିଲେ ଧର୍ମରେ ନ କଲେ ଚିନ୍ତା,

ବେଦ ଶାହାସ୍ର ବଚନକୁ ସମସ୍ତେ ମଣିଲେଣି ବିଷ ପିତା ।

 

ବ୍ରହ୍ମାଣ୍ଡର ପାପଭାରା ହୋଇଲାଣି କେମନ୍ତ କରିବି ସ୍ୱାମୀ,

ସନ୍ଥ ସାଧୁ କେହି ରହି ନ ପାରିଲେ ଯାଗା ନାହିଁନି ମେଦିନୀ ।

 

ଏବେ ପାପଭାରା ପୂରି ରହିଅଛି କେମନ୍ତେ ସ୍ଥାପନା ହେବ,

କେଉଁ ଧର୍ମରେ ଦୁରିତ ନାଶ ହେବ ମୋ ଆଗେ ତାହା କହିବ ।

 

ଏ କଳିଯୁଗର ମନୁଷ୍ୟ ଯେତେକ ବହୁତ ଅଧାର ଖାଇ,

ପ୍ରକୃତିରେ ସର୍ବେ ବଶ ହୋଇଛନ୍ତି ଅତି ଉନୁମାଦ ହୋଇ ।

 

 

 

ଜାତି ଅଜାତି କେହି ନାହିଁ ବାରିଲେ ଗୃହେ ଗୃହେ ସର୍ବେ ପଶି,

ପାପ ପୁଣ୍ୟକୁ କାହାରି ଭୟ ନାହିଁ ସମସ୍ତେ ଗଲେଣି ଭାସି ।

 

ଚାରି ବେଳ ଖାଇ ପ୍ରକୃତିବଳରେ ପାଞ୍ଚ ବେଳ କଲେ ରତି,

ପ୍ରକୃତି ମତରେ ସର୍ବେ ବଶ ହେଲେ ଏଣୁ ବଢ଼ିଲା ଅକୀର୍ତ୍ତି ।

 

କାହାକୁ କେହି ନ ମାନିଲେ ସଂସାରେ ଜାତିକୁଳ ବୁଡ଼ାଇଲେ,

ଜାତି ଏକ ଜାତି ଏକ ଏକଠାରେ ରକ୍ତ ମାଂସ ବୁଡ଼ାଇଲେ ।

 

କାହାରି ଜାତି କେହି ଯେ ନ ରଖିଲେ ବୁଡ଼ିଲା ବେଦ ଆଚାର,

ତିନି ବ୍ରହ୍ମାଣ୍ଡରେ ଯେତେ ଦେହଧାରୀ ସର୍ବେ ହେଲେ ଏକାକାର ।

 

ବାହ୍ୟ ମତକୁ ବଚନ କହୁଛନ୍ତି ଆମେ ବଡ଼ ବଡ଼ ଜାତି,

ଗୁପତେ ଗୁପତେ ସବୁ ସରିଲାଣି ପ୍ରକୃତିରେ ଛନ୍ତି ମାତି ।

 

ଛତିଶକୁଳ ଯେ ବାଉନ ପାଟକ ଜାତି ବୋଲା ନାହିଁ ଯାଏ,

ପାଣି ଅନ୍ତର ପାଟକ ସିନା ଏହୁ ସୁପଣ୍ଡି ତେ କର ନ୍ୟାଏ ।

 

ତିନି ବ୍ରହ୍ମାଣ୍ଡରେ ଲୋଡ଼ି ଆସ ତୁଣ୍ଡେ ଏକ ଜଣ ଏକ ଜାତି,

ସେହି ସବୁଙ୍କୁ ଶତ ଜାତି କରିଛି ତାହାର ରଞ୍ଚିଲା ପୃଥ୍ୱୀ ।

 

ସ୍ତିରୀ ପୁରୁଷ ଦୁହିଙ୍କି ଗଢ଼ିଅଛି ଯୋଡ଼ିଏ ସ୍ୱରୂପ ଦେଖ,

ଦ୍ୱିତୀୟ ଜାତିରୁ ତିନି ଜାତି ନାହିଁ ସୁଜନେ କର ବିବେକ ।

 

ପାଣି ପବନରୁ ସଞ୍ଚରି ଅଛନ୍ତି ଦେହଧାରୀ ଛନ୍ତି ଯେତେ,

ସ୍ଥାବର ଜଙ୍ଗମ କୀଟରୁ ପତଙ୍ଗ ଚଳ ଅଚଳ ସହିତେ ।

 

କେଉଁ ରୂପେ ପାପଭାରା ତୁଟାଇବ ବିଚାର ହେ ଗୁରୁଦେବ,

କଳିଯୁଗ ଆସି ଶେଷ ହୋଇଲାଣି କେଉଁ ଗତି ରୀତି ହେବ ।

 

ବ୍ରହ୍ମାଣ୍ଡକୁ ମୋର ବୁଦ୍ଧି ପାଉ ନାହିଁ ସାଗର ହୋଇଛି ପାପ,

ମେଦିନୀରେ ଯେତେ ଥିଲେ ଆକାଶକୁ ଉଠିଲେଣି ଦେବେଲୋକ ।

 

ରମ୍ଭାତରୁ ପ୍ରାଏ ତ୍ରିଭୁବନ ମହୀ ଥରହର କମ୍ପୁଅଛି,

ଏକପାଦେ ଉଭା ହୋଇ ସତ୍ୟଧର୍ମ ଚାରିଦିଗେ ଚାହୁଁ ଅଛି ।

 

କାହୁଁ ମୁଁ ଅଇଲି କେଉଁ ପଥେ ଯିବି ବୋଲି କରୁଛି ରୋଦନ,

ପାତକଭାରାରେ ଆକୁଳ ହେଉଛି ଉର୍ଦ୍ଧ୍ୱ କୁ କରି ବଦନ ।

 

ତ୍ରିଭୁବନ ଭାରା ସକଳ ସମର୍ପି ଅନୁସରି ଗୁରୁପାଦେ,

ଭଣେ ଭୀମକନ୍ଧ କବିକୁଳଚାନ୍ଦ ଚତୁର୍ଦ୍ଦଶଶତ ପଦେ ।

***

 

ଏକସ୍ତରି ବୋଲି

 

ଜୟ ଜୟ ପ୍ରଭୁ ଅଲେଖ ପୁରୁଷ ଅନାଦି ଈଶ୍ୱର ହରି,

ଦୂରିତନାଶନ ବାନା ବହିଅଛ ଦୁର୍ଗତି ଖଣ୍ଡ ମୋହରି ।

 

ଅନନ୍ତ ପୁରୁଷ ଅନ୍ତର୍ଯ୍ୟାମୀ ନାଥ ଅନ୍ତର୍ଗତ ଦୁଃଖ ଜାଣ,

କରପତ୍ର ଶିରେ ଯୋଡ଼ି ଜଣାଉଛି ଏ ମୋର ବିନତି ଘେନ ।

 

ଶତଜନ୍ମଠାରୁ କର୍ମ ଅକର୍ମରୁ କରିଅଛି ଯେତେ ପାପ,

ଅନ୍ତର ବାହାରୁ ସର୍ବାଙ୍ଗ ଶରୀରୁ ନିବାର ହେଉ କଳଙ୍କ ।

 

ଜାଣିବା ନ ଜାଣିବାର ଯେତେ ପାପ ଘୋଡ଼ାଅ ହେ ସଦଗୁରୁ,

ତାଳୁ ପଦ ଅନ୍ତ ହୃଦୟ ନିର୍ମଳ କର ସର୍ବାଙ୍ଗ ଶରୀରୁ ।

 

ଅଗ୍ନି ଅଙ୍ଗୀକାର ଗୁରୁ ବ୍ରହ୍ମ ଅଟ ବ୍ରହ୍ମରେ ପୋଡ଼ାଅ ରୋଗ,

ଏହି ଶରୀରୁ ନିର୍ମଳ ହୋଇ ଯାଉ ଯେତେ ଦିନ ଥିଲା ଯୋଗ ।

 

ଏତେବେଳେ ରୋଗ ଭୋଗକୁ ନିବାର ରୋମ ଚର୍ମରୁ ପଳାଉ,

ଏହି ଶରୀରେ ଏତିକି ହୋଇଥାଉ ଅନ୍ୟ ଅଙ୍ଗେ ଯାଇଁ ରହୁ ।

 

 

 

ଅନନ୍ତ ମଣ୍ଡଳେ ରହିବାକୁ ତୋତେ ଗୁରୁଙ୍କ ହୁକୁମ ନାହିଁ,

ଭିତରୁ ବାହାର ହୋଇ ଦୁଃଖ ରୋଗ ଯାଉ ଯହିଁ ଇଚ୍ଛା ତହିଁ ।

 

ବେନି କର୍ଣ୍ଣେ ମୁହିଁ ଯାହା ଶୁଣିଅଛି ଦୋଷ ପାପ କଥା ଯେତେ,

ହିଂସା କପଟ କୁଟିଳ ବାଦ ଛନ୍ଦ ଅସତ୍ୟ ମିଥ୍ୟା ସହିତେ ।

 

ରାଗ ଅହଂକାର କାମ କ୍ରୋଧ ଲୋଭ ଖଚ ମାୟା ଆଦି କରି,

ବେନି କର୍ଣ୍ଣେ ମୋର ପୂରି ରହିଅଛି ସବୁ ପକାଅ ନିବାରି ।

 

ଜଳର ପଙ୍କ ପ୍ରାଏ ପାପ ବକଳ ସର୍ବାଙ୍ଗରେ ଅଛି ଘୋଟି,

ଶୂନ୍ୟ ପୁରୁଷ ବିଚାରି ଦୟା କର ସବୁଯାକ ପଡ଼ୁ ଫିଟି ।

 

ଗୁରୁ ଅଜ୍ଞାତେ ନିର୍ମଳ ହୋଇଯାଉ ଶ୍ରବଣେ ନ ରଖ କିଛି,

ଜନମ ଦିନରୁ ମିଥ୍ୟା ପାପ କଥା ଯାହା ଯାହା ଶୁଣିଅଛି ।

 

ବେନି ନେତ୍ରେ ମୋର ଯେତେ ପାପ ଅଛି ଖଣ୍ଡନ କର ଶ୍ରୀଗୁରୁ,

ମୋହର ଅବସ୍ଥା ଦେଖି ବ୍ରହ୍ମଗୁରୁ ଦୟା ହେଉ ଶ୍ରୀଛାମୁରୁ ।

 

ରୂପ ଗୁଣ ବର୍ଣ୍ଣ ଜାନୁ ଯଉବନ ନେତ୍ରେ ଯାହା ଅଛି ଦେଖି,

ଶୋଭା ସୁନ୍ଦର ସୁରଙ୍ଗ ଦ୍ରବ୍ୟମାନ ଯାହା ଦେଖିଅଛ ଆଖି ।

 

ବେଶ ଭୁଷଣ ବୟସ ଦ୍ରବ୍ୟମାନ ଭଲ ମନ୍ଦ ଆଦି ଯେତେ,

କଳା ଗୋରା ରଙ୍ଗ ପିଙ୍ଗଳ ଶାମଳ ଦେଖିଅଛି ନେତ୍ରପଥେ ।

 

ଏ ପାତକମାନ ନେତ୍ରେ ଘୋଟିଅଛି କୁହୁଡ଼ି ଜାଲ ପରାଏ,

ବ୍ରହ୍ମଧୁନିରେ ଝସାଇ କ୍ଷମାକର ଅଣାକାର ବ୍ରହ୍ମମଏ ।

 

ଜନମକାଳରୁ ଦେଖିଅଛି ରୂପ ତହିଁର ଯେତେ ପାତକ,

କୁହୁଡ଼ି-ଜାଲ-ବକଳକୁ ଫିଟାଅ ଅଣାକାର ଅନର୍ଯାପ ।

 

ପ୍ରାନ୍ତରୁ ଯେସନ ଶିଶିର କୁହୁଡ଼ି ଆକାଶରେ ଥାଇ ଘୋଟି,

ଅରୁଣ ତରାସ ପଡ଼ିଲେ ସେ ଯେହ୍ନେ ଚଉଦିଗେ ଯାଏ ଫାଟି ।

 

ସେହିପରି ମୋର ବେନି ନେତ୍ରେ ପାପ କୁହୁଡ଼ି ପ୍ରାଏ ଘୋଟିଛି,

ଏକ ରୂପ ଏକ ପାଦ ମହାବ୍ରହ୍ମ କୃପା ହସ୍ତେ ଦିଅ ପୋଛି ।

 

ଗୁରୁଙ୍କର ହସ୍ତ ପଡ଼ୁଅଛି ଯହିଁ ଜଡ଼ା କହୁଅଛି ଜଡ଼ା କହୁଅଛି ବେଦ,

ଏ ଛାର ବିଷୟ ଗୁରୁ ଶ୍ରୀଛାମୁକୁ କେତେ ଅବା ପରମାଦ ।

 

ରବିତଳେ ଥାଇ ଶ୍ରୀଗୁରୁଙ୍କୁ ଧ୍ୟାୟି ମାନବ ତନୁକୁ ଧରି,

କହେ ଭୀମ ଭୋଇ ଗୁରୁପାଦ ଧ୍ୟାୟି ଦିବା ନିଶି ଅନୁସରି ।

***

 

ବାସ୍ତରି ବୋଲି

 

ବେନି ନାସାରେ ଯେତେକ ପାପ ଅଛି ପୋଡ଼ାଅ ଗୁରୁ ଅଲେଖ,

କଳିଯୁଗରେ ସବୁଠାରେ ପାତକ ଯାହା ପଡ଼ିଅଛି ମୁଖ ।

 

ଗନ୍ଧ ପରକଟ ଭଲ ମନ୍ଦ ବାସ ସବୁ ଗ୍ରହଣ କରୁଛି,

ସେହି ପାପମାନ ବେନି ନାସିକାରେ ବକଳ ପରାଏ ଅଛି ।

 

ନିର୍ମଳ କରି ଛଡ଼ାଅ ପାପପଙ୍କ ଚାହିଁ କରୁଣା ନୟନେ,

ତ୍ରିକୁଟ ମଣ୍ଡଳେ ଯାହା ପୂରିଅଛି ବେନି ନାସାରନ୍ଧ୍ର ବନେ ।

 

କୈାଣସି ପ୍ରକାରେ ପାପତାପ ଭାରା ନିବାର ହେ ଗୁରୁଦେବ,

ଜନମ ଦିନରୁ ଗନ୍ଧ ପରକଟ ଯାହା ଯାହା ପାଇଥିବ ।

 

ଗୁରୁ କୃପା ହେଲେ କେତେକ ମାତର ଚାହିଁ ଦେଲେ ଯିବ ଉଡ଼ି,

ସୁଗନ୍ଧ ବାସନା ଲୋଭ ମୋହରେ ମୁଁ ବିଅର୍ଥେ ମରୁଛି ବୁଡ଼ି ।

 

ଏଥିର ନିମନ୍ତେ ଶ୍ରୀଗୁରୁ ଛାମୁରେ ଜଣାଉଛି ବାରୁଁ ବାର,

ବ୍ରହ୍ମ ଅନଳେ ଦହନ କରି ପାପ ଉଚିତରେ କ୍ଷମା କର ।

 

 

 

ତୁଣ୍ଡରୁ ପାତକ କହୁଅଛି ମୁହିଁ ନୁହଇ ହିସାବ କରି,

ଜିହ୍ୱା ଅଗ୍ରେ ମୁହିଁ ଯାହା ଭାଷିଅଛି ଖଚ ମିଛ ଆଦି କରି ।

 

ସେ ପାତକ ମୋର ବ୍ରହ୍ମରେ ପୋଡ଼ାଅ ଅଛି ସର ପଙ୍କ ପ୍ରାଏ,

ବ୍ରହ୍ମ ଅନଳେ ସବୁଯାକ ଜାଳିଣ ପବିତ୍ର କର ମୋ କାଏ ।

 

ଅସତ୍ୟ କହିବାକୁ ଭୟ ମାଡ଼ଇ କହିଥିବି ଅବା କେବେ,

ଜନମ ଦିବସରୁ ପାପ ପ୍ରମାଦ ଭାଷିଅଛି ଯାହା ପୂର୍ବେ ।

 

କେତେ ବଚନ ମୁଖରେ ପରକାଶ ନଦୀ ବଢ଼ି ପ୍ରାଏ ଦେଖ,

ଜିହ୍ୱା ଅଗ୍ର କଣ୍ଠଦ୍ୱାରେ ଯେତେ ପାପ ନିବାର ଗୁରୁ ଅଲେଖ ।

 

ହୃଦୟ ପଦ୍ମରେ ପାପ ମୋର ଯେତେ ତାହା ବିସ୍ତାରି କହୁଛି,

ହୋଇବା ନୋହିବା ଯେତେ କଥାମାନ ପଞ୍ଚ ଭୂତେ ବିଚାରୁଛି ।

 

ପଞ୍ଚୁଭୁତ ମନ ପଚିଶ ପ୍ରକୃତି ମିଛକୁ କରି ପସରା,

ସେହି ପାପମାନ ବାସ କରିଅଛି ହୃଦୟମଣ୍ଡଳେ ପରା ।

 

ଗୁରୁ କୃପା ବହି ଜ୍ଞାନ କତୁରୀରେ ଛେଦ ଖଣ୍ଡ ଖଣ୍ଡ କରି,

ହୃଦୟରେ ମୋର ପାପ ପୂରିଅଛି ଦିନୁ ଦିନୁ ମହା ଭାରି ।

 

ସେ ପାତକମାନ କ୍ଷମା କର ଏବେ ନିର୍ମଳ ହେଉ ଶରୀର,

ପୁରୁଣା ହୋଇ ଯାହା ଯାହା ପଡ଼ିଛି ହୃଦରୁ କର ବାହାର ।

 

ହୃଦରୁ ଉଶ୍ୱାସ ହେଉ ପାପବିଷ ହରଣ କରାଅ ସବୁ,

ଦେବୀ ଦେବତା ମୁଁ କାହାକୁ ନ ଜାଣେ ତୁମ୍ଭେ ମୋର ବଡ଼ ପ୍ରଭୁ ।

 

ତେଣୁ କରି ସିନା ତତ୍ତ୍ୱ ଚିତ୍ତେ ମୁହିଁ ଜଣାଣ କରୁଛି ଦୁଃଖ,

ମୋ ଇଷ୍ଟଦେବତା ପ୍ରସନ୍ନ ହୋଇଲେ ହେବି ବୋଲି ନିଷ୍କଳଙ୍କ ।

 

ଜାଲ ପ୍ରାଏ ଏବେ ଛାଟି ରହିଅଛି ହୃଦର ପାପ ବେଦନା,

ବିନା ଭୟ ଭୀତି ନଥାଇ କାହାକୁ ପଞ୍ଚଭୂତରେ ଭାବନା ।

 

ଶିରୀଧର ସ୍ୱାମୀ ଅଲେଖ ପୁରୁଷ ଛତ୍ରପତି ଦଣ୍ଡଧାରୀ,

ପାପ ପରମାଦ ବୁଝିବେ ବୋଲି ମୁଁ ଅନୁସରି ଅଛି କରି ।

 

ଆଜ୍ଞାହେଲେ ମୋତେ କାରଣ ମିଳିବ ଆଶା କରିଅଛ ଭୃତ୍ୟ,

ପାପ ପୁଣ୍ୟ ଯାହା ପ୍ରକାଶ କଲି ମୁଁ ଗୁରୁଦେବ ସାମରଥ ।

 

ଗୁରୁପାଦ ଧରି ଭରସା ମୁଁ କରି ଶ୍ରୀଛାମୁରେ ନୀଚ ହୋଇ,

ଭଣେ ଭୀମଭୋଇ ଶିରେ କର ଦେଇ ସକଳ ସମର୍ପି ଦେଲା ।

***

 

ତେସ୍ତରି ବୋଲି

 

କଟି ଉଦର ନାଭିଚକ୍ରମଣ୍ଡଳେ ପୂରି ରହିଅଛି ରୋଗ,

ବାତ ପିତ ଆମ ଦଗଧ ପରାଏ କରୁଅଛି ଅଙ୍ଗେ ଭୋଗ ।

 

କଫ କାଶ ଶେଳଷମା ଯେ ଶରଦ ଗରମ ଲସମ ରୂପେ,

ଶିଶିର ହେମ ପରାଏ ହୋଇ ଅଙ୍ଗେ ପୀଡ଼ା କରୁଛନ୍ତି କୋପେ ।

 

ଜ୍ୱର ଶିରବ୍ୟଥା ପଖା ଯେ ପାରୁଶ ତଣ୍ଟି ଓଷ୍ଠ କଣ୍ଠ ପୀଡ଼ା,

ଶିର ସାଙ୍କୋଳି ଗଣ୍ଠି ମୁଠିରେ ପୂରି ସର୍ବାଙ୍ଗେ ପଡ଼ିଛି ବେଢ଼ା ।

 

ରୁଧିର ମାଏଁ ସ ରୋମ ଚର୍ମେ ପୁରି ସର୍ବାଙ୍ଗ ଶରୀରେ ଘୋଟି,

ପାପ ଦଉଡ଼ି ଜାଲ ଅଙ୍ଗେ ଘୋଟିଛି ଜୀବ ନ ପାରୁଛି ଉଠି ।

 

ମଦାଙ୍ଗ ଲତା ପରାଏ ମହାପାପ ସର୍ବାଙ୍ଗ ଶରୀରେ ରହି,

ଦିବସ ରଜନୀ ପୀଡ଼ା କରୁଅଛି ବଇରୀ ପରାଏ ହୋଇ ।

 

କଷା ପିତା ଦୁଗ୍‌ଧ ମଧୁର ସହିତେ ସକଳ ମୁଁ ଅଛି ଖାଇ,

ପୁଷ୍ପ ଫଳ ଡ଼ାଳ ପତର ସହିତେ ଯାହା ଭାଗ୍ୟରେ ମିଳଇ ।

 

 

 

ଜଳ ଅନଳରେ ଯାହା ପାକ ହୁଏ ଆଧାର ବୋଲି ଭୁଞ୍ଜଇ,

କଞ୍ଚା ଶୁଖା ଆଦି ଆମିଷ ସହିତେ ଶ୍ରୀଗୁରୁଙ୍କୁ ଟେକି ଦେଇ ।

 

ଉଦର ଅନ୍ତରେ ପୂରି ରହିଅଛି ଖାଦ୍ୟ ଅର୍ଥ ପାକ ଯେତେ,

ଚକ୍ର ପେଷି ଅନ୍ତ ଭିତରୁ ନିବାରି ଉଧାରିବା ହେଉ ମୋତେ ।

 

ଉଦର ଖଣ୍ଡ ଅଟେ ବ୍ରହ୍ମାଣ୍ଡ ଭାଣ୍ଡ ଅଶେଷ ବ୍ୟାଧି ପୂରିଛି,

ନିରୋଗୀ ପୁରୁଷ ଦୟାବହି ମୋତେ ନିର୍ମଳ କଲେ ହେଉଛି ।

 

ବ୍ରହ୍ମ ଅଗ୍ନିଜାଳି ଦୁରିତ ପୋଡ଼ାଅ ମନ ଭ୍ରମ ଚିନ୍ତା ଯାଉ,

ଆଜ୍ଞାରେ ଶ୍ରୀଗୁରୁ କ୍ଷମା କରି ନିଅ ଏତେବେଳରେ ନ ଥାଉ ।

 

ଚିପି ଛାଣି ମାଜି ଧୋଇ ଅନ୍ତ ପିତ ବ୍ରହ୍ମରେ ପଖାଳି ଧୁଅ,

ମାୟା ନ କରି ଏ ମାନବ ତନୁରୁ ପାରିକରି ମୋତେ ନିଅ ।

 

ବାରମ୍ବାର ଶ୍ରୀଛାମୁରେ ଜଣାଇଛି ନ ରଖ ପାତକ କିଛି,

ଅକଳଙ୍କ ହେବ ବୋଲି ପାପୀଜୀବ ଗୁରୁସେବା ଲାଗିଅଛି ।

 

ଅନ୍ତର୍ଯ୍ୟାମୀ ପ୍ରଭୁ ନ ଜାଣ କି ତୁମେ କିସ ଜଣାଇବି ମୁହିଁ,

ଉଦର ଅନ୍ତରେ ଯେତେ ପାପରୋଗ ନିବାର କର ଗୋସାଇଁ ।

 

ଲିଙ୍ଗଚକ୍ରରେ ଯେତେକ ପାପ ଅଛି ପ୍ରକୃତିଗଣ ସ୍ୱରୂପେ,

ରେତ ରସ ମୁତ୍ର ବିନ୍ଦୁ ଆଚ୍ଛାଦୁଛି ଏକାଦଶ ଇନ୍ଦ୍ରି ମୁଖେ ।

 

ଅନ୍ତରେ ବିଚାରି କଳ୍ପଣା ଉଚ୍ଚାରି ଭାବି ମାୟାରୂପ ଗୁଣ,

ଲିଙ୍ଗଚିତ୍ରରେ ଆବୋରି ରହିଅଛି ପ୍ରକୃତିରେ ପାପମାନ ।

 

ସେହି ଦୋଷମାନ ଏବେ କ୍ଷମାକରି ଭବାର୍ଣ୍ଣବ ଦୋଷ ହର,

ସଦଗୁରୁ ବ୍ରହ୍ମ ଅନଳେ ପୋଡ଼ାଇ ଏ ଜୀବକୁ ରକ୍ଷାକର ।

 

ଗୁରୁଦେବ ବିନୁ ପ୍ରକୃତି ପାତକ ଅନ୍ୟରେ ନୁହଇ କ୍ଷମ,

ଅଗ୍ନିରୂପ ହୋଇ ଉଦେ ହୋଇଅଛ ଅନାହତବାସୀ ବ୍ରହ୍ମା ।

 

ନିବାର ନିବାର ନିର୍ମଳ କରିଣ ସର୍ବପାପ ଦୋଷମାନ,

ଏକ ବ୍ରହ୍ମେ ମୁହିଁ ଏ ପିଣ୍ଡ ପରାଣ ସତ୍ୟରେ କରିଛି ଦାନ ।

 

ଶୁଣ ସୁଜ୍ଞଜନେ ବୁଝାଇ କହୁଛି ସଦଗୁରୁ ସେବାକର,

ଗୁରୁଙ୍କୁ ପ୍ରଭୁପଣହିଁ ବଡ଼ ନୁହେ ଆପଣା ମନେ ବିଚାର ।

 

ଦୋଷ ଅପରାଧ କ୍ଷଏ ଯିବ ବୋଲି ଭରସା ମୋର ବହୁତ,

ଗୁରୁପାଦ ଧ୍ୟାୟି ଭଣେ ଭୀମ ଭୋଇ ବ୍ରହ୍ମରେ ନିବେଶି ଚିତ୍ତ ।

***

 

ଚଉସ୍ତରି ବୋଲି

 

ଗୁହ୍ୟ ଚକ୍ରର ଚରିତ ରୀତି ଗତି ଶୁଣିମା ଗୁରୁ ଅଲେଖ,

ସେ ଦ୍ୱାରରେ ମଳ ମାଟି ଆଚ୍ଛାଦନ ତହିଁର ପାପ ଯେତେକ ।

 

ରହ୍ୟର ପାପର ବ୍ୟାଧି ଜାତହୋଇ ପୀଡ଼ା କରେ ମଳଦ୍ୱାର,

ଶତେ ଜନ୍ମଠାରୁ କର୍ମ ଅକର୍ମରୁ ପଡ଼ିଛି ମଙ୍ଗଳଭଣ୍ଡାର ।

 

କହିଲା ବଚନ ନ କହି ବୋଇଲେ ହୁଅଇ ଗୁହ୍ୟ ପାତକ,

ସାଧୁମଣ୍ଡଳରେ ନ ବସି ଜାଣିଲେ ତହିଁର ଦୋଷ ଯେତେକ ।

 

ସେ ଦୁରିତ ଯେତେ ମଳଦ୍ୱାରେ ଅଛି ମାଟି ପଙ୍କ ପ୍ରାଏ ହୋଇ,

ଏବେ ସେହି ପାପ ନିବାର ଶ୍ରୀଗୁରୁ ସୁଚିତ୍ତରେ ଦୟା ବହି ।

 

ହରଣ କର ଏ ନବଦ୍ୱାର ପାପ ଯେ ରୂପେ ଯେ ଦେବ କ୍ଷମା,

ଆପେ ପିଣ୍ଡକୁ ଗଢ଼ିଛ ସଦଗୁରୁ ଜାଣ ଦ୍ୱାରର ମହିମା ।

 

ବ୍ରହ୍ମ ଅନଳରେ ପୋଡ଼ାଅ ଦୁରିତ ଯାହା ଅଛି ନବଦ୍ୱାରେ,

ବ୍ରହ୍ମକୁ କି ଅବା ଅଗୋଚର ହେବ ଯେ ଅଛନ୍ତି ଯେଉଁ ଘରେ ।

 

 

 

ବେନି ପୟର ପାତକ ମୋର ଯେତେ ଶୁଣିମା ଶ୍ରୀଗୁରୁଦେବ,

ପଥ ଚାଲିବାରେ ଦୃଶ୍ୟ ଅଦୃଶ୍ୟରେ ମାଡ଼ିଅଛି ଯେତେ ଜୀବ ।

 

ଅଜ୍ଞାନ କାଳରେ ପିତାମାତା ଅଙ୍ଗେ ପଡ଼ିଅଛି ଏହି ପାଦ,

ବାଳକ ବୋଲି ବିଚାରି ପିତା ମାତା କ୍ଷମା କରି ହେଲେ ବୋଧ ।

 

ସେହି କଥାମାନ ବିଚାରିଲେ ଏବେ ଘଟନା ହେଉଛି ଦୋଷ,

ଦୟାବହି ହୃଦେ କ୍ଷମାକର ଦୋଷ ଅନାଦି ଶୂନ୍ୟ ପୁରୁଷ ।

 

ପିତା ମାତା ରୂପେ ହୋଇଅଛ ତୁମ୍ଭେ ଆକାଶ ମଣ୍ଡଳୁ ଆସି,

ଗୁରୁ ପିତା ମାତା କୋଳରେ ଏ ପାଦ ହୋଇଛି ବହୁତ ଦୋଷୀ ।

 

ଏବେ କ୍ଷମାକର ସର୍ବ ଅପରାଧ ଅଜ୍ଞାନର କର୍ମ ଯେତେ,

ଶତେବାର ଦଣ୍ଡ ପ୍ରଳମ୍ବିତ କରି କର ଯୋଡ଼ୁ ଅଛି ମାଥେ ।

 

ଖଣ୍ଡନ କର ବେନି ଚରଣ ପାପ ତ୍ରାହି ତ୍ରାହି ପାଦବିନ୍ଦେ,

ରକ୍ଷାକର ରକ୍ଷାକର ବୋଲି ମୁଖେ ପୁଣି ପୁଣି ପାଦ ବନ୍ଦେ ।

 

ଯାହା କଲେ କଲା ଏ ବେନି ପୟର ଆଉ ନ କରୁ ଏ ଦୋଷ,

ଏଥକୁ ଚାହିଁ ସୁଦୟା ମାତ୍ର ଥିବ ଅଣାକାର ଶୂନ୍ୟବାସ ।

 

ଗୁହ୍ୟଦ୍ୱାର ପାପ ଯାହା ହେଲାହେଲା ଏଠାରୁ ଆଉ ନ ହେଉ,

ଅମୃତ ଲୋଚନେ ଚାହିଁଥାଅ ପ୍ରଭୁ ଏହି ଦୟା ମାତ୍ର ଥାଉ ।

 

ଲିଙ୍ଗ ଚିତ୍ର ପାପ ଯେତେ ହୋଇଥିଲା ଗୁରୁଦେବ କ୍ଷମାକଲେ,

ପଶୁହରଣ ବେଶ୍ୟା ଯୋନିରେ ବୀଜ ନ ପଡ଼ିବ ତିନିକାଳେ ।

 

ଅନ୍ତରେ ମାୟା କପଟ କଥାମାନ ନ ରହୁ ପାଞ୍ଚନା ଚିତ୍ତେ,

ଦନ୍ତରେ ତିରଣ ଧରି ମାଗୁଅଛି ଏହି ଆଜ୍ଞା ହେଉ ମୋତେ ।

 

ହୃଦୟ ପଦ୍ମରେ ପ୍ରକୃତି ବିଚାର ଆଉ ନ ଭାବୁ ଏ ମନ,

ଗଳାରେ ବସନ ବାନ୍ଧି ଜଣାଉଛି ହେ ଅଲେଖ ମହାଶୂନ୍ୟ ।

 

ଏ ଜିହ୍ୱାରେ ଆଉ ଅସତ୍ୟ ନ ବସୁ ବିଚଳ ନ ହେଉ ବାଚା,

ଜନ୍ମ ଜନ୍ମାନ୍ତରେ ମିଥ୍ୟା ନ କହିବି ରଖିଥିବ କରି ସଚ୍ଚା ।

 

ବେନି ନୟନେ ରୂପ ଗୁଣ ଚାହିଁଲେ କଳ୍ପଣା ନୋହିବ ଆଉ,

ବେନି ପାଦଧରି ଗୁହାରି କରୁଛି ଶ୍ରୀଗୁରୁ ମୋ ମହାବାହୁ ।

 

ବେନି ଶ୍ରବଣେ ଖଚକଥା ନ ପଶୁମାଗୁ ମୁଁ ଅଛି ଏତିକି,

ଆକୁଳ ହୋଇ କହୁଛି ଭୀମଭୋଇ ଧ୍ୟାୟି ଜୀବର ପତିକି ।

***

 

ପଞ୍ଚସ୍ତରି ବୋଲି

 

ଅରୁଣ ତରାସ ପଡ଼ିଲେ ଯେସନେ ଅନ୍ଧକାର ଯାଏ ଫାଟି,

ସେହିପରି ପ୍ରଭୁ ଜ୍ଞାନଖଡ଼ଗରେ ପାତକ ପକାଅ କାଟି ।

 

ନିଶିରେ ଚନ୍ଦ୍ରମା ହୋଇଲେ ଯେସନ ରଜନୀ କରେ ଆଲୁଅ,

ସେହି ପରକାର ପାପଭାରା ମୋର ନିବାରଣ କରି ନିଅ ।

 

ସର୍ପଘାତ ହେଲେ ଗୁଣିକ ଯେସନ ବିଷରେ ପକାନ୍ତି ପଦ,

ଅଙ୍ଗରେ ମୋର ପାପଲତା ଛାଟିଛି ଗୁରୁବାକ୍ୟେ ପାଉ ହଦ ।

 

ସନ୍ନିପାତ ଘୋଟିଥିଲେ ବୈଦ୍ୟମାନେ ମେଲନ୍ତି ବିଷାନ ବଡ଼ି,

ମଳୁଅଙ୍ଗରେ ସମୁଦ୍ର ପ୍ରାଏ ଜଳ ଶୁଖଇ ତା ତେଜ ପଡ଼ି ।

 

ସେହିପରି ମୋର ଅଙ୍ଗରୁ ନିବାର ପାପ ଦୁଃଖସାଗରକୁ,

ଜ୍ଞାନ ମଉଷଧି ଦେଇ ଭଲ କର ନଥାଉ କାଳ କାଳକୁ ।

 

ରଜକ ଯେସନେ ମଳିଆ ବସନ ଉଜ୍ଜ୍ୱଳ କରଇ ତୁଠେ,

ସେରୂପେ ମୋତେ ଉଜ୍ଜ୍ୱଳକର ପ୍ରଭୁ ଯେଉଁ ପାପ ଅଛି ଘଟେ ।

 

 

 

ସୁବର୍ଣ୍ଣ ଯେସନେ ଅନଳେ ଦହିଲେ ରୂପ ତା ଦିଶଇ ଝଳି,

ତେସନ ମୋତେ ବ୍ରହ୍ମ ଅନଳେ ଜାଳ ଛାଡ଼ିଯାଉ ପାପ ମଳି ।

 

ମନୁଷ୍ୟ ଯେସନ ଜଳରେ ପଶିଲେ ସ୍ନାନ କଲେ ଶୁଦ୍ଧ ହୋଇ

ପଙ୍କ ଧୂଳି ମଳି ଅଙ୍ଗେ ଲାଗିଥିଲେ ତତକ୍ଷଣେ ଛାଡ଼ିଯାଇ ।

 

ସେହିରୂପେ ମୋର ଅଙ୍ଗେ ଲାଗିଅଛ ପାପପଙ୍କ ମଳି ଦେଖ;

ଶୁନ୍ୟ ପୁରୁଷ ଏ ଶରୀରୁ ଓହ୍ଲାଇ କୋଠ ଭଣ୍ଡାରରେ ରଖ ।

 

ଆକାଶେ ଯେସନେ ଘନ ଘୋଟିଥାଇ ଦିଶେ ଅନ୍ଧାର କୁହୁଡ଼ି,

ଜଳ ବୃଷ୍ଟି ହେଲେ କାମରୁପୀ ଭାଜେ ବାତଘାତେ ଯାଏ ଉଡ଼ି ।

 

ପାପ ମିଛ କତା ଘୋଟିଅଛି ଅଙ୍ଗେ ସର୍ବାଙ୍ଗେ ଅନ୍ଧାର ହୋଇ,

ଶୂନ୍ୟ ପୁରୁଷ ଉଜ୍ୱଳ କର ମୋତେ ଅମୃତ ଲୋଚନେ ଚାହିଁ ।

 

କଲିକତରା କୀଟପହଦପଙ୍କେ ଭିତରେ ଯେ ଥାଇ ପଡ଼ି,

ବାହାର ହୋଇଲେ କିଛି ନ ଲାଗଇ ତା ଦେହୁଁ ପଡ଼ଇ ଛାଡ଼ି ।

 

ସେହିପରି ମୁହିଁ ପାପ ହଦପଙ୍କେ ଭିତରରେ ଅଛି ପଶି,

ଅନ୍ତର୍ଯ୍ୟାମୀ ଗୁରୁ ପାରିକର ମୋତେ ପଦ୍ମ କରରେ ଆଉଁସି ।

 

ବେଶକାରୀମାନେ ଅଷ୍ଟଅଳଙ୍କାର ନୃତ୍ୟକାଳେ ହୋନ୍ତି ଖଞ୍ଜି,

ନାଟ ସରିଗଲେ ଆପଣା ଦେହରୁ ପଛନ୍ତେ ପକାନ୍ତି ଭାଞ୍ଜି ।

 

ସେହି ପରକାରେ ପାପ ଅଳଙ୍କାର ମୋ ଦେହେ ହୋଇଛି ମଣ୍ଡି,

ଫେଡ଼ି କଷଣ ପାପ ଅଳଙ୍କାରକୁ ଦେହରୁ ପକାଅ ଖଣ୍ଡି ।

 

ଶୀତକାଳେ ଯେହ୍ନେ ପ୍ରାଣୀଙ୍କ ଅଙ୍ଗରେ ନ ପାରଇ ଶୀତ ରହି,

ହୁତାଶନ ହୋଇ ଉଠିଲେ ବହନ ତକ୍ଷଣେ ଯାଏ ପଳାଇ ।

 

ସେହିପରି ମୋର ଅଙ୍ଗେ ପାପଶୀତ କରୁଅଛି ପରମାଦ,

ବ୍ରହ୍ମ ଅନଳ ମୂରତି ହୋଇ ଗୁରୁ ଶ୍ରୀହସ୍ତେ ଦୁରିତ ଛେଦ ।

 

କୈାଣସି ପ୍ରକାରେ ପାରି କର ମୋତେ କାଳ ବିକାଳ ମୁଖରୁ,

ଶ୍ରୀହସ୍ତ ବଢ଼ାଇ ଛାଣି ନିଅ ମୋତେ ଚିର ଦୁଃଖପାତକରୁ ।

 

କ୍ଷୀରସିନ୍ଧୁ ବାସୀ କ୍ଷୀର ପ୍ରାଏ ଦେହ ନିସ୍ତାରି ଉଜ୍ଜ୍ୱଳ କର,

ଗୋଟି ଗୋଟି କରି କେତେ ବଖାଣିବି ଅଶେଷ ପାପୁ ଉଧର ।

 

ମନର କଳ୍ପଣା ଜାଣୁଥିବ ଗୁରୁ ଯାହା ଜଣାଇଛି ଆଦ୍ୟେ,

ଭଣେ ଭୀମ ଭୋଇ ଗୁରୁ ପାଦ ଧ୍ୟାୟି ପଞ୍ଚଦଶଶତ ପଦେ ।

***

 

Unknown

ଛସ୍ତରି ବୋଲି

 

ଏ କଳିଯୁଗରେ ବହୁତ ପାତକ କେମନ୍ତେ ହୋଇବି ପାର,

ପାପସିନ୍ଧୁରେ ଭାସିଣ ଡ଼ାକୁଅଛି ତ୍ରାହି କର ଅଣାକାର ।

 

ନବଦ୍ୱାରେ ପାପ ଜଳ ପ୍ରାଏ ପଶି ତାଳୁରୁ ତଳିପାଯାଏ,

ଅକ୍ଷଏ ପୁରୁଷ କ୍ଷଏ କର ଦୋଷ ନ ଥାଉ ମନ ସଂଶଏ ।

 

ଚଉରି ମଦଙ୍ଗ କଳ୍ପଲତା ପ୍ରାଏ ପାପ ମିଛ କଳ୍ପମାନ,

ସକଳ ପାପ ପରମାଦ ନିବାରି ମନବାଞ୍ଛା କର ପୂର୍ଣ୍ଣ ।

 

ଆଜ୍ଞା ହୋଇଲେ କେମନ୍ତେ ନ ଛାଡ଼ିବ କୃପାରେ ଅଟ ବାରୀଧି,

କରୁଣାସିନ୍ଧୁ ପାପସିନ୍ଧୁ ନିବାର ମନବାଞ୍ଛା କର ସିଦ୍ଧି ।

 

ପାପ ଦୋଷ ଯେତେ ହୃଦୟ କଳ୍ପଣା ବିଚାର ମୋହର ଯେତେ,

ଅଖଣ୍ଡ ପୁରୁଷ ଖଣ୍ଡନ କରାଅ ମନ କଳ୍ପଣା ସହିତେ ।

 

ଉବାର୍ଣ୍ଣବରେ ପଡ଼ି ଦୋଷ କରିଛି ତହିଁର ପାତକ ଯାହା,

ଭବରୋଗକୁ ବୈଦ୍ୟ ହୋଇ ଆପଣ କ୍ଷମା କର ପ୍ରଭୁ ତାହା ।

 

 

 

ଭବାର୍ଣ୍ଣବେ ଜାତ ହୋଇଛି ଏ ଜୀବ ଜନ୍ମ ମୃତ୍ୟୁ ଦୋଷ ସବୁ,

ଜନ୍ମ ମରଣ ବେନି ପକ୍ଷ ବିଚାରି ଦୟା କର ମୋତେ ପ୍ରଭୁ ।

 

ବିନା ଆଜ୍ଞାରେ ତିରଣ ନ ହଲଇ ଆଜ୍ଞା ହେଲେ ପାପ ଯିବ,

ଆଜ୍ଞାକୁ ଅବଜ୍ଞା କରି ପାପ ଦୋଷ କେମନ୍ତେ ଅଙ୍ଗେ ରହିବ ।

 

ଆଜ୍ଞାରେ ସର୍ବେ ତ ବେହାରୀ ଅଟନ୍ତି ଆଜ୍ଞା ନ ଲଘଂନ୍ତି କେହି,

ଛାର ପାତକ ପ୍ରକୃତି ପରମାଦ ଅଙ୍ଗେ କି ପାରିବ ରହି ।

 

ଆଜ୍ଞାରେ ସପତସିନ୍ଧୁ ପୁରିଅଛି ଲଘିଂ ବାକୁ ନାହିଁ କୂଳ,

ମୋର ପାତକ କେମନ୍ତେ ନ ଛାଡ଼ିବ କିମ୍ପା ଥିବ କାଳ କାଳ ।

 

ଆଜ୍ଞାରେ ରହିଛି ନବଖଣ୍ଡ ମହୀ ନ ପଡ଼ୁଛି ରସାତଳେ,

ଏ ମୋର ଦୁରିତ କେମନ୍ତେ ନ ଯିବ ଶକତିରୁ ଦୟା କଲେ ।

 

ଆଜ୍ଞା ଘେନି ଚନ୍ଦ୍ର ସୂର୍ଯ୍ୟ ଆକାଶରେ ହେଉଛନ୍ତି ଉଦେ ଅସ୍ତ,

ଏ ଛାର ପାପ ପ୍ରଭୁଙ୍କୁ ବଳିଆର କିମ୍ପା ନୋହିବ ଲେପତ ।

 

ଆଜ୍ଞାରେ ନବଲକ୍ଷ ତାରା ଆକାଶେ ଫେରୁଛନ୍ତି ଚଉଦିଗ,

ଆଜ୍ଞା ଯେବେ ହେବ ମହା ପୂର୍ଣ୍ଣବ୍ରହ୍ମ କିମ୍ପା ପାତକ ରହିବ ।

 

ଆଜ୍ଞାରେ ଇନ୍ଦ୍ର ଜଳ ବୃଷ୍ଟି କରାଇ ମେଣ୍ଟି ନ ପାରଇ କେବେ,

ଏ ମୋର ପାତକ କେତେକ ମାତର ଶ୍ରୀଗୁରୁଦେବ ଖଣ୍ଡିବେ ।

 

ଆଜ୍ଞାରେ ପବନ ବହୁଅଛି ଦେଖ ପିଣ୍ଡ ବ୍ରହ୍ମାଣ୍ଡ ଆବୋରି,

ଏ ଅଙ୍ଗରେ ପାଗ ଯାହା ଅଛି ମୋର ଗୁରୁବାକ୍ୟ ହେଉ ପାରି ।

 

ଆଜ୍ଞା ଘେନି ଅଗ୍ନି ପାକ କରୁଅଛି ଏହି ପିଣ୍ଡ ବ୍ରହ୍ମାଣ୍ଡକୁ,

ଏ ଛାର ପାତକ କେମନ୍ତେ ମେଣ୍ଟିବ ଅନାଦି ଗୁରୁ ଆଜ୍ଞାକୁ ।

 

ଗୁରୁ ଆଜ୍ଞା ପାଇ ଏ ମେରୁ ମନ୍ଦର ଧରଣୀକୁ ଅଛି ଧରି,

ଗୁରୁ କୃପା ହେଲେ ଏ ମୋର କଳୁଷ କିମ୍ପା ନୋହିବ ନିବାରି ।

 

ଗୁରୁ ଆଜ୍ଞା ହେଲା ଯାଅରେ ପାତକ ନିଜ କର୍ମକୁ ଆଦରି,

ଯହୁଁ ଆସିଥିଲୁ ତହିଁକି ତୁ ଯାଅ ଆଦ୍ୟର ବସା ସୁମରି ।

 

ଏତେ ଦିନଯାଏ ଯାହା ଭୋଗକଲୁ ଆଉ ନ କର ତୁ ବଳେ,

ସଦଗୁରୁଙ୍କର ଆଜ୍ଞା ଶିରେ ବହି ପଳାଅ ତୁ ଅନ୍ତରାଳେ ।

 

ଶତ ଜନ୍ମଠାରୁ ହେତୁ କରି ଆଣି ଯେତେ ଥିଲା ପାପଭାର,

କହେ ଭୀମ ଭୋଇ ଶ୍ରୀଗୁରୁ ଛାମୁରେ ପକାଇ ଅଛି ଇଝାର ।

***

 

ସତସ୍ତରି ବୋଲି

 

ତାଳୁ ତଳିପାରୁ ପଳା ପାପ ରୋଗ ଆଜ୍ଞା ନ କର ମେଣ୍ଟଣ,

ଆଜ୍ଞ ନ ମାନି ବଳତ୍କାରେ ରହିଲେ ଅଭିଶାପ ହେବ ଜାଣ ।

 

ନଖ ନାସିକାରୁ ପଳାଅ ପାତକ ସକଳ ସ୍ଥାନରୁ ଛାଡ଼ି

ତୋହରି ନିମନ୍ତେ ଇଝାର ଦେଇଛି ଶ୍ରୀଛାମୁରେ ଅଛି ପଡ଼ି ।

 

ଗଣ୍ଠି ମୁଷ୍ଟିରୁ ପଳାଅ ମହାକାଳ ଶିର ସାଙ୍କୋଳିରୁ ଘୁଞ୍ଚି,

ଗୁରୁ ସମ୍ମୁଖେ ତୋହ କଥା ପଡ଼ିଛି ଦେଖ ତୁ ନ ପାରୁ ବଞ୍ଚି ।

 

ଚଉଷଠି ବ୍ରହ୍ମ ଘରକୁ ପଳାଅ ଅଛି ଯେବେ ତୋର ଭାଗ୍ୟ,

ନ ମାନିବୁ ଯେବେ ଦୁର୍ଦ୍ଦଶା ଦୁର୍ଦ୍ଦଣ୍ଡେ ନିଶ୍ଚୟ ଏ ସଜା ହେବ ।

 

ଅନ୍ତ ପିତ୍ତରୁ ତୁ ବାହାରି ପଳାଅ ଅସ୍ଥି ମାଂସରେ ତୁ ନ ଥା,

ଏତେ କାଳ ଆସି ଗୁରୁଙ୍କ ସନ୍ନିଧେ ଫୁଟିଲାଣି ତୋର କଥା ।

 

ଅଙ୍ଗ ରୋମ ଚର୍ମରୁ ଛାଡ଼ି ପଳାଅ ନ ଗଲେ ଗୁରୁଙ୍କ ରାଣ,

କିମ୍ପାଇ ଅମାନିଆ ଏତେ ହେଉଛୁ ବ୍ରହ୍ମର ବଚନ ଘେନ ।

 

 

 

ଅଲେଖ ବ୍ରହ୍ମର ରାଣ ଅଛି ତୋତେ ପଳାଅ ପିଣ୍ଡରୁ ଛାଡ଼ି,

ଫେଣ ପ୍ରାଏ ପଛେ ଆଉଯାଇ ହେବୁ ବାଜିଲେ ବ୍ରହ୍ମ ଲହଡ଼ୀ ।

 

ସମସ୍ତଙ୍କୁ ଗୁରୁ ଜାତ କରିଛନ୍ତି ଅଜାତରେ କେହି ନାହିଁ,

ଏବେ ତୋହର ମହତ୍ତ୍ୱ ଧରି ପଳା ତିଆରି କହୁଛି ମୁହିଁ ।

 

ପାପ ପୁଣ୍ୟ ଧର୍ମ ଅଧର୍ମ ସହିତେ ଜନମ ହୋଇଛି ସତ,

ସମସ୍ତେ ଅନାଦି ବ୍ରହ୍ମର ଗଢ଼ିଲା ନ ଗଢ଼ି ହୋଇ ଆପେ ତ ।

 

ଗୁରୁଙ୍କ ବ୍ରହ୍ମାଣ୍ଡ ଧରତି ଆକାଶ ନବଦ୍ୱୀପ ପୃଥ୍ୱୀ ଅଛି,

ଯହିଁ ଇଚ୍ଛା ତୋର ସେ ପଥରେ ଯା ଯା ଭାଳେଣି ନ କର କିଛି ।

 

ଶୁଦ୍ଧ ସୁବର୍ଣ୍ଣ ପରାଏ ହେଉ ଅଙ୍ଗ ଅରୁଣ କିରଣ କାନ୍ତି,

ଚାରି ଯୁଗେ ଗୁରୁ ପାଦ ମିଳିଥାଉ ରହୁ ମୋ ସେବା ଭଗତି ।

 

ଚନ୍ଦ୍ର ତରାସ ପରାଏ ହେଉ ଦେହ ସ୍ଫଟିକ ପଥର ଜିଣି,

ଶୂନ୍ୟ ପୁରୁଷ ନିର୍ଦୟ ନ ହୋଇବ ସେବା ଭକ୍ତି ଥିବ ଘେନି ।

 

ନିକଳଙ୍କ ହେଉ କଳଙ୍କ ନଥାଉ ଗୁରୁ ସେବା କଲା ତନୁ,

ପିଣ୍ଡ ପ୍ରାଣ ମୋର ସମର୍ପି ଦେଉଛି ଜ୍ଞାନ ବୁଦ୍ଧି ହେଲା ଦିନୁ ।

 

ଦର୍ପଣ ତରାସ ପ୍ରାଏ ହେଉ ଦେହ ବିଦ୍ୟୁଝଟକାନ୍ତି ପ୍ରାଏ,

ଏରୂପେ ଶୂନ୍ୟବ୍ରହ୍ମର ଦୟା ଥାଉ ତମ୍ବା ପ୍ରାଏ ହେଉ କାଏ ।

 

ଜାଜୁଲ୍ୟ ମୂରତି ହେଉ ଏହି ଘଟ ଅଗ୍ନିରେ କାନ୍ତି ଯେସନ,

ବ୍ରହ୍ମକୁ ତେଜି ବ୍ରହ୍ମ ଧର୍ମ ବର୍ଦ୍ଧିତ ହେଉ ବ୍ରହ୍ମତେଜମାନ ।

 

ସକଳ ସ୍ଥାନରେ ମଳିନ ଅବସ୍ଥା ଲୋଡ଼ିଲେ ନ ମିଳୁ କାହିଁ,

ସର୍ବାଙ୍ଗ ଶରୀର ପରିମଳ ହେଉ ଦିଶୁ ବ୍ରହ୍ମଭୂତମୟୀ ।

 

ଲବଣୀ ପ୍ରାଏ ଚିକ୍‌କଣ ହେଉ ଦେହ ନ ଥାଉ ଯେ ଅବିଗୁଣ,

ଅରୂପବ୍ରହ୍ମର ଦୟା ଥାଉ ମୋତେ ମିଳୁଥାଉ ଦରଶନ ।

 

ଶତ ଶତବାର ଶତ ସସ୍ରଥର ଜଣାଣ କରୁଛି ମୁହିଁ,

ତତ୍ତ୍ୱ ମନରେ ମୁଁ ଗୁରୁଙ୍କୁ କହୁଛି କଦାଚ ଅସତ୍ୟ ନାହିଁ ।

 

ସାଧୁ ସୁଜ୍ଞନର ଗୁରୁ ସେବା କର ବ୍ରହ୍ମରେ ହୁଅ ଭଗତି,

ଅଶେଷ ଜନ୍ମର କଳୁଷ ନାଶିବେ ଅବଶ୍ୟ ଦେବେ ମୁକତି ।

 

ଅନେକ ଭାବେ ମୁଁ ଅନୁସରି ଅଛି ବିଶ୍ୱାସ କରିବେ ବୋଲି,

କହେ ଭୀମ ଭୋଇ ଆସ୍ଥାନ ତଳରେ ନିତ୍ୟ ମରୁଅଛି ଭାଳି ।

***

 

ଅଠସ୍ତରି ବୋଲି

 

ଏଥୁ ଅନନ୍ତରେ ଶୁଣ ସୁଜ୍ଞଜନେ କହିବା ଅପୂର୍ବ କଥା,

ଅତି ଆଗୋଚର ଚରିତ ଅଟଇ ଶାହାସ୍ରେ ରହିଛି ପୋଥା ।

 

ଯେତେ ଦିବସରୁ ହେତୁ ଜ୍ଞାନ ହେଲା ପ୍ରତକ୍ଷେ ଜାଣୁଛି ମୁହିଁ,

ଗୁରୁଙ୍କର ସିନା ସକଳ ଅଟଇ କାହାରି ଅଧୀନ ନାହିଁ ।

 

ଏ ମାଟି ପଥର ଏ ଜଳ ପବନ ଏମାନେ ନ ଥିଲେ କେହି,

ଶୂନ୍ୟ ଶୂନ୍ୟ ମହାଶୂନ୍ୟ ଅନ୍ଧକାର ଥିଲା ନିଶବଦ ହୋଇ ।

 

ଚନ୍ଦ୍ର ସୂର୍ଯ୍ୟ କେହି ଆକାଶେ ନ ଥିଲେ ନବ ଲକ୍ଷ ତାରାଗଣ,

ଦିବସ ରଜନୀ ଏକ ହୋଇଥିଲା ନ ଥିଲା ରଚନାମାନ ।

 

ସ୍ୱର୍ଗ ମର୍ତ୍ତ୍ୟପୁର ପାତାଳ ନ ଥିଲା ବ୍ରହ୍ମା ବିଷ୍ଣୁ ରୂପ ତିନି,

ତେତିଶ କୋଟି ଦେବ ତହିଁ ନ ଥିଲେନଥିଲା ଶବଦ ଧୂନି ।

 

ପୃଥୀ ଆପ ତେଜ ବାୟବ ଆକାଶ ପଞ୍ଚୁଭୂତହିଁ ନ ଥିଲେ,

ମହାଶୂନ୍ୟ ଅନ୍ଧକାରହିଁ ସହିତେ ନ ଥିଲେ ଏତେତେବେଳେ ।

 

 

 

ଉର୍ମ ଧୂର୍ମ ଜ୍ୟୋତି ଜ୍ୱାଳାହିଁ ନ ଥିଲେ ହୋଇଥିଲା ମହାଶୂନ୍ୟ,

ଶରଦ ଉଷୁମ ଏମାନେ ନ ଥିଲେ ଋତୁ ସଞ୍ଚାର ଗ୍ରୀଷମ ।

 

କାମନା କଳ୍ପଣା ରଞ୍ଚନା ପାଞ୍ଚନା ନ ଥିଲେ ପ୍ରେମ ପ୍ରକୃତି,

ପାପ ପୁଣ୍ୟ ଭଲ ମନ୍ଦହିଁ ନ ଥିଲେ ଶୂନ୍ୟ ହୋଇଥିଲା ପୃଥୀ ।

 

ଛପନା କୋଟି ଜୀବ ଆଦି ନ ଥିଲେ ଚାରିଖାନି ଛନ୍ତି ଯେତେ,

ଲାଭ ହାନି ଆଦି କିଛିହିଁ ନ ଥିଲା କର୍ମ ଅକର୍ମ ସହିତେ ।

 

ଶୁଣ ସୁଜ୍ଞଜନେ ଯହୁଁ ଜାତ ହେଲେ କହିବା ତହିଁର ଭେଦ,

ବେନି କର୍ଣ୍ଣେ ଶୁଣି ପଞ୍ଚଭୁତ ମନେ ଜାଗ୍ରତ କରି ସମ୍ପାଦ ।

 

ନିଶବଦ ଘରୁ ଅନାମ ଶକ୍ତିରୁ ଜନମ ହୋଇଲା ଶୂନ୍ୟ,

ଶୂନ୍ୟ ସଞ୍ଚାରରୁ ଆକାର ଧଇଲା ବାହାର ହୋଇଲା ବର୍ଣ୍ଣ ।

 

ଅନାମରୁ ଅଗ୍ନି ପବନ ଜନ୍ମିଲା ଆକାଶେ ରହିଲା ପୂରି,

ଘୁ ଘୁ ଶବଦ ନିରନ୍ତର ହୋଇଲା ତାମସ ଗୁଣକୁ ଧରି ।

 

ଅନାମରୁ ତହୁଁ ଜଳ ଜାତ ହେଲା ଅଗ୍ନି ପବନେ ମିଶିଲା,

ସତ୍ତ୍ୱ ରଜ ତମ ତିନି ନାମ ବହି ତିନି ଗୁଣ ବୋଲାଇଲା ।

 

ଅନାମରୁ ଚନ୍ଦ୍ର ସୂର୍ଯ୍ୟ ଜାତ ହେଲେ ହେଲା ଦିବସ ରଜନୀ,

ଆକାଶରେ ଉଦେ ଅସ୍ତ ହୋଇବାରୁ ବୋଲାଇଲା ଦିନମଣି ।

 

ଅନାମରୁ ବ୍ରହ୍ମା ବିଷ୍ଣୁ ଶିବ ଜାତ ହୋଇଲେକ ତେତେବେଳେ,

ଏ ବ୍ରହ୍ମାଣ୍ଡ ଜାତ ନୋହିଥିଲା ବେଳେ ଥିଲେ ନିରାକାର କୋଳେ ।

 

ଏ ମାଟି ପଥର ଅନାମୁ ଜନ୍ମିଲା ହେଲା ମେଦମେଦା ମହୀ,

ଛପ୍ନାକୋଟି ଜୀବ ଅନାମୁ ଜନ୍ମିଲେ ସମସ୍ତେ ବହିଲେ ଦେହୀ ।

 

ଅନାମରୁ ପଞ୍ଚଭୂତ ଜାତ ହୋଇ ପୂରିଲେ ସେ ତ୍ରିଭୁବନ,

ପୃଥ୍ୱୀ ଆପ ତେଜ ବାୟବ ଆକାଶ ବୋଲାଇଲା ପଞ୍ଚଗୁଣ ।

 

ଅନାମରୁ ଉର୍ମ ଧୂର୍ମ ଜ୍ୟୋଜି ଜ୍ୱାଳା ଜନମ ହୋଇଲେ ଦେଖ,

ଯାହାର ଯେମନ୍ତ ସ୍ୱଭାବକୁ ଘେନି ଉଦୟ ତିନି ତ୍ରୈଲୋକ୍ୟ ।

 

ରଞ୍ଚନା ପଞ୍ଚନା ଅନାମୁ ଜନ୍ମିଲା ଅନାମରୁ ୠତୁ ଜାତ,

ଷଡ଼ଋତୁରେ ଲାଗି ଜଳ ପବନ ଜୀବ ହେଲା ମୁର୍ତ୍ତିବନ୍ତ ।

 

ଶୁଣ ସୁଜ୍ଞସାଧୁ ଆଦ୍ୟର ବାରତା ଜାତକର ନିରୂପଣ,

ସଂଶୟ ଫିଟାଇ କହେ ଭୀମ ଭୋଇ ଗୁରୁପାଦେ ଥୋଇ ମନ ।

***

 

ଅଣାଅଶୀ ବୋଲି

 

ଅନାମରୁ କାଳପୁରୁଷ ଜନ୍ମିଲା କମଳରେ କଲା ବାସ,

ଛପନା କୋଟିକି ଗ୍ରାସିବି ବୋଲିଣ ମନେ କଳ୍ପି କଲା ଆଶ ।

 

ଅନାମରୁ ଜନ୍ମ ମୃତ୍ୟୁ ଜାତ ହୋଇ ରହିଲା ସେ ଆଗ ପଛେ,

ମଧ୍ୟରେ ପିଣ୍ଡକୁ ସର୍ଜନା କରାଇ ଉଦିତ ହୋଇଲା ମଞ୍ଚେ ।

 

ଅନାମରୁ ଜନ୍ମ ପଚିଶ ପ୍ରକୃତି ପ୍ରେମରେ ବଢ଼ିଲା ଲତା,

ଆଜ୍ଞାରେ ନାନା ସଖ ଅଙ୍କୁରିଲା ଜୀବକୁ ହୋଇଲା ପିତା ।

 

ଅନାମରୁ ରଜ ବୀଜ ଜନ୍ମ ହେଲା ବିନ୍ଦୁ ବ୍ରହ୍ମ ବୋଲାଇଲା,

ଦରବି ଆସି ପିତା ଅଙ୍ଗଭାଗରୁ ମାତା ପଦୁରେ ପଶିଲା ।

 

ଅନାମରୁ ପାପ ପୁଣ୍ୟ ଜନ୍ମ ଲଭି ଦୋଷକୁ ରହିଲେ ଜଗି,

ଜୀବ ଆତ୍ମା ଯହିଁ ସେ ରହିଲେ ତହିଁ ସଙ୍ଗେ ସଙ୍ଗେ ଛନ୍ତି ଲାଗି ।

 

ନବଲକ୍ଷ ତାରା ଅନାମରୁ ଜନ୍ମ ହୋଇ ରହିଲେ ଶୂନ୍ୟରେ,

ଯୋଗ ଅନୁକୂଳ ଶୁଭରେ ରହିଲେ ଉଦେ ରାତ୍ର ଦିବସରେ ।

 

 

 

ଦଶଦିଗପାଳ ତେତିଶ୍‌କୋଟି ଦେବ ଅନାମରୁ ଜନ୍ମ ହେଲେ,

ଅନାମ ବୈକୁଣ୍ଠ ଭୁବନରୁ ଆସି ବୈକୁଣ୍ଠପୁରେ ରହିଲେ ।

 

ସତ୍ୟଧର୍ମ ଦୁହେଁ ଅନାମରୁ ଜାତ ହୋଇଛନ୍ତି କେତେବେଳେ,

ସକଳ ଭୂତେ ଠାବେ ଠାବେ ପୂରିଲେ ତିନି ଭୂବନମଣ୍ଡଳେ ।

 

ନବଗ୍ରହ ସତାଇଶ ଯେ ନକ୍ଷତ୍ର ଅନାମରୁ ହେଲେ ଜାତ,

ତିନିଭୁବନରେ ତାଙ୍କ ତେଜ ଲାଗିଲା ପୂରି ଅଶେଷ ଜଗତ ।

 

କହନ୍ତା ବହନ୍ତା ଶୋରତା ବକତା ଅନାମରୁ ଜନ୍ମ ହେଲେ,

ଯେତେ ଜୀବମାନ ପିଣ୍ଡକୁ ବହିଲେ ଘଟ ଆବୋରି ରହିଲେ ।

 

କର୍ମ ଅକର୍ମ ଅନାମରୁ ଜନ୍ମିଲେ ଧଇଲେ ନିଜ ସ୍ୱଭାବ,

ତେଣୁ ଏ ସଂସାରେ ସତ ମିଛ ଦୁଇ ବୋଲାଇଲେ ବେନି ଭାଗ ।

 

ମାଇ ଅଣ୍ଡିର ଯେତେ ଛନ୍ତି ସଂସାରେ ଅନାମରୁ ହେଲେ ଜନ୍ମ,

ମୁଖରେ ପ୍ରେମ ପୀୟୁଷ ଭାବନାରେ ଯୁଗଳରେ କଲେ କର୍ମ ।

 

ହେତୁ ବୁଦ୍ଧି ଜ୍ଞାନ ଚିଆଁ ଚଇତନ ଅନାମରୁ ଜନ୍ମ ହୋଇ,

ଯେ ଅଟଇ ଯେଉଁସ୍ଥାନେ ସମଯୋଗ ସମସ୍ତେ ବସିଲେ ଯାଇ ।

 

ଅନାମରୁ ଚାରି ବେଦ ଜାତ ହୋଇ ଉଙ୍କାର ଅନାମୁ କ୍ଷରି,

ଶ୍ରୀମୁଖ ବଚନ ପରିବନ୍ଧ ପଦ ରହିଲା ଶାହାସ୍ରେ ପୂରି ।

 

ଅନାମ ମଣ୍ଡଳୁ ଅନନ୍ତ କୁହୁଡ଼ି ଜାତ ହେଲେ ମୋହମାୟା,

ମୁହିଁ ମୁହଁ ବୋଲି ମୁଁ କାର ବହିଣ ମନୋମତେ ହେଲେ ବାୟା ।

 

ଅନାମରୁ ଘନ ବିଦ୍ୟୁ ଜାତ ହେଲେ ଆକାଶେ କଲେ ଭ୍ରମଣି,

ଘନ ଘୋଷ ଘଡ଼ଘଡ଼ି କମ୍ପମାନ ଶୁଭୁଅଛି ନାଦ ଧ୍ୱନି ।

 

ଅନାମରୁ ଦେବଗଣ ଜାତ ହୋଇ ରହିଲେ ତ୍ରିପୁର ମହୀ,

ଯାହାକୁ ଯେଉଁ ପରି ଭୋଗ ସୁଫଳ ଦେବାରୁ କରତା ବିହି ।

 

ଶରଦ ଉଷୁମ ଅନାମରୁ ଜନ୍ମ ହୋଇ ତ୍ରିପୁରେ ଘୋଟିଲା,

ତେଣୁକରି ସିନା ଆତ୍ମା ପୁରୁଷକୁ ଅନେକ ବ୍ୟାଧି କଣ୍ଟିଲା ।

 

ଲାଭ ହାନି ଦୁହେଁ ଅନାମରୁ ଜାତ ହୋଇଛନ୍ତି ଏ ସଂସାରେ,

ତେଣୁକରି ଦୁହେଁ ଲୋଭେ ମୋହେ ପଡ଼ି ବୋହିଗଲେ ତ୍ରିପୁରରେ ।

 

ଏ କଳିଯୁଗରୁ ପାରିକର ମୋତେ ଅଛି ମୁହିଁ ଅନୁସରି,

ନୀଚ ପ୍ରାଏ ହୋଇ କହେ ଭୀମଭୋଇ ଗୁରୁ ପାଦପଦ୍ମ ଧରି ।

***

 

ଅଶୀ ବୋଲି

 

ଉଡ଼ା ବୁଡ଼ା ଚଳ ଅଚଳ ସହିତେ ଅନାମରୁ ଜନ୍ମ ହେଲେ,

ଜଳ ସ୍ଥଳାନଳ ଆକାଶରେ ପୂରି ଚାରିଖାନି ବୋଲାଇଲେ ।

 

ଶାନ୍ତି ଶୀଳ ଦୟା କ୍ଷମା ଏହି ଚାରି ଅନାମରୁ ହେଲେ ଜାତ,

ଚାରି ଧର୍ମ ବୋଲାଇଲେ ଚଉଦିଗେ ପୂରି ରହିଲେ ଜଗତ ।

 

ଦୁଗ୍‌ଧ ମଧୁର କଷା ପିତା ଆମ୍ବିଳ ଅନାମରୁ ଜନ୍ମ ହୋଇ,

ସର୍ବ ବ୍ୟାପିତ ହୋଇ ଅଣ୍ଟି ରହିଲେ ସ୍ୱଭାବମାନଙ୍କୁ ବହି ।

 

ଅନାମରୁ କ୍ଷୀର ନୀର ଜନ୍ମ ହେଲା ତହୁଁ ଉପୁଜିଲା ମଞ୍ଜି,

ଧାନ୍ୟଫଳ ବୋଲି ନାମ ବୋଲାଇଲା ଆଧାରକୁ ଦେଲେ ଖଞ୍ଜି ।

 

ଅଷ୍ଟରତ୍ନ ଧାତୁ ଜନମ ହୋଇଲା ଅନାମ ଭିତରୁ ଦେଖ,

ସୁନା ରୂପା ହୀରା ନୀଳା ବୋଲାଇଲା ମଣ୍ଡନ ହୋଇଲେ ଲୋକ ।

 

ରସ ବାସ ଗନ୍ଧ କସ୍ତୁରୀ କର୍ପୂର ଅନାମୂ ହୋଇଛି ସବୁ,

ଦେଖ ସୁଜ୍ଞ ସାଧୁ କେମନ୍ତ ମହିମା ଭିଆଇ ଅଛନ୍ତି ପ୍ରଭୁ ।

 

 

 

ଝୀନ ବସ୍ତ୍ର ପାଟ ପତନୀ ସହିତେ ଅନାମରୁ ହେଲେ ସର୍ବେ,

ପିଣ୍ଡ ବ୍ରହ୍ମାଣ୍ଡ ଯେତେବେଳେ ନ ଥିଲା ଏ ଆଦି ନ ଥିଲେ ପୂର୍ବେ ।

 

ଅଶେଷ ରଞ୍ଚନା ଗୁରୁ କରିଛନ୍ତି ଆଉ ଜଣେ କେ ନ ରଞ୍ଚି,

ଅନେକ ପଦାର୍ଥ ବ୍ରହ୍ମାଣ୍ଡ ଭିତରେ ଭିଆଇଣ ଦେଲେ ସଞ୍ଚି ।

 

ହାକିମ ହୁକୁମ ଏ ରଜା ପରଜା ସର୍ବ କରିଛନ୍ତି ଗୁରୁ,

ତେଜ ରଜ ଧନ ଦ୍ରବ୍ୟ ବାଡ଼ି ବୃତ୍ତି ଜାତ କରି ଅନାମରୁ ।

 

ଛପ୍ନାକୋଟିକି ଛପ୍ନାକୋଟି ପ୍ରକୃତି ବସାଇଲେ ଏକେ, ଏକେ,

ସମସ୍ତେ ଏକ ଭାବ ହୋଇ ରହିଲେ କେ ନ ପାଇବାକୁ ଠିକେ ।

 

ମନ ପଞ୍ଚୁଭୂତି ହୃଦରେ ରହିଲା ବାଣ୍ଟିଲା ଅଶେଷ କଥା,

ତହିଁରେ ପାଖକୁ ସାହାପକ୍ଷ ଦେଲେ ପଚିଶ ପ୍ରକୃତି ଲତା ।

 

ହାକିମ ହୁକୁମ ଯେତେ ଏ ଅଛନ୍ତି କାହାରି ନୁହଇ କିଛି,

ମୋହ ମୋହ ବୋଲି ଅଜ୍ଞାନ ମତରେ ହେଉଛନ୍ତି ଟାଣି ଘିଞ୍ଚି ।

 

ମରିଗଲେ କେହି କିଛି ନ ନେବାକୁ ଅରଜି ଅଛନ୍ତି ଯେତେ,

ତେତେବେଳେ ଆଉ କେହି ନ ଗଛନ୍ତି ଯାଉଛନ୍ତି ତୁଚ୍ଛା ହସ୍ତେ ।

 

ଆସୁଅଛି ଏକା ଯାଉଅଛି ଏକା କେହି ନୁହନ୍ତି କାହାର,

ବାମ ଡାହାଣରେ କେହି ନ ଲମ୍ବନ୍ତି ଘଟୁ ହୋଇଲେ ବାହାର ।

 

ସାଧୁ ସୁଜ୍ଞଜନେ ଏହିପରି ପନ୍ଥା ସଂସାର ସାଗର ଅଟେ,

ଘଟ ଥିବାଯାଏ ତ୍ରିଗୁଣର ମାୟା ଜୀବ ବନ୍ଧନ ନ ତୁଟେ ।

 

ଏଥିକି ଚାହିଁ ବିଚାର ସୁଜ୍ଞଜନେ ଦେଖ ତ ମାୟାର ରୀତି,

ସକଳ ମାୟାତ୍ରିଗୁଣରେ ବନ୍ଧନ ଘଟଣା ହୋଇଛି ପୃଥ୍ୱୀ ।

 

ସାର ଅସାର ସମାନରେ କରିଛି କାହାକୁ ତେଜିବି ଦେଖ,

ସଦବୁଦ୍ଧି ଜ୍ଞାନ ହୃଦରେ ବିଚାରି ମନରେ କର ବିବେକ ।

 

ଯୋଗ ଭୋଗ ଦୁହେଁ ସମାନ ଅଟନ୍ତି କାହାର ପକ୍ଷରେ ଯିବ,

ବିଷ ଅମୃତ ବେନି ଭାଗ କରିଛି କେବଣ ଭାଗକୁ ନେବ ।

 

ସାଧୁ ସୁଜ୍ଞଜନ ନ୍ୟାୟ କର ତୁମ୍ଭେ ବେଦ ପକ୍ଷକୁ ବିଚାରି,

ବେନି ଭାଗ ଯାକ ଏକ ଠାବେ ଅଛି ଯାହା ଗୁଣ ଯେଉଁପରି ।

 

ବେନି ଭାଗ ଗୁଣ ତୋଳି ନ ପାରିଣ ପଡ଼ିଅଛି ସନ୍ଧି ମଧ୍ୟେ,

ଧରି ଗୁରୁପାଦ ଭଣେ ଭୀମ କନ୍ଧ ଷୋଡ଼ଦଶଶତ ପଦେ ।

***

 

ଏକାଅଶୀ ବୋଲି

 

ଏଥୁ ଅନନ୍ତରେ ଶୁଣ ସୁଜ୍ଞଜନେ ଅଲେଖ ମହିମା କଥା,

ମହାବ୍ରହ୍ମ ସେ ଯେ ଅଲେଖ ପୁରୁଷ ଅତି ଉଲୋକିତ ପନ୍ଥା ।

 

ଅନାମିକା ବ୍ରହ୍ମ ଅକ୍ଷର ନ ବସେ ନ ଲାଗଇ ଶାସ୍ତ୍ର ବେଦ,

ଏକ ବ୍ରହ୍ମପାଦ ଦିପାଦ ନୁହଇ ନ ଚଳେ ଅର୍ଥ ସଂପାଦ ।

 

ଅରୂପ ବ୍ରହ୍ମ ସେ ରୂପ ବର୍ଣ୍ଣ ନାହିଁ ନ ଦିଶଇ ବର୍ଣ୍ଣ କାନ୍ତି,

ଅକଳ ସାଗର ବ୍ରହ୍ମ ଅଟେ ସେହି ମହିମା ତା ଅଣଶ୍ରୁତି ।

 

ନିଷ୍କାମ ବ୍ରହ୍ମ ସେ କାମ ନାହିଁ ଅଙ୍ଗେ ନାହିଁ ତାର ଇନ୍ଦ୍ରି ଅଣ୍ଡ,

ଖୋଲି ପୋଲ ନାହିଁ ନିର୍ମୋଦ ପୁରୁଷ ନ ଲାଗଇ ମାୟା ଦଣ୍ଡ ।

 

ସେ ବ୍ରହ୍ମକୁ ଯେହୁ ଭଗତି କରିବ ପିଣ୍ଡା ପ୍ରାଣେ ଆଶା ନାହିଁ,

ଆଶା ରଖିଥିଲେ ଫଳ ନ ଫଳଇ ଭଜିବାର ବୃଥା ହୋଇ ।

 

ନିଷ୍କାମ ପୁରୁଷ କାମନା ନୁହଇ ସକାମ ତହିଁ ନ ଚଳେ,

ନିଷ୍କାମ ହୋଇ କର୍ମ ଯେବେ କରିବ ନିର୍ଗୁଣରେ କର୍ମ ଫଳେ ।

 

 

 

କାମନାକୁ ଇଚ୍ଛି ସକାମେ ଭଜିଲେ ନାହିଁ କିଛି ତହିଁ ଲାଭ,

ସେବା ଭକ୍ତି ଧର୍ମ କିଛି ନୁହେ ତାର ଗୁରୁପାଦକୁ ଅଯୋଗ୍ୟ ।

 

ଅରୂପ ବ୍ରହ୍ମ ସେ ରୂପରେଖ ନାହିଁ ରୂପେ ନ କର ଭଜନା,

ରୂପ ବର୍ଣ୍ଣକୁ ଚାହିଁ ଯେବେ ଭଜିବ ସବୁ ବ୍ୟର୍ଥ ହେବ ସିନା ।

 

ନିଷ୍କାମ ବ୍ରହ୍ମକୁ ଯେବେ ଆଶ୍ରା କଲ ଆପଣେ ନିଷ୍କାମ ହୁଅ,

ଗୁରୁ ଆଜ୍ଞା ବହି ସକାମେ ପଡ଼ିଲେ ହୋଇବ ବ୍ରହ୍ମରେ ଦ୍ରୋହ ।

 

ଅରୂପ ବ୍ରହ୍ମକୁ ଭଜିବ ଯେମନ୍ତେ ଅରୂପରେ କର ସେବା,

ଶୂନ୍ୟ କର୍ମରେ ଆକାର ଲଗାଇଲେ ନିଶ୍ଚେଁ ଅପରାଧ ହେବା ।

 

ଅଭୟ ପାଦ ସେ ଭୟ ଭ୍ରାନ୍ତି ନାହିଁ ଆପଣେ ହୁଅ ନିର୍ଭଏ,

ଅଭୟ ଭକ୍ତିରେ ଭୟ ଭ୍ରାନ୍ତି କଲେ ଗୁରୁପାଦେ ଦ୍ରୋହ ପାଏ ।

 

ଅକଳ୍ପଣା ପ୍ରଭୁଙ୍କୁ ଭଜିବ ଯେମନ୍ତେ କଳ୍ପନା ନ କର ଚିତ୍ତେ,

କଳ୍ପଣା ଭକ୍ତି କଲେ ମାଡ଼ ଖାଇବ ଅଦ୍ଭୁତ କାଳର ହସ୍ତେ ।

 

ସତ୍ୟ ପୁରୁଷକୁ ଭଜିବ ଯେମନ୍ତ ସତ୍ୟ କହ ନାହିଁ ମିଛ,

ସତ୍ୟ ପାଶେ ଯେବେ ଅସତ୍ୟ କହିବ ଆପଣେ ହେବ ମେଳଛ ।

 

ଅହିଂସା ଧର୍ମକୁ ଆଶ୍ରା ଯେବେ କଲ ଅହିଂସାରେ କର ଦୃଢ଼,

ଗୁରୁସେବା କରି ହିଂସ ବାଦୀ ହେଲେ ଶୂନ୍ୟରୁ ପଡ଼ିବ ମାଡ଼ ।

 

ଧର୍ମ ପୁରୁଷକୁ ଅନୁସରି କଲେ ଧର୍ମାଦି ପଥରେ ଚାଲ,

ଧର୍ମରେ ଥାଇ ଅଧର୍ମ ବୁଦ୍ଧି କଲେ ଭକ୍ଷି ପକାଇବ କାଳ ।

 

ଅନାମ ପ୍ରଭୁ ସେ ନାମରେ ନ ଭଜ ଅନାମେ କର ଆସରା,

ମାୟା ରଞ୍ଚନା ମନରେ ବିସୁରିଲେ ମାୟା ମୋହ ଯିବ ମାରା ।

 

ଅକ୍ଷଏ ବ୍ରହ୍ମ ସେ କ୍ଷଏ ବୃଦ୍ଧି ନାହିଁ ଅକ୍ଷଏ କର୍ମରେ ଧର,

କ୍ଷଏ ପଥ ଯେବେ ମନେ ବିଚାରିବ ବହିବ ପାତକଭାର ।

 

ଅମର ବ୍ରହ୍ମ ସେ ମରଣ ନୁହଇ ଅମର କର୍ମରେ ରହ,

ମୃତ୍ୟୁ ଦୋଷ କର୍ମ କରିବ ଯେମନ୍ତ ଟଳିଯିବ ନିଜ ଦେହ ।

 

ନିକଳଙ୍କ ବ୍ରହ୍ମ କଳଙ୍କ ନୁହଇ ଭଜ ନିରିମଳ ଚିତ୍ତେ,

ନିର୍ମଳ ଭକ୍ତିରେ ଗୋଳିଆ ରଞ୍ଚିଲେ ମିଶିବ ବାବନା ଭୂତେ ।

 

ସୁଜ୍ଞାନୀ ପଣ୍ଡିତ ଜନ ସାଧୁସନ୍ଥ ଗୁରୁଭକ୍ତି ଆଶ୍ରାକର,

ଭଣେ ଭୀମ ଭୋଇ ଗୁରୁପାଦ ଧ୍ୟାୟି ନିଶ୍ଚୟେ ହେବ ଅମର ।

***

 

ବୟାଅଶୀ ବୋଲି

 

ଅନ୍ତରଯାମିନୀ ଭଜିବ ଯେମନ୍ତେ ଅନ୍ତ ପିତ ଶୁଦ୍ଧ କର,

ମନର ମଳ ନ ରହିବ ଯେମନ୍ତେ ପଡ଼ିବ ଦେବୀ ଖପର ।

 

ଖପର ପାରି ହୋଇଯିବ ଯେମନ୍ତେ ମାଟି ଖପରରେ ଭୁଞ୍ଜ,

ଅଲେଖ ଅଲେଖ ବୋଲି ନିରନ୍ତର ମହିମା ସାଗରେ ମଜ୍ଜ ।

 

ଅଲେଖର ଭକ୍ତି ଗୋଟା ଏକ ସିନା ଦୁଇଟା ତିନିଟା ନାହିଁ,

ଛପ୍ନାକୋଟି ଜୀବ ଗୋଟାକରେ ଯାନ୍ତି ତାହାର ଗର୍ଭେ ସମ୍ଭାଇ ।

 

ସତ୍ୟଧର୍ମ ଧର ସତ୍ୟକର୍ମ କର ସତ୍ୟେ କର ଗୁରୁ ସେବା,

ପ୍ରସନ୍ନ ହୋଇବ ଅଲେଖ ଦେବତା ନିଶ୍ଚୟ ମୁକତି ଦେବା ।

 

ସତ୍ୟରେ ସ୍ନାହାନ ସତ୍ୟରେ ମାର୍ଜନ ସତ୍ୟରେ କର ଭୋଜନ,

ସାତ୍ୱିକ କର୍ମରେ ସେ ଅଲେଖ ଦିଅଁ ନିଶ୍ଚଏ ହେବ ପ୍ରସନ୍ନ ।

 

ସତ୍ୟରେ ଶୋଇବ ସତ୍ୟରେ ବସିବ ସତ୍ୟେକର ଫନ୍ଦା ବୃତ୍ତି,

ମାହିମା ଭଜିବା ଲୋକମାନେ ଯେତେ କର ଏହି ଧର୍ମ କୀର୍ତ୍ତି ।

 

 

 

ସତ୍ୟରେ କହିବ ସତ୍ୟେ ରହିଥିବ ସତ୍ୟରେ ଯିବ ଆସିବ,

ସତ୍ୟ କର୍ମର ଯେତେ କୀରତିମାନ ଯୁଗେ ଯୁଗେ ରହିଥିବ ।

 

ଦୋଷ ଅପରାଧ ହାନି ଲାଭ ଯେତେ ଗୁରୁଙ୍କୁ କହିବ ସବୁ,

କପଟ ରଖିଣ ନ କହିବ ଯେବେ ଅବଶ୍ୟ ଦଣ୍ଡିବେ ପ୍ରଭୁ ।

 

ହୃଦୟ ନିର୍ମଳ ମନହିଁ ନିର୍ମଳ ହୋଇଥିବ ସଦା କାଳ,

ଅନ୍ତର୍ଗତରେ କପଟ ନ ରଖିଲେ ସେ ଅଟଇ ଗଙ୍ଗାଜଳ ।

 

ଗୁରୁଙ୍କୁ ଭଗତି କରିବ ଯେ ଜନ ଏପରି ମାର୍ଗରେ ରହ,

କାମ କ୍ରୋଧ ଲୋଭ ମୋହ ତେଜ୍ୟାକରି ସତ ଶାନ୍ତି ଦୟା ବହ ।

 

ଧୀର ସମୀର ଶୀତଳ ହେଲେ ଯାଇଁ ମହିମା ଭଜନ ଶୁଦ୍ଧ,

ପିଣ୍ଡ ବ୍ରହ୍ମାଣ୍ଡ ଅନୁଭବରେ ତୋଳି ଯେମନ୍ତେ କରିବ ଭେଦ ।

 

ଅମନ ପୁରୁଷ ଅଟଇ ସେ ବ୍ରହ୍ମ ଅମନରେ ଆଶ୍ରାକର,

ଅମନ ଭିତରେ ମନ ଗଳାଇଲେ ଜାଣିବ ମହିମା ତାର ।

 

ଅଗାଧ ମହିମା ଅନିଳ ସାଗର କଳିବାକୁ ଶକ୍ୟ ନାହିଁ,

ନରଦେହ ବହି ବ୍ରହ୍ମଦେହୀ ହେଲେ ଆଦି ଅନ୍ତ ନ ମିଳଇ ।

 

ଅଲେଖ ମହିମା ନାମକୁ ଭଜିଲେ ଧର କର୍ମଯୋଗ ଦଣ୍ଡ,

ଗୃହରେ ଯେମନ୍ତେ ଶୋଇବ ନିଶାରେ ବାହାରେ କରିବ ମୁଣ୍ଡ ।

 

କଞ୍ଚା ଭଗତି ନକର ଗୁରୁପାଦେ ସଚ୍ଚା ହୁଅ ମନ ମଧ୍ୟେ,

ସକଳ ସ୍ୱଭାବ କର୍ମକୁ ତେଜିଣ ଧ୍ୟାନ କର ନିରବେଦେ ।

 

ଅଶ୍ରୁତି ଅମୂର୍ତ୍ତି ଅଟଇ ସେ ବ୍ରହ୍ମ ପେଲି ପଶିଲେ ଝସାଇ,

ନେତ୍ରରେ ଚାହିଁବି ବୋଇଲେ ନ ଦିଶେ ଯାର ନାହିଁ ହାଇ ଛାଇ ।

 

ଏ କଳିଯୁଗରେ ଅନ୍ୟ ନାମ ନାହିଁ ଅଲେଖ ମହିମା ସାର,

ସକଳ ବିଷୟ ହୃଦରୁ ନିବାରି ବେଳଥାଉଁ ଆଶ୍ରେ କର ।

 

ମହାଶକ୍ତି ବ୍ରହ୍ମ ଅଟେ ସେ ପୁରୁଷ ନ ପାରିଲେ ଯିବ ଛାଡ଼ି,

ହୃଦୟ ପଦ୍ମେ ଅଳପ ବିଚାରିଲେ ପାପରେ ମରିବ ବୁଡ଼ି ।

 

ଜ୍ଞାନୀଜନମାନେ ମନେ ହେତୁ କର ବ୍ରହ୍ମର ଏକ ପାଦକୁ,

ଗମି ତ ଗମି ତ ଘୁମି ଯାଉଛନ୍ତି ଏ ସଂସାରେ ଦେଖୁ ଦେଖୁ ।

 

ଏ ଧର୍ମରେ ତୁମ୍ଭେ ଯେତେ ପ୍ରାଣୀ ଅଛି ଆସ ସମସ୍ତେ ଭଜିବା,

ଗୁରୁପାଦ ଧ୍ୟାୟି କହେ ଭୀମ ଭୋଇ ଭବାର୍ଣ୍ଣବୁ ତରିଯିବା ।

***

 

ତେୟାଶୀ ବୋଲି

 

ସତ୍ୟ ଧର୍ମେ ଗୁରୁ ସେବା ଯେ କରିବ ଛାଡ଼ଛାଡ଼ ଗୃହବାସ,

ଆପଣା ପିଣ୍ଡ ପ୍ରାଣେ ଆଶା ନ ରଖି ଗୁରୁପାଦେ କର ଆଶା ।

 

ଆପଣା କାମ କ୍ରୋଧ ଲୋଭ ମୋହକୁ ଜ୍ଞାନରେ କର ଆୟତ୍ତ,

ହିଂସା କପଟ ଛନ୍ଦବାଦ କୁଟିଳ ନିବାରି କର ଦୁରାନ୍ତ ।

 

ରାଗ ଈର୍ଷା ତମ ଅହଂକାର ଯେତେ ଏହାକୁ ଆୟତ୍ତ କର,

ଏହି ଘରେ ସମସ୍ତେ ରହି ଅଛନ୍ତି ସଦଜ୍ଞାନରେ ବିଚାର ।

 

ପର ଖଚ ମିଛ ନ ଧରିବ ମନେ ନାଶ ବାଟରେ ନ ଥିବ,

ଅନ୍ତ ମୁଖରେ ନିରତେ ସତ୍ୟ କହି ତେବେ ସନ୍ୟାସ ହୋଇବ ।

 

ଆପଣା ଦାରା ଧନ ସୁତ ଚିତ୍ତକୁ ମନେ ନ ଧରିବ ଆଶା,

ପର କହିଲା ବଚନେ ପ୍ରତେ ଯାଇ ନ କର ଚିତ୍ତେ ଭରସା ।

 

ଆପଣା ବନ୍ଧୁ ବାନ୍ଧବ ବାପ ଭାଇ ନ ବୋଲିବ ମୋର ମୋର,

ଦେଖ ଅନିତ୍ୟ ସଂସାର ମାୟା ମୋହ କେହି ନୁହନ୍ତି କାହାର ।

 

 

 

ପର ସ୍ତିରୀ ପର ଦ୍ରବ୍ୟକୁ ଦେଖିଲେ ନ ବଳାଇବ ପ୍ରକୃତି,

ଏକପାଦ ବ୍ରହ୍ମ ଗୁରୁସେବା କଲେ ତେବେ ବୋଲାଇବ ଯତି ।

 

ଗୁରୁ ପୟରେ ବିଶ୍ୱାସ ରଖିଥିବ ନୋହିବ ଆନରେ ସଙ୍ଗ,

ପିଣ୍ଡ ପ୍ରାଣକୁ ହେତୁ ଘରେ ରଖିଲେ ତେବେ ନ ଟଳିବ ଅଙ୍ଗ ।

 

ଯୋନିର ଜନ୍ମ ବାସନା ଅଙ୍ଗେ ଥିଲେ ପାଇ ନୁହେ ବ୍ରହ୍ମ ଜ୍ଞାନ,

ନିରନ୍ତରେ ଗୁରୁ ସେବାରେ ଖଟିଲେ ଅଖଣ୍ଡିତ ବ୍ରହ୍ମେ ଲୀନ ।

 

ଦେବୀ-ଖପରୁ ଉଧାର ହେବ ଯେବେ ମାଟି ଖପରାରେ ଭୁଞ୍ଜ,

ସ୍ତିରୀଲିଙ୍ଗ ନେତ୍ରେ ଦେଖିବ ଯେମନ୍ତେ ମାତା ବୋଲି ମାନ ଖଞ୍ଜ ।

 

ଅବିକାର ମତ ପଞ୍ଚୁଭୁତେ କର ଏକାଙ୍ଗ ବ୍ରହ୍ମକୁ ଚିହ୍ନି,

ସକଳ ଜୀବ ସମାନରେ ଦେଖିବ ତେବେ ହେବ ବ୍ରହ୍ମଜ୍ଞାନୀ ।

 

ଜନ୍ମ ମରଣକୁ ଭୟ ନ କରିବ ମୁରୁଛି ଥିବ ଆଦ୍ୟରୁ,

ପିଣ୍ଡକୁ ମୋର ମୋର ନାହିଁ ବୋଲିବ ଯାହା କରିଯିବେ ଗୁରୁ ।

 

ନିରନ୍ତରେ ଅଣସ୍ଥିତ ଆଚରିବ କାହାଠାରେ ନାହିଁ ସାଥି,

ଏକପାଦକୁ ହୃଦେ ଯେବେ ଭାବିବ ଲଭିବ ପରମ ଗତି ।

 

ଦିବା ନିଶିରେ ଉଦାସ ମତେ ଥିବ ବାତୁଳ ପରାଏ ହୋଇ,

ବାଳକ ମତେ ଯେବେ ଭ୍ରମି ପାରିବ ତେବେ ବ୍ରହ୍ମ ଭେଟ ପାଇ ।

 

ମେଦିନୀ ପ୍ରାଏ ଦେହ ସହି ରହିବ ନିନ୍ଦା ସ୍ତୁତି ଗାଳି ଶୁଣି,

ଶୀତ ଗ୍ରୀଷମ ବରଷା ଅଙ୍ଗେ ସହି ତେବେ ବୋଲାଇବ ଗ୍ୟାନୀ ।

 

ସମୁଦ୍ର ପ୍ରାଏ ଗଭୀର ବୁଦ୍ଧି ଥିବ ଉଶ୍ୱାସ ନୋହିବ କେଭେ,

ପ୍ରସନ୍ନ ହୋଇଣ ସଦଗୁରୁ ପିତା ଯାହା ଆଜ୍ଞା ଦେଇଥିବେ ।

 

ଘଟ ଭେଦର ଫନ୍ଦା ବୃତ୍ତି କରିବ ଅନ୍ୟ ଫନ୍ଦା ନାହିଁ କାର୍ଯ୍ୟ,

ବ୍ରହ୍ମ ଜ୍ଞାନକୁ ତେବେ ଲଭି ପାରିବ ଅନୁଭବ ମାର୍ଗେ ହେଜ ।

 

ଧୀର ସମୀର ହୃଦୟରେ ବହିବ ନ ପାଞ୍ଚିବ ଛିଦ୍ର ବୁଦ୍ଧି,

ପ୍ରକୃତିଗଣେ ଯେବେ ସଙ୍ଗ ହୋଇଲେ ଏ ପିଣ୍ଡ ନୁହଇ ସିଦ୍ଧି ।

 

ଜିହ୍ୱା ଇନ୍ଦ୍ରି ନାଶୁଛନ୍ତି ଏ ଜୀବକୁ ସମ୍ଭାଳିବ ତତ୍ତ୍ୱ କରି,

ଅଖଣ୍ଡ ମହାବ୍ରହ୍ମ ପଦ୍ମପାଦକୁ ଦୃଢ଼ବନ୍ଧେ ଥିବ ଧରି ।

 

ମହାବ୍ରହ୍ମକୁ ମୁଁ ଆଶା କରି ଧରି ନ ପାରୁଛି ପାଦ,

ଭଣେ ଭୀମଭୋଇ ଗୁରୁ ପାଦ ଧ୍ୟାୟି ନ ପାଉଛି ଅନ୍ତ ଆଦ୍ୟ ।

***

 

ଚୌରାଶୀ ବୋଲି

 

ସ୍ତିରୀ ତଇଳକୁ ନିଷେଧ କରିବ ହସ୍ତରେ ଛୁଇଁବ ନାହିଁ,

କର୍ମଯୋଗରେ ଅକର୍ମ ସେ ବୋଲାଇ ବ୍ରହ୍ମମତ ତୁଟି ଯାଇ ।

 

ସନ୍ୟାସର ମତେ କର୍ମଦଣ୍ଡ ପଥେ ବୋଲାଇବ ବ୍ରହ୍ମଚାରୀ,

ଯତ ସତେ ଥିବ ଚିତ୍ତେ ନ କଳ୍ପିବ ନେତ୍ରେ ନ ଚାହିଁ ବ ସ୍ତିରୀ ।

 

ଯଦ୍ୟପି ଚାହିଁବ ଭିକ୍ଷା ଦେବାକାଳେ ମୁଖେ ନାହିଁ ପାଦେ ଦୃଷ୍ଟି,

ଆପଣା ମାତା ପରାଏ ମଣିଥିବ ତେବେ ଯାଇ ତପନିଷ୍ଠୀ ।

 

ପରଶିଲା ବେଳେ ଉତ୍ତର ନ ଦେବ ମଥା ପୋତି ଥିବ ରହି,

ସେ ପରାଣୀ ଯାହା ଧର୍ମପଣେ ଦେବ ସନ୍ତୋଷେ ଘେନିବ ତାହି ।

 

ପଥ ଚାଲୁଥିଲେ କାହିଁ ନ ଚାହିଁବ ପାଦ ଅଗ୍ରେ ଦୃଷ୍ଟି ଥିବ,

ଜନ୍ମ ମରଣକୁ କାଟି ଯେବେ ପାର ଯୋଗୀପୁତ୍ର ବୋଲାଇବ ।

 

କର୍ଣ୍ଣରେ ପତିତ ମାୟା ବସିଅଛି ଶୁଣିଣ କମ୍ପିବ ଦେହ,

ବିଷ୍ଣୁ ନାଦ ଦେହ ଅଟଳ ହୋଇଲେ ବୋଲାଇବ ଯୋଗୀପୁଅ ।

 

 

 

ବେନି ନେତ୍ରେ ଲୋଭ ମାୟା ବସିଅଛି ଦେଖି ନ କରିବ ପାଞ୍ଚ,

ଯୋଗୀପୁତ୍ର ହୋଇ ଭୋଗକୁ କଳ୍ପିଲେ ଜନ୍ମ ତାର ହେଲା ମିଛ ।

 

ନାସାରେ ବାସନା ମାୟା ବସିଅଛି ଗନ୍ଧେ ନ କରିବ ଶ୍ରଦ୍ଧା,

ସୌରଭ ବାସନା ବୋଲି ଦେବ ମାତ୍ରେ ଲାଗୁଅଛି ପାପବାଧା ।

 

ଜିହ୍ୱାରେ ଗ୍ରହଣ ମାୟା ବସିଅଛି ସୁସ୍ୱାଦୁ ମଣିବ ନାହିଁ,

ଯୋଗୀମାନଙ୍କର ଲକ୍ଷଣ ନୁହେ ସେ ଦେହ ବଞ୍ଚାଇବ ନାହିଁ ।

 

ଇନ୍ଦ୍ରିରେ ଅନଙ୍ଗ ମାୟା ବସିଅଛି ନ କଳ୍ପିବ ସ୍ତିରୀ ରୂପ,

ନିଃସଙ୍ଗୀ ହୋଇ ଯେବେ ସଙ୍ଗ କଳ୍ପିଲେ ଲାଗେ ଅପମୃତୁ ପାପ ।

 

ମାୟା ହୋଇ ଯେତେ ହୃଦେ ନ କଳ୍ପିବ ମନେ ନ ଧରିବ କିଛି,

ଦ୍ରୋହ ହୋଇଗଲେ ଅଦ୍ଭୁତ ମରଣ ଶାହାସ୍ରରେ ଲେଖୁଅଛି ।

 

ଦିଗାମ୍ବରୀ ହୋଇ ଦିଗାମ୍ବର ଭାବେ ପ୍ରଚରିଲେ ସିନା ହେବ,

ଯୋଗୀ ଯୋଗ ଲକ୍ଷଣେ ରହିଲେ ବ୍ରହ୍ମଅଙ୍ଗୀ ବୋଲାଇବ ।

 

ବ୍ରହ୍ମ ପଇଚାନେ ଦିବା ନିଶି ଥିବ ଗୁରୁପାଦେ ରଖି ଚିତ୍ତ,

ଇଷ୍ଟ ଧର୍ମ ପାଳି ସତ୍ୟ ଭାଷୁଥିବ ତେବେ ହେବ ନିଜ ଭୃତ୍ୟ ।

 

ଆପଣା ଘଟକୁ ନିରନ୍ତରେ ଭେଦି ପିଣ୍ଡ ବ୍ରହ୍ମାଣ୍ଡ ତୋଳିବ,

ଆପଣା ମନ ଧ୍ୟାନର ଯୋଗେ ପଶି ଘଟ ଭିତରେ ବୁଲିବ ।

 

ଶରୀର ଭେଦେ ସର୍ବ ତୀର୍ଥ କରିବ ପଥଶ୍ରମ ହେବନାହିଁ,

ଯୋଗୀପୁତ୍ର ହୋଇ ବାହାରେ ଭ୍ରମିଲେ ତା ତହୁଁ ଅଗ୍ୟାନ ନାହିଁ ।

 

ପିଣ୍ଡ ବ୍ରହ୍ମାଣ୍ଡକୁ ଭେଦି ନ ପାରିଲେ ଯୋଗୀ ପଣ ଅକାରଣ,

ଦୁନିଆ ଦୋରଙ୍ଗୀ ପରାଏକା ହୋଇ ବିଅର୍ଥେ ଯାଇଣ ଦିନ ।

 

ସନ୍ନ୍ୟାସ ହୋଇ ଜୀବକୁ ହିଂସା କଲେ ତିନିପୁରେ ହୁଏ ଲଜ୍ଜା,

ସମସ୍ତେ ତାକୁ ଉପହାସ କରନ୍ତି ରାଜା ବ୍ରାହ୍ମଣେ ଅପୂଜା ।

 

ବୈଷ୍ଣବ ହୋବ ମତିଭ୍ରମ ନୋହିବ ରଖିଥିବ ଶ୍ରୋତା ହେତୁ,

ପଞ୍ଚଭୁତରେ ବ୍ରହ୍ମକୁ ଲଏ କଲେ ତେବେ ପାଇ ଜ୍ଞାନ ତତୁ ।

 

ଦିଗାମ୍ବରମାନେ ଏମନ୍ତ ଲକ୍ଷଣ ଆଚାର ମତରେ ଥିବ,

ମାୟା ପାପ ପସରାକୁ ବୋଝକରି ହୃଦପଦ୍ମେ ନ ବୋହିବ ।

 

ବ୍ରହ୍ମର ଚରଣ ହୃଦରେ ଆଧ୍ୟାନ କରୁଥିବ ନିରନ୍ତରେ,

କହେ ଭୀମ ଭୋଇ ଯୋଗୀପୁତ୍ର ଯେତେ ଥିବ ନିଷ୍କାମ ଧର୍ମରେ ।

***

 

ପଞ୍ଚାଶୀ ବୋଲି

 

ଗୃହଧର୍ମ ମାର୍ଗେ ଭଜି ଯେ ପାଇବ କାହିଁ ବା ତହିଁର ବାଟ,

ବିହିତ ଧର୍ମେ ଥାଇ ଭଜି ପାରିଲେ ଅଛି ମୁକତି ନିକଟ ।

 

ଆପଣା ପିଣ୍ଡ ପ୍ରାଣଦାନ କରିବ ସଦଗୁରୁଙ୍କର ପାଦେ,

ଦାରା ସୁତ ବିତ୍ତ ସକଳ ସମର୍ପି ରହିବ ମନ ଆନନ୍ଦେ ।

 

ଆପଣା ଭାଇ ଭଗ୍ନୀ ଜ୍ଞାତି ବାନ୍ଧବ ସକଳ ସମର୍ପି ଦେଇ,

ପାଇଲ ବୋଲି ସତ୍ୟ ସତ୍ୟ କହିବ ମନରେ ଆନନ୍ଦ ହୋଇ ।

 

ଆପଣା ବୃତ୍ତି ଦୁଃଖ ସୁଖ ଫନ୍ଦାକୁ ଗୁରୁ ଶ୍ରୀଚରଣେ ଦେବ,

ଘର ଦ୍ୱାର ଆଦି ସକଳ ସମର୍ପି ଦାସପଣେ ଯୋଗାଇବ ।

 

ଦାସ ଦାସୀ ହୋଇ ସଦଗୁରୁଠାରେ ଦାନା ପାଣି ଅନୁସରି,

ସଦା ସର୍ବଦା ସମର୍ପି ହେଉଥିବ ତ୍ରାହି ତ୍ରାହି ବୋଲି କରି ।

 

ଭାତ ବିତ୍ତ ଚିତ୍ତ ବୃତ୍ତି ଆଦିକରି ଚିନ୍ତା ଅର୍ଥ ଲାଭ ହାନି,

ଆପଣା ହୃଦରୁ କଳ୍ପଣା ଛଡ଼ାଇ ନିଷ୍ମାମ ହୋଇବ ପୁଣି ।

 

 

 

ଯେଉଁ ବୃତ୍ତି କଲେ ଗୁରୁ ସୁମରିବ ପାଦତଳେ ଭାରା ଦେଇ,

ଏ ବୃତ୍ତିର ଯାହା ହାନି ଲାଭ ହେବ ସକଳ ବୁଝିବୁ ତୁହି ।

 

ଗୁରୁ ସୁମରି ରତିସୁକ କରିବ ଭାରିଯାକୁ କୋଳେ ଘେନି,

ତେତେବେଳରେ ବିରୁଦ୍ଧ ନ କରିବ ଜପୃଥିବ ନାମଧୂନି ।

 

ତିରିଶ ଦିନେ ସ୍ତିରୀ ସଙ୍ଗ କରିବ ବେଳା ୠତୁ ମତ ଧରି,

ଶୁଭାଶୁଭେ ପଦ୍ମେ ବୀଜ ଦାନ ଦେବ ଅମୃତ ଯୋଗ ସୁମରି ।

 

ଋତୁ ମତରେ କିଛିହିଁ ଦୋଷ ନାହିଁ ଗୃହଧର୍ମ ବେଲାଇଲା,

ଗୃହ କରିବାର ଉଚିତ ପ୍ରମାଣ ବିହିତ କର୍ମକୁ ଗଲା ।

 

ପ୍ରାତରୁ ଗୋମୟ ଶରୀରେ ଲଗାଇ ଜଳେ କରିବ ସ୍ନାହାନ,

ନିଶିରେ ରଜବୀର୍ଯ୍ୟ ବାଧା ଯେତେକ କଟିବ ସେ ଦୋଷମାନ ।

 

ସପତ ଧାତୁକୁ ସାତ ବୁଡ଼ ମାରି ମୁଖେ ନାମକୁ ଜପିବ,

ସାଷ୍ଟାଙ୍ଗେ ଦର୍ଶନ ଶତବାର କରି ଗୁରୁପାଦ ସୁମରିବ ।

 

ଭାଇ ଭଗ୍ନୀ ପ୍ରାଏ ଦିନ ନେଉଥିବ ୠତୁମତେ ପତ୍ନୀ ପତି,

ସାଧୁସେବା କରି ଦିନ ବଞ୍ଚୁଥିବ ବୋଲାଇବ ଯତି ସତୀ ।

 

କି ଅବା ବ୍ରାହ୍ମଣ କି ଅବା ଚାଣ୍ଡାଳ ଅବ୍ୟ ନ କରିବ ଚିତ୍ତେ,

ଜାତି ଗୋତ୍ରହିଁ ନ ପଚାରିବ କିଛି ହାନି ଲାଭ ତାର ଯେତେ ।

 

କିଛି ତାହାର ମନରେ ନ ଧରିବ ଉଚ୍ଚ ନୀଚ ବୋଲିକରି,

ଗୃହଧର୍ମବିଧି ଏମନ୍ତ ପ୍ରକାର ସତ୍ୟଧର୍ମେ ଯାନ୍ତି ତରି ।

 

ସାଧୁସେବାବିନୁ ହୃଦରେ ତାହାର ଅନ୍ୟ ନ ଜାଣଇ କିଛି,

ତେବେ ସିନା ଗୃହଭକ୍ତି ବୋଲାଇବ ଶାହସ୍ରରେ ଲେଖାଅଛି ।

 

କାଞ୍ଜି ଭାଜି ବାସି ତାତିଲା ସହିତେ ଯାହାଥିବ ତାର ଘରେ,

ହସ୍ତେ ଘେନି ତାହା ପ୍ରବେଶ ହୋଥବ ସାଧୁମାନଙ୍କ ଛାମୁରେ ।

 

ସାଧୁଙ୍କୁ ସନ୍ତୋଷେ ଭୋଜନ କରାଇ କରପତ୍ର ଶିରେ ଦେଇ,

ଗୁରୁଙ୍କ ଭଣ୍ଡାରେ ଯାହା ଅଛି ପାଅ ମୋହର ଅର୍ଜିଲା ନାହିଁ ।

 

ପତିତ ଜୀବ ମୁଁ କାହିଁରୁ ପାଇବି ମୋହର ଶକତି ନାହିଁ,

ଗୁରୁ ସିନା ଖଞ୍ଜୁଛନ୍ତି ପଡ଼ିଭାତ ମୁଁ ଛାର ପାଇବି କାହିଁ ।

 

ସାଧୁପାଦେ ସେବା ଲାଗିଥିବ ଯେବେ ସଂଶୟ ନ ଥିବ ହୃଦେ,

ଭଣେ ଭୀମ କନ୍ଧ ମନରେ ଆନନ୍ଦ ସପ୍ତଦଶ ଶତ ପଦେ ।

***

 

ଛୟାଶୀ ବୋଲି

 

ସାଧୁଜନମାନେ ସନ୍ତୋଷରେ ଭୁଞ୍ଜି ଛାଡ଼ିଯିବେ ଅବଶେଷ,

ଯାହା ଥିବ ପାତ୍ରେ କୁଟୁମ୍ବ ସହିତେ ସଂଖୋଳି କରିବ ଗ୍ରାସ ।

 

ସାଧୁ ଉଚ୍ଛିଷ୍ଟ ପାତ୍ର ଚାଟି ଖାଇବ ମନେ ନ ଧରି ଅବଦ,

ସମସ୍ତେ କଣିକା ଲେଖାଏଁ ପାଇବ ଯେସନେକ ପରସାଦ ।

 

ସାଧୁ ଗୋଷ୍ଠୀଠାରେ ଅବ୍ୟ ନ କରିବ ମୁକ୍ତି ଗଙ୍ଗାଜଳ କହି,

ପୁତ୍ର ଦୋହିତା ଭାରିଯା ସଙ୍ଗେ ଘେନି ଏକାନ୍ତେ ବସିବ ଯାଇ ।

 

ସାଧୁ ଅବଶେଷ ପାଇଣ ଆନନ୍ଦେ ଯେ ସେବେ ଚରଣାବିନ୍ଦ,

ଅନ୍ତକାଳେ ସଦଗତିକି ଲଭଇ ଛିଡ଼ଇ ତ୍ରିଗୁଣ ବନ୍ଧ ।

 

ଦୁଃଖ ସୁଖକୁ ସମାନ ମଣି ଥାଇ କେବେ ନୁହଇ ବିମୁଖ,

ନାମେ ଆଶ୍ରେ କରି ଦିନ ବଞ୍ଚୁଥାଇ ବୋଲେ ଏ ମୋ ବଡ଼ ସୁଖ ।

 

ଯାହା ହୋଇଗଲେ ଶ୍ରୀଗୁରୁ ଜାଣିବେ ହୃଦରେ ନ ରଖି ଚିନ୍ତା,

ଗୃହଧର୍ମେ ଥାଇ ନାମ ଆଶ୍ରେ କରି ଧଇର୍ଯ୍ୟ ପଣେ ଶକତା ।

 

 

 

ଏମନ୍ତ ଭକ୍ତର ବାନ୍ଧବ ଅଟନ୍ତି ପର୍ମେଶ୍ୱର ମହାବ୍ରହ୍ମ,

ଅତି ଆନନ୍ଦରେ ଦିନ ବଞ୍ଚୁଥାଇ ଦିବା ନିଶି ଜପି ନାମ ।

 

ଗୃହରେ ଥାଇ ନାମ ଆଶ୍ରିତ କଲେ ଏହି ପରକାରେ ଭଜ,

ବିହିତ ଲକ୍ଷଣେ ଭକ୍ତିମାର୍ଗେ ଚାଲ ନ କର ମନରେ ଲାଜ ।

 

ଭକ୍ତି ଯେ କରିବ କି ଲଜ୍ନା ତାହାର ଲଜ୍ଜା କଲେ ନ ମିଳଇ,

ନାମ ବ୍ରହ୍ମ ବିନୁ କିଛି ନ ଜାଣଇଁ କାହାକୁ ତା ଭୟ ନାହିଁ ।

 

ମହାଦେବ ଶିବଙ୍କର ଦୀକ୍ଷା ନୁହେ ତହିଁରୁ ଅତି କଠୋର,

ଅଲେଖ ମହିମା ବୋଲିବାର ପଦ ଅଷ୍ଟାଙ୍ଗ ଯୋଗ ଉପର ।

 

ଅବତାର ବିଷ୍ଣୁଙ୍କର ଦୀକ୍ଷା ନୁହେ ତହିଁରୁ ଅଟଇ ଗାଢ଼,

କୋଟି କୋଟି ବିଷ୍ଣୁ ତାଙ୍କ ତହୁଁ ଜାତ ସେଠାକୁ ନୁହନ୍ତି ବଡ଼ ।

 

ବ୍ରହ୍ମା ବେଦପତିଙ୍କ ଦୀକ୍ଷା ନୁହେ ତହିଁରୁ ଅଧିକ ଉଚ୍ଚ,

ସୃଷ୍ଟି ହେଲା ଦିନୁ କୋଟି କୋଟି ବ୍ରହ୍ମା ଜନ୍ମ ହୋଇଛନ୍ତି ପଛ ।

 

ନାଗାନ୍ତି ଯୋଗାନ୍ତି ଦୀକ୍ଷା ନୁହେ ଏହୁ ତହିଁରୁ ଆହୁରି ଆଣ୍ଟ,

ନିଷ୍କାମ ଧର୍ମ ଯେଉଁଠାରୁ କ୍ଷରୁଛ ଅଟନ୍ତି ପରା ବୈକୁଣ୍ଠ ।

 

ବେଦାନ୍ତୀ ସିଦ୍ଧାନ୍ତି ଦୀକ୍ଷା ଧର୍ମ ନୁହେ ରହିଲାଣି କେତେଦୂରେ,

ନିର୍ବେଦ ଧାରଣା ଯାହାକୁ ବୋଲନ୍ତି ଅଲେଖ ଅବନାପୁରେ ।

 

ସନ୍ଥ ମହନ୍ତଙ୍କ ଦୀକ୍ଷାଧର୍ମ ନୁହେ ଅଛି ବହୁତ ଅନ୍ତର,

ଦେଖା ଶିଖା ଭକ୍ତି ସେ ବ୍ରହ୍ମଠାବକୁ ନୁଖଇ ସେ ବଳୀଆର ।

 

ନିଶବ୍ଦ ଭୁବନ ଦୀକ୍ଷା ଧର୍ମ ଏହି ନିର୍ବେଦରେ ଚରାଚର,

ଅଲେଖ ମହିମା ବୋଲନ୍ତି ଯାହାକୁ ଅରୂପ ତାଙ୍କ ଶରୀର ।

 

ନିଶବଦ ଘର ଏକପାଦ ଧର୍ମ ଅଟଇ ସାତ୍ୱିକ ଧର୍ମ,

ନୁହଇ ସ୍ତିରୀ ସେ ନୁହଇ ପୁରୁଷ ଦୁଇ ବୋଲି ନୁହ ଧର୍ମ ।

 

ସେ ଠାବରେ ଆଉ ଦିବା ନିଶି ନାହିଁ ଏକତ୍ୱ ପ୍ରକାର ବିଧି,

ସେ ଠାବକୁ ଯେହୁ ଜନ ବଳାଇବ ଅସାଧନା ସର୍ବସିଦ୍ଧି ।

 

ସାଧିବାର ବ୍ରହ୍ମ ନୁହଇ ସେ ପ୍ରଭୁ ଅନାମ ତାହାର ରୀତି,

କାମନା କଳ୍ପଣା କାହିଁ ବା ଲାଗିବ ନ ପଶି ପାରେ ପ୍ରକୃତି ।

 

ଏ ଭବାର୍ଣ୍ଣରୁ କାଢ଼ି ନିଅ ମୋତେ ଶ୍ରୀ ପାରୁଣେ ଦିଅ ବାସ,

ଭଣେ ଭୀମ ଭୋଇ ଗୁରୁପାଦ ଧ୍ୟାୟି ଅରୂପ ବ୍ରହ୍ମରେ ଆଶ ।

***

 

ସତାଶୀ ବୋଲି

 

ଅରୂପ ବ୍ରହ୍ମ ସେ ରୂପ ନ ଦିଶଇ ନାହିଁ ତାର ହାଇ ଛାଇ,

ଜନମ ଦିନରୁ ଉଚ୍ଛାରେ ବଢିଛି ଆଧାର ପାଣି ନ ଖାଇ ।

 

ପିତା ମାତା ନାହିଁ ଅଯୋନିସମ୍ଭୁତ ନାହିଁ ରଜବୀର୍ଯ୍ୟ ଗନ୍ଧ,

କେ ଗଢ଼ି ନାହିଁ ଆପେ ଗଢ଼ି ହୋଇଛି ଅରୂପ ଅନାଦି କନ୍ଦ ।

 

ଅନାମିକା ସେହୁ ନାମ ନାହିଁ ତାର ନ ବସେ ଅକ୍ଷର ପଦ,

ଚାରି ଯୁଗ ମଧ୍ୟେ ତାହାର ମହିମା ବର୍ଣ୍ଣି ନ ପାରିଲା ବେଦ ।

 

ଅବ୍ୟକ୍ତ ପୁରୁଷ ବ୍ୟକତ ନ ହୁଏ ବଚନ ଯହିଁରେ ନାହିଁ,

ଅଲେଖ ମଣ୍ଡଳ ପୁର ଭୁବନକୁ ନିଶବଦ ବୋଲି କହି ।

 

ନିର୍ବେଦ ପୁରୁଷ ବେଦ ନ ଲାଗଇ ନ ପଶେ ଶବଦ ଭେଦ,

ଅଖଣ୍ଡ ବ୍ରହ୍ମ ସେ ଖଣ୍ଡ ଖଣ୍ଡ ନୁହେ ନାହିଁ ତାର ବିନ୍ଦୁ ନାଦ ।

 

ଜପ ତପ ମନ୍ତ୍ର କିଛି ନ ଲାଗଇ ସକଳ ଠାବରୁ ଛଡ଼ା,

ସକଳ ପିଣ୍ଡକୁ ଗଢ଼ି ଅଛି ସେହି ଆପ ଶରୀର ଅଗଢ଼ା ।

 

 

 

ତୀର୍ଥ ବ୍ରତ ଯଜ୍ଞ ହୋମ ନ ଲାଗଇ କ୍ରିୟା କର୍ମ ଆଦି ଛାଡ଼ି,

ସକଳ ଜୀବ ମାୟାରେ ପଡ଼ିଛନ୍ତି ଆପଣ ମୋହେ ନ ପଡ଼ି ।

 

ଦଶମୀ ଏକାଦଶୀ ବ୍ରତ ନ ପାଇ ନୁହକ ତାହାର କର୍ମ;

ବ୍ରହ୍ମକୁ ଭେଟିବୁ ବୋଲି ପ୍ରାଣୀମାନେ କରୁଛନ୍ତି ଦାନ ଧର୍ମ ।

 

ମନ ନାହିଁ ତାର ଅମନ ପୁରୁଷ ଅମନମଣ୍ଡଳେ ବାସ,

ଅଣ ଆକାର ବିହରେ ସେହି ପ୍ରଭୁ ଶୂନ୍ୟ ରୂପରେ ପ୍ରକାଶ ।

 

ରୂପ ରେଖ ତାର ବର୍ଣ୍ଣ ଚିହ୍ନ ଆଦି ନିଗମ ନିଗମେ ଗଲା,

ଗମି ଭେଟିବାକୁ କାହା ଶକ୍ତି ନାହିଁ ଅଗମ୍ୟେ ଯାଇ ରହିଲା ।

 

ସଂସାର ସାଗର କର୍ମମାନ ଯେତେ ଲାଗି ନ ପାରଇ ତାଙ୍କୁ,

ଏ କ୍ରିୟା କର୍ମରେ କେ ଭେଟିବ ତାଙ୍କୁ ପଚାରୁଅଛି କାହାକୁ ।

 

ଅକର୍ମ ଦାୟକ କର୍ମ ନ ଲାଗଇ ନୁହଇ କାହାରେ ବଶ୍ୟ,

ଏ ଭକ୍ତି ମାର୍ଗରେ ପ୍ରସନ୍ନ ନୁହଇ ଅଟଇ ତାଙ୍କୁ ଭବିଷ୍ୟ ।

 

ତାହାର ଛାମୁକୁ ଭ୍ରୂକୁଟି ଅଟଇ ନୁହଇ ସାତ୍ୱିକ ସେବା,

କେହୁଣି କର୍ମରେ ପ୍ରସନ୍ନ ନୁହଇ କିସ ପଟାନ୍ତର ଦେବା ।

 

ତାର ମନେ ମନେ ସବୁ ବିଚାରଇ ନ ଥାଇ କାହାରି ମନେ,

ତାର ସୁଖରେ ଯାହା ଇଚ୍ଛା କରଇ ବସେ ଶୂନ୍ୟ ସିଂହାସନେ ।

 

ଚନ୍ଦ୍ର ସୂର୍ଯ୍ୟଙ୍କର ତେଜ ନାହିଁ ତହିଁ ନାହିଁ ଶରଦ ଉଷୁମ,

ବିନା ଅନଳରେ ଗରମ ଉଠୁଛି ନାହିଁ ଶିଶିର ଲଶମ ।

 

ଜଳ ପବନର ଧାପ ନାହିଁ ତହିଁ ଚମକ ଦମକ ନୁହେ,

ଅତି ନିଷ୍କାମ ଅଟଇ ସେହି ପୂର ଅଚିନ୍ତାରେ ବ୍ରହ୍ମ ରହେ ।

 

ଦେବାସୁର ନର ନ ଜାଣନ୍ତି ତାଙ୍କୁ ମୂର୍ଖ ପାପୀକୁ ଅଦୃଶ୍ୟ,

ଆଜ୍ଞାନୀମାନଙ୍କୁ ବହୁତ ଉହାଡ଼ ଜ୍ଞାନୀମାନଙ୍କୁ ବିଶ୍ୱାସ ।

 

ମାୟା କାୟା ଯହିଁ ସମ୍ବନ୍ଧ ନୁହଇ ହାସ ରସ କାହିଁ ଜଣା,

ପଞ୍ଚଭୁତ ଆଦି ଗମି ନ ପାରନ୍ତି ପଡ଼ିଛନ୍ତି ହୋଇବଣା ।

 

ଅନାମରୁ ସର୍ବେ ବାହାର ହୋଇଲେ ଜାଣି ନ ପାରିଲେ କେହି,

କାହାରି ମାୟା ପଥରେ ବଣା ହେଲେ ସୁତ୍ରେ ନ ପାରିଲେ ଯାଇ ।

 

ଏ ମାୟାସାଗରୁ ତ୍ରିଗୁଣ ବାଧାରୁ ନେବ ଶ୍ରୀଗୁରୁ ବଞ୍ଚାଇ,

କହେ ଭୀମ ଭୋଇ ଗଲାବେଳେ ମୋତେ ସୂତ୍ରବାଟେ ଯିବ ନେଇ।

***

 

ଅଠାଶୀ ବୋଲି

 

ଏକୈଶ ଭୁବନ ଜିଣି ଯେବେ ଯିବ ହେବ ଅଲେଖର ଭକ୍ତ,

ଗୃହୀ ଦିଗାମ୍ବରୀ ଯେ ଅଛ ସଂସାରେ ଦେଖ କେ ଅଛ ସାମର୍ଥ ।

 

ଅଲେଖ ପ୍ରଭୁଙ୍କୁ ଯେ ଭଜି ପାରିବ ନ ପଡ଼ିବ ତାର କାୟା,

ଚେତା ଚଇତନ ହେତୁ ନ ବୁଡ଼ିବ କରିବେ ସେ ଯେବେ ଦୟା ।

 

ରଜବୀର୍ଯ୍ୟରେ ଜନ ମନ ଲଭି ଯୁଗେ ଯୁଗେ ଅଜାମ୍ୱର,

ଇଚ୍ଛିଲେ ଦେହ ଅଦେହ ହୋଇପାରେ ଇଚ୍ଛା ମରଣ ତାହାର ।

 

ଭବାର୍ଣ୍ଣବ ମାୟା ନ ଲାଗଇ ତାକୁ ନ ପଶଇ ଯମଦ୍ୱାର,

ମୋ ପିଣ୍ଡ ଗଢ଼ିଲା ଶକତି ଏ ଅଟେ ଏଥୁ ହୋଇଛି ବାହାର ।

 

ମାତାର ପଦ୍ମକୁ ଯେ ଭଜି ପାରିଛି ପ୍ରଳୟରୁ ହେଲା ପାର,

ଅଲେଖ ପୁରୁଷ କରନ୍ତି ତାହାଙ୍କୁ ଜନ୍ମ ମରଣୁ ଉଧାର ।

 

ମହାସୁଖ ପାନ୍ତି ଅଲେଖ ପୁରୁଷ ଏତେ କର୍ମରେ ନ ଥିଲେ,

ଡାକି ଡାକି ତାକୁ ଅଲେଖ ପୁରୁଷ ମୁକତି ଯାଚନ୍ତି ବଳେ ।

 

 

 

ଜିହ୍ୱା ସୁସ୍ୱାଦୁରେ ନ ଥାଇ ସେ ଜନ ନିତ୍ୟ ଅସାଧନା ଯୋଗ,

ମୁକତି ଭଣ୍ଡାରୁ ଅଲେଖ ପୁରୁଷ ବୋଲେ ଅଧେ ନେବେ ଭାଗ ।

 

ତୁହି ମୋତେ ଜାଣୁ ମୁହିଁ ତୋତେ ଜାଣେ ଏଥିରେ ସଂଶଏ ନାହିଁ,

ତୁହି ଯହିଁ ଯିବୁ ମୁରୁଛି ନ ପାରି ମୁହିଁ ସଙ୍ଗେ ଯିବି ତହିଁ ।

 

ମୁଁ ତୋହର ପୁତ୍ର ତୁ ମୋହର ପିତା ଏଥୁ କି ବିଶ୍ୱାସ ନେବି,

ମୋତେ ତୁହି ଯହିଁ ବସାଇବୁ ଭକ୍ତ ତହିଁ ମୁହିଁ ବସିଥିବି ।

 

ଏମନ୍ତ ବୋଲନ୍ତି ଅଲେଖ ପୁରୁଷ ନିଷ୍କାମ ଭକ୍ତକୁ ଚାହିଁ,

ତୋହ ମୋହ ବାବା ଯେବଣ ପୀରତି ତ୍ରିଭୁବନେ କଣା ନାହିଁ ।

 

ନିଷ୍କାମ ଭଗତ ଦେଖିଲେ ଅଲେଖ ହସି ପ୍ରସନ୍ନ ହୁଅଇ,

ତାର ଦୁଆରକୁ ଆସି ଯାଇ ବ୍ରହ୍ମ କାଦୋ ଉଠି ଯାଉଥାଇ ।

 

ନିଷ୍ଠା ଭକ୍ତିବଳେ ବନ୍ଦୀ ହୋଇ ଏକା କାହିଁ ନୁହଇ ବନ୍ଧନ,

ଭକ୍ତ ପାଖରୁ ନ ଛାଡ଼ି ଜଗିଥାଇ ଯେସନେକ ପିଣ୍ଡପ୍ରାଣ ।

 

ଅଲେଖ ଭକ୍ତିର ଏମନ୍ତ ବିଧାନ ଶୁଣ ସାଧୁ ସଜ୍ଞନର,

ଅଘୋର ସତ୍ୟ ସାଗର ଧର୍ମ ଭକ୍ତି ପାରୁଅଛ ଯେବେ କର ।

 

ଅଘୋର ନିଷ୍ଠା ଭଗତିରେ ଯେ ଜନ ଅମନେ କରିବ ମନ,

ଆୟତ୍ତ ନାହିଁ ଅଲେଖ ପୁରୁଷର ହେବେ ତାହାର ଅଧୀନ ।

 

କିଦା ନରଲୋକ କିବା ଦେବ-ଲୋକ କରୁଛନ୍ତି ଭକ୍ତି ଦେଖ,

କିବା ସୁରଲୋକ କିବା ରୁଦ୍ରଲୋକ ଯେ ଅଛି ତିନି ତ୍ରୈଲୋକ୍ୟ ।

 

ଅଲେଖ ବ୍ରହ୍ମରେ ଭଗତି ହୋଇଲେ ନ ହୁଅନ୍ତି କେହି ସାହା,

ତ୍ରିଭୁବନ ଲୋକେ ନ ସହନ୍ତି ଏକା ଜାଣି ବୁଝି କରି ତାହା ।

 

ଅଲେଖ ଭଗତି କେହି ନ ପାରନ୍ତି କୋଟିକେ ଗୋଟିଏ ସାର,

ଯେହୁ ଇଚ୍ଛା ସେହୁ ସମର୍ଥ ନୁହନ୍ତି ଶୁଦ୍ଧମନରେ ବିଚାର ।

 

ଅଶ୍ରୁତି ଶୂନ୍ୟ ଅଗୋଚର ଆସରା ଭରସା ଯେ କରିପାରେ,

ଅନ୍ତର ବାହାରେ ସେ ଅଲେଖ ବ୍ରହ୍ମ ପୂରିଥାଇ ତାହାଠାରେ ।

 

ତିନି ଭୁବନରେ ସଂସାରଯାକରେ କାହାକୁ ନାହିଁ ତା ଭୟ,

ତେଣୁକରି ତାର ଇଷ୍ଟ ହୋଇଥାନ୍ତି ଅଲେଖ ପୁରୁଷ ଦିଅଁ ।

 

ଅଲେଖ ଭଗତି କରିବାର ଚାହିଁ ପ୍ରାଣ ଥିବାଯାଏ ପିଣ୍ଡେ,

ଗୁରୁପାଦ ଧ୍ୟାୟି ଭଣେ ଭୀମ ଭୋଇ ନ ପଡ଼ିବ କାଳଦଣ୍ଡେ ।

***

 

ଅଣନବେ ବୋଲି

 

ସତ୍ୟ ତ୍ରେତୟା ଦ୍ୱାପର କଳିକାଳ ଗଣ୍ଡାଏ ହୋଇଲା ଆସି,

ଅଲେଖ ମହିମା ଏକାକ୍ଷର ପଦ ହୋଇ ନଥିଲା ପ୍ରକାଶି ।

 

ଗଣ୍ଡାଏ ଯୁଗ ସମ୍ପୂର୍ଣ୍ଣ ହେଲା ଯେହୁଁ ଏକବ୍ରହ୍ମ ଉଦବେଗ,

ସାଧୁ ସୁଜ୍ଞଜନେ ଶୁଣିଥାଅ କର୍ଣ୍ଣେ ଫେର ହେବ ସତ୍ୟଯୁଗ ।

 

ଯେଉଁ ସତ୍ୟ ଧର୍ମେ ଏ ପିଣ୍ଡ ବ୍ରହ୍ମାଣ୍ଡ ପୂର୍ବେ ହୋଇଥିଲା ଜାତ,

ସେହି ସତ୍ୟଧର୍ମେ ଏ ପିଣ୍ଡ ବ୍ରହ୍ମାଣ୍ଡ ସୁସ୍ଥାପନେ ହେବ ମୁକ୍ତ ।

 

ଆଦ୍ୟରେ ଅଲେଖ ଅଦ୍ଭୁତ ମୁରତି ବଇଷ୍ଣବ ରୂପ ହେଲେ,

ଦିଗାମ୍ବର ବେଶେ ଏ ପିଣ୍ଡ ବ୍ରହ୍ମାଣ୍ଡେ ସ୍ଥାପି ବଞ୍ଚାଇ ରଖିଲେ ।

 

ଅଘୋର ମତ ଅବିକାର ଦୀକ୍ଷାନ୍ତ କରିଥିଲେ ପର୍ମେଶ୍ୱର,

ସେହି ଧର୍ମ ଅବଧୂତ ବୋଲାଉଛି ନିର୍ବେଦୁ ହୋଇ ବାହାର ।

 

ସେହି ବ୍ରହ୍ମ ଏବେ ନର ଦେହ ବହି ବୁଦ୍ଧରୂପେ ଅବତାର,

ଏତେବେଳେ ନିଜ ନାମ ଛାଡ଼ିଛନ୍ତି ନ ରଖି କିଛି ଅନ୍ତର ।

 

 

 

ସତ୍ୟ ପୁରୁଷ ସତ୍ୟ ପଦ ଜାଣନ୍ତି ଚାରିଯୁଗ ମଧ୍ୟେ ସାର,

ତରିବେ ବୋଲି ନିଜ ନାମ ଦେଇଛି ସମସ୍ତେହେଁ ଆଶ୍ରା କର ।

 

ଅଲେଖ ମହିମା ନାମରେ ଉଦ୍‌ଘାଟ ହେବେ ବୋଲି କଳିକାଳେ,

ସନ୍ନ୍ୟାସ ଦୀକ୍ଷାରେ ନିଜ ସତ୍ୟ ଧର୍ମ ଛାଡ଼ିଛନ୍ତି ରବିତଳେ ।

 

ମହାଘୋର କଳି ପାପସାଗରକୁ ମହିମାସାଗର ଧର୍ମ,

ବେନିକୁଳ ମିଳି ଯୁଦ୍ଧ ଲାଗିଛନ୍ତି କିସ ଦେବା ଅନୁପାମ ।

 

ତେଣୁକରି ସିନା ନର ମନୁଷ୍ୟଙ୍କୁ ଛଡ଼ାକ୍ଷର ମନ୍ତ୍ର ଦେଲେ,

ଅଲେଖ ମହିମାସାଗର ନାମରେ କଳିକାଳେ ଉଦେ ହେଲେ ।

 

ଏବେ ସେ ଅନାଦି ଦିଗାମ୍ବର ହୋଇ ବହିଛନ୍ତି ବୁଦ୍ଧ-ତନୁ,

ଆଦି ପରମ ଏ ଧର୍ମ ଦେଇଛନ୍ତି ପାରି ହେଲା ଯେତେ ଦିନୁ ।

 

ତିନିପୁର ଲୋକେ ଦରଶନ କର ବୃଦ୍ଧସ୍ୱରୂପ ଗୁରୁଙ୍କୁ,

ନାଭିମଣ୍ଡଳରୁ ଅଲେଖର ପ୍ରଭା ଅଛି ତହିଁ ଉପରକୁ ।

 

ଶକ୍ତି ଅନୁସାରେ ଭଜ ନିରନ୍ତରେ କାହାକୁ ନୁହଇ ମନା,

କି ଅବା ସ୍ତିରୀ କିଅବା ପୁରୁଷ ମନରେ କର ଭାବନା ।

 

ସତ୍ୟଯୁଗକୁ ଯେମନ୍ତେ ପହଞ୍ଚିବ କର ସେପରି ଉପାଏ,

କଳି ଥିବା ଯାଏ ନିଜ ସତ୍ୟ ଧର୍ମ ହୋଇ ନ ପାରଇ ଥାଏ ।

 

ସକଳ ଜନ ଅଲେଖ ମହିମାକୁ ଡାକ ଅନ୍ତେ ମୁଖେ ଉଚ୍ଚେ,

ମହିମାଙ୍କ ପରା ପରୀକ୍ଷା ଦେଖିବ ନିନ୍ଦା ନାହିଁ ଦେବ ପଛେ ।

 

ଜୀବର ଉପରେ ମହିମା ପରୀକ୍ଷା ହେବ ଏକା ତିନି କାଳେ,

ଆପଣା ପିଣ୍ଡ ପରାଣକୁ ସମ୍ଭାଳି ନୋହିବଟି ତେତେବେଳେ ।

 

ତିନି ଭୁବନକୁ ତିନିବାର ଆମ୍ଭେ ଡାକି କହୁଅଛୁ ଶୁଣ,

ମୁକତି ଯାଚି ଯାଚି ଦେବା ହେଉଛି ଭାଗ୍ୟ ଅଛି ଯେବେ ଘେନ ।

 

ସପ୍ତ ବ୍ରହ୍ମାଣ୍ଡକୁ ସାତବାର କରି ଯାଚି ଦେଉଛନ୍ତି ଧର,

ପବିତ୍ର ନାମ ବ୍ରହ୍ମ ଏହୁ ପସରା ମନେ ବିରୁଧ ନ କର ।

 

ନବଖଣ୍ଡ ମେଦିନୀକି ନବଥର ବୁଲାଉ ଅଛନ୍ତି ନାମ,

ଗୁରୁ ରୂପ ହୋଇ ବତାଉ ଅଛନ୍ତି ଅଲେଖ ଅନାଦି ବ୍ରହ୍ମ ।

 

ଏକୋଇଶ ପୁରେ ଏକୋଇଶ ବାର ନାମ ଫେରୁଛି ସମ୍ଭାଳ,

ଭଣେ ଭୀମ ଭୋଇ ଗୁରୁପାଦ ଧ୍ୟାୟି ଶେଷ ହୋଇଲାଣି କାଳ ।

***

 

ନବେ ବୋଲି

 

କାହାକୁ କେହି ସଙ୍ଖୋଳି ନ ପାରିବେ ସର୍ବେ ହେବେ ରଣଭଣ,

କଳି ଯାଇ ସତ୍ୟ ଯୁଗ ହୋଇବାର ଅଛଇ ଏତିକି ଗୁଣ ।

 

ତେତେବେଳେ ଆଉ ମହୀମଣ୍ଡଳରେ କେହି ନୋହିବେ କାହାର,

ନବଖଣ୍ଡ ମହୀ ତରସ୍ତ ହୋଇଣ କମ୍ପୁଥିବ ଥରହର ।

 

ଦକ୍ଷିଣଲୋକ ଉତ୍ତରେ ପଳାଇବେ ଉତ୍ତରବଲୋକେ ଦକ୍ଷିଣେ,

ମହା ଅନର୍ଥ ହୋଇବ ଏ ମେଦିନୀ କଳି ସତ୍ୟବାଦ ଗୁଣେ ।

 

ପୂର୍ବର ଲୋକେ ପଶ୍ଚିମେ ପଳାଇବେ ପଶ୍ଚିମର ଲୋକେ ପୂର୍ବେ.

ଚାରିଦିଗ ଲୋକେ ଏକାନ୍ତ ହୋଇବେ ମିଶାମିଶି ହୋଇ ସର୍ବେ ।

 

ପୁଣି କହୁଅଛୁଁ ହେ ପୁରୁଷମାନେ ମହିମା ନାମକୁ ଜପ,

ବାଡ଼ି ବୃତ୍ତି ଫନ୍ଦା କରୁଥାଅ ପଛେ ହୃଦପଦ୍ମେ ନାମ ରଖ ।

 

ସକଳ କର୍ମରେ ଲାଗିଥାଅ ପଛେ ବ୍ରହ୍ମ କର୍ମ ଧରି ଚିତ୍ତେ,

ଗୁରୁଚରଣେ ବିଶ୍ୱାସ ରୂପିଥିଲେ ତରି ନେଇଯିବେ ସତ୍ୟେ ।

 

 

 

ସ୍ତିରୀମାନେ ଆଗୋ ଯେ ଅଛ ସଂସାରେ ଘରଦ୍ୱାର ପଛେ କର,

ପୁତ୍ର ଦୁହିତା ଜନ୍ମାଇଲେ କି ହେଲା ତରିବା ପଥକୁ ଧର ।

 

ରତି ରମଣ ସୁରତି ସୁଖଭାବ କରୁଥାଅ ପଛେ ତୁମ୍ଭେ,

ଅନେକ ବିଷୟା ଲାଗିଥାଉ ପଛେ ବ୍ରହ୍ମ କର୍ମ ଧର ଦମ୍ଭେ ।

 

ରାଜାମାନେ ରାଜନୀତି କରୁଥାନ୍ତି ଦଣ୍ଡ ସିଂହାସନେ ବସି,

ଦୋଷକୁ ଚାହିଁ ବୁଝାମଣା କରନ୍ତୁ ହୃଦରେ ମହିମା ଘୋଷି ।

 

ଦୋଷକୁ ଚାହିଁ ଦଣ୍ଡ ଶାସ୍ତି ନ ଦେଲେ କିରୂପେ ଚଳିବ ପୃଥ୍ୱୀ,

ରଇତ ପରଜା କିରୁପେ ମାନିବେ ବଣା ହୋଇଯିବ ମତି ।

 

ମୁଲକର କଥା ବୁଝୁଥାଅ ପଛେ ସତ୍ୟ ଧର୍ମେ ଆଶ୍ରେ କର,

ମହିମା ଭଜିଲୁଁ ବୋଲି ନ ବୁଝିଲେ ଦେଶ ହୋଇବ କାହାର ।

 

ରାଜନୀତି ତାର କରୁଥାଅ ପଛେଗୁରୁ ଧର୍ମ ଥାଉ ଧ୍ୟାୟି,

ଗୁରୁ ସେବାରେ ପରଚେ ହେବ ଯେବେ ନିଶ୍ଚିନ୍ତେ ତରିବ ସେହି ।

 

କ୍ଷତ୍ରୀ ହୋଇ ପଞ୍ଚୁ ସହସ୍ରକୁ ଭିଡ଼ି ସତ୍ୟ ଧର୍ମ ଆଶ୍ରେ କରୁ,

ଘୋର ସଂଗ୍ରାମେ ପଶି କରି ପଛକେ ଗୋରୁ ବ୍ରାହ୍ମଣକୁ ମାରୁ ।

 

କ୍ଷତ୍ରୀ ହୋଇ ଯେବେ ଶସ୍ତ୍ର ନ ଧଇଲେ ଶତ୍ରୁ ଜୟ କରି ନୁହେ,

ଗୁରୁ ନାମ ଧରି ସିଂହରଡ଼ି ଦେବ ନ ଥିବ କାହାକୁ ଭଏ ।

 

କ୍ଷତ୍ରି ଧର୍ମରେ ଥାଉ ପଛେ ସେ ଜନ ଭଜୁଥାଉ ମହିମାକୁ,

ଗୁରୁପାଦେ ଯେବେ ସତ୍ୟ ରଖିଥିବ ନିଶ୍ଚେଁ ତାରିବେ ତାହାକୁ ।

 

ବ୍ରାହ୍ମଣ ହୋଇ ଚାରି ବେଦକୁ ପଢ଼ି କରୁ ପଛେ କ୍ରିୟା କର୍ମ,

ସନ୍ଧ୍ୟା ତର୍ପଣ ଯଜ୍ଞହୋମ କରିଣ ଧରିଥାଉ ଗୁରୁ ଧର୍ମ ।

 

ବେଦନ୍ତି ବ୍ରାହ୍ମଣ ହୋଇ ଥାଉ ପଛେ ଅଲେଖ ମହିମା ଭଜୁ,

ବେଦର ମତ ଯେତେ କର୍ମ କରୁଛି ବାହ୍ୟରେ ପଛେ ନ ତେଜ ।

 

ବ୍ରାହ୍ମଣ ହୋଇଣ ଗୁରୁସେବା କରୁ ବ୍ରହ୍ମକୁ ପରଚେ ହୋଇ,

ସତ୍ୟ ଧର୍ମକୁ ଅଭ୍ୟାସ କରୁଥିଲେ ନିଶ୍ଚଏ ତରିବ ସେହି ।

 

ରାଜା ବ୍ରାହ୍ମଣ କ୍ଷତ୍ରିକୁଳ ଯେ ଅଛ ସତ୍ୟଧର୍ମ ନ୍ୟାଏ ଧର;

ଆଶ୍ୱାସନା ଭାବେ ସବୁଙ୍କୁ କହୁଛୁ ବେଳହୁଁ ମୋ ବୋଲକର ।

 

ବେଳୁ ବେଳ ଯୁଗାବଦ ତୁଟୁଅଛି ଚିତ୍ତ ରଖ ଗୁରୁପାଦେ,

ମନରେ ସ୍ୱଚ୍ଛନ୍ଦ ଭଣେ ଭୀମ କନ୍ଧ ଅଷ୍ଟାଦଶଶତ ପଦେ ।

***

 

ଏକାନବେ ବୋଲି

 

ବିଦ୍ୟାବନ୍ତ ପ୍ରାଣୀ ବିଦ୍ୟାକୁ ସାଧନ କରୁଥାଉ ପଛେ ସେହି,

ଅଲେଖ ମହିମା ଭଜୁଥାଉ ନିତ୍ୟେ ଗୁରୁପାଦେ ଚିତ୍ତ ଦେଇ ।

 

ସକଳ ବିଷୟ କର୍ମ ଲାଗିଥାଉ ବିଦ୍ୟା କାହିଁକି ଛାଡ଼ିବ,

ସଦଗୁରୁ ପାଦେ ଚିତ୍ତ ରଖିଥିଲେ ନିଶ୍ଚୟ ସେ ତରିଯିବ ।

 

ତପସ୍ୱୀ ପରାଣୀ ତପ କରୁ ପଛେ ଗୁରୁ ଧର୍ମ ଭଜୁଥାଉ,

ନାମ ନ ଭଜିଲେ ଏ ରବିତଳରେ ବାସ ନ ମିଳିବ ଆଉ ।

 

ଅନେକ କର୍ମରେ ଥାଉ ପଛେ ସେହୁ ଗୁରୁପାଦେ ରଖି ଚିତ୍ତ,

ସଦଗୁରୁ ପାଦେ ସେବା ରଖିଥିଲେ ମୋକ୍ଷ ହେବ ପରାପତ ।

 

ଦୟାବନ୍ତ ପ୍ରାଣୀ ଦାନ ପୁଣ୍ୟ କରି ଅନ୍ନ ଜଳଛତ୍ର ଦେଉ,

ଅନେକ ଚିନ୍ତାରେ ଜାଣିଥାଉ ପଛେ ମହିମାକୁ ଭଜୁଥାଉ ।

 

ତେବେ ତାର କୀର୍ତ୍ତି ସୁଫଳ ହୋଇବ ନ ଯିବ ବିଅର୍ଥ ହୋଇ,

ଶ୍ରୀଗୁରୁ ଛାମୁରେ ସେବା ଯୋଗାଇଲେ ମୁକତି ଲଭିବ ସେହି ।

 

 

 

ଧର୍ମବନ୍ତ ପ୍ରାଣୀ ଧର୍ମ କରୁ ପଛେ ସକଳ ଜୀବକୁ ଚାହିଁ,

ମହିମା ଧର୍ମକୁ ଆଶ୍ରା କରିଥାଉ ଆତ୍ମା ପରେ ଦୟା ବହି ।

 

ତେବେ ସିନା ତାର କୀରତି ରହିବ ନ ଯିବ ବିଫଳ ହୋଇ,

ଗୁରୁ ଧର୍ମ ଯେବେ ଆଶ୍ରା କରିଥିବ ମୁକତି ପାଇବ ସେହି ।

 

ବ୍ୟାଧ ହୋଇ ଯେବେ ଜୀବମରା ବୃତ୍ତି ଜୀବ ବଧୁଥାଉ ପଛେ,

ଅଲେଖ ମହିମା ଭଜୁଥାଉ ଏକା ଦୃଢ଼ କରି ଥାଉ ନିଶ୍ଚେ ।

 

ତେବେ ସିନା ତାର ଜୀବ ବଧିବାର ଦୋଷରୁ ହୋଇବ ପାର,

ସଦଗୁରୁ ଯେବେ ପ୍ରସନ୍ନ ହୋଇବେ ନିଶ୍ଚେ ହୋଇବ ଉଧାର ।

 

ଧୀବର ହୋଇଣ ମୀନ ମାରୁ ପଛେ ମହିମାକୁ ଥାଉ ଧ୍ୟାୟି,

ତାହାର ବୃତ୍ତି ତାକୁ ଦିଆ ହୋଇଛି କେମନ୍ତେ ଛାଡ଼ିବ ସେହି ।

 

ଅନେକ ବିଷୟା କର୍ମରେ ଲାଗିବ ଗୁରୁସେବା କରୁଥାଉ,

ଗୁରୁ ଚରଣରେ ଚିତ୍ତ ରଖିଥିଲେ କିମ୍ପା ନ ତରିବ ସେହୁ ।

 

ମୋଚି ହୋଇ ଚର୍ମ କାଟୁଥାଉ ପଛେ ନାମରେ ଆଶ୍ରିତ ହେଉ,

ତାହାର ବୃତ୍ତି ସେ କେମନ୍ତ ଛାଡ଼ିବ ରୋଜଗାର କରୁଥାଉ ।

 

ଗୁରୁ ଧର୍ମେ ଯେବେ ତତ୍ତ୍ୱ କରିଥିବ ନିଶ୍ଚେଁ ଉଧାର ପାଇବ,

ଏ କଳିଯୁଗରୁ ପିଣ୍ଡପ୍ରାଣ ବଞ୍ଚି ରବିତଳରେ ରହିବ ।

 

ହାଡ଼ି ହୋଇ ଯେବ ଦାଣ୍ଡ ପହଁରଇ ବାଡ଼ିଘର ପଛେ ଖଟୁ,

ଗୁରୁ ପାଦତଳେ ଚିତ୍ତବୃତ୍ତି ରଖି ଦୃଢ଼ଚିତ୍ତେ ନାମ ରଟୁ ।

 

ତାହାର ବୃତ୍ତି ସେ ନ ରଖିବ ଯେବେ କେ କରିବ ସେହୁ କର୍ମ,

ମୁଖେ ଯେବେ ଗୁରୁ ନାମ ଜପୁଥିବ ଉଧାର କରିବେ ବ୍ରହ୍ମ ।

 

ଅଜ୍ଞାନୀ ଜନ ଯେବେ କିଛି ହିଁ ନଜାଣେ ଗୁରୁସେବା କରୁଥାଉ,

ଜ୍ଞାନ ଧ୍ୟାନ ଆଦି କିଛିହିଁ ନ ଜାଣୁ ଗୁରୁ ଆଜ୍ଞା ଶିରେ ବହୁ ।

 

ଦୟା ହେବ ଯେବେ ଅବଶ୍ୟ ତରିବ ଏଥିରେ ସଂଶୟ ନାହିଁ,

ଗୁରୁପାଦେ ଯେବେ ସ୍ନେହ ରଖିଥିବ ବ୍ରହ୍ମେ ଲୀନ ହେବ ସେହି ।

 

ଶୁଣ ସୁଜ୍ଞଜନେ ନାମର ମହିମା ନାମ ବିନୁ ନାହିଁ ଗତି,

ନାମରେ ଆତଯାତ ହେଉ ଅଛନ୍ତି ଚାରିଯୁଗେ ଏହି ପୃଥ୍ୱୀ ।

 

ନାମ ଛାଡ଼ିଦେଲେ ଦେହ ଛାଡ଼ିଯିବ ଧରିଥାଅ ଦୃଢ଼ କରି,

ଗୁରୁ ପାଦ ଧ୍ୟାୟି ଭଣେ ଭୀମ ଭୋଇ ଦିବାନିଶି ଆଶ୍ରା କରି ।

***

 

ବୟାନବେ ବୋଲି

 

ଛତିଶକୁଳୀ ବାଉନ ଯେ ପାଟକ ଯେ ଅଛି ସ୍ତିରୀ ପୁରୁଷ,

ଉଚ୍ଚ ନୀଚ ବୋଲି ବାରଣ ନ କରି ନାମରେ ଶରଣ ପଶ ।

 

କିବା ବେଶ୍ୟା ନାରୀ କିବା ଦୁରାଚାରୀ କିବା ପାଷାଣ୍ଡ ପୁରୁଷ

ଅଦ୍ଭୁତ ବିପତ୍ତି ଘୋଟି ଆସୁଅଛି ବେନି ନେତ୍ରେ ସର୍ବେ ଦେଖ ।

 

ଛପନାକୋଟିକି ନାଶିବାର ପାଇଁ ଏ ଚାରିଖାନି କି ଧରି,

ଜଣେ ଜଣେ ଗୁରୁ ନାମ ଆଶ୍ରେକରି ମୁଖେ ବୋଲ ହରି ହରି ।

 

ହରି ନ ବୋଇଲେ ହତ ହୋଇଯିବ ଅଣଓପ୍ରୋଧ ବିପତ୍ତି,

ବାଳ ବୃଦ୍ଧ ଯୁବା କେହି ନ ରହିବ ସରିଯିବ ନବ କ୍ଷିତି ।

 

ଅଷ୍ଟକୋଟି ଯୋଗ୍ନୀ ଚୌଷଷ୍ଠୀ ଜାନ୍ତାନୀ ନବକୋଟି ଦେବୀରାଣ,

ଭୈରବୀ ମୁରତି ପ୍ରକାଶିଣ ସର୍ବେ ରୁଧିର କରିବେ ପାନ ।

 

ସେ ଧର୍ମ ପୁରୁଷ କାଳରୂପ ହେବେ ଡାକିଲେ ଶୁଣିବେ ନାହିଁ,

ଏତେବେଳରୁ ପରତେ ହୋଇଥିଲେ ଦାଢ଼ରୁ ବଞ୍ଚିବ ସେହି ।

 

 

 

ତିନିପୁର ମଧ୍ୟେ କାଳଚକ୍ର ଗୋଟା ଫେରୁଥିବ ଦିବାନିଶି,

ଦେବୀଗଣମାନେ ଆକାଶେ ରଡ଼ିବେ ନ ଦିଶିବେ ରବିଶଶୀ ।

 

ଘୁଘୁ ଗରଜନ ଶୂନ୍ୟରେ ଶୁଭିବ ଦେବୀଙ୍କ ମୁଖ ଚହଳ,

ଅଦ୍ଭୁତେ ରୁଧିର ବରଷା କରିବ ଧାରା ପରାଏବହଳ ।

 

ତିନି ବ୍ରହ୍ମାଣ୍ଡ ଦୁଲୁ ଦୁଲୁ କମ୍ପିବ ହୋଇବ ଉଲୁକାପାତ,

ଚଉଦିଗେ ଜନ ମନୁଷ୍ୟ ଯେ ଥିବେ ଠାଏ ଖାଉଥିବେ ଭାତ ।

 

ବାସି ତୋରାଣିକି ଆୟୁଷ ନ ଥିବ ଜୀବନେ ନ ଥିବ ଆଶା,

ସକଳ ହୃଦରେ ଭୟ ଉପୁଜିବ ପଡ଼ିବ ଅକାଳ ଦଶା ।

 

ଏତେବେଳେ ଯେବେ ଧର୍ମ ଧରିଥିଲେ ତେତେବେଳେ ଭୟ ନାହିଁ,

ଦେବୀମାନେ ତାଙ୍କୁ ସୁକୃପା କରିବେ ବ୍ରହ୍ମାଣ୍ଡେ ରହିବେ ସେହି ।

 

ବାରମ୍ବାର କହୁଅଛୁଁ ସୁଜ୍ଞଜନେ ପଞ୍ଚଭୁତ ମନେ ଚେତ,

ଯାହା କହୁଅଛୁଁ ମିଥ୍ୟା ବାକ୍ୟ ନୁହେ ଅବଶ୍ୟ ହୋଇବ ହିତ ।

 

ଧର୍ମେ ଯେବେ ଥିବ ଧର୍ମ ସାହା ହେବ ରଖିବେ ବାନା ଘୋଡ଼ାଇ,

ଦୋଷ ଅପରାଧ ଖଣ୍ଡନ କରିବେ ବ୍ରହ୍ମ ଅନଳେ ପୋଡ଼ାଇ ।

 

ସଦଗୁରୁଠାରେ ସଦଶିକ୍ଷା ହୋଇ ସେବା କରି ଯେବେ ପାର,

ଧର୍ମବଳେ କାଳମୁଖଁ ଉବୁରିବ ବଂଶ ନ ବୁଡ଼ିବ ତାର ।

 

ଅନ୍ତ ଡାକୁଥିବ ମୁଖ ଡାକୁଥିବ ହୃଦପଦ୍ମେ ଥିବ ଧ୍ୟାନ ,

ତେବେ କାଳମୁଖୁଁ ବଞ୍ଚାଇ ରଖିବେ ସେ ଅନାଦି ଭଗବାନ ।

 

ଅନ୍ତର୍ଯ୍ୟାମୀ ଗୁରୁ ଅନ୍ତରେ ଡାକିଲେ ଅବଶ୍ୟ ଜାଣିବେ ସେହି,

ଆତଙ୍ଗରେ ଯେବେ ଗୁହାରି କରିବ ନିଶ୍ଚେ ରଖିବେ ବଞ୍ଚାଇ ।

 

ଟଙ୍କା ସୁନା କୌଡ଼ି କିଛି ନ ଲାଗଇ ଯେ ପାରୁଛ ସେହୁ ଭଜ,

ତିନିକୋଶ ଯାଇ କିଣା ନ ପଡ଼ଇ ବହିବାକୁ ନୁହେ ବୋଝ ।

 

ବସିଲା ଠାବରେ ଆୟ ବ୍ୟୟ କରି ସୁସ୍ଥେ ଅରଜିବ ଧର୍ମ,

ନ ବୁଝି ସାଧୁ ସୁଜନ ସୁଜ୍ଞମାନେ କିପାଇଁ ହେଉଛ ଭ୍ରମ ।

 

ନ ଜାଣି ଚାରି ଖୁଣ୍ଟିରେ ଫେରୁଅଛ ତୀର୍ଥ ବ୍ରତ ବୋଲି କରି,

ଯହିଁରେ ଲୋଡ଼ିବ ତହିଁ ବ୍ରହ୍ମ ବୁଝିବ ଯେବେ ବିଚାରି ।

 

ପଥଶ୍ରମ ହୋଇ ପାଦ ପ୍ରାସ ପାଇ ବାହ୍ୟରେ ଭ୍ରମି ନ ମରୁ,

ଗୁରୁପାଦ ଧ୍ୟାୟି କହେ ଭୀମ ଭୋଇ ଘଟରେ ଭାବନା କର ।

***

 

ତେୟାନବେ ବୋଲି

 

ତାଳୁରୁ ତଳିପା ମୁଖ ପରିଯନ୍ତେ ମିଥ୍ୟାପଦ ତ୍ୟାଗ କର,

ଜିହ୍ୱା ଅଗ୍ରରେ ସତ୍ୟ ଧର୍ମ ବସାଇ ପ୍ରକୃତିଗଣ ନିବାର ।

 

ସତ୍ୟ ନ ପ୍ରକାଶି ମହିମା ଭଜିଲେ ପଡ଼ଇ ଅଦ୍ଭୁତ ମାଡ଼,

ଅସ୍ଥି ମାଂସ ଏକ ଠାରେ ମେଦ ହୋଇ ମସିଗୁଣ୍ଡା ହୁଏ ହାଡ଼ ।

 

ମହିମା ଭଜିଲେ ମିଥ୍ୟା ନ ଚଳଇ ସତ୍ୟାଦି କହିଲେ ପାର,

ଗ୍ୟାନ ଧ୍ୟାନ ନ ଜାଣିଲେ କିସ ହେଲା ଅବଶ୍ୟ ହେବ ଉଧାର ।

 

ମହିମା ଭଜିଲେ ପର୍ଦାରା ନ ଚଳେ ନିଅତ ପମାଣ ସତ୍ୟ,

ଅଦ୍ଭୁତେ ତାହାକୁ ବିପତ୍ତି ପଡ଼ଇ ଅପମୃତ୍ୟୁ ପରାପତ ।

 

ମହିମା ଭଜିଲେ ହିଂସା ନ ଚଳଇ ନ ଯିବ ତହିଁରପାଶ,

କଦାଶ୍ଚିତରେ ଖଚୁଆ ଲୋକଠାରେ ତିଳେ ନୋହିବ ବିଶ୍ୱାସ ।

 

ମହିମା ଭଜିଲେ ହିଂସା ନ ଚଳଇ ନ ଥିବ ତହିଁରେ ଲେଶ,

ସତ୍ୟ ଧର୍ମ ଦଣ୍ଡ ତାହାକୁ ପଡ଼ଇ ଗ୍ରାହିଯ୍ୟ ହୁଏ ଯେ ଦୋଷ ।

 

 

 

ମହିମା ଭଜି ପର ଖଚ ନ ଚଳେ ହୁଅନ୍ତି ଆତ୍ମାରେ ଘାତି,

ଜୀବ ଥିବାଯାଏ ସୁଖ ନାହିଁ ତାର ମିଳେ ରାଜଦଣ୍ଡ ଶାସ୍ତି ।

 

ମହିମା ଭଜିଲେ ପରକୁ ମଣିବ ଆପଣାର ଆତ୍ମା ପ୍ରାଏ,

ସାଧୁ ହୋଇ ମରିଗଲେ କିସ ହେଲା ଯୁଗେ ଯୁଗେ କୀର୍ତ୍ତି ରହେ ।

 

ମହିମା ଭଜିଲେ ପରପୁରୁଷକୁ ବୋଲିବ ଏ ମୋର ବାପ,

ଗୁରୁ ପ୍ରସନ୍ନେ ସେ ଜନ ଫଳ ପାଇ ତପସ୍ୟାଠାରୁ ଅଧିକ ।

 

ମହିମା ଭଜିଲେ ପର ଯୁବତୀକି ବୋଲିବ ଏ ମୋର ମାତା,

ମାତା ବୋଲନ୍ତେ ମୋହମାୟା ନ ଲାଗେ ଆପେ ଛଡ଼ାନ୍ତି କରତା ।

 

ମହିମା ଭଜିଲେ ଦୁଃଖ ସୁଖ କଥା ସକଳ ମଣଇ ଏକ,

ପାପ ପୁଣ୍ୟ କଥା ଜଣା ନାହିଁ ତାକୁ ଆବୋରି ଥାନ୍ତି ଅଲେଖ ।

 

ମହିମା ଭଜିଲେ ସ୍ତିରୀ ସଙ୍ଗମକୁ ନ କଳ୍ପିବ କଦାଶ୍ଚିତେ,

ଆପଣା ଭାରିଯା ହେଲେ କିସ ହେଲା ବିଚାରିବ ଅନ୍ତର୍ଗତେ ।

 

ଯେତେ ହେଲେ ସେହି କୁମ୍ଭି ନର୍କକୁଣ୍ଡ ଡୁବିଲେ ସକଳ ଗଲା,

ଚାରି ଯୁଗେ ଜୀବ ପଡ଼ି ପଡ଼ି ତହିଁ ନିଜ ହେତୁ ପାସୋରିଲା ।

 

ମହିମାକୁ ଭଜି ଯୋନି ଶକତିକି ଡାକି ନ ପାରଇ ଯେହୁ,

ଗିଳି ପକାଉଛି ଆଚ୍ଛାଦି ଦେଉଛି ଚେତା ଥାଉଁ ମଲା ସେହୁ ।

 

ଭବନଦୀ ଜଳ ଭିତରେ ପଶିଲେ ଭବରୋଗ ହୋଏ ପିଣ୍ଡେ,

ନାନା ଦୁଃଖରେ ପତିତ ହୁଏ ପ୍ରାଣୀ ପଡ଼େ ଯମ କାଳଦଣ୍ଡେ ।

 

ଶ୍ରବଣ ଥାଉ ବଧୀର ଜଡ଼ ନୁହେ ଡାକି କହୁଅଛି ଶୁଣ,

ଚାରି ଯୁଗେ ଜନ୍ମିମରି ଯାଉଛନ୍ତି ଏକା ଭବନଦୀ ଗୁଣ ।

 

ନିଦୟା ସମ୍ବର୍ବ ଶକତି ବହିଛି ସବୁ ପକାଉଛି ଭଷି,

ଚାରିଯୁଗ ମଧ୍ୟେ ଯେତେ ଦେୟଧାରୀ ନିରୋଳା କରି ନ ରଖି ।

 

ମାୟାର କଳ୍ପମୂଳ ଅଟେ ସେହୁ କଳ୍ପିଲେ ମନ କ୍ଷରିଲା,

ପଞ୍ଚୁଭୁତ ଘେନି ପଚିଶ ପ୍ରକୃତ ଏକାବେଳେ ଓଟାରିଲା ।

 

ଏଥକୁ ବିଚାର ଜ୍ଞାନୀଜନମାନେ ଅକଳ୍ପଣା ଧ୍ୟାନ କର,

ଦିବସ ରଜନୀ ଲୋଡ଼ି ଠାବକରି ଧର ଅନାଦି ପୟର ।

 

ବ୍ରହ୍ମବେତ୍ତାମାନେ ବେଳ ଥାଉଁ ଥାଉଁ ସ୍ଥିତି ବସା ତୁମ୍ଭେ ଧର,

ଭଣେ ଭୀମ ଭୋଇ ଗୁରୁପାଦ ଧ୍ୟାୟି ମନରେ ହେଳା ନକର ।

***

 

ଚଉରାନବେ ବୋଲି

 

ସ୍ତିରୀମାନେ ଯେବେ ମହିମାକୁ ଭଜି ପତିଙ୍କି କହିବ ସତ୍ୟ,

ସତୀ ସାଧବୀ ସୁଲକ୍ଷଣୀ ହୋଇବ ମୁକ୍ତି ହେବ ପରାପତ ।

 

ପତି ଛାମୁରେ ଅନ୍ତର ନ ରଖିବ ଆପଣା ବିଷୟ ଯେତେ,

ସ୍ତିରୀ ପିଣ୍ଡ ପ୍ରାଣଧନ ଅଟଇ ସେ ଠାକୁର ପରା ସାକ୍ଷାତେ ।

 

ପତିସେବା କଲେ ସତୀପଣ ପାଇ ଗତିକି ଲଭଇ ସେହି,

ପିଣ୍ଡ ପ୍ରାଣ ଜାନୁ ଯଉବନ ଦେଇ ପତିକି ଭୋଗ୍ୟ କରାଇ ।

 

ମହିମାକୁ ଭଜି ଅସତୀ ନୋହିବ ପରକୁ ନ ଦେବ ଦେହ,

ପତି ଛାଡ଼ି ଆନ ପୁରୁଷ ଲୋଡ଼ିଲେ ଏକଥା ବଡ଼ ଅନ୍ୟାୟ ।

 

ସଭାର ଉପରେ ସଭା ନ ମଣନ୍ତି ଗଭା ପରେ ଗଭା ନାହିଁ,

ଏକା ଦଳାରେ ବେନି ଖଣ୍ଡା ପଶେକ କେ କେ ଦେଖିଅଛି କାହିଁ ।

 

ଯେଉଁ ଯୁବତୀର ବେନି ପତି ହୁଏ ଚାହିଁ ନ ଯୋଗାଏ ମୁଖ,

ସେ ସ୍ତିରୀ ହସ୍ତେ ଯେବେ ଜଳ ଭକ୍ଷିବ ଘୋଟେ ଚନ୍ଦ୍ର ରାହୁ ଦୁଃଖ ।

 

 

 

ସତୀ ନୁହେ ସେହୁ ବେଳହୁଁ ବିଟପୀ କୁଟୁମ୍ବରେ ନାହିଁ ସୁଖ,

ନାଗ ବିଷ ଦେବା ଦୁରାନ୍ତ ନୁହଇ ମରନ୍ତି କୁଟୁମ୍ବଯାକ ।

 

ତାହାର ହସ୍ତେ ଅନ୍ନପାଣି ଭକ୍ଷିଲେ ଗୃହଧର୍ମ ହୁଏ ନାଶ,

ସତେ ପୁରୁଷ ଅହିନର୍କେ ପଡ଼ନ୍ତି ବଂଶକୁ ଲାଗେ କେଳେଶ ।

 

ଧନ ରତ୍ନ ଅନ୍ନ ବସନ ନ ମିଳେ ଜ୍ଞାନହୀନ ହୋନ୍ତି ସର୍ବେ,

ସେ ସ୍ତିରୀ କପାଳେ ଲେଖା ହୋଇଥାଇ ଏହି ଦଶାମାନ ପୂର୍ବେ ।

 

ତାହା ନ ଜାଣନ୍ତି ଜନ ପ୍ରାଣୀମାନେ ଗୃହ କରିବାରେ ସ୍ନେହ,

ଆଗ ପଛକୁ ବିଚାର ନ କରନ୍ତି କର୍ମକାଣ୍ଡର ବିଷୟ ।

 

କୁଳ ବୁଡ଼ି ଯାଇ ବିଦ୍ୟାହୀନ ହୋଇ ବୁଦ୍ଧିମାନ ଯାଇ ନଷ୍ଟ,

ସତେ ପୁରୁଷା ସୁଫଳ କର୍ମମାନ ତାହା ଯୋଗୁ ହୁଏ ଭ୍ରଷ୍ଟ ।

 

ଏମନ୍ତ ସ୍ତିରୀକି ଗୃହେ ନ ରଖିବ ବେଗେ ଦେବ ବିଦା କରି,

ଆପଣା ଅଦୃଷ୍ଟ ସୁକୃତ ସୁମରି ରହିବ କର୍ମ ଆଦରି ।

 

ଶୁଣ ସୁଜ୍ଞଜନେ ବିଟପୀ ସ୍ତିରୀରେ ମିଳଇ ଏମନ୍ତ ଫଳ,

ତାର ଗର୍ଭରୁ ଯେତେ ପୁତ୍ର ଦୋହିତା ବଂଶକୁ ନୁହେ କୁଶଳ ।

 

ଏକ ବୀଜର ସନ୍ତାନ ନୁହନ୍ତି ସେ ଅନେକ ବୀଜରୁ ମିଶା,

ସେ ପୁତ୍ର ଦୋହିତା ପିତାକୁ ନ ମାନି କହନ୍ତି କଠୋର ଭାଷା ।

 

ଏମନ୍ତ ପ୍ରକାର ସଂସାର ଆଚାର ସୁଜ୍ଞାନୀ ପଣ୍ଡିତେ ବୁଝ,

ସ୍ତିରୀ ହୋଇ ଯେତେ ଅବିଶ୍ୱାସୀ ଜାତି ମନେ ହେତୁକରି ହେଜ ।

 

ଏ କଳିଯୁଗରେ ଗୃହ କରିବାର ଲେକୁନାହିଁ ଚାରି ବେଦ,

କଳିଯୁଗ ସ୍ତିରୀମାନଙ୍କୁ ଛୁଇଁଲେ ଆୟୁ ଥାଉଥାଉ ବଧ ।

 

ସ୍ତିରୀ ନୁହନ୍ତି ସେ ଦେବୀଗଣ ସବୁ କାଳମାୟାରେ ପ୍ରକାଶ,

ମାୟାବଳରେ ଭାରିଯା ରୂପ ହୋଇ ପ୍ରାଣକୁ କରନ୍ତି ନାଶ ।

 

ସ୍ତିରୀ ଯେ ଅଟଇ ପତିର ହିତରେ ଦିବାନିଶି ଚାହିଁଥାଇ,

ପତିକୋଳେ ଘେନି ଭୋଗ ବିଳସଇ ଚଉବର୍ଗ ଫଳ ପାଇ ।

 

ଯେ ଜନ ଜାଣିବ ଏ କଳିଯୁଗରେ କେବେ ନ କରିବ ଗୃହ,

ସେହି ସେ ଜିଣିବ ଏ କଳିଯୁଗକୁ ଅଟଇ ଶକତା ପୁଅ ।

 

ଜ୍ଞାନୀଜନମାନେ ଚେତ ଏତେବେଳେ ଚକ୍ଷୁ ଥାଉ ନୁହ ଅନ୍ଧା,

କହେ ଭୀମ ଭୋଇ ଶ୍ରୀଗୁରୁଙ୍କୁ ଧ୍ୟାୟି ନାମ ବ୍ରହ୍ମ କର ଫନ୍ଦା ।

***

 

ପଞ୍ଚାନବେ ବୋଲି

 

ନବଖଣ୍ଡ ମେଦିନୀରୁ ଚାରି ଧର୍ମ ଉଠିଲେଣି ଆକାଶକୁ,

ବହୁତ ଅନ୍ୟାଏ ଦେଖି ବ୍ରହ୍ମାଣ୍ଡର ଚାହିଁ ପାତକ ଭରାକୁ ।

 

ଯହିଁ ଥିଲେ ଯେତେ ଦେବାଦେବୀଗଣ ଶୂନ୍ୟକୁ ଗଲେଣି ଉଠି,

କାହାରି ହସ୍ତେ ନ ଖାଇବାକୁ ପୂଜା ଅକର୍ମ ଦେଖି ଏ ସୃଷ୍ଟ ।

 

ଶ୍ରୀପୁରୁଷୋତ୍ତମ କପିଳାସ ଧାମ ତହୁଁ ଉଠିଲାଣି ଧର୍ମ,

ତୀର୍ଥମାନେ ସବୁ ଭ୍ରଷ୍ଟ ହୋଇଲେଣି କାହିଁରେ ନାହିଁ ନା ବ୍ରହ୍ମ ।

 

ଗଙ୍ଗା ଗୟା କାଶୀ ପ୍ରୟାଗ ସହିତେ ସେତୁବନ୍ଧ ରାମନାଥ,

ଏ ତୀର୍ଥମାନଙ୍କ ଧର୍ମ ଉଠିଲାଣି କାହିଁରେ ନାହିଁନା ସତ୍ୟ ।

 

ଗୋଦାବରୀ ଗଉମତୀ ବୃନ୍ଦାବନ ଦ୍ୱାରିକା ଯେ ହରଦ୍ୱାରା,

ଏ ତୀର୍ଥମାନ ବିଫଳ ହୋଇଲାଣି ଡୁବିଲାଣି ଧର୍ମ ଧାରା ।

 

ମାନସରୋବର ବଦରି ଯେ ନାଥ ବଇତ୍ରଣୀ ଆଦି କରି,

ଯମୁନା ସରସ୍ୱତୀ ଭ୍ରଷ୍ଟ ହେଲେଣି ଚତୁର୍ଥ ଧାମକୁ ଧରି ।

 

 

 

ମେଢ଼ ମଣ୍ଡପ ଦେଉଳ ଦେବାଳୟ ଜଗତି ଆଟ୍ଟାଳିମାନ,

ଯହିଁରେ ଦେଖିଲେ ସତ୍ୟ ଧର୍ମ ନାହିଁ ସକଳେ ହେଲେଣି ଶୂନ୍ୟ ।

 

ଦେବାଦେବୀ ଆଦି ଔଷଧ ମୌଷଧି ମନ୍ତ୍ର ଯନ୍ତ୍ର ଜପ ଯେତେ,

ସକଳ କରଣି ସରିଲାଣି ଆସି ନେତ୍ରେ ଦେଖନ୍ତୁ ସାକ୍ଷାତେ ।

 

ଦାରୁ ପ୍ରତିମା ଶିଳା ମୃତି ପାଷାଣ ଯେହୁ ଯେଉଁଠାରେ ଥିଲେ,

ଏହାଙ୍କ କରଣି ସରିଲାଣି ସବୁ ନ କାଟଇ ଆଉ ବେଳେ ।

 

ଯାହା ବାକି ଅଛି ଆଉ ଚାରି ଦିନେ ସକଳ ହେବ ବିପାକ,

ଛପନା କୋଟିର ପିଣ୍ଡ ପ୍ରାଣ କଥା ଅନାଦି ପୁରୁଷ ସାକ୍ଷ୍ୟ ।

 

ଆଉ ଚାରି ଦିନେ ବଦ୍ୟନାରାୟଣେ ଛାଡ଼ିବେ ଶାହାସ୍ର ପୋଥି,

କର୍ମ ଅନୁସାରେ ଥୋକେ ଥୋକେ ଅଛି ସକଳ ହେଲାଣି ପୋତି ।

 

ଅଚେତାରେ ସିନା ଜନ ପ୍ରାଣୀମାନେ କରୁଛନ୍ତି ଦେବପୂଜା,

ପାଦେ ପଡ଼ି ରକ୍ଷାକର ବୋଲୁଛନ୍ତି ଦେବୁଁ ଖିରି ପୁରି ଖଜା ।

 

ମୂର୍ତ୍ତିସିନା ସେହି ଜୀବ ଆତ୍ମା ନାହିଁ କାହୁଁ ଯାଚିଦେବେ ବର,

ବିଷ୍ଣୁ ନଟ କୁଟ ମାୟାକୁ ନ ଜାଣି ଅଜ୍ଞାନରେ ମୂଢ଼ ନର ।

 

ଯେହୁ ଗଢ଼ିଛି ଆପଣା ପିଣ୍ଡ ପ୍ରାଣ ତାକୁ ସମର୍ପଣ ନାହିଁ,

ଦାରୁ ପ୍ରତିମା ମୂର୍ତ୍ତିକି ବୋଲୁଛନ୍ତି ପ୍ରାଣକୁ ବଞ୍ଚାଅ ତୁହି ।

 

ମନୁଷ୍ୟ ହୋଇ ନିର୍ଜୀବ ସଙ୍ଗେ ଭାବ ଦେଖଟି କେଡ଼େ ଅଜ୍ଞାନ,

ଶୂନ୍ୟରୁ ଯେହୁ ପିଣ୍ଡ ପ୍ରାଣ ଗଢ଼ିଲା ନାହିଁ ତାକୁ ଅନୁମାନ ।

 

ଦୁଲଭ ଜନମ ବିଅର୍ଥ ହେଉଛି ପର୍ମେଶ୍ୱରଙ୍କୁ ନ ଚିହ୍ନି,

ଅଗ୍ୟାନରେ ନରେ ସବୁକୁ ପୂଜିଲେ ପ୍ରକୃତିର ସୁଖ ମଣି ।

 

ଆପଣା ମନରେ ଯାହା ବିଚାରିଲେ ସେହି କର୍ମମାନ କଲେ,

ଷଟ କର୍ମକାଣ୍ଡେ ସମସ୍ତେ ପଡ଼ିଲୋ ନିଜ ଧର୍ମ ନ ଜାଣିଲେ ।

 

ସାଧୁଜନମାନେ ଅବିବେକ ନୁହ ନିଜ କର୍ମ ଅନୁସର,

ତଦଗତ କରି ନାମ ଆଶ୍ରେ କଲେ ଦୁସ୍ତରୁ ହୋଇବ ପାର ।

 

ହେଳା କରନାହିଁ ଭେଳା ବୁଡ଼ିଯିବ ବେଳ ହୋଇଗଲାଣି ଆସି,

ଅପରାଧ ଯେତେ ଖଣ୍ଡନ କରାଅ ନାମ ବ୍ରହ୍ମେ ନୁହ ଦୋଷୀ ।

 

ଅସୁଖ ନ ପାଅ ମନେ କ୍ଷୋଭ ନୁହ ପିଣ୍ଡ ପରାଣକୁ ହିତ,

ଭଣେ ଭୀମ ଭକ୍ତ ଊନବିଂଶଶତ ପଦେ ହେତୁ କରି ଚେତ ।

***

 

ଛୟାନବେ ବୋଲି

 

ଭୋ ଗୁରୁ ଶୂନ୍ୟ ପୁରୁଷ ଅଣାକାର ଏ ମୋର ବିନତି ଘେନ,

ସଦଗୁରୁ ମହାପ୍ରଭୁ ବୋଲି ଆଗେ କରୁ ମୁଁ ଅଛି ଜଣାଣ ।

 

ଶିରେ କରଯୋଡ଼ି ଗୁରୁ ପାଦେ ପଡ଼ି ଶୁଣ ଏ ମୋର ଗୁହାରୀ,

କଥାଏ ମାଗୁଛି ସୁଦୟା ହୋଇବ ଅଲେଖ ଶୂନ୍ୟ ବେହାରୀ ।

 

ବ୍ରହ୍ମସିଦ୍ଧି ଅଟ ଧର୍ମସିଦ୍ଧି ଅଟ ସତ୍ୟସିଦ୍ଧି ଅଛି ପୂରି,

ଦୟାସିଦ୍ଧି ଅଟ କ୍ଷମାସିଦ୍ଧି ଅଟ ଶାନ୍ତିସିଦ୍ଧି ଆଦିକରି ।

 

ବେଦସିଦ୍ଧି ଅଟ ଭେଦସିଦ୍ଧି ଅଟ ଜ୍ଞାନସିଦ୍ଧି ପରିପୂର୍ଣ୍ଣ,

ମୋକ୍ଷସିଦ୍ଧି ନିଧି ଅଟ ମହାପ୍ରଭୁ ବହିଛ ଅଲେଖ ନାମ ।

 

ଅନ୍ତର୍ଯ୍ୟାମୀସିଦ୍ଧି ବହିଅଛି ପ୍ରଭୁ ଜାଣିବାକୁ ସର୍ବକଥା,

ଛପନା କୋଟିର ହାନି ଲାଭ ଯେତେ ବୁଝିବାର ସାମରଥା ।

 

ତେଣୁକରି ସିନା ଗୁରୁ ଶ୍ରୀଛାମୁରେ ମାଗୁଣି ମୋହର ଏତେ,

ଅଲେଖ ମହିମାସାଗର ଧର୍ମକୁ ଆଶ୍ରେ କରିଛନ୍ତି ଯେତେ ।

 

 

 

କିଅବା ସ୍ତିରୀ ସେକି ଅବା ପୁରୁଷ କି ଅବା ଜ୍ଞାନୀ ଅଜ୍ଞାନୀ,

ସାର ଧର୍ମ ବୋଲି ପଶି ଯାଇଛନ୍ତି ନିଜ ଧର୍ମକୁ ନ ଜାଣି ।

 

କିବା ବାଳ ବୃଦ୍ଧ କିବା ମୁର୍ଖପ୍ରାଣୀ କି ଅଦା ପତିତ ଜୀବ,

ଏ କଳି ଯୁଗରୁ ତରିଯିବୁ ବୋଲି କରିଛନ୍ତି ଏହି ଭାବ ।

 

ପାପ ନ ଜାଣଛି ପୁଣ୍ୟ ନ ଜାଣନ୍ତି ବେନିପକ୍ଷ ସମମତ,

କଳିପୁରୁଷ ଅଚେତା କରିଅଛି ଏ କିସ ଜାଣନ୍ତି ସତ୍ୟ ।

 

ଏହାଙ୍କର ପାଇଁ ଶ୍ରୀଗୁରୁ ଛାମୁରେ ମାଗୁ ମୁଁ ଅଛି ଏତିକି,

କନ୍ଦର୍ପ ବାଧାରୁ ଉଦ୍ଧାର ହୁଅନ୍ତି ଏ ଧର୍ମେ ଛନ୍ତି ଯେତିକି ।

 

ଧର୍ମେ ଆଶ୍ରେ କଲେ ଯୁଗଳ ନ ଚଳେ କର୍ମଭ୍ରଷ୍ଟ ହେବ ବୋଲି,

ସ୍ତିରୀ ପୁରୁଷଙ୍କୁ ଅନଙ୍ଗ ପୀଡ଼ୁଛି ନ ପାରୁଛନ୍ତି ସମ୍ଭାଳି ।

 

ନିଷ୍କାମ ଧର୍ମରେ ସକାମ ପଶୁଛି ହୋଇଯାଉଛନ୍ତି ଦୋଷୀ,

ଭବ ସାଗରକୁ ଘୁଞ୍ଚି ଗୁରୁଦେବ ଫେରି ଯାଉଛନ୍ତି ଭାସି ।

 

ସ୍ତିରୀ ପୁରୁଷଙ୍କ ପଞ୍ଚଭୁତ ମନ ଯେମନ୍ତେ ରହିବ ଥୟ,

ଅନାଦିଗୁରୁ ଅନ୍ତର୍ଯ୍ୟାମୀପୁରୁଷ ସେହିରୂପେ ଦୟା ବହ ।

 

ଆତ୍ମା ଭଗତିରେ ଆପ ଘଟ ଜୀବ ବଧୁଅଛନ୍ତି ସାକ୍ଷାତେ,

ବାହ୍ୟ ଅନ୍ତରେ ପଶୁଜୀବକୁ ପାଳି ଗ୍ୟାନ କରିଛନ୍ତି ଚିତ୍ତେ ।

 

ଏପରି ଜ୍ଞାନ ମୋ ମନକୁ ନଇଲା ଜଣାଉଅଛି ଛାମୁରେ,

ଆାପ ଘଟ ଜୀବ ମରି ଯାଉଅଛି ବାହ୍ୟ ଜୀବ କେ ପଚାରେ ।

 

ଆପ ଘଟ ଜୀବ ରକ୍ଷାକରି ପାଳୁ ବାହ୍ୟେ କରୁ ଅନୁମାନ,

ତେବେ ସିନା ତାର କର୍ମସିଦ୍ଧି ହେବ ଆତ୍ମା ଭକ୍ତି ନିରୂପଣ ।

 

ସୂକ୍ଷ୍ମାନୁଭାବରେ କିଷ୍ଣୁ ବଧିବାର ହେଉଅଛି ଆପହସ୍ତେ,

ଅପଘଟ ଘରୁ ଜୀବ କାଢ଼ିଆଣି ହାଣି ଯାଉଛି ସାକ୍ଷାତେ ।

 

ଯେଉଁରୂପେ ଗୁରୁ କନ୍ଦର୍ପବାଧାରୁ ସମ୍ଭାଳି ପାରିବେ ଦେହ,

ସେପରି କରୁଣା ନେତ୍ରପଥେ ଚାହିଁ ହେ ଅନାଦି ବ୍ରହ୍ମମୟ ।

 

ଯଥା ବିଧିମତେ ଏହାକୁ ଉଧର ଗୁରୁ ତ ସାକ୍ଷାତେ ଅଟ,

କନ୍ଦର୍ପପୀଡ଼ାରେ ଡୁବି ଯାଉଛନ୍ତି ପଡ଼ି ଯାଉଅଛି ଘଟ ।

 

ଗୁରୁ ଧର୍ମ ଉଠୁ କଳିଯୁଗ ତୁଟୁ ସତ୍ୟ ଧର୍ମ କର୍ମ ବଢ଼ୁ,

କହେ ଭୀମ ଭୋଇ ଏତିକି ମାଗୁଛି କନ୍ଦର୍ପବାଣ ନ ପୀଡ଼ୁ ।

***

 

ସତାନବେ ବୋଲି

 

ଆହୁରି କଥାଏ ବିନତି କରୁଛି ଶ୍ରୀଛାମୁରେ ଏତେବେଳେ,

ଏ ଧର୍ମରେ ଆଉ ଅସତ୍ୟ ନ ପଶୁ ଶୁଦ୍ଧ ହୋନ୍ତୁ ନାମ ଜଳେ ।

 

ଏଡ଼େ ବଡ଼ ସତ୍ୟ ଧର୍ମ ନାମ ବ୍ରହ୍ମ ଭଜି ହେଉଛି ବିଅର୍ଥ,

କ୍ଷୀରସିନ୍ଧୁ ବାସୀ ଦୀକ୍ଷା ଦେଉଁ ଦେଉଁ ପଶି ଯାଉଛି ଅସତ୍ୟ ।

 

କ୍ଷୀରସିନ୍ଧୁ ବାସୀ ଗୁରୁରୂପ ହୋଇ ଦିଅନ୍ତେ ନ ରହୁ ଦୀକ୍ଷା,

ସେ ପ୍ରଭୁଙ୍କ ବାକ୍ୟ ଉଠି ଯାଉଅଛି ଶୁଣି ହେଉଛି ତାଟକା ।

 

ମନୁଷ୍ୟ ଗୁରୁରେ କି କାର୍ଯ୍ୟ ହୁଅନ୍ତା କି ରହନ୍ତା ଦୀକ୍ଷା ତାର,

ବ୍ରହ୍ମକୁ ସେବି ସେ ଧର୍ମ ପ୍ରକାଶିଲେ କେହୁ ମାନନ୍ତା ସଂସାର ।

 

କି ଅବା ସ୍ତିରୀ ସେ କି ଅବା ପୁରୁଷ ସମସ୍ତେ ଭାଷନ୍ତୁ ସତ୍ୟ,

ଅନ୍ତର୍ଗତରୁ ସଂଶୟ ଛେଦ କରି ଧରନ୍ତୁ ନିଷ୍କାମ ମତ ।

 

ଏଡ଼େ ବା ଧର୍ମେ ଅସତ୍ୟ ପଶୁଛି ଯାଉଛି ବିଅର୍ଥ ହୋଇ,

ସମସ୍ତେ ମିଥ୍ୟାରେ ଡ଼ୁବି ଯାଉଛନ୍ତି ଦୟାକର ଶୂନ୍ୟଦେହୀ ।

 

 

 

ତ୍ରିପୁର ଅସତ୍ୟ ହୋଇବାରୁ ପ୍ରଭୁ ପ୍ରକାଶିଲ ଗୁରୁଧର୍ମ,

ଛଡ଼ାକ୍ଷର ମନ୍ତ୍ର ବ୍ରହ୍ମାଣ୍ଡକୁ ଦେଲ ଅଲେଖ ମହିମା ନାମ ।

 

ନାମ ବୋଲି ସିନା ଜାଣୁଛନ୍ତି ସର୍ବେ ମନ୍ତ୍ର ବୋଲି ଜଣା ନାହିଁ,

ଶୁଦ୍ର ଚାଣ୍ଡାଳ ସବୁକୁ ଯୋଗାଉଛି ମୁଖେ ଅଛ ଆଜ୍ଞା ଦେଇ ।

 

ଯେହୁ ଇଚ୍ଛା ସେହୁ ଉଚ୍ଚାରୁ ଅଛନ୍ତି ତେବେ ସିନା ନାହିଁ ଦୋଷ,

ଛଡ଼ାକ୍ଷର ମନ୍ତ୍ରର ଜୀବ ଗୋଟିକି କେ ପାଇବ ଅନ୍ତ ଲେଶ ।

 

ଏ କଳିଯୁଗରେ କାମ ଆଶ୍ରେ କରି ଭଜ ଭଜ ସର୍ବଜନ,

ନାମ ବୋଲି କରି ଭଜିବ ଯେମନ୍ତେ ଥୋକେ ରହିବ ବିହନ ।

 

ଏମନ୍ତେ ବିଚାରି ସେ ଶୂନ୍ୟ ପୁରୁଷ କରିଛନ୍ତି ପରକାଶ,

କାହାରି ହୃଦରେ ଅସତ୍ୟ ପଶୁ ଯେ ପ୍ରଭୁଙ୍କ ଦାସୀ ଦାସ ।

 

ଅସତ୍ୟ ହୋଇଲେ ଅକାରଣ ହେଲା ଏଡ଼େ ଗୁରୁ ସେବା କରି,

ତା ପରି ପାତକୀ ନାହିଁ କି ତ୍ରିପୁରେ ଜୀବ ଥାଉଁ ଗଲା ମରି ।

 

ଧର୍ମହିଁ ବିଅର୍ଥ କର୍ମହିଁ ବିଅର୍ଥ ସେବାହିଁ ବିଅର୍ଥ ତାର,

ଶତେ ଜନ୍ମ ତାର ହଦ ହୋଇଗଲା ନ ମିଳଇ ପ୍ରତିକାର ।

 

ମିଥ୍ୟା ବଚନରୁ ପାତକ ସରିଛି ବଡ଼ ହୋଇ ଦୋଷ ନାହିଁ,

ଦେବ ମାନବରେ ଅଗାଡ଼ି ଅଟଇ ନ ଯୋଗାଏ ମୁଖ ଚାହିଁ ।

 

ତେଣୁକରି ମୁହିଁ ବିଚାର କରୁଛି କିପରି ତରିବେ ବୋଲି,

ସଦଗୁରୁଙ୍କୁ ମୁଁ ଜଣାଣ କରୁଛି ରଖ ସତ୍ୟାଦିରେ ପାଳି ।

 

ଉଦେ ଯେବେ କରିଅଛ ମୋକ୍ଷପଥ ନ କର ଏହାକୁ ହେଳା,

କଳିଯୁଗେ ଲୋକ କିଛି ନ ଜାଣନ୍ତି ବିଳମ୍ବ ହୋଇଲେ ଗଲା ।

 

ଅସତ୍ୟ ପଥରୁ ଉଧାରଣ କର ରହୁ ଶ୍ରୀଗୁରୁଙ୍କ ଯଶ,

ଗୁରୁ ତ ସକଳ ଜାଣିବାର ଅଟ ଅଧିକ କହିବି କିସ ।

 

ଜନ ପ୍ରାଣୀ ହୁଦେ ହେତୁ ଚେତା ବସୁ ସମ୍ଭାଳି ଧରା ଅସତ୍ୟ,

ଧର୍ମ ଉଦେ ହୋଇ ଡ଼ୁବିଯିବ ଯେବେ କାହାକୁ ହେବ ନିନ୍ଦିତ ।

 

ସମ୍ଭାଳ ତୁମ୍ଭର ଜଗତ ଭଗତ ଏ ଧର୍ମରେ ଯେ ଅଛନ୍ତି,

କାହାରି ମନେ ଛନ୍ଦ ମାୟା ନ ପଶୁ ନିର୍ମଳ କରାଅ ମତି ।

 

ସାର ଧର୍ମ ବୋଲି ବଚନକୁ ପାଳି ଧରିଅଛନ୍ତି ଆଦ୍ୟରୁ,

ଗୁରୁପାଦ ଧ୍ୟାୟି ଭଣେ ଭୀମ ଭୋଇ ଅସତ୍ୟ ପଶି ନ ପାରୁ ।

***

 

ଅଠାନବେ ବୋଲି

 

ପରଦାରା କର୍ମ ନ କରନ୍ତୁ କେହି ଯେତେ ଏ ଧର୍ମେ ଆଶ୍ରିତ,

କରପତ୍ର ଯୋଡ଼ି ଛାମୁରେ ମାଗୁଛି ଦୟା ହେଉ ହେ ଅଚ୍ୟୁତ ।

 

ନିଷ୍କାମ ଧର୍ମରେ ସକାମ ପଶିଲେ ଗୁରୁସେବା ଫଳ ଗଲା,

ଜନ୍ମଯାକ ତାର ନିଗୃହ ହୋଇଲେ କେଉଁ ଗତିକି ଲଭିଲା ।

 

ଚାରିଯୁଗେ ତାକୁ ପାପ ଘୋଟିଲାଣି ଜୀବନ୍ତେ ପଡ଼େ ନରକ,

ସଂସାରସାଗରେ ଯାହା ହେଉଛନ୍ତି ସେ ଗତି ଲଭିଲା ଦେଖ ।

 

ତେଣୁକରି ଧର୍ମେ ପରଦାରା ନ ଚଳେ ବହୁତ ଅନ୍ୟାଏ କଥା,

ଏ କଳିଯୁଗରେ ଯେମନ୍ତ ତରିବେ କୃପା କର ହେ କରତା ।

 

ଏ ଧର୍ମେ ପଶିଲେ ପରଦ୍ରବ୍ୟମାନ ଚୋରି ନ କରିବା ଚଳେ,

ଅବଶ୍ୟ ତାହାକୁ ଧର୍ମ ଦୁଆରରେ ଦଣ୍ଡ ହୁଏ ତିନିକାଳେ ।

 

ଚୋରି ପରଦାରା ଖଚ କଥା ଯେତେ ଏ ଧର୍ମରେ ସବୁ କାଟ,

ଆପଣା ଚିତ୍ତେ ଜାଣି ହୁଡ଼ି ପଡ଼ିଲେ ହେଉଛି ଅନ୍ୟାଏ ବାଟ ।

 

 

 

ଏତିକି ଦଣ୍ଡରୁ ଏ ଧର୍ମ ଲୋକଙ୍କୁ ତ୍ରାହି କର ଗୁରୁଦେବ,

ଏ କଳିଯୁଗରେ କିଛି ନ ଜାଣନ୍ତି ଅଜ୍ଞାନ ପାମର ଜୀବ ।

 

ବ୍ରହ୍ମଗୁରୁ ପାଦେ ସେବା ଖଟିଥାଇ ଅଜ୍ଞାନ ହେଲେଣି ସବୁ,

ଯୁଗ ଶେଷ ଜାଣି ଉଦେ ହୋଇଅଛ ତ୍ରାହି କର ମହାପ୍ରଭୁ ।

 

ଧର୍ମ କଥା ଶୁଣି ବିଭୋଳ ହେଲେଣି ଭ୍ରମି ଯାଉଛନ୍ତି ସର୍ବେ,

ଯେତେ ପାପ କଲେ ଶ୍ରୀଗୁରୁ ଖଣ୍ଡିବେ ବୋଲି କହୁଛନ୍ତି ଗର୍ବେ ।

 

କାହାରି ହୃଦରେ ତତ୍ତ୍ୱ ଜ୍ଞାନ ନାହିଁ ମୂଢ଼ ଜ୍ଞାନ ସବୁ ସିନା,

ପ୍ରାଣୀର ହୃଦୟ ପ୍ରକୃତି ବିଷୟ ଏବେ ପଡ଼ୁଅଛି ଜଣା ।

 

ବେଳୁବେଳ ଧର୍ମ ଉଦେ ହୋନ୍ତା ସିନା ଯାଉଅଛି ଲୋପ ହୋଇ,

ଏତେଦିନ ହୋଇଲାଣି ଏହି ଧର୍ମ ନ ପାରୁଛି ଥୟ ହୋଇ ।

 

ବଢ଼ି ଆସୁଥିଲା ଛିଡ଼ି ପଡ଼ୁଅଛି ପାପଭାରା ସକାଶରୁ,

ନିଜ କର୍ମେ ପଶି ଉଜ ହୋଇଥିଲେ ଛାଡ଼ିଗଳେ ଏ ଧର୍ମରୁ ।

 

ଛାଡ଼ିଗଲା ପ୍ରାଣୀ ପତିତରେ ଗଣି ନାହିଁ ନା ମୁକତି ବାଟ,

ହେତୁ ଥାଉଁ ଥାଉଁ ସଂସାରସାଗରେ ବହିଛନ୍ତି ମୃତ୍ୟଘଟ ।

 

ଜୀବର ଭିତରେ ଗଣନା ନୁହନ୍ତି ଅଟନ୍ତି ଅଗାଡ଼ି ତସୁ,

ମୋର ମନକୁ ଏମନ୍ତ ଯୋଗାଇଲା କାହାକୁ କେମନ୍ତ ଦିଶୁ ।

 

ପାତକ ପୋଡ଼ିବ ବୋଲି ଏ ଧର୍ମରେ କରୁଛନ୍ତି ଗୁରୁସେବା,

ସାତୁକ୍ୟ କର୍ମରେ ଥିବ ଯେଉଁ ଜନ ନିଶ୍ଚେ ମୁକତି ଲଭିବା ।

 

ବେଳୁବେଳ କାଳ ନିକଟ ହେଲାଣି ଘଟି ଆସିଲାଣି ଯୋଗ,

ମହା ବ୍ରହ୍ମଦେବୀ ପ୍ରକାଶ ହୋଇବେ ସରିବ ପାତକ ଭୋଗ ।

 

ଯେ ଯହିଁରେ ଅଛ ମହିମାକୁ ଡାକ ମନେ ନ କର ସଂଶଏ,

ଧର୍ମେ ଆଶ୍ରେ କଲେ ଅବଶ୍ୟ ବର୍ତ୍ତିବ କାଳମୁଖରୁ ଥୋକାଏ ।

 

ମହିମାସାଗର ଧର୍ମ ଏ ସଂସାରେ ପୂର୍ବରୁ ହୋଇଛି ଶୁଣା,

ବିପତ୍ତି ପଡ଼ିଲେ ଡାକିବ ସମସ୍ତେ ନ ହୋଇବ କେହି ବଣା ।

 

ଏତେବେଳେ ସିନା କେହି ନ ଭଜୁଛ ପଶ୍ଚାନ୍ତେ ଭଜିବେ ନିଶ୍ଚେ,

ଧର୍ମ ଧର ବୋଲିବାରୁ ନ ବୁଝୁଛ ନିନ୍ଦା ନାହିଁ ଦେବ ପଛେ ।

 

ବେଳହୁଁ ଏ ଧର୍ମ କରି ଯେବେ ଥିବ ଦଣ୍ଡି ନ ପାରିବ ଯମ,

ଶ୍ରୀଗୁରୁଙ୍କୁ ଧ୍ୟାୟି ଭଣେ ଭୀମ ଭୋଇ ଅବଶ୍ୟ କରିବେ କ୍ଷମ ।

***

 

ଅନେସୋତ ବୋଲି

 

ଅଭୟ ପୟର ପଦ୍ମପାଦ ଭଜି ହୃଦେ କରୁଛନ୍ତି ଭୟ,

ସଦଗୁରୁ ବୋଲି ଜାଣି ନ ପାରିଲେ ଖଣ୍ଡନ କର ସେ ଦ୍ରୋହ ।

 

ନିରୋଗୀ ପୁରୁଷ ବୋଲି ଜଣାନାହିଁ ଅଙ୍ଗେ ପଶୁଅଛି ରୋଗ,

ଅଗ୍ନି ଅଙ୍ଗୀକାର ଗୁରୁ ଅଟ ତୁମ୍ଭେ ନିବାର କଳୁଷ ଭବ ।

 

ନିଷ୍ପାପୀ ପୁରୁଷ ବୋଲି ଜଣା ନାହିଁ କରୁଅଛନ୍ତି ପାପମାନ,

ଗ୍ୟାନ ଦୀପାବଳୀ ହୃଦରେ ଚେତାଇ ଆଜ୍ଞାରେ କର ଛେଦନ ।

 

ଅଚିନ୍ତା ପୁରୁଷ ବୋଲି ଜଣାନାହିଁ କରୁଛନ୍ତି ହୃଦେ ଚିନ୍ତା,

ଅଜ୍ଞାନ ଜୀବ ଏ କିଛି ନ ଜାଣନ୍ତି ନିବାର ରାଗ ଅହନ୍ତା ।

 

ଅରୂପ ପୁରୁଷ ବୋଲି ଜଣାନାହିଁ ସ୍ୱରୂପକୁ ଭଜୁଛନ୍ତି,

ଅଚେତା ପ୍ରାଣୀ ଏ କେମନ୍ତେ ଜାଣିବେ ଫିଟାଅ ସଂଶୟେ ଭୀତି ।

 

ନିଷ୍କାମ ପୁରୁଷ ବୋଲି ଜଣାନାହିଁ ସ୍ୱକାମରେ ହୋଇ ମତ୍ତା,

ନିଷ୍କାମ ବ୍ରହ୍ମକୁ ଭଜିବା ଧର୍ମରେ ଥାଇକି ଏମନ୍ତ କଥା ।

 

 

 

ନିର୍ଗୁଣ ପୁରୁଷ ବୋଲି ଜଣା ନାହିଁ ଗୁଣରେ ମିଶାଉଛନ୍ତି,

ସ୍ୱଭାବେ ମନୁଷ୍ୟ ନର ଜନ୍ମ ଏହି କାହୁଁ ଜାଣିବେ ସେ ରୀତି ।

 

ନାମ ନାହିଁ ତାଙ୍କ ଅନାମିକା ବ୍ରହ୍ମ ମିଶାଉ ଅଛନ୍ତି ନାମ,

ନାମ ଉଚ୍ଚାରିଲେ ଅକ୍ଷର ହୋଇଲା ଲାଗି ଗଲାଣି ସେ କାମ ।

 

ନିଶବଦ ବ୍ରହ୍ମ ବୋଲି ଜଣାନାହିଁ ମିଶାଉଛନ୍ତି ଶବଦ,

ଦୁଇଗୁଣ ମିଳି ନିର୍ମାଣ ହୋଇଛି ପ୍ରକାଶିଛି ଏକ ପାଦ ।

 

ନିର୍ବେଦ ପୁରୁଷ ବୋଲି ଜଣାନାହିଁ ଲଗାଉ ଅଛନ୍ତି ବେଦ,

ଅଣଅକ୍ଷରରୁ ଅଣାକ୍ଷର ନାମ କାହୁଁ ଜାଣିବେ ସେ ଭାବ ।

 

କଳା ଗୋରା ବାଲି ବାରି ବସୁଛନ୍ତି ମଧ୍ୟେ ରହିଲାଣି ବର୍ଣ୍ଣ,

ମଧ୍ୟରୁ ରୂପ ଥୟ କରି ପାରିଲେ ସକଳ ଠାବରୁ ଭିନ୍ନ ।

 

ଅନାଦି ବ୍ରହ୍ମ ସେ ନାଦବିନ୍ଦୁ ନାହିଁ ରଜବୀର୍ଯ୍ୟରୁ ବାହାର,

ଜଳ ପବନରେ ନ ମିଶାଇ ତାକୁ ଏ ସୁତ୍ରରେ ଭକ୍ତି କର ।

 

ନିର୍ମାୟା ବ୍ରହ୍ମ ସେ ମାୟା ନ ଲଗାଇ ମୋହରେ ମିଶାଉ ଅଛ,

ମାୟାରୁ ଛାଡ଼ି ଛଡ଼ାଇ ଭକ୍ତି କର ମନରେ ନ ଧର ମିଛ ।

 

ଅବ୍ୟକତ ବ୍ରହ୍ମ ବ୍ୟକତ ନୋହି ସେ ମିଶାଉଅଛ ବଚନ,

ଲଗାଇ ଅର୍ଥ ସମ୍ପାଦ କରୁଅଛ ସକଳ ଜନ ଅଜ୍ଞାନ ।

 

ଧର୍ମାଧି ପୁରୁଷ ଭଗତି ଭିତରେ ଅଧର୍ମ ମିଶାଉଅଛ,

ଅଧର୍ମ ହେଲେ ବିପତ୍ତିମାନ ଘଟେ ଆତ୍ମାକୁ ପୀଡ଼େ କେଳଶ ।

 

ଅକର୍ମଦାୟକ ପୁରୁଷ ସେ ପ୍ରଭୁ କର୍ମରେ ଲଗାଉଅଛ,

ଅକର୍ମୀ ଜନ କର୍ମ ନିନ୍ଦା କରନ୍ତି ସତ୍ୟ ବାକ୍ୟ ନୁହେ ମିଛ ।

 

ସେ ବ୍ରହ୍ମ ମହିମା କେହି ନ ଜାଣନ୍ତି ସମୁଦ୍ରରୁ ଅଟେ ଗରୁ,

ତାହାର ନିଜକାମ ଲୋଡ଼ି ବୁଝିଲେ ସରିସମ ନୁହେ ମେରୁ ।

 

ଯେଉଁ ଦିନୁ ମାଟି ପୃଥ୍ୱୀ ହୋଇଲାଣି ମନୁଷ୍ୟ ଜନମ ଲଭି,

ମହିମା ସମ୍ପୂର୍ଣ୍ଣେ ଲେଖି ନ ପାରିଲେ ବହିଗଲେ ଭାବି ଭାବି ।

 

କେତେ କେତେ କବି କେତେ କେତେ ଯୋଗୀ କେତେ କେତେ ଅନୁଭବୀ,

ସମସ୍ତେ ରବିତଳରେ ବହିଗଲେ କେହି ନ ପାରିଲେ ଜାଗି ।

 

ସେ ମହାବ୍ରହ୍ମର ଅଶେଷ ମହିମା ଶେଷ କରି ନୁହେ କହି,

ଭଣେ ଭୀମ କନ୍ଧ ଭକ୍ତଭେଦବନ୍ଧ ଅନୁସରି ଅଛି ଧ୍ୟାୟି ।

***

 

ଶହେ ବୋଲି

 

ଡାକି କହୁଅଛି ତିନିପୁର ମଧ୍ୟ ଅଲେଖ ମହିମା ଭଜ,

ଦେଖ କଳିଯୁଗ ଘୋଟି ଆସୁଅଛି ବେନି କର୍ଣ୍ଣେ ଶୁଣି ବୁଝ ।

 

ଆହେ ନରଲୋକ ଯେ ଅଛ ସଂସାରେ ଦେହଧାରୀ ହୋଇ ମର୍ତ୍ତେ,

ଅଲେଖ ମହିମାସାଗର ନାମକୁ ଭଜନ କର ସମସ୍ତେ ।

 

ଯେ ଅଛ ରାକ୍ଷସଗଣ ଆଦି କରି ଦୈତ୍ୟ ଦାନବ ସହିତେ,

କଳିକାଳ ଆସି ଶେଷ ହୋଇଲାଣି ମହିମା ଡାକ ସମସ୍ତେ ।

 

ଋଷି ମୁନି ଖାଖି ବଇରାଗୀ ଆଦି ନାଗାନ୍ତି ଯୋଗାନ୍ତି ଯାଏ

ବେଦାନ୍ତି ସିଦ୍ଧାନ୍ତି ଯେ ଅଛ ସଂସାରେ ମହିମାକୁ କର ଲଏ ।

 

କବିତ୍ତ୍ୱ ପଣ୍ଡିତ ସୁଜ୍ଞ ସାଧୁସନ୍ଥ ମହିମାକୁ ସର୍ବେ ଡ଼ାକ,

ଯୁଗ ଶେଷ ହେଲା ଦୋଷ ନ ଧରିବ ଉଚ୍ଚେ ଦେଉଅଛୁଁ ହାଁକ ।

 

ଜପୀତପୀ ତୀର୍ଥବ୍ରତୀ ଯେତେ ତୁମ୍ଭେ ଏ ମୋର ବଚନ ମାନ,

ଶତେବାର ଆମ୍ଭେ ବୁଝାଇ କହୁଛୁଁ ମହିମା ନାମକୁ ଘେନ ।

 

 

 

ଆହେ ନାଗଗଣ ପାତାଳ ଭୁବନେ ଅଛ ପରା ତୁମ୍ଭେ ରହି,

ସମସ୍ତେ ତୁମ୍ଭେ ମହିମା ନାମ ଭଜ ଧରିଅଛ ଯେତେ ଦେହୀ ।

 

ସୁରଗଣମାନେ ମହିମାକୁ ଡ଼ାକ ନ କର ବିଳମ୍ବ ମଠ,

କଳିକାଳ ଭୋର ସରି ଆସିଲାଣି ଯୁଗ ହେଲାଣି ନିକଟ ।

 

ଦେବଗଣମାନେ ମହିମା ନାମକୁ ଏତେବେଳେ ଆଶ୍ରା କର,

କଳିଯୁଗ ଆସି ବାକି ରହିଲାଣି ସରିଯିବ ଏ ସଂସାର ।

 

ରୁଦ୍ରଗଣ ତୁମ୍ଭେ ମହିମାକୁ ଭଜ ମନରେ ନ କର ହେଳା,

ଏ ଯୁଗେ ଏ ନାମ ଯେହୁ ନ ଭଜିବ ବିଅର୍ଥେ ତା ଜନ୍ମ ଗଲା ।

 

ବ୍ରହ୍ମା ଲୋକମାନେ ଯେହୁ ଅଛ ତୁମ୍ଭେ ମହିମାକୁ ଭଜ ଚିତ୍ତେ,

ମହାଶୂନ୍ୟବାସୀ ଦେହଧାରୀ ହୋଇ ଉଦିଅଛନ୍ତି ସାକ୍ଷାତେ ।

 

ଆହେ ଚନ୍ଦ୍ର ସୂର୍ଯ୍ୟ ଆକାଶରେ ଅଛ ଭଜ ମହିମା ନାମକୁ,

ତୁମ୍ଭେମାନେ କେହି ଜାଣି ନ ପାରୁଛ ଘଟିଲାଣି ଦେଖୁ ଦେଖୁ ।

 

ଆହୋ ନବଲକ୍ଷ ତାରାଗଣ ତୁମ୍ଭେ ମହିମା ନାମକୁ ଧର,

ଏ କାଳ ଦୁସ୍ତରୁ ଯୁଗ ଶେଷେ ତୁମ୍ଭେ ହୋଇବ ଯେମନ୍ତ ପାର ।

 

ଅଲେଖ ପ୍ରଭୁଙ୍କ ସେବାକାରୀ ଆମ୍ଭେ ଆଜ୍ଞାରେ ଦେଉଛୁ ଡାକ,

ଜଗତ ସଂସାର କି କୃତ ହେଲାଣି କର୍ଣ୍ଣେ ଶୁଣି ନେତ୍ରେ ଦେଖ ।

 

ଅଲେଖ ମହିମା ନାମ ଆଶ୍ରେ କଲେ ନ ଛୁଇଁବ କାଳଦଣ୍ଡ,

ଏ କଳିଯୁଗରୁ ନିଶ୍ଚେଁ ପାର ହେବ ବଞ୍ଚିବ ପରାଣ ପିଣ୍ଡ ।

 

ଆମ୍ଭର କିଛି ଦୋଷ ନାହିଁ ଏଥିରେ ଡାକି ଡାକି କହୁଅଛୁ,

ଏ କଳିଯୁଗରେ ଏହି ଏକା ନାମ ମହିମା ଭଜ ବୋଲଛୁଁ ।

 

ମାୟାରେ ନ ପଡ଼ି ବେଦରେ ନ ହୁଡ଼ ବୁଝ ବୁଝ ଭଲ କରି,

ଆପଣା ହେତୁରେ ଚେତାଇ ପାରିଲେ କଳିରୁ ଯିବ ଉବୁରି ।

 

ଯେବୁ ଯହିଁ ଅଛ ଭଜିବ ଯେମନ୍ତେ ନ ଜାଣିବେ କି ଶ୍ରୀଗୁରୁ,

ଆତଙ୍ଗ ମନରେ ଡାକି ଯେବେ ପାର ଘୁଞ୍ଚିବେ କାଳମୁଖରୁ ।

 

ଭଜ ଭଜ ସର୍ବେ କହୁଅଛୁଁ ଏବେ ଧର୍ମରେ ଆଶ୍ରିତ ହୁଅ,

ଅଶେଷ ବ୍ରହ୍ମାଣ୍ଡେ ଜୀବ ହୋଇ ଯେତେ ଯେହୁ ବହିଅଛ ଦେହ ।

 

ସୁତିଚିନ୍ତାମଣି ସମ୍ପୂର୍ଣ୍ଣ ହୋଇଲା ବେନି ସହସ୍ର ପଦରେ,

ଭଣେ ଭୀମ କନ୍ଧ କବିକୁଳଚାନ୍ଦ ଶରଣ ଗୁରୁ ପୟରେ ।

***